- ଯିରିମୀୟ
The Book of the Prophet
Chapter 1
1 ବିନ୍ୟାମୀନ୍ ପ୍ରଦେଶୀୟ ଅନାଥୋତ୍ ନିବାସୀ ଯାଜକମାନଙ୍କର ମଧ୍ୟବର୍ତ୍ତୀ ହିଲ୍କୀୟଙ୍କ ପୁତ୍ର ଯିରିମୀୟଙ୍କ ବାକ୍ୟ; 2 ଆମୋନ୍ର ପୁତ୍ର, ଯିହୁଦା ଦେଶର ରାଜା ଯୋଶୀୟର ରାଜତ୍ୱର ତ୍ରୟୋଦଶ ବର୍ଷରେ ସଦାପ୍ରଭୁଙ୍କର ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା। 3 ମଧ୍ୟ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ସମୟରେ, ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟଙ୍କର ରାଜତ୍ୱର ଏକାଦଶ ବର୍ଷ ସମାପ୍ତି ପର୍ଯ୍ୟନ୍ତ ପଞ୍ଚମ ମାସରେ ଯିରୂଶାଲମ ନିର୍ବାସିତ ହେବା ପର୍ଯ୍ୟନ୍ତ ସେହି ବାକ୍ୟ ଉପସ୍ଥିତ ହେଲା।
ଯିରିମୀୟଙ୍କ ଆହ୍ୱାନ
4 ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା,
5 “ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ,
ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ;
ଆମ୍ଭେ ତୁମ୍ଭକୁ ନାନା ଦେଶୀୟମାନଙ୍କ ନିକଟରେ ଭବିଷ୍ୟଦ୍ବକ୍ତା କରି ନିଯୁକ୍ତ କରିଅଛୁ।”
6 ଏଥିରେ ମୁଁ କହିଲି, “ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ!
ଦେଖନ୍ତୁ, ମୁଁ କଥା କହି ଜାଣେ ନାହିଁ; କାରଣ ମୁଁ ତ ବାଳକ।”
7 ମାତ୍ର ସଦାପ୍ରଭୁ ମୋତେ କହିଲେ, “ମୁଁ ବାଳକ ବୋଲି କୁହ ନାହିଁ;
କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ
ଓ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
8 ସେମାନଙ୍କ ସକାଶୁ ଭୀତ ହୁଅ ନାହିଁ;
କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।”
9 ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ମୁଖ ସ୍ପର୍ଶ କଲେ;
ଆଉ, ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ;
10 ଦେଖ, ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବା ନିମନ୍ତେ;
ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।”
ଦୁଇଟି ଦର୍ଶନ
11 ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା, “ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।” 12 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଭଲ ଦେଖିଅଛ; କାରଣ ଆମ୍ଭେ ଆପଣା ବାକ୍ୟ ସଫଳ କରିବା ପାଇଁ ଜାଗ୍ରତ ଅଛୁ।” 13 ପୁଣି, ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା, “ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ମୁଁ ଗୋଟିଏ ରନ୍ଧା ହଣ୍ଡା; ଦେଖୁଅଛି; ତହିଁର ମୁଖ ଉତ୍ତର ଦିଗରୁ (ଢଳିଅଛି)।”
14 ତହିଁରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶନିବାସୀ ସମସ୍ତଙ୍କ ଉପରେ ଅମଙ୍ଗଳ ମାଡ଼ି ଆସିବ।”
15 କାରଣ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ୟସମୂହର ସମୁଦାୟ ଗୋଷ୍ଠୀଙ୍କୁ ଡାକିବା; ତହିଁରେ ସେମାନେ ଆସି ଯିରୂଶାଲମ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖରେ ଓ ଯିହୁଦାର ନଗରସମୂହର ସମ୍ମୁଖରେ ଆପଣା ଆପଣା ସିଂହାସନ ସ୍ଥାପନ କରିବେ। 16 ତହିଁରେ ସେମାନେ ଆମ୍ଭକୁ ପରିତ୍ୟାଗ କରିବାରେ ଓ ଅନ୍ୟ ଦେବତାମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାରେ ଓ ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ପ୍ରଣାମ କରିବାରେ ଯେଉଁ ଯେଉଁ ଦୁଷ୍ଟତା କରିଅଛନ୍ତି; ସେସକଳର ବିରୁଦ୍ଧରେ ଆମ୍ଭେ ଆପଣା ବିଚାର ପ୍ରକାଶ କରିବା।
17 ଏହେତୁ ତୁମ୍ଭେ ଆପଣା କଟି ବାନ୍ଧି ଉଠ ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରୁଅଛୁ, ତାହାସବୁ ସେମାନଙ୍କୁ କୁହ; ସେମାନଙ୍କ ସକାଶୁ ଉଦ୍ବିଗ୍ନ ହୁଅ ନାହିଁ; ହେଲେ, ଆମ୍ଭେ ସେମାନଙ୍କ ସାକ୍ଷାତରେ ତୁମ୍ଭକୁ ଉଦ୍ବିଗ୍ନ କରିବା।
18 କାରଣ ଦେଖ, ଆମ୍ଭେ ଆଜି ସମଗ୍ର ଦେଶ ବିରୁଦ୍ଧରେ, ଯିହୁଦାର ରାଜାଗଣ ବିରୁଦ୍ଧରେ, ତହିଁର ଅଧିପତିଗଣର ବିରୁଦ୍ଧରେ, ତହିଁର ଯାଜକମାନଙ୍କ ବିରୁଦ୍ଧରେ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧରେ, ତୁମ୍ଭକୁ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ୱରୂପ କଲୁ। 19 ପୁଣି, ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ; ମାତ୍ର ତୁମ୍ଭ ଉପରେ ଜୟଯୁକ୍ତ ହେବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭର ସଙ୍ଗେ ସଙ୍ଗେ ଅଛୁ।”
Chapter 2
ଇସ୍ରାଏଲ ଦ୍ୱାରା ଈଶ୍ୱର ପରିତ୍ୟକ୍ତ
1 ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା,
2 “ଯାଅ ଓ ଯିରୂଶାଲମର କର୍ଣ୍ଣଗୋଚରରେ ପ୍ରଚାର କରି କୁହ,
ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭ ଯୌବନାବସ୍ଥାର ଭକ୍ତି, ତୁମ୍ଭ ବିବାହ ସମୟର ପ୍ରେମ,
ତୁମ୍ଭେ ପ୍ରାନ୍ତରରେ ଅବୁଣା ଦେଶରେ କିରୂପେ ଆମ୍ଭ ପଶ୍ଚାଦ୍ଗମନ କଲ,
ଏହା ତୁମ୍ଭ ପକ୍ଷରେ ଆମ୍ଭେ ସ୍ମରଣ କରୁଅଛୁ।
3 ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର,
ତାହାଙ୍କ ଆୟର ପ୍ରଥମ ଫଳ ସ୍ୱରୂପ ଥିଲା।
ଯେଉଁମାନେ ତାହାକୁ ଗ୍ରାସ କରନ୍ତି, ସେସମସ୍ତେ ଦୋଷୀ ଗଣାଯିବେ;
ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ, ଏହା ସଦାପ୍ରଭୁ କହନ୍ତି।
4 ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ,
ସଦାପ୍ରଭୁଙ୍କର ବାକ୍ୟ ଶୁଣ;
5 ସଦାପ୍ରଭୁ ଏହି କଥା କହନ୍ତି,
‘ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ,
ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି
ଓ ଅସାର ପ୍ରତିମାଗଣର ପଶ୍ଚାଦ୍ଗମନ କରି ନିଜେ ଅସାର ହୋଇଅଛନ୍ତି ?
6 ଅଥବା ଯେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ,
ଯେ ପ୍ରାନ୍ତରର, ମରୁଭୂମି ଓ ଗର୍ତ୍ତମୟ ଦେଶର,
ଆଉ ନିର୍ଜଳ ଓ ମୃତ୍ୟୁୁଚ୍ଛାୟାରୂପ ଦେଶର,
ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶର ମଧ୍ୟରେ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ,
ସେହି ସଦାପ୍ରଭୁ କାହାନ୍ତି, ଏହା ସେମାନେ କହିଲେ ନାହିଁ।
7 ପୁଣି, ତୁମ୍ଭେମାନେ ଯେପରି ଫଳ ଓ ଅତ୍ୟୁତ୍ତମ ଦ୍ରବ୍ୟ ଭୋଜନ କରିବ,
ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଏକ ଅତି ଉର୍ବରା ଦେଶକୁ ଆଣିଲୁ;
ମାତ୍ର ତୁମ୍ଭେମାନେ ପ୍ରବେଶ କରି ଆମ୍ଭ ଦେଶକୁ ଅଶୁଚି
ଓ ଆମ୍ଭ ଅଧିକାରକୁ ଘୃଣାସ୍ପଦ କଲ।
8 “ସଦାପ୍ରଭୁ କାହାନ୍ତି,” ଏହା ଯାଜକମାନେ କହିଲେ ନାହିଁ,
ଆଉ ଯେଉଁମାନେ ବ୍ୟବସ୍ଥାହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ;
ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ,
ଆଉ ଭବିଷ୍ୟଦ୍ବକ୍ତାମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ
ଓ ନିଷ୍ଫଳ ବସ୍ତୁମାନର ପଶ୍ଚାଦ୍ଗମନ କଲେ।
9 ଏହେତୁ ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା
ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା।
10 ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ,
ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର;
ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି ?
11 ଦେବତାମାନେ ଈଶ୍ୱର ନୋହିଲେ ହେଁ
କୌଣସି ଦେଶୀୟ ଲୋକେ କି ଆପଣା ଦେବତାମାନଙ୍କୁ ବଦଳ କରିଅଛନ୍ତି ?
ମାତ୍ର ଆମ୍ଭର ଲୋକମାନେ ନିଷ୍ଫଳ ବସ୍ତୁ ନିମନ୍ତେ
ଆପଣାମାନଙ୍କର ଗୌରବସ୍ୱରୂପଙ୍କୁ ବଦଳ କରିଅଛନ୍ତି।”
12 “ହେ ଆକାଶମଣ୍ଡଳ, ଏଥିରେ ଚମତ୍କୃତ ହୁଅ
ଓ ମହା ଭୟଗ୍ରସ୍ତ ହୋଇ ସଙ୍କୁଚିତ ହୁଅ,” ଏହା ସଦାପ୍ରଭୁ କହନ୍ତି।
13 କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରି ଅଛନ୍ତି;
ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭେ, ଆମ୍ଭକୁ ପରିତ୍ୟାଗ କରିଅଛନ୍ତି,
ପୁଣି ଆପଣାମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି,
ସେସବୁ ଭଗ୍ନ କୂପ, ଜଳଧାରଣ କରି ନ ପାରେ।
14 ଇସ୍ରାଏଲ କି ଦାସ ? ସେ କି ଗୃହଜାତ ଜନ୍ମରୁ ଦାସ ?
ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି ?
15 ଯୁବା ସିଂହମାନେ ତାହା ଉପରେ ଗର୍ଜ୍ଜନ ଓ ହୁଙ୍କାର କରିଅଛନ୍ତି
ଓ ସେମାନେ ତାହାର ଦେଶ ଉଜାଡ଼ କରିଅଛନ୍ତି;
ତାହାର ନଗରସବୁ ଦଗ୍ଧ ହୋଇ ନିବାସ ବିହୀନ ହୋଇଅଛି।
16 ଆହୁରି ନୋଫର ଓ ତଫନ୍ହେଷର ସନ୍ତାନଗଣ
ତୁମ୍ଭ ମସ୍ତକର ମୁକୁଟକୁ ଭାଙ୍ଗିଅଛନ୍ତି।
17 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପଥରେ କଢ଼ାଇ ଘେନି ଯିବା ସମୟରେ
ତୁମ୍ଭେ ତାହାଙ୍କୁ ପରିତ୍ୟାଗ କରିବାରୁ ଏହା କି ଆପଣା ପ୍ରତି ଆପେ ଘଟାଇ ନାହଁ ?
18 ଆଉ, ଏବେ ଶୀହୋରର ଜଳ ପାନ କରିବା ନିମନ୍ତେ
ତୁମ୍ଭେ ମିସରର ପଥରେ କାହିଁକି ଯାଉଅଛ ?
ଅଥବା ଫରାତ୍ ନଦୀର ଜଳ ପାନ କରିବା ନିମନ୍ତେ
ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ ?
19 ତୁମ୍ଭ ନିଜର ଦୁଷ୍ଟତା ତୁମ୍ଭକୁ ଶାସ୍ତି ଦେବ
ଓ ତୁମ୍ଭର ବିପଥଗମନ ତୁମ୍ଭକୁ ଅନୁଯୋଗ କରିବ;
ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପରିତ୍ୟାଗ କରିବାର ଓ ଆମ୍ଭ ବିଷୟକ ଭୟ
ତୁମ୍ଭ ମଧ୍ୟରେ ନ ଥିବାର ଯେ ମନ୍ଦ ଓ ତିକ୍ତ ବିଷୟ, ଏହା ଜ୍ଞାତ ହୋଇ ବୁଝ।
20 ପୂର୍ବ କାଳରେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନସକଳ ଛେଦନ କଲୁ;
ଆଉ, ତୁମ୍ଭେ କହିଲ, ଆମ୍ଭେ ଦାସ୍ୟକର୍ମ କରିବା ନାହିଁ;
କାରଣ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ
ତୁମ୍ଭେ ବ୍ୟଭିଚାର କରିବା ପାଇଁ ନତ ହୋଇଅଛ।
21 ତଥାପି ଆମ୍ଭେ ତୁମ୍ଭକୁ ସର୍ବତୋଭାବେ ପ୍ରକୃତ ବୀଜରୁ ଉତ୍ପନ୍ନ
ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲୁ;
ତେବେ ତୁମ୍ଭେ କିପରି ଆମ୍ଭ ନିକଟରେ
ବିଜାତୀୟ ଦ୍ରାକ୍ଷାଲତାରୁ ଉତ୍ପନ୍ନ ବିକୃତ ଚାରା ହେଲ ?
22 ପ୍ରଭୁ, ସଦାପ୍ରଭୁ କହନ୍ତି,
ଯଦ୍ୟପି ତୁମ୍ଭେ ଆପଣାକୁ ସୋଡ଼ାରେ ଧୌତ କର ଓ ବହୁତ ସାବୁନ ଲଗାଅ,
ତଥାପି ଆମ୍ଭ ଦୃଷ୍ଟିରେ ତୁମ୍ଭ ଅଧର୍ମ ଚିହ୍ନିତ ହୋଇ ରହିଅଛି।
23 ଆମ୍ଭେ ଅଶୁଚି ନୋହୁଁ, ଆମ୍ଭେ ବାଲ୍ଦେବଗଣର ପଶ୍ଚାଦ୍ଗାମୀ
ହୋଇ ନାହୁଁ ବୋଲି ତୁମ୍ଭେ କିପରି କହିପାର ?
ଉପତ୍ୟକାରେ ତୁମ୍ଭ ଗତାୟାତ ପଥ ଦେଖ,
ଯାହା ତୁମ୍ଭେ କରିଅଛ, ତାହା ଜ୍ଞାତ ହୁଅ;
ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଉଷ୍ଟ୍ରୀ;
24 ତୁମ୍ଭେ ପ୍ରାନ୍ତର ପରିଚିତା ବନ୍ୟ ଗର୍ଦ୍ଦଭୀ ଅଟ;
ସେ ଆପଣା ଅଭିଳାଷକ୍ରମେ ବାୟୁ ଆଘ୍ରାଣ କରେ,
ତାହାର ଋତୁ ସମୟରେ କିଏ ତାହାକୁ ଫେରାଇ ପାରଇ ?
ତାହାର ଅନ୍ବେଷଣକାରୀମାନଙ୍କର ଆପଣାମାନଙ୍କୁ କ୍ଳାନ୍ତ କରିବାର ପ୍ରୟୋଜନ ନାହିଁ;
ସେମାନେ ତାହାର ନିୟମିତ ମାସରେ ତାହାକୁ ପାଇବେ।
25 ତୁମ୍ଭେ ଆପଣା ଚରଣ ପାଦୁକାରହିତ ଓ କଣ୍ଠ ଶୁଷ୍କ ହେବାକୁ ଦିଅ ନାହିଁ;
ମାତ୍ର ତୁମ୍ଭେ କହିଲ, ଆଉ ଭରସା ନାହିଁ;
ନା, କାରଣ ମୁଁ ବିଦେଶୀୟମାନଙ୍କୁ ପ୍ରେମ କରିଅଛି
ଓ ମୁଁ ସେମାନଙ୍କର ପଶ୍ଚାଦ୍ଗାମିନୀ ହେବି।
26 ଚୋର ଧରା ପଡ଼ିଲେ ଯେପରି ଲଜ୍ଜିତ ହୁଏ,
ସେପରି ଇସ୍ରାଏଲ ବଂଶ, ସେମାନଙ୍କର ରାଜାଗଣ,
ସେମାନଙ୍କର ଅଧିପତିଗଣ, ସେମାନଙ୍କର ଯାଜକଗଣ
ଓ ସେମାନଙ୍କର ଭବିଷ୍ୟଦ୍ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି;
27 ସେମାନେ ଖଣ୍ଡେ କାଠମୁଣ୍ଡାକୁ କହନ୍ତି, “ତୁମ୍ଭେ ଆମ୍ଭର ପିତା”
ଓ ପଥରକୁ କହନ୍ତି, “ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ,”
ସେମାନେ ଆମ୍ଭ ଆଡ଼କୁ ମୁଖ ନ ଫେରାଇ ଆପଣା ଆପଣା ପିଠି ଫେରାଇ ଅଛନ୍ତି;
ବିପଦ ସମୟରେ ସେମାନେ କହିବେ, “ତୁମ୍ଭେ ଉଠ, ଆମ୍ଭମାନଙ୍କୁ ଉଦ୍ଧାର କର।”
28 ମାତ୍ର ତୁମ୍ଭେ ନିଜ ପାଇଁ ଯେଉଁ ଦେବତାମାନଙ୍କୁ ନିର୍ମାଣ କରିଅଛ, ସେମାନେ କାହାନ୍ତି ?
ସେମାନେ ଉଠନ୍ତୁ, ଯେବେ ପାରନ୍ତି, ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ;
କାରଣ ହେ ଯିହୁଦା, ତୁମ୍ଭ ନଗରସମୂହର ସଂଖ୍ୟା ପ୍ରମାଣେ ତୁମ୍ଭର ଦେବତାମାନେ ଅଛନ୍ତି।
29 “ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରିବ ?”
ସଦାପ୍ରଭୁ କହନ୍ତି, “ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛ।”
30 ଆମ୍ଭେ ବ୍ୟର୍ଥରେ ତୁମ୍ଭ ସନ୍ତାନଗଣକୁ ଆଘାତ କରିଅଛୁ;
ସେମାନେ ଶାସ୍ତି ଗ୍ରାହ୍ୟ କଲେ ନାହିଁ;
ତୁମ୍ଭମାନଙ୍କର ନିଜ ଖଡ୍ଗ, ବିନାଶକ ସିଂହ ତୁଲ୍ୟ
ତୁମ୍ଭମାନଙ୍କର ଭବିଷ୍ୟଦ୍ବକ୍ତାଗଣଙ୍କୁ ଗ୍ରାସ କରିଅଛି।
31 ହେ ବର୍ତ୍ତମାନ କାଳର ଲୋକମାନେ,
ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଆଲୋଚନା କର,
ଆମ୍ଭେ କି ଇସ୍ରାଏଲ ପ୍ରତି ପ୍ରାନ୍ତର ସ୍ୱରୂପ,
ଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ ?
ଆମ୍ଭର ଲୋକମାନେ କାହିଁକି କହୁଅଛନ୍ତି,
“ଆମ୍ଭେମାନେ ବନ୍ଧନଛିଣ୍ଡା ହୋଇଅଛୁ; ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ ?
32 କନ୍ୟା କି ଆପଣା ଅଳଙ୍କାର
ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ?
ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି।
33 ତୁମ୍ଭେ ପ୍ରେମର ଚେଷ୍ଟାରେ କିପରି ଆପଣା ପଥ ସଜାଡ଼ୁଅଛ !
ଏହି କାରଣରୁ ଦୁଷ୍ଟା ସ୍ତ୍ରୀମାନଙ୍କୁ ହିଁ ତୁମ୍ଭେ ଆପଣା ପଥ ଶିଖାଇଅଛ।
34 ଆହୁରି, ତୁମ୍ଭ ବସ୍ତ୍ରର ଅଞ୍ଚଳରେ ନିର୍ଦ୍ଦୋଷ ଦୀନହୀନମାନଙ୍କ ପ୍ରାଣର ରକ୍ତ ଦେଖାଯାଏ;
ତାହା ସିନ୍ଧି କାଟିବା ସ୍ଥାନରେ ନୁହେଁ, ମାତ୍ର ଏହିସବୁର ଉପରେ ଆମ୍ଭେ ଦେଖିଅଛୁ।
35 ତଥାପି ତୁମ୍ଭେ କହିଲ, “ଆମ୍ଭେ ନିର୍ଦ୍ଦୋଷ;
ଅବଶ୍ୟ ଆମ୍ଭଠାରୁ ତାହାଙ୍କର କ୍ରୋଧ ଫେରି ଅଛି।”
ତୁମ୍ଭେ କହୁଅଛ, “ଆମ୍ଭେ ପାପ କରି ନାହୁଁ,”
ଏହେତୁ ଦେଖ, ଆମ୍ଭେ ତୁମ୍ଭର ବିଚାର କରିବା।
36 ତୁମ୍ଭେ ଆପଣା ପଥ ପରିବର୍ତ୍ତନ କରିବା ପାଇଁ
କାହିଁକି ଏଣେତେଣେ ମିଥ୍ୟାରେ ଏତେ ଭ୍ରମଣ କରୁଅଛ ?
ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ,
ସେପରି ମିସରର ବିଷୟରେ ହେଁ ଲଜ୍ଜିତା ହେବ।
37 ତୁମ୍ଭେ ଆପଣା ମୁଣ୍ଡରେ ହାତ ଦେଇ ତାହା ନିକଟରୁ ମଧ୍ୟ ବାହାରି ଯିବ;
କାରଣ ସଦାପ୍ରଭୁ ତୁମ୍ଭର ବିଶ୍ୱାସପାତ୍ରମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି
ଓ ସେମାନଙ୍କ ଦ୍ୱାରା ତୁମ୍ଭେ କୃତକାର୍ଯ୍ୟ ହେବ ନାହିଁ।
Chapter 3
1 ଲୋକେ କହନ୍ତି, “କେହି ଆପଣା ଭାର୍ଯ୍ୟାକୁ ତ୍ୟାଗ କଲେ,
ସେ ସ୍ତ୍ରୀ ତାହା ନିକଟକୁ ଯାଇ ଯଦି ଅନ୍ୟ ପୁରୁଷର ହୁଏ,
ତେବେ ତାହାର ସ୍ୱାମୀ କି ପୁନର୍ବାର ତାହା ନିକଟକୁ ଯିବ ?”
ଗଲେ, ସେହି ଦେଶ କି ଅତ୍ୟନ୍ତ ଅଶୁଚି ହେବ ନାହିଁ ?
ମାତ୍ର ତୁମ୍ଭେ ଅନେକ ଉପପତିର ସଙ୍ଗେ ବ୍ୟଭିଚାର କରିଅଛ ?
ତଥାପି ସଦାପ୍ରଭୁ କହନ୍ତି, “ତୁମ୍ଭେ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସୁଅଛ !
2 ଚକ୍ଷୁ ଟେକି ବୃକ୍ଷଶୂନ୍ୟ ଟିକର ସ୍ଥାନ ସବୁ ଦେଖ;
ତୁମ୍ଭେ କେଉଁଠାରେ ବ୍ୟଭିଚାର କରି ନାହଁ ?
ଯେପରି ଆରବୀୟ ଲୋକ ପ୍ରାନ୍ତରରେ ବସେ,
ସେପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ;
ଆଉ, ତୁମ୍ଭେ ଆପଣା ବ୍ୟଭିଚାର ଓ ଦୁଷ୍ଟକ୍ରିୟା ଦ୍ୱାରା ଦେଶ ଅଶୁଚି କରିଅଛ।
3 ଏହେତୁ ବୃଷ୍ଟି ନିବାରିତ ହୋଇଅଛି ଓ ଶେଷ ବର୍ଷା ହୋଇ ନାହିଁ;
ତଥାପି ତୁମ୍ଭେ ବେଶ୍ୟାର କପାଳ ଧାରଣ କରିଅଛ,
ତୁମ୍ଭେ ଲଜ୍ଜିତା ହେବାକୁ ଅସମ୍ମତା ହୋଇଅଛ।”
4 ତୁମ୍ଭେ କି ଏହି ସମୟଠାରୁ ଆମ୍ଭ ନିକଟରେ ପ୍ରାର୍ଥନା କରି ନ କହିବ,
“ହେ ମୋର ପିତଃ, ତୁମ୍ଭେ ମୋର ବାଲ୍ୟକାଳର ପଥପ୍ରଦର୍ଶକ ?
5 ସେ କି ସଦାକାଳ କ୍ରୁଦ୍ଧ ହୋଇଥିବେ ?
ସେ କି ଶେଷ ପର୍ଯ୍ୟନ୍ତ ତାହା ରଖିବେ ?
ଦେଖ, ତୁମ୍ଭେ କଥା କହିଅଛ, ପୁଣି ଦୁଷ୍କ୍ରିୟା କରିଅଛ ଓ ନିଜ ପଥରେ ଚାଲିଅଛ।”
ଇସ୍ରାଏଲ ଓ ଯିହୁଦାର ଅନୁତାପ ନିମନ୍ତେ ଆହ୍ୱାନ
6 ଆହୁରି, ଯୋଶୀୟ ରାଜାର ସମୟରେ ସଦାପ୍ରଭୁ ମୋତେ କହିଲେ, “ବିପଥଗାମୀନୀ ଇସ୍ରାଏଲ ଯାହା କରିଅଛି, ତାହା କି ତୁମ୍ଭେ ଦେଖିଅଛ ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ଯାଇ ସେଠାରେ ବ୍ୟଭିଚାର କରିଅଛି। 7 ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ‘ସେ ଆମ୍ଭ ନିକଟକୁ ଫେରି ଆସିବ,’ ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା।
8 ଆଉ, ଆମ୍ଭେ ଦେଖିଲୁ, ବିପଥଗାମୀନୀ ଇସ୍ରାଏଲ ବ୍ୟଭିଚାର କରିବା ସକାଶୁ ଆମ୍ଭେ ତାହାକୁ ତ୍ୟାଗ କରି ଛାଡ଼ପତ୍ର ଦେଲେ ହେଁ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଭୟ କଲା ନାହିଁ; ମାତ୍ର ସେ ମଧ୍ୟ ଯାଇ ବ୍ୟଭିଚାର କଲା। 9 ତାହାର ବ୍ୟଭିଚାରର ଅଖ୍ୟାତିରେ ଦେଶ ଅଶୁଚି ହେଲା ଓ ସେ ପଥର ଓ କାଠ ସଙ୍ଗରେ ବ୍ୟଭିଚାର କଲା। 10 ପୁଣି, ଏସବୁ ହେଲେ ହେଁ ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଆପଣା ସର୍ବାନ୍ତଃକରଣ ସହିତ ନୁହେଁ, ମାତ୍ର କପଟ ଭାବରେ ଆମ୍ଭ ପ୍ରତି ଫେରିଅଛି,” ଏହା ସଦାପ୍ରଭୁ କହନ୍ତି।
11 ଆଉ, ସଦାପ୍ରଭୁ ମୋତେ କହିଲେ, “ବିପଥଗାମୀନୀ ଇସ୍ରାଏଲ ବିଶ୍ୱାସଘାତିନୀ ଯିହୁଦା ଅପେକ୍ଷା ଆପଣାକୁ ଧାର୍ମିକା ଦେଖାଇଅଛି। 12 ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ;’ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’”
13 ସଦାପ୍ରଭୁ କହନ୍ତି, “ତୁମ୍ଭେ ଯେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଅଛ
ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବିଦେଶୀୟମାନଙ୍କ ନିକଟକୁ ଯାଇ ଭ୍ରମଣ କରିଅଛ
ଓ ଆମ୍ଭ ରବରେ ମନୋଯୋଗ କରି ନାହଁ,
ଆପଣାର ଏହି ଅଧର୍ମାଚରଣ କେବଳ ସ୍ୱୀକାର କର।”
14 ସଦାପ୍ରଭୁ କହନ୍ତି, ‘ହେ ବିପଥଗାମୀ ସନ୍ତାନଗଣ, ଫେର;
କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ;
ଆମ୍ଭେ ନଗରରୁ ଏକ ଜଣ ଓ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣ କରି
ତୁମ୍ଭମାନଙ୍କୁ ସିୟୋନକୁ ଆଣିବା;
15 ଆଉ, ଆମ୍ଭେ ଆପଣା ମନ ଅନୁଯାୟୀ ପାଳକଗଣ ତୁମ୍ଭମାନଙ୍କୁ ଦେବା,
ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚରାଇବେ।’
16 ସଦାପ୍ରଭୁ କହନ୍ତି, ‘ସେହି ସମୟରେ, ଯେତେବେଳେ ତୁମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ, ସେତେବେଳେ ଲୋକମାନେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ବୋଲି ଆଉ କହିବେ ନାହିଁ; କିଅବା ତାହା ମନରେ ପଡ଼ିବ ନାହିଁ; ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ, କିଅବା ତାହା ନିକଟକୁ ଯିବେ ନାହିଁ; ଅଥବା ଆଉ ତାହା ନିର୍ମିତ ହେବ ନାହିଁ।’
17 ସେସମୟରେ ଲୋକମାନେ ଯିରୂଶାଲମକୁ ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ; ଆଉ, ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯିରୂଶାଲମରେ ସଂଗୃହୀତ ହେବେ; ପୁଣି, ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ।
18 ସେହି ସମୟରେ ଯିହୁଦା ବଂଶ, ଇସ୍ରାଏଲ ବଂଶ ସଙ୍ଗେ ଗମନ କରିବେ ଓ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।
19 ମାତ୍ର ଆମ୍ଭେ କହିଲୁ, “ଆମ୍ଭ ସନ୍ତାନଗଣ ମଧ୍ୟରେ କିପରି
ତୁମ୍ଭକୁ ସ୍ଥାନ ଦେବା ଓ ମନୋରମ ଏକ ଦେଶ,
ନାନା ଦେଶୀୟମାନଙ୍କର ପରମ ରତ୍ନ ସ୍ୱରୂପ ଏକ ଅଧିକାର ତୁମ୍ଭକୁ ଦାନ କରିବା ?”
ପୁଣି, ଆମ୍ଭେ କହିଲୁ, “ତୁମ୍ଭେମାନେ ଆମ୍ଭକୁ ହେ ମୋର ପିତଃ ବୋଲି ଡାକିବ
ଓ ଆମ୍ଭ ପଶ୍ଚାଦ୍ଗମନରୁ ବିମୁଖ ହେବ ନାହିଁ।”
20 ସଦାପ୍ରଭୁ କହନ୍ତି, ଯେପରି କୌଣସି ଭାର୍ଯ୍ୟା
ବିଶ୍ୱାସଘାତକତାପୂର୍ବକ ଆପଣା ସ୍ୱାମୀକି ଛାଡ଼ିଯାଏ,
ସେପରି ହେ ଇସ୍ରାଏଲ, ତୁମ୍ଭେ ନିଶ୍ଚୟ ଆମ୍ଭ ପ୍ରତି
ସେହି ପ୍ରକାର ବିଶ୍ୱାସଘାତକତା କରିଅଛ।
21 ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀମାନରେ ଏକ ସ୍ୱର,
ଇସ୍ରାଏଲ ସନ୍ତାନଗଣର ରୋଦନ ଓ କାକୂକ୍ତି ଶୁଣାଯାଏ;
କାରଣ ସେମାନେ କୁଟିଳ ପଥଗାମୀ
ଓ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରି ପକାଇ ଅଛନ୍ତି।
22 ହେ ବିପଥଗାମୀ ସନ୍ତାନଗଣ ଫେର,
ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପ ରୋଗ ସୁସ୍ଥ କରିବା।
ଦେଖ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ;
କାରଣ ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟ।
23 ଉପପର୍ବତସମୂହରୁ, ପର୍ବତମାନର ଉପରିସ୍ଥ କୋଳାହଳରୁ ଅପେକ୍ଷିତ ଉପକାର ନିତାନ୍ତ ବ୍ୟର୍ଥ;
ନିତାନ୍ତ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କଠାରେ ଇସ୍ରାଏଲର ପରିତ୍ରାଣ ଅଛି।
24 ମାତ୍ର ଲଜ୍ଜାସ୍ପଦ ବସ୍ତୁ ଆମ୍ଭମାନଙ୍କର ବାଲ୍ୟ କାଳରୁ
ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଶ୍ରମଫଳ, ସେମାନଙ୍କ ଗୋମେଷାଦି ପଲ
ସେମାନଙ୍କର ପୁତ୍ର ଓ କନ୍ୟାଗଣଙ୍କୁ ଗ୍ରାସ କରିଅଛି।
25 ଆମ୍ଭେମାନେ ନିଜ ଲଜ୍ଜାରେ ଶୟନ କରୁ
ଓ ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ;
କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କ ପିତୃପୁରୁଷମାନେ ବାଲ୍ୟ କାଳରୁ ଆଜି ପର୍ଯ୍ୟନ୍ତ
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ
ଓ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କରି ନାହୁଁ।
Chapter 4
1 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ, ଯଦି ତୁମ୍ଭେ ଫେରିବ,
ତେବେ ଆମ୍ଭ ନିକଟକୁ ତୁମ୍ଭେ ଫେରି ଆସିବ;
ଆଉ, ଯଦି ତୁମ୍ଭେ ଆମ୍ଭ ଦୃଷ୍ଟିରୁ ତୁମ୍ଭର ଘୃଣାଯୋଗ୍ୟ ବିଷୟସବୁ ଦୂର କରିବ,
ତେବେ ତୁମ୍ଭେ ସ୍ଥାନାନ୍ତରୀକୃତ ହେବ ନାହିଁ;
2 ଆଉ, ତୁମ୍ଭେ ସତ୍ୟରେ, ନ୍ୟାୟରେ ଓ ଧାର୍ମିକତାରେ
ଜୀବିତ ସଦାପ୍ରଭୁଙ୍କ ନାମରେ ଶପଥ କରିବ;
ତହିଁରେ ନାନା ଦେଶୀୟମାନେ ତାହାଙ୍କଠାରେ
ଆପଣାମାନଙ୍କୁ ଆଶୀର୍ବାଦର ପାତ୍ର କରିବେ ଓ ତାହାଙ୍କଠାରେ ଦର୍ପ କରିବେ।
3 କାରଣ ସଦାପ୍ରଭୁ ଯିହୁଦାର ଓ ଯିରୂଶାଲମର ଲୋକମାନଙ୍କୁ ଏହି କଥା କହନ୍ତି,
‘ତୁମ୍ଭେମାନେ ଆପଣାମାନଙ୍କର ପଡ଼ିଆ ଭୂମି ଚାଷ କର
ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।’”
4 ହେ ଯିହୁଦାର ଲୋକେ ଓ ଯିରୂଶାଲମର ନିବାସୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ସୁନ୍ନତ କର ଓ ଆପଣା ଆପଣା ହୃଦୟର ଅଗ୍ରଚର୍ମ କାଢ଼ି ପକାଅ; ନୋହିଲେ ତୁମ୍ଭମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ଆମ୍ଭର କୋପ ଅଗ୍ନି ତୁଲ୍ୟ ବାହାରି ପ୍ରଜ୍ୱଳିତ ହେବ ଓ କେହି ତାହା ଲିଭାଇ ପାରିବ ନାହିଁ।
ଯିହୁଦା ଉପରେ ଶତ୍ରୁ ଆକ୍ରମଣର ଧମକ
5 ତୁମ୍ଭେମାନେ ଯିହୁଦାରେ ପ୍ରଚାର କର ଓ ଯିରୂଶାଲମରେ ଘୋଷଣା କର; ଆଉ କୁହ, ତୁମ୍ଭେମାନେ ଦେଶରେ ତୂରୀ ବଜାଅ; ଉଚ୍ଚସ୍ୱର କରି କୁହ, “ତୁମ୍ଭେମାନେ ଏକତ୍ର ହୁଅ, ଆସ, ଆମ୍ଭେମାନେ ଦୃଢ଼ ନଗରମାନଙ୍କୁ ଯାଉ।” 6 ସିୟୋନ ଆଡ଼େ ଧ୍ୱଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ବ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।
7 ସିଂହ ଆପଣା ଗହ୍ୱରରୁ ବାହାରି ଅଛି, ନାନା ଦେଶୀୟମାନଙ୍କର ବିନାଶକ ଆସୁଅଛି; ତୁମ୍ଭ ନଗରସମୂହ ଯେପରି ଉଚ୍ଛିନ୍ନ, ନିବାସୀବିହୀନ ହେବ, ଏଥିପାଇଁ ତୁମ୍ଭ ଦେଶକୁ ଉଜାଡ଼ କରିବାକୁ ସେ ବାଟରେ ଅଛି, ସେ ଆପଣା ସ୍ଥାନରୁ ବାହାରି ଅଛି। 8 ଏଥିସକାଶୁ ତୁମ୍ଭେମାନେ ଚଟ ପିନ୍ଧି ବିଳାପ ଓ ହାହାକାର କର; କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କଠାରୁ ଫେରି ନାହିଁ।
9 ପୁଣି ସଦାପ୍ରଭୁ କହନ୍ତି, “ସେହି ଦିନ ରାଜାର ହୃଦୟ ଓ ଅଧିପତିଗଣର ହୃଦୟ କ୍ଷୟ ପାଇବ ଓ ଯାଜକଗଣ ଚମତ୍କୃତ ହେବେ ଓ ଭବିଷ୍ୟଦ୍ବକ୍ତାମାନେ ବିସ୍ମୟାପନ୍ନ ହେବେ।” 10 ଏଥିରେ ମୁଁ କହିଲି, “ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଏହି ଲୋକମାନଙ୍କୁ ଓ ଯିରୂଶାଲମକୁ ତୁମ୍ଭମାନଙ୍କର ଶାନ୍ତି ହେବ ବୋଲି କହି ନିଶ୍ଚୟ ଅତିଶୟ ଭ୍ରାନ୍ତ କରିଅଛ; ଯେହେତୁ ଖଡ୍ଗ ପ୍ରାଣକୁ ଆଘାତ କରୁଅଛି।”
11 ସେହି ସମୟରେ ଏହି ଲୋକମାନଙ୍କୁ ଓ ଯିରୂଶାଲମକୁ କୁହାଯିବ, “ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କର କନ୍ୟା ଆଡ଼କୁ ଉଷ୍ମ ବାୟୁ ଆସୁଅଛି, ତାହା ଶସ୍ୟ ଝାଡ଼ିବା କି ପରିଷ୍କାର କରିବା ନିମନ୍ତେ ନୁହେଁ; 12 ସେହିସବୁ ସ୍ଥାନରୁ ଘୂର୍ଣ୍ଣିବାୟୁ ଆମ୍ଭ ସପକ୍ଷରେ ଆସିବ; ଏବେ ଆମ୍ଭେ ହିଁ ଲୋକମାନଙ୍କ ବିରୁଦ୍ଧରେ ଦଣ୍ଡାଜ୍ଞା ପ୍ରକାଶ କରିବା।”
ଯିହୁଦାର ଚତୁର୍ଦ୍ଦିଗରେ ଶତ୍ରୁ ସମାବେଶ
13 ଦେଖ, ସେ ମେଘମାଳା ତୁଲ୍ୟ ଆସୁଅଛି, ତାହାର ରଥସବୁ ଘୂର୍ଣ୍ଣିବାୟୁ ସ୍ୱରୂପ ହେବ; ତାହାର ଅଶ୍ୱଗଣ ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ଦ୍ରୁତଗାମୀ। ହାୟ ହାୟ ! ଆମ୍ଭେମାନେ ବିନଷ୍ଟ ହେଲୁ। 14 ହେ ଯିରୂଶାଲମ, ଉଦ୍ଧାର ପାଇବା ନିମନ୍ତେ ଦୁଷ୍ଟତାରୁ ଆପଣା ହୃଦୟ ଧୁଅ। ତୁମ୍ଭର ମନ୍ଦ କଳ୍ପନାସବୁ କେତେ କାଳ ତୁମ୍ଭ ମଧ୍ୟରେ ବାସ କରିବ ?
15 କାରଣ ଦାନ୍ ନଗରଠାରୁ ଏକ ରବ ପ୍ରଚାର କରେ ଓ ଇଫ୍ରୟିମ ପର୍ବତମାଳାରୁ ଅମଙ୍ଗଳ ଘୋଷଣା କରେ; 16 ତୁମ୍ଭେମାନେ ନାନା ଦେଶୀୟମାନଙ୍କୁ ଜଣାଅ; ଦେଖ, ଯିରୂଶାଲମ ବିରୁଦ୍ଧରେ ଘୋଷଣା କର, ଦୂର ଦେଶରୁ ଅବରୋଧକାରୀମାନେ ଆସୁଅଛନ୍ତି ଓ ସେମାନେ ଯିହୁଦାର ନଗରସମୂହର ବିରୁଦ୍ଧରେ ହୁଙ୍କାର କରୁଅଛନ୍ତି। 17 ସେମାନେ କ୍ଷେତ୍ର ରକ୍ଷକମାନଙ୍କ ପରି ତାହାର ଚାରିଆଡ଼େ ଅଛନ୍ତି, କାରଣ ସଦାପ୍ରଭୁ କହନ୍ତି, “ସେ ଆମ୍ଭର ବିଦ୍ରୋହାଚାରିଣୀ ହୋଇଅଛି। 18 ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିୟା ଏହିସବୁ ତୁମ୍ଭ ପ୍ରତି ଘଟାଇଅଛି; ଏହା ତୁମ୍ଭ ଦୁଷ୍ଟତାର ଫଳ, ହଁ, ତାହା ତିକ୍ତ, ହଁ, ତାହା ମର୍ମଭେଦକ।”
ଯିହୁଦାର ଉଚ୍ଛିନ୍ନତା ପାଇଁ ଯିରିମୀୟଙ୍କ ଶୋକ
19 ହାୟ, ମୋହର ପ୍ରାଣ ! ମୋହର ପ୍ରାଣ ! ମୁଁ ହୃଦୟରେ ବ୍ୟଥିତ ଅଛି; ମୋର ହୃଦୟ ମୋ’ ମଧ୍ୟରେ ଅସ୍ଥିର ହେଉଅଛି; ମୁଁ ନୀରବ ରହି ନ ପାରେ; କାରଣ ହେ ମୋହର ପ୍ରାଣ, ତୁମ୍ଭେ ତୂରୀଶବ୍ଦ ଓ ଯୁଦ୍ଧର ନାଦ ଶୁଣିଅଛ। 20 ବିନାଶ ଉପରେ ବିନାଶ ପ୍ରଚାରିତ ହେଉଅଛି; କାରଣ ସମୁଦାୟ ଦେଶ ଉଚ୍ଛିନ୍ନ ହୋଇଅଛି; ଅକସ୍ମାତ୍ ମୋହର ତମ୍ବୁ, ଏକ ନିମିଷ ମଧ୍ୟରେ ମୋହର ଆବରଣସବୁ ଉଚ୍ଛିନ୍ନ ହେଲା।
21 ମୁଁ କେତେ କାଳ ପତାକା ଦେଖିବି ଓ ତୂରୀର ଶବ୍ଦ ଶୁଣିବି ? 22 କାରଣ ଆମ୍ଭର ଲୋକମାନେ ଅଜ୍ଞାନ, ସେମାନେ ଆମ୍ଭକୁ ଚିହ୍ନନ୍ତି ନାହିଁ; ସେମାନେ ନିର୍ବୋଧ ବାଳକ, ସେମାନଙ୍କର କିଛି ବିବେଚନା ନାହିଁ; ସେମାନେ କୁକର୍ମ କରିବାକୁ ନିପୁଣ, ମାତ୍ର ସୁକର୍ମ କରିବାକୁ ସେମାନଙ୍କର କିଛି ଜ୍ଞାନ ନାହିଁ।
23 ମୁଁ ପୃଥିବୀକୁ ଅନାଇଲି, ଆଉ ଦେଖ, ତାହା ନିର୍ଜନ ଓ ଶୂନ୍ୟ ଥିଲା; ଆକାଶମଣ୍ଡଳକୁ ଅନାଇଲି, ଆଉ ତହିଁରେ ଦୀପ୍ତି ନ ଥିଲା। 24 ମୁଁ ପର୍ବତମାଳାକୁ ଅନାଇଲି, ଆଉ ଦେଖ, ସେସବୁ କମ୍ପିଲେ ଓ ଉପପର୍ବତସବୁ ଏଣେତେଣେ ଦୋହଲିଲେ।
25 ମୁଁ ଅନାଇଲି, ଆଉ ଦେଖ, କେହି ମନୁଷ୍ୟ ନ ଥିଲା ଓ ଆକାଶର ପକ୍ଷୀସବୁ ପଳାଇ ଯାଇଥିଲେ। 26 ମୁଁ ଅନାଇଲି, ଆଉ ଦେଖ, ସଦାପ୍ରଭୁଙ୍କ ଛାମୁରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧ ସମ୍ମୁଖରେ ଉର୍ବରା କ୍ଷେତ୍ର, ମରୁଭୂମି ଓ ତହିଁର ନଗରସକଳ ଭଗ୍ନ ହୋଇଥିଲା।
27 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ସମୁଦାୟ ଦେଶ ଧ୍ୱଂସସ୍ଥାନ ହେବ; ତଥାପି ଆମ୍ଭେ ସମ୍ପୂର୍ଣ୍ଣ ରୂପେ ନାଶ କରିବା ନାହିଁ। 28 ଏଥିସକାଶୁ ପୃଥିବୀ ଶୋକ କରିବ ଓ ଉପରିସ୍ଥ ଆକାଶମଣ୍ଡଳ ଅନ୍ଧକାର ହେବ; କାରଣ ଆମ୍ଭେ ଏହା କହିଅଛୁ, ଆମ୍ଭେ ଏହା ମନରେ ସ୍ଥିର କରିଅଛୁ ଓ ଆମ୍ଭେ ଦୁଃଖିତ ହୋଇ ନାହୁଁ, କିଅବା ଆମ୍ଭେ ଏଥିରୁ ଫେରିବୁ ନାହିଁ।”
29 ଅଶ୍ୱାରୋହୀ ଓ ଧନୁର୍ଦ୍ଧାରୀମାନଙ୍କ ରବ ସକାଶୁ ସମୁଦାୟ ନଗର ପଳାୟନ କରେ; ସେମାନେ ନିବିଡ଼ ବନକୁ ଯାଆନ୍ତି ଓ ଶୈଳ ଉପରେ ଚଢ଼ନ୍ତି; ପ୍ରତ୍ୟେକ ନଗର ତ୍ୟକ୍ତ ହୋଇଅଛି ଓ ତହିଁ ମଧ୍ୟରେ ଜଣେ ମନୁଷ୍ୟ ସୁଦ୍ଧା ବାସ କରେ ନାହିଁ।
30 ଆଉ, ତୁମ୍ଭେ ଯେତେବେଳେ ଉଚ୍ଛିନ୍ନ ହେବ, ସେତେବେଳେ ତୁମ୍ଭେ କଅଣ କରିବ ? ଯଦ୍ୟପି ତୁମ୍ଭେ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରୁଅଛ, ଯଦ୍ୟପି ତୁମ୍ଭେ ସୁବର୍ଣ୍ଣ ଅଳଙ୍କାରରେ ଆପଣାକୁ ଭୂଷିତା କରୁଅଛ, ଯଦ୍ୟପି ତୁମ୍ଭେ ଅଞ୍ଜନ ଦ୍ୱାରା ଆପଣା ଚକ୍ଷୁ ପ୍ରସାରୁଅଛ, ତଥାପି ତୁମ୍ଭେ ବ୍ୟର୍ଥରେ ଆପଣାକୁ ସୁନ୍ଦର କରୁଅଛ; ତୁମ୍ଭର ଜାରପୁରୁଷମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନେ ତୁମ୍ଭ ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି। 31 କାରଣ ପ୍ରସବକାରିଣୀ ସ୍ତ୍ରୀର ରବ ପରି, ପ୍ରଥମ ସନ୍ତାନ ପ୍ରସବକାରିଣୀ ସ୍ତ୍ରୀର ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ, ସେ ଦୀର୍ଘ ନିଶ୍ୱାସ ଛାଡ଼ି ଓ ଆପଣା ହାତ ପ୍ରସାରି କହୁଅଛି, “ହାୟ ହାୟ ! ହତ୍ୟାକାରୀମାନଙ୍କ ଆଗରେ ମୋ’ ପ୍ରାଣ ମୂର୍ଚ୍ଛିତ ହେଲା।”
Chapter 5
ଅନୁତାପ ନିମନ୍ତେ ଯିରୂଶାଲମର ଅନିଚ୍ଛା
1 ତୁମ୍ଭେମାନେ ଯିରୂଶାଲମର ସବୁ ସଡ଼କରେ ଏଣେତେଣେ ଧାଇଁ ଦେଖ ଓ ବୁଝ,
ଆଉ ତହିଁର ଛକସ୍ଥାନ ସବୁରେ ଖୋଜ,
ଯଦି ନ୍ୟାୟାଚାରୀ ଓ ସତ୍ୟ ଅନ୍ୱେଷଣକାରୀ ଏକ ଜଣ ପାଇ ପାର,
ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା।
2 ସେମାନେ ଜୀବିତ ସଦାପ୍ରଭୁ ବୋଲି କହିଲେ ହେଁ
ନିତାନ୍ତ ମିଥ୍ୟାରେ ଶପଥ କରନ୍ତି।
3 ହେ ସଦାପ୍ରଭୁ, ତୁମ୍ଭର ଚକ୍ଷୁ କ’ଣ ସତ୍ୟତା ପ୍ରତି ଦୃଷ୍ଟି ନ କରେ ?
ତୁମ୍ଭେ ସେମାନଙ୍କୁ ପ୍ରହାର କରିଅଛ, ମାତ୍ର ସେମାନେ ଦୁଃଖିତ ହେଲେ ନାହିଁ;
ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ, ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି;
ସେମାନେ ଆପଣା ଆପଣା ମୁଖ ପାଷାଣ ଅପେକ୍ଷା କଠିନ କରିଅଛନ୍ତି;
ସେମାନେ ଫେରି ଆସିବାକୁ ଅସ୍ୱୀକାର କରିଅଛନ୍ତି।
4 ତହିଁରେ ମୁଁ କହିଲି, “ନିଶ୍ଚୟ ଏମାନେ ଦରିଦ୍ର; ଏମାନେ ଅଜ୍ଞାନ;
କାରଣ ଏମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ୱରଙ୍କର ଶାସନ ଜାଣନ୍ତି ନାହିଁ;”
5 ମୁଁ ବଡ଼ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି;
କାରଣ ସେମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଶାସନ ଜାଣନ୍ତି।
ମାତ୍ର ଏମାନେ ଏକମନା ହୋଇ ଯୁଆଳି ଭାଙ୍ଗିଅଛନ୍ତି ଓ ବନ୍ଧନ ସବୁ ଛିଣ୍ଡାଇ ପକାଇ ଅଛନ୍ତି।
6 ଏନିମନ୍ତେ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ
ଓ ସନ୍ଧ୍ୟାକାଳର କେନ୍ଦୁଆ ବାଘ ସେମାନଙ୍କୁ ବିନାଶ କରିବ,
ଚିତାବାଘ ସେମାନଙ୍କ ନଗରସମୂହ ନିକଟରେ ଛକି ରହିବ,
ଯେ ପ୍ରତ୍ୟେକ ଲୋକ ନଗରରୁ ବାହାରିବ, ସେ ବିଦୀର୍ଣ୍ଣ ହେବ;
କାରଣ ସେମାନଙ୍କର ଅପରାଧ ଅନେକ ଓ ସେମାନଙ୍କର ବିପଥଗମନ ବୃଦ୍ଧି ପାଇଅଛି।
7 ଆମ୍ଭେ କିପରି ତୁମ୍ଭକୁ କ୍ଷମା କରି ପାରିବା ?
ତୁମ୍ଭର ସନ୍ତାନଗଣ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି
ଓ ଯେଉଁମାନେ ଈଶ୍ୱର ନୁହନ୍ତି, ସେମାନଙ୍କ ନାମରେ ଶପଥ କରିଅଛନ୍ତି;
ଆମ୍ଭେ ଯେତେବେଳେ ସେମାନଙ୍କୁ ପରିତୃପ୍ତ ରୂପେ ଭୋଜନ କରାଇଲୁ,
ସେତେବେଳେ ସେମାନେ ବ୍ୟଭିଚାର କଲେ
ଓ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ଏକତ୍ର ହେଲେ।
8 ସେମାନେ ପ୍ରଭାତରେ ସୁପୋଷିତ ଅଶ୍ୱ ତୁଲ୍ୟ ହେଲେ;
ପ୍ରତ୍ୟେକେ ଆପଣା ପ୍ରତିବାସୀର ସ୍ତ୍ରୀ ପ୍ରତି ହିଁ ହିଁ ହେଲେ।
9 ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁର ପ୍ରତିଫଳ ଦେବା ନାହିଁ ?
ଆମ୍ଭର ପ୍ରାଣ କ’ଣ ଏହି ପ୍ରକାର ଲୋକଙ୍କଠାରୁ ପରିଶୋଧ ନେବ ନାହିଁ ?”
10 ତୁମ୍ଭେମାନେ ତାହାର ଦ୍ରାକ୍ଷଲତା ଦେଇ [1] ଯାଇ ସେମାନଙ୍କୁ ବିନାଶ କର;
ମାତ୍ର ନିଃଶେଷ ରୂପେ ବିନାଶ କର ନାହିଁ; ତାହାର ଶାଖାସବୁ ଦୂର କର;
କାରଣ ସେସବୁ ସଦାପ୍ରଭୁଙ୍କର ନୁହେଁ।
11 ସଦାପ୍ରଭୁ କହନ୍ତି, “ଇସ୍ରାଏଲ ବଂଶ ଓ ଯିହୁଦା ବଂଶ
ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ବିଶ୍ୱାସଘାତକତା କରିଅଛନ୍ତି।”
12 ସେମାନେ ସଦାପ୍ରଭୁଙ୍କୁ ଅସ୍ୱୀକାର କରି କହିଲେ,
“ଏ ତ ସେ ନୁହଁନ୍ତି; ପୁଣି, ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ ଘଟିବ ନାହିଁ;
କିଅବା ଆମ୍ଭେମାନେ ଖଡ୍ଗ କି ଦୁର୍ଭିକ୍ଷ ଦେଖିବା ନାହିଁ;”
13 ଆଉ, ଭବିଷ୍ୟଦ୍ବକ୍ତାମାନେ ବାୟୁତୁଲ୍ୟ ହେବେ
ଓ ସେମାନଙ୍କ ଅନ୍ତରରେ ବାକ୍ୟ ନାହିଁ; ସେମାନଙ୍କ ପ୍ରତି ଏହିରୂପେ କରାଯିବ।
ପରମେଶ୍ୱରଙ୍କ ବିଚାର ଘୋଷଣା
14 ତୁମ୍ଭେମାନେ ଏହି କଥା କହିବା ହେତୁରୁ ସୈନ୍ୟାଧିପତି ପରମେଶ୍ୱର, ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ତୁମ୍ଭର ମୁଖସ୍ଥିତ ଆମ୍ଭର ବାକ୍ୟକୁ ଅଗ୍ନି ତୁଲ୍ୟ
ଓ ଏହି ଲୋକମାନଙ୍କୁ କାଷ୍ଠ ତୁଲ୍ୟ କରିବା, ତାହା ଏମାନଙ୍କୁ ଗ୍ରାସ କରିବ।”
15 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ବଂଶ, ଦେଖ,
ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା;
ସେ ବଳବାନ ଗୋଷ୍ଠୀ, ପ୍ରାଚୀନ ଗୋଷ୍ଠୀ,
ସେହି ଗୋଷ୍ଠୀର ଭାଷା ତୁମ୍ଭେ ଜାଣ ନାହିଁ, କିଅବା ସେମାନଙ୍କର କଥା ତୁମ୍ଭେ ବୁଝ ନାହିଁ।”
16 ସେମାନଙ୍କର ତୂଣ ଖୋଲା କବର ତୁଲ୍ୟ, ସେ ସମସ୍ତେ ବୀରପୁରୁଷ।
17 ପୁଣି, ସେମାନେ ତୁମ୍ଭର ଶସ୍ୟ ଓ ତୁମ୍ଭ ପୁତ୍ରକନ୍ୟା ଗଣର ଭକ୍ଷ୍ୟଦ୍ରବ୍ୟ ଗ୍ରାସ କରିବେ;
ସେମାନେ ତୁମ୍ଭର ମେଷପଲ ଓ ଗୋପଲ ଗ୍ରାସ କରିବେ;
ସେମାନେ ତୁମ୍ଭର ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ଗ୍ରାସ କରିବେ;
ତୁମ୍ଭେ ଆପଣାର ଯେଉଁ ସୁଦୃଢ଼ ନଗରମାନରେ ବିଶ୍ୱାସ କରିଅଛ,
ସେସବୁକୁ ସେମାନେ ଖଡ୍ଗରେ ନିପାତ କରିବେ।
18 ମାତ୍ର ସଦାପ୍ରଭୁ କହନ୍ତି, “ସେସମୟରେ ହେଁ ଆମ୍ଭେ ତୁମ୍ଭମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ନାହିଁ।” 19 ଆଉ, ତୁମ୍ଭେମାନେ ଯେତେବେଳେ କହିବ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର କାହିଁକି ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି,” ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, “ତୁମ୍ଭେମାନେ ନିଜ ଦେଶରେ ଯେପରି ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବତାଗଣର ସେବା କରିଅଛ, ସେପରି ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।”
20 ତୁମ୍ଭେମାନେ ଯାକୁବ ବଂଶକୁ ଏକଥା ଜଣାଅ ଓ ଯିହୁଦା ମଧ୍ୟରେ ପ୍ରଚାର କରି କୁହ,
21 ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ଚକ୍ଷୁ ଥାଉ ଥାଉ ଦେଖୁ ନାହଁ;
କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଏହି କଥା ଶୁଣ;
22 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ କି ଆମ୍ଭକୁ ଭୟ କରୁ ନାହଁ ?
ସମୁଦ୍ର ଯେପରି ଉଲ୍ଲଙ୍ଘନ କରି ନ ପାରିବ, ଏଥିପାଇଁ ନିତ୍ୟସ୍ଥାୟୀ ବିଧିକ୍ରମେ
ତହିଁର ସୀମା ରୂପେ ବାଲୁକା ସ୍ଥାପନ କରିଅଛୁ ଯେ ଆମ୍ଭେ,
ଆମ୍ଭ ସାକ୍ଷାତରେ ତୁମ୍ଭେମାନେ କି କମ୍ପବାନ ହେବ ନାହିଁ ?
ତହିଁର ତରଙ୍ଗମାଳା ଉଚ୍ଚକୁ ଉଠେ, ତଥାପି କୃତାର୍ଥ ହୋଇପାରେ ନାହିଁ,
କଲ୍ଲୋଳଧ୍ୱନି କରେ, ତଥାପି ସୀମା ଅତିକ୍ରମ କରି ପାରେ ନାହିଁ।
23 ମାତ୍ର ଲୋକମାନଙ୍କର ମନ ଅବାଧ୍ୟ ଓ ପ୍ରତିକୂଳାଚାରୀ;
ସେମାନେ ଅବାଧ୍ୟ ହୋଇ ଚାଲି ଯାଇଅଛନ୍ତି।
24 ଅଥବା ଯେ ଯଥା ସମୟରେ ଆଦ୍ୟ ଓ ଶେଷ ବୃଷ୍ଟିର ପ୍ରଦାନକର୍ତ୍ତା;
ଯେ ଆମ୍ଭମାନଙ୍କ ନିମନ୍ତେ ଶସ୍ୟଚ୍ଛେଦନର ନିରୂପିତ ସପ୍ତାହମାନ ରକ୍ଷା କରନ୍ତି,
ଆସ, ଏବେ ଆମ୍ଭେମାନେ ସେହି ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କୁ ଭୟ କରୁ,
ଏହା ସେମାନେ ମନେ ମନେ କହନ୍ତି ନାହିଁ।
25 ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅନ୍ୟଥା କରିଅଛି
ଓ ତୁମ୍ଭମାନଙ୍କର ପାପ ତୁମ୍ଭମାନଙ୍କର ମଙ୍ଗଳ ନିବାରଣ କରିଅଛି।
26 କାରଣ ଆମ୍ଭ ଲୋକମାନଙ୍କ ମଧ୍ୟରେ ଦୁଷ୍ଟ ଲୋକ ଦେଖା ଯାଆନ୍ତି;
ସେମାନେ ବ୍ୟାଧ ତୁଲ୍ୟ ଛକି ବସି ଜଗନ୍ତି; ସେମାନେ ଫାନ୍ଦ ପାତି ମନୁଷ୍ୟ ଧରନ୍ତି।
27 ଯେପରି ପିଞ୍ଜର ପକ୍ଷୀରେ ପୂର୍ଣ୍ଣ, ସେପରି ସେମାନଙ୍କର ଗୃହ ଛଳରେ ପୂର୍ଣ୍ଣ;
ଏହେତୁ ସେମାନେ ଉନ୍ନତ ଓ ଆହୁରି ଆହୁରି ଧନବନ୍ତ ହୋଇଅଛନ୍ତି।
28 ସେମାନେ ଆହୁରି ଆହୁରି ମୋଟା ଓ ଚିକ୍କଣ ହୁଅନ୍ତି,
ହଁ, ସେମାନେ ଦୁଷ୍କ୍ରିୟାର ସୀମା ଅତିକ୍ରମ କରନ୍ତି; ସେମାନେ ଗୁହାରି ବିଚାର କରନ୍ତି ନାହିଁ,
ପିତୃହୀନମାନଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କର ଗୁହାରି ବିଚାର କରନ୍ତି ନାହିଁ;
ପୁଣି, ଦରିଦ୍ରମାନଙ୍କର ବିଚାର ସେମାନେ ନିଷ୍ପତ୍ତି କରନ୍ତି ନାହିଁ।”
29 ସଦାପ୍ରଭୁ କହନ୍ତି, “ଆମ୍ଭେ କି ଏହିସବୁର ପ୍ରତିଫଳ ଦେବା ନାହିଁ ?
ଆମ୍ଭର ପ୍ରାଣ କି ଏହି ପ୍ରକାର ଲୋକଙ୍କଠାରୁ ପରିଶୋଧ ନେବ ନାହିଁ ?”
30 ଦେଶ ମଧ୍ୟରେ ଗୋଟିଏ ଆଶ୍ଚର୍ଯ୍ୟ ଓ ଭୟାନକ ବିଷୟ ଘଟିଅଛି;
31 ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି
ଓ ସେମାନଙ୍କ ଦ୍ୱାରା ଯାଜକମାନେ କର୍ତ୍ତୃତ୍ୱ କରନ୍ତି;
ପୁଣି, ଆମ୍ଭର ଲୋକମାନେ ଏପରି ହେବାର ଭଲ ପାଆନ୍ତି;
ମାତ୍ର ତହିଁର ଶେଷରେ ତୁମ୍ଭେମାନେ କଅଣ କରିବ ?
Chapter 6
ଯିରୂଶାଲମର ଆସନ୍ନ ବିପଦ
1 ହେ ବିନ୍ୟାମୀନ୍ ଲୋକମାନେ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୂଶାଲମ ମଧ୍ୟରୁ ପଳାୟନ କର,
ତକୋୟ ସହରରେ ତୂରୀ ବଜାଅ ଓ ବେଥ୍-ହକ୍କେରମ୍ ନଗରରେ ଧ୍ୱଜା ଟେକ;
କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ନିରୀକ୍ଷଣ କରୁଅଛି।
2 ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ୟାକୁ ଆମ୍ଭେ ସଂହାର କରିବା।
3 ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗେ ନେଇ ତାହା ନିକଟକୁ ଆସିବେ;
ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣା ଆପଣା ତମ୍ବୁ ସ୍ଥାପନ କରିବେ;
ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ପଲ ଚରାଇବେ।
4 ତୁମ୍ଭେମାନେ ତାହା ବିରୁଦ୍ଧରେ ଯୁଦ୍ଧ ଆୟୋଜନ କର;
ଉଠ, ଆମ୍ଭେମାନେ ମଧ୍ୟାହ୍ନ କାଳରେ ଯାତ୍ରା କରୁ,
ହାୟ ହାୟ, କାରଣ ଦିନ ଅବସାନ ହେଉଅଛି, ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି।
5 ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।
6 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି,
“ତୁମ୍ଭେମାନେ ବୃକ୍ଷ କାଟି ଯିରୂଶାଲମର ପ୍ରତିକୂଳରେ ବନ୍ଧ ବାନ୍ଧ;
ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ; ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।
7 ଯେପରି ନିର୍ଝର ଜଳ ନିର୍ଗତ କରେ, ସେପରି ସେ ଆପଣା ଦୁଷ୍ଟତା ନିର୍ଗତ କରେ;
ତାହା ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ;
ପୁଣି, ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।
8 ହେ ଯିରୂଶାଲମ, ତୁମ୍ଭେ ଶିକ୍ଷା ଗ୍ରହଣ କର,
ନୋହିଲେ ଆମ୍ଭର ପ୍ରାଣ ତୁମ୍ଭଠାରୁ ବିଛିନ୍ନ ହେବ
ଓ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ, ବସତିହୀନ ସ୍ଥାନ କରିବା।”
9 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ସେମାନେ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କୁ ଦ୍ରାକ୍ଷାଫଳ ପରି ସମ୍ପୂର୍ଣ୍ଣ ରୂପେ ତୋଳି ନେବେ;
ତୁମ୍ଭେ ଦ୍ରାକ୍ଷାଫଳ ସଂଗ୍ରହକାରୀ ସଦୃଶ୍ୟ ବାରମ୍ବାର ଆପଣା ହସ୍ତ ଟୋକାଇରେ ଦିଅ।”
10 ସେମାନେ ଯେପରି ଶୁଣିବେ, ଏଥିପାଇଁ ମୁଁ କାହାକୁ କହିବି ଓ କାହାକୁ ସାକ୍ଷ୍ୟ ଦେବି ?
ଦେଖ, ସେମାନଙ୍କର କର୍ଣ୍ଣ ବନ୍ଦ ଅଛି [1] ଓ ସେମାନେ ଶୁଣି ପାରନ୍ତି ନାହିଁ;
ଦେଖ, ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କ ନିକଟରେ ତୁଚ୍ଛନୀୟ ହୋଇଅଛି;
ତହିଁରେ ସେମାନଙ୍କର କିଛି ଆହ୍ଲାଦ ନାହିଁ।
11 ଏହେତୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି;
ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇଅଛି;
ସଡ଼କରେ ବାଳକମାନଙ୍କ ଉପରେ
ଓ ଯୁବାମାନଙ୍କ ସଭାରେ ତାହା ଏକାବେଳେ ଢାଳି ପକାଅ;
କାରଣ ସ୍ୱାମୀ ଓ ଭାର୍ଯ୍ୟା ବୃଦ୍ଧ ଜରାଗ୍ରସ୍ତ ସମସ୍ତେ ଧରାଯିବେ।
12 ପୁଣି, ସେମାନଙ୍କର ଗୃହ ଓ ସେମାନଙ୍କର କ୍ଷେତ୍ର
ଓ ସେମାନଙ୍କର ଭାର୍ଯ୍ୟା ଏକାବେଳେ ଅନ୍ୟମାନଙ୍କର ହେବ;
କାରଣ ସଦାପ୍ରଭୁ କହନ୍ତି,
“ଆମ୍ଭେ ଦେଶନିବାସୀମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କରିବା।
13 ଯେହେତୁ ସେମାନଙ୍କର କ୍ଷୁଦ୍ର ଠାରୁ
ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ଲୋଭାସକ୍ତ;
ପୁଣି ଭବିଷ୍ୟଦ୍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ମିଥ୍ୟାଚରଣ କରନ୍ତି।
14 ଆହୁରି, ଶାନ୍ତି ନ ଥିଲେ ହେଁ ସେମାନେ ‘ଶାନ୍ତି ଶାନ୍ତି’ ବୋଲି କହି
ଆମ୍ଭ ଲୋକମାନଙ୍କ କ୍ଷତ ହାଲୁକା ଭାବରେ ସୁସ୍ଥ କରିଅଛନ୍ତି।
15 ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କି ଲଜ୍ଜିତ ହେଲେ ?
ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ;
ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ;
ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।”
16 ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ପଥମାନର ମଧ୍ୟରେ ଠିଆ ହୋଇ ଦେଖ,
ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ ? ଓ ତହିଁରେ ଗମନ କର;
ତେବେ ତୁମ୍ଭେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ;”
ମାତ୍ର ସେମାନେ କହିଲେ, “ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ।”
17 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପ୍ରହରୀଗଣ ନିଯୁକ୍ତ କରି କହିଲୁ, ‘ତୂରୀର ଶବ୍ଦ ଶୁଣ;’
ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବା ନାହିଁ।’
18 ଏହେତୁ ହେ ନାନା ଦେଶୀୟମାନେ, ତୁମ୍ଭେମାନେ ଶୁଣ,
ଆଉ ହେ ମଣ୍ଡଳୀ, ସେମାନଙ୍କ ମଧ୍ୟରେ କଅଣ ଅଛି, ତାହା ଜ୍ଞାତ ହୁଅ।
19 ହେ ପୃଥିବୀ, ଶୁଣ; ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ,
ଅର୍ଥାତ୍, ସେମାନଙ୍କ କଳ୍ପନାସମୂହର ଫଳ ବର୍ତ୍ତାଇବା,
କାରଣ ସେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହାନ୍ତି
ଓ ଆମ୍ଭର ବ୍ୟବସ୍ଥା ସେମାନେ ଅଗ୍ରାହ୍ୟ କରିଅଛନ୍ତି।
20 ଶିବା ଦେଶରୁ କୁନ୍ଦୁରୁ ଓ ଦୂର ଦେଶରୁ ସୁଗନ୍ଧି ବଚ ଆସିବାର ଫଳ କଅଣ ?
ତୁମ୍ଭମାନଙ୍କର ହୋମବଳିସବୁ ଗ୍ରାହ୍ୟ ନୁହେଁ,
କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।
21 ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ଥୋଇବା;
ତଦ୍ଦ୍ୱାରା ପିତୃଗଣ ଓ ପୁତ୍ରଗଣ ଏକ ସଙ୍ଗେ ଝୁଣ୍ଟି ପଡ଼ିବେ;
ପ୍ରତିବାସୀ ଓ ତାହାର ମିତ୍ର ବିନଷ୍ଟ ହେବେ।”
22 ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ଉତ୍ତର ଦେଶରୁ ଏକ ଜନବୃନ୍ଦ ଆସୁଅଛନ୍ତି
ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହାଗୋଷ୍ଠୀ ଉତ୍ତେଜିତ ହେବେ।
23 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ;
ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି;
ଆଗୋ ସିୟୋନର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ
ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।”
24 ଆମ୍ଭେମାନେ ସେ ବିଷୟର ଜନରବ ଶୁଣିଅଛୁ; ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ;
ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରିଅଛି।
25 ବାହାର ହୋଇ କ୍ଷେତ୍ରକୁ ଯାଅ ନାହିଁ, ଅଥବା ପଥରେ ଗମନ କର ନାହିଁ;
କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ଅଛି।
26 ଆଗୋ ମୋର ଲୋକମାନଙ୍କର କନ୍ୟେ, ତୁମ୍ଭେ ଚଟ ପିନ୍ଧ, ଭସ୍ମରେ ଗଡ଼;
ଅଦ୍ୱିତୀୟ ପୁତ୍ର ଲାଗି ଶୋକ ତୁଲ୍ୟ ତୁମ୍ଭେ ଶୋକ ଓ ଅତିଶୟ ବିଳାପ କର;
କାରଣ ବିନାଶକ ଅକସ୍ମାତ୍ ଆମ୍ଭମାନଙ୍କୁ ଆକ୍ରମଣ କରିବ।
27 ତୁମ୍ଭେ ଯେପରି ଆମ୍ଭ ଲୋକମାନଙ୍କର ପଥ ଜ୍ଞାତ ହୋଇ ପରୀକ୍ଷା କରି ପାରିବ,
ଏଥିପାଇଁ ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭକୁ ଏକ ଉଚ୍ଚ ଗୃହ ଓ ଦୁର୍ଗସ୍ୱରୂପ କରିଅଛୁ।
28 ସେସମସ୍ତେ ଦାରୁଣ ଅବାଧ୍ୟ, ଚାରିଆଡ଼େ ନିନ୍ଦା ଘେନି ବୁଲନ୍ତି;
ସେମାନେ ପିତ୍ତଳ ଓ ଲୁହା ପରି; ସେସମସ୍ତେ ଭ୍ରଷ୍ଟାଚାରୀ।
29 ଭାଟି ପ୍ରଚଣ୍ଡ ରୂପେ ତାତୁଛି; ସୀସା ଅଗ୍ନିରେ କ୍ଷୟ ପାଇଅଛି;
ସେମାନେ ବୃଥାରେ ଖାଦ ବାହାର କରିବା କାର୍ଯ୍ୟରେ ଲାଗିଅଛନ୍ତି;
କାରଣ ଦୁଷ୍ଟମାନେ ଉତ୍ପାଟିତ ହେଉ ନାହାନ୍ତି।
30 ସଦାପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି,
ଏଣୁ ଲୋକେ ସେମାନଙ୍କୁ ଅଗ୍ରାହ୍ୟ ରୂପା ବୋଲି କହିବେ।
Chapter 7
ମନ୍ଦିରରେ ଯିରିମୀୟଙ୍କ ପ୍ରଚାର
1 ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
2 ତୁମ୍ଭେ ସଦାପ୍ରଭୁଙ୍କ ଗୃହର ଦ୍ୱାରରେ ଠିଆ ହୋଇ ସେଠାରେ ଏହି କଥା ପ୍ରଚାର କରି କୁହ, “ହେ ଯିହୁଦାର ଲୋକ ସମସ୍ତେ, ସଦାପ୍ରଭୁଙ୍କର ଭଜନା କରିବା ନିମନ୍ତେ ଏହିସବୁ ଦ୍ୱାରରେ ପ୍ରବେଶ କରିଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
3 ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ଆପଣା ଆଚାର ବ୍ୟବହାର ଶୁଧୁରାଅ, ତହିଁରେ ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ବାସ କରାଇବା।’ 4 ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର, ଏହି ମିଥ୍ୟା କଥାରେ ବିଶ୍ୱାସ କର ନାହିଁ।
5 କାରଣ ଯଦି ତୁମ୍ଭେମାନେ ଆପଣା ଆପଣା ଆଚାର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ଶୁଧୁରାଅ; ଯଦି ତୁମ୍ଭେମାନେ ମନୁଷ୍ୟ ଓ ତାହାର ପ୍ରତିବାସୀ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବିଚାର ନିଷ୍ପତ୍ତି କର; 6 ଯଦି ତୁମ୍ଭେମାନେ ବିଦେଶୀ, ପିତୃହୀନ ଓ ବିଧବା ପ୍ରତି ଉପଦ୍ରବ ନ କର ଓ ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ ନ କର, କିଅବା ଆପଣା ଆପଣାର କ୍ଷତି ନିମନ୍ତେ ଅନ୍ୟ ଦେବଗଣର ପଶ୍ଚାଦ୍ଗାମୀ ନ ହୁଅ; 7 ତେବେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନରେ, ପୁରାତନ କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ଦେଶରେ ବାସ କରାଇବା।
8 ଦେଖ, ଯଦ୍ଦ୍ୱାରା ଉପକାର ହୋଇ ନ ପାରେ, ଏପରି ମିଥ୍ୟା କଥାରେ ତୁମ୍ଭେମାନେ ବିଶ୍ୱାସ କରୁଅଛ। 9 ତୁମ୍ଭେମାନେ କି ଚୋରି, ନରହତ୍ୟା ଓ ବ୍ୟଭିଚାର ଓ ମିଥ୍ୟା ଶପଥ ଓ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପଦାହ ଓ ତୁମ୍ଭମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ପଶ୍ଚାଦ୍ଗମନ କରିବ, 10 ତହୁଁ ଆମ୍ଭ ନାମରେ ଖ୍ୟାତ ଏହି ଗୃହ ମଧ୍ୟକୁ ଆସି ଆମ୍ଭ ସମ୍ମୁଖରେ ଠିଆ ହେବ, ଆଉ କହିବ, ‘ଆମ୍ଭେମାନେ ଉଦ୍ଧାର ପାଇଲୁ; ଯେପରି ଏହିସବୁ ଘୃଣାଯୋଗ୍ୟ କର୍ମ କରିପାରୁ ?’
11 ଆମ୍ଭ ନାମରେ ଖ୍ୟାତ ଏହି ଗୃହ ତୁମ୍ଭମାନଙ୍କ ଦୃଷ୍ଟିରେ କି ଚୋରମାନଙ୍କର ଗହ୍ୱର ହୋଇଅଛି ? ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ, ଆମ୍ଭେ ହିଁ ତାହା ଦେଖିଅଛୁ।’ 12 ମାତ୍ର ଶୀଲୋସ୍ଥିତ ଯେଉଁ ସ୍ଥାନରେ ଆମ୍ଭେ ପୂର୍ବେ ଆପଣା ନାମ ବାସ କରାଇଥିଲୁ, ଏବେ ତୁମ୍ଭେମାନେ ଆମ୍ଭର ସେହି ସ୍ଥାନକୁ ଯାଅ, ଆଉ ଆମ୍ଭର ଇସ୍ରାଏଲ ଲୋକଙ୍କ ଦୁଷ୍ଟତା ସକାଶୁ ଆମ୍ଭେ ତହିଁ ପ୍ରତି ଯାହା କରିଅଛୁ, ତାହା ଦେଖ।
13 ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ଏହିସବୁ କର୍ମ କରିଅଛ ଓ ଆମ୍ଭେ ପ୍ରତ୍ୟୁଷରେ ଉଠି କଥା କହିଲେ ହେଁ ତୁମ୍ଭେମାନେ ଶୁଣିଲ ନାହିଁ ଓ ଆମ୍ଭେ ଡାକିଲେ ହେଁ ତୁମ୍ଭେମାନେ ଉତ୍ତର ଦେଲ ନାହିଁ; 14 ଏହେତୁ ଆମ୍ଭେ ଶୀଲୋ ପ୍ରତି ଯେରୂପ କରିଅଛୁ, ଆମ୍ଭ ନାମରେ ଖ୍ୟାତ ଏହି ଯେଉଁ ଗୃହରେ ତୁମ୍ଭେମାନେ ବିଶ୍ୱାସ କରୁଅଛ, ତାହା ପ୍ରତି; ପୁଣି ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ସ୍ଥାନ ପ୍ରତି ଆମ୍ଭେ ତଦ୍ରୂପ କରିବା ! 15 ଆଉ, ଆମ୍ଭେ ତୁମ୍ଭମାନଙ୍କର ଭ୍ରାତୃଗଣକୁ, ଅର୍ଥାତ୍, ଇଫ୍ରୟିମର ସମୁଦାୟ ବଂଶକୁ ଯେପରି ଦୂର କରିଅଛୁ, ସେପରି ତୁମ୍ଭମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କରିବା।
16 ଏଣୁକରି ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ କାତରୋକ୍ତି ଅବା ପ୍ରାର୍ଥନା ଉତ୍ସର୍ଗ କର ନାହିଁ, ଆମ୍ଭ ନିକଟରେ ନିବେଦନ କର ନାହିଁ; କାରଣ ଆମ୍ଭେ ତୁମ୍ଭ କଥା ଶୁଣିବା ନାହିଁ। 17 ସେମାନେ ଯିହୁଦାର ନଗର ଓ ଯିରୂଶାଲମର ସଡ଼କସବୁରେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖୁ ନାହଁ ? 18 ଆମ୍ଭକୁ ବିରକ୍ତ କରିବା ପାଇଁ ଆକାଶର ରାଣୀ [1] ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ୱଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି।’
19 ସଦାପ୍ରଭୁ କହନ୍ତି, ‘ସେମାନେ କ’ଣ ଆମ୍ଭକୁ ବିରକ୍ତ କରନ୍ତି ? ବରଞ୍ଚ ଆପଣାମାନଙ୍କ ମୁଖର ବିବର୍ଣ୍ଣତା ନିମନ୍ତେ କ’ଣ ଆପଣାମାନଙ୍କୁ ବିରକ୍ତ ନ କରନ୍ତି ?’ 20 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ‘ଦେଖ, ଏହି ସ୍ଥାନ ଉପରେ ମନୁଷ୍ୟ ଓ ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ, ଏହିସବୁର ଉପରେ ଆମ୍ଭର କ୍ରୋଧ ଓ କୋପ ଢଳାଯିବ; ତାହା ଦଗ୍ଧ କରିବ ଓ ନିର୍ବାଣ ହେବ ନାହିଁ।’
21 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣାମାନଙ୍କର ଅନ୍ୟାନ୍ୟ ବଳି ସହିତ ତୁମ୍ଭମାନଙ୍କର ହୋମବଳି ଯୋଗ କରି ମାଂସ ଭୋଜନ କର। 22 କାରଣ ଯେଉଁ ଦିନ ଆମ୍ଭେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ, ସେହି ଦିନ ଆମ୍ଭେ ହୋମ କିଅବା ବଳିଦାନ ବିଷୟରେ କହିଲୁ ନାହିଁ କି ଆଜ୍ଞା ଦେଲୁ ନାହିଁ;’
23 ମାତ୍ର ଆମ୍ଭେ ଆଜ୍ଞା ଦେଇ ସେମାନଙ୍କୁ ଏହି କଥା କହିଲୁ, ‘ତୁମ୍ଭେମାନେ ଆମ୍ଭ ରବରେ ଅବଧାନ କର, ତହିଁରେ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ପଥରେ ଚାଲିବାକୁ ଆଜ୍ଞା କରୁ, ସେସବୁ ପଥରେ ତୁମ୍ଭେମାନେ ଚାଲ, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ।’ 24 ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ଓ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଗମନ କରି ପଶ୍ଚାଦ୍ବର୍ତ୍ତୀ ହେଲେ, ଅଗ୍ରବର୍ତ୍ତୀ ହେଲେ ନାହିଁ।
25 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ମିସର ଦେଶରୁ ବାହାର ହୋଇ ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇବା ନିମନ୍ତେ ନିତ୍ୟ ନିତ୍ୟ ପ୍ରତ୍ୟୁଷରେ ଉଠି ତୁମ୍ଭମାନଙ୍କ ନିକଟକୁ ସେମାନଙ୍କୁ ପଠାଇଅଛୁ; 26 ତଥାପି ସେମାନେ ଆମ୍ଭ କଥା ଶୁଣିଲେ ନାହିଁ, କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ,ମାତ୍ର ଆପଣା ଆପଣା ଗ୍ରୀବା ଶକ୍ତ କଲେ; ସେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣ ଅପେକ୍ଷା ଅଧିକ ଦୁରାଚାର କଲେ।
27 ଆଉ, ତୁମ୍ଭେ ଏହିସବୁ କଥା ସେମାନଙ୍କୁ କହିବ; ମାତ୍ର ସେମାନେ ତୁମ୍ଭ କଥା ଶୁଣିବେ ନାହିଁ; ତୁମ୍ଭେ ସେମାନଙ୍କୁ ଡାକିବ; ମାତ୍ର ସେମାନେ ତୁମ୍ଭକୁ ଉତ୍ତର ଦେବେ ନାହିଁ। 28 ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ଯେଉଁମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ ଓ ଶିକ୍ଷା ଗ୍ରହଣ କରି ନାହାନ୍ତି, ସେମାନେ ଏହି ଗୋଷ୍ଠୀ; ସତ୍ୟତା ଲୁପ୍ତ ଓ ତାହା ସେମାନଙ୍କ ମୁଖରୁ ଉଚ୍ଛିନ୍ନ ହୋଇଅଛି।
ହିନ୍ନୋମ ହତ୍ୟା ଉପତ୍ୟକା
29 ହେ ଯିରୂଶାଲମ, ଆପଣା ମସ୍ତକର କେଶ କାଟି ପକାଇଦିଅ
ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର;
କାରଣ ସଦାପ୍ରଭୁ ଆପଣାର କ୍ରୋଧପାତ୍ର ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଅଛନ୍ତି।
30 ଯେହେତୁ ସଦାପ୍ରଭୁ କହନ୍ତି,
‘ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ଯିହୁଦାର ସନ୍ତାନଗଣ କରିଅଛନ୍ତି;
ସେମାନେ ଆମ୍ଭ ନାମରେ ଖ୍ୟାତ ଏହି ଗୃହକୁ ଅଶୁଚି କରିବା ନିମନ୍ତେ
ସେମାନଙ୍କର ଘୃଣାଯୋଗ୍ୟ ବସ୍ତୁ ତହିଁ ମଧ୍ୟରେ ରଖିଅଛନ୍ତି।
31 ସେମାନେ ଆପଣା ଆପଣା ପୁତ୍ରକନ୍ୟାଗଣକୁ ଅଗ୍ନିରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକାରେ ତୋଫତ୍ର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି; ଏହା ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ।’ 32 ଏନିମନ୍ତେ ସଦାପ୍ରଭୁ କହନ୍ତି, ‘ଦେଖ, ଯେଉଁ ସମୟରେ ତାହା ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମରେ ଆଉ ଖ୍ୟାତ ନ ହୋଇ ହତ୍ୟା-ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି; କାରଣ ଆଉ ସ୍ଥାନ ନ ଥିବାଯାଏ ଲୋକମାନେ ତୋଫତରେ କବର ଦେବେ।’
33 ତହିଁରେ ଏହି ଲୋକମାନଙ୍କର ଶବ ଆକାଶ ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ; ଆଉ, ସେମାନଙ୍କୁ କେହି ତଡ଼ି ଦେବ ନାହିଁ। 34 ସେସମୟରେ ଆମ୍ଭେ ଯିହୁଦାର ନଗରସବୁରେ ଓ ଯିରୂଶାଲମର ସଡ଼କସବୁରେ, ଆମୋଦର ଧ୍ୱନି, ଆନନ୍ଦର ଧ୍ୱନି ଓ ବରକନ୍ୟାର ଧ୍ୱନି ନିବୃତ୍ତ କରାଇବା; କାରଣ ଦେଶ ଧ୍ୱଂସସ୍ଥାନ ହେବ।”
Chapter 8
1 ସଦାପ୍ରଭୁ କହନ୍ତି, “ସେହି ସମୟରେ ଲୋକମାନେ ଯିହୁଦାର ରାଜାଗଣର ଅସ୍ଥି ଓ ତାହାର ଅଧିପତିଗଣର ଅସ୍ଥି, ଯାଜକଗଣର ଅସ୍ଥି, ଭବିଷ୍ୟଦ୍ବକ୍ତାଗଣଙ୍କ ଅସ୍ଥି ଓ ଯିରୂଶାଲମ ନିବାସୀଗଣର ଅସ୍ଥି ସେମାନଙ୍କ କବରରୁ ବାହାର କରିବେ। 2 ଆଉ, ସେମାନେ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶମଣ୍ଡଳସ୍ଥ ସୈନ୍ୟଗଣକୁ ଭଲ ପାଇଅଛନ୍ତି ଓ ଯେଉଁମାନଙ୍କର ସେବା କରିଅଛନ୍ତି ଓ ଯେଉଁମାନଙ୍କର ପଶ୍ଚାଦ୍ଗାମୀ ହୋଇଅଛନ୍ତି ଓ ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ; ସେହି ଅସ୍ଥିସବୁ ଏକତ୍ରୀକୃତ କିଅବା କବରରେ ପୋତା ହେବ ନାହିଁ; ସେସବୁ ଭୂମିରେ ଖତ ତୁଲ୍ୟ ହେବ।” 3 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଥିବା ସମସ୍ତଙ୍କ ପ୍ରତି ଜୀବନ ଅପେକ୍ଷା ବରଞ୍ଚ ମୃତ୍ୟୁୁ ବାଞ୍ଛନୀୟ ହେବ।
ପାପ ଓ ବିଶ୍ୱାସଘାତକତା
4 ଆହୁରି, ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି,
“ମନୁଷ୍ୟ ପଡ଼ିଲେ, କ’ଣ ଆଉ ଉଠେ ନାହିଁ ?
ବିପଥରେ ଗଲେ, କ’ଣ ଆଉ ଫେରେ ନାହିଁ ?”
5 ତେବେ ଯିରୂଶାଲମସ୍ଥ ଏହି ଲୋକମାନେ
ଚିରକାଳ ବିପଥଗମନରେ କାହିଁକି ବିପଥଗାମୀ ହୋଇଅଛନ୍ତି ?
ସେମାନେ ପ୍ରବଞ୍ଚନା ଦୃଢ଼ ରୂପେ ଧରନ୍ତି, ସେମାନେ ଫେରିବାକୁ ଅସମ୍ମତ।
6 ଆମ୍ଭେ ମନୋଯୋଗ କରି ଶୁଣିଲୁ, ମାତ୍ର ସେମାନେ ଯଥାର୍ଥ କଥା କହିଲେ ନାହିଁ;
ହାୟ ହାୟ, ମୁଁ କ’ଣ କରିଅଛି ! ଏହା କହି
କେହି ଆପଣା ଦୁଷ୍ଟତା ସକାଶେ ଅନୁତାପ କରେ ନାହିଁ;
ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ଯୁଦ୍ଧରେ ଦୌଡ଼େ,
ସେପରି ପ୍ରତ୍ୟେକ ଲୋକ ଆପଣା ଆପଣା ପଥରେ ଦୌଡ଼େ।
7 ହଁ, ଆକାଶଗାମିନୀ ଚରଳ ଆପଣାର ନିରୂପିତ ସମୟ ଜାଣେ;
ଆଉ, କପୋତ, ତାଳଚୋଞ୍ଚ ଓ ସାରସ ଆପଣା ଆପଣାର ଆସିବାର କାଳ ରକ୍ଷା କରନ୍ତି;
ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ।
8 ଆମ୍ଭେମାନେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ୟବସ୍ଥା ଆମ୍ଭମାନଙ୍କଠାରେ ଅଛି,
ଏହି କଥା ତୁମ୍ଭେମାନେ କିପରି କହୁଅଛ ?
ମାତ୍ର, ଦେଖ, ଅଧ୍ୟାପକମାନଙ୍କର ମିଥ୍ୟା ଲେଖନୀ ମିଥ୍ୟା ଗଢ଼ିଅଛି।
9 ଜ୍ଞାନୀମାନେ ଲଜ୍ଜିତ ହୋଇଅଛନ୍ତି, ସେମାନେ ଘାବରା ଓ ଧରା ହୋଇଅଛନ୍ତି;
ଦେଖ, ସେମାନେ ସଦାପ୍ରଭୁଙ୍କର ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି;
ଆଉ, ସେମାନଙ୍କର ଜ୍ଞାନ କିପ୍ରକାର ?
10 ଏହେତୁ ଆମ୍ଭେ ଅନ୍ୟମାନଙ୍କୁ ସେମାନଙ୍କର ଭାର୍ଯ୍ୟାଗଣ
ଓ ଅନ୍ୟ ଅନ୍ୟ ଅଧିକାରୀଙ୍କୁ ସେମାନଙ୍କର କ୍ଷେତ୍ରସବୁ ଦେବା;
କାରଣ ସେମାନଙ୍କର କ୍ଷୁଦ୍ର ଠାରୁ ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ଲୋଭାସକ୍ତ,
ଭବିଷ୍ୟଦ୍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ମିଥ୍ୟାଚରଣ କରନ୍ତି।
11 ପୁଣି, ଶାନ୍ତି ନ ଥିଲେ ହେଁ ସେମାନେ ଶାନ୍ତି, ଶାନ୍ତି ବୋଲି କହି
ଆମ୍ଭ ଲୋକମାନଙ୍କ କନ୍ୟାର କ୍ଷତ ଉପରେ ଉପରେ ସୁସ୍ଥ କରନ୍ତି।
12 ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କ’ଣ ଲଜ୍ଜିତ ହେଲେ ?
ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ;
ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ;
ସଦାପ୍ରଭୁ କହନ୍ତି, “ସେମାନଙ୍କ ପ୍ରତିଫଳ ପ୍ରାପ୍ତିର ସମୟରେ ସେମାନେ ନିପାତିତ ହେବେ।”
13 ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ସଂହାର କରିବା;
ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ, କିଅବା ଡିମ୍ବିରି ବୃକ୍ଷରେ ଡିମ୍ବିରି ଫଳ ରହିବ ନାହିଁ ଓ ପତ୍ର ମ୍ଳାନ ହେବ;
ଆଉ, ଆମ୍ଭେ ସେମାନଙ୍କୁ ଯାହା ଦେଇଅଛୁ, ସେସବୁ ସେମାନଙ୍କଠାରୁ ଛାଡ଼ିଯିବ।”
14 ଆମ୍ଭେମାନେ କାହିଁକି ତୁନି ହୋଇ ବସୁଅଛୁ ? ଏକତ୍ରିତ ହୁଅ,ଆସ,
ଆମ୍ଭେମାନେ ପ୍ରାଚୀରବେଷ୍ଟିତ ନଗରମାନରେ ପ୍ରବେଶ କରୁ ଓ ସେଠାରେ ନୀରବ ହେଉ;
କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ ବୋଲି
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ନୀରବ କରିଅଛନ୍ତି
ଓ ବିଷବୃକ୍ଷର ରସ ପାନ କରିବାକୁ ଦେଇଅଛନ୍ତି।
15 ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ;
ଆରୋଗ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !
16 ଦାନ୍ ନଗରଠାରୁ ତାହାର ଅଶ୍ୱଗଣର ନାସା ଶବ୍ଦ ଶୁଣା ଯାଉଅଛି;
ତାହାର ବଳିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ ସମୁଦାୟ ଦେଶ କମ୍ପୁଅଛି;
କାରଣ ସେମାନେ ଆସିଅଛନ୍ତି, ଆଉ ଦେଶ ଓ ତନ୍ମଧ୍ୟସ୍ଥିତ ସକଳ ନଗର
ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି;
17 “ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ, କାଳସର୍ପମାନଙ୍କୁ ପଠାଇବା,
ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ,” ଏହା ସଦାପ୍ରଭୁ କହନ୍ତି।
ଲୋକମାନଙ୍କ ପାଇଁ ଯିରିମୀୟଙ୍କ ବିଳାପ
18 ଆହା, ମୁଁ ଯେବେ ଦୁଃଖ ପ୍ରତିକୂଳରେ ଆପଣାକୁ ସାନ୍ତ୍ୱନା କରି ପାରନ୍ତି !
ମୋର ମଧ୍ୟରେ ମୋ’ ହୃଦୟ ମୂର୍ଚ୍ଛିତ।
19 ଦେଖ, ଅତି ଦୂର ଦେଶରୁ ମୋ’ ଲୋକଙ୍କ କନ୍ୟାର ଆର୍ତ୍ତନାଦ;
ସଦାପ୍ରଭୁ କ’ଣ ସିୟୋନରେ ନାହାନ୍ତି ? ତହିଁର ରାଜା କ’ଣ ତହିଁ ମଧ୍ୟରେ ନାହାନ୍ତି ?
ସେମାନେ ଆପଣାମାନଙ୍କର ଖୋଦିତ ପ୍ରତିମା
ଓ ବିଦେଶୀୟ ଅସାର ବସ୍ତୁ ସମୂହ ଦ୍ୱାରା କାହିଁକି ଆମ୍ଭଙ୍କୁ ବିରକ୍ତ କରିଅଛନ୍ତି ?
20 ଶସ୍ୟସଂଗ୍ରହର ସମୟ ଗତ ହେଲା, ଗ୍ରୀଷ୍ମକାଳ ଶେଷ ହେଲା,
ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହୋଇ ନାହିଁ।
21 ମୁଁ ଆପଣା ଲୋକମାନଙ୍କ କନ୍ୟାର ଦୁଃଖ ସକାଶୁ ଦୁଃଖିତ;
ମୁଁ ମଳିନ; ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।
22 ଗିଲୀୟଦରେ କ’ଣ ଔଷଧ ନାହିଁ ? ସେଠାରେ କ’ଣ ବୈଦ୍ୟ ନାହାନ୍ତି ?
ତେବେ ମୋ’ ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ୱାସ୍ଥ୍ୟଲାଭ କରୁ ନାହିଁ ?
Chapter 9
1 ଆଃ, ଯେବେ ମୋହର ମସ୍ତକ ଜଳମୟ
ଓ ମୋର ଚକ୍ଷୁ ଲୋତକର ଝର ସ୍ୱରୂପ ହୁଅନ୍ତା,
ତେବେ ମୁଁ ଆପଣା ଲୋକମାନଙ୍କ କନ୍ୟାର ହତ ଲୋକମାନଙ୍କ ନିମନ୍ତେ ଦିବାରାତ୍ର କ୍ରନ୍ଦନ କରି ପାରନ୍ତି !
2 ଆଃ, ପଥିକମାନଙ୍କର ବସା ପରି ଯଦି ପ୍ରାନ୍ତରରେ ମୋର ଗୋଟିଏ ବସା ଥା’ନ୍ତା,
ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି ସେମାନଙ୍କଠାରୁ ସ୍ଥାନାନ୍ତରକୁ ଯାଇ ପାରନ୍ତି !
କାରଣ ସେମାନେ ସମସ୍ତେ ବ୍ୟଭିଚାରୀ, ବିଶ୍ୱାସଘାତକ ଲୋକଙ୍କର ସମାଜ।
3 ପୁଣି, ସେମାନେ ଅସତ୍ୟତା ନିମନ୍ତେ ଆପଣା ଆପଣା ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି;
ଆଉ, ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପକ୍ଷରେ ନୁହେଁ;
କାରଣ ସେମାନେ ଦୁଷ୍ଟତା ଉପରେ ଦୁଷ୍ଟତା କରିବା ପାଇଁ ଅଗ୍ରସର ହୁଅନ୍ତି,
“ସେମାନେ ଆମ୍ଭଙ୍କୁ ଜାଣନ୍ତି ନାହିଁ,” ଏହା ସଦାପ୍ରଭୁ କହନ୍ତି।
4 ତୁମ୍ଭେମାନେ ପ୍ରତ୍ୟେକେ ଆପଣା ମିତ୍ରଗଣ ବିଷୟରେ ସାବଧାନ ହୁଅ
ଓ କୌଣସି ଭ୍ରାତାଠାରେ ବିଶ୍ୱାସ କର ନାହିଁ;
କାରଣ ପ୍ରତ୍ୟେକ ଭ୍ରାତା ନିତାନ୍ତ ଅପହରଣ କରିବ
ଓ ପ୍ରତ୍ୟେକ ମିତ୍ର ନିନ୍ଦା ଘେନି ବୁଲିବ।
5 ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ପ୍ରବଞ୍ଚନା କରିବେ
ଓ ସତ୍ୟ କଥା କହିବେ ନାହିଁ;
ସେମାନେ ଆପଣା ଆପଣା ଜିହ୍ୱାକୁ ମିଥ୍ୟା କହିବା ପାଇଁ ଶିଖାଇ ଅଛନ୍ତି;
ସେମାନେ ଅଧର୍ମ କରିବା ପାଇଁ ଆପଣାମାନଙ୍କୁ ବ୍ୟସ୍ତ କରନ୍ତି।
6 ପ୍ରବଞ୍ଚନା ମଧ୍ୟରେ ତୁମ୍ଭର ବସତି ସ୍ଥାନ ଅଛି;
ସଦାପ୍ରଭୁ କହନ୍ତି, “ସେମାନେ ପ୍ରବଞ୍ଚନା ସକାଶୁ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।”
7 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ଆମ୍ଭେ ସେମାନଙ୍କୁ ତରଳାଇବା ଓ ସେମାନଙ୍କୁ ପରୀକ୍ଷା କରିବା;
କାରଣ ଆମ୍ଭ ଲୋକଙ୍କର କନ୍ୟା ହେତୁରୁ ଏହା ଛଡ଼ା ଆଉ କଅଣ କରିବା ?
8 ସେମାନଙ୍କର ଜିହ୍ୱା ପ୍ରାଣନାଶକ ତୀର ସ୍ୱରୂପ; ତାହା ପ୍ରବଞ୍ଚନାର କଥା କହେ;
ଲୋକେ ମୁଖରେ ପ୍ରତିବାସୀ ସଙ୍ଗେ ପ୍ରେମାଳାପ କରନ୍ତି, ମାତ୍ର ଅନ୍ତରେ ଛକି ବସନ୍ତି।”
9 ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ସେମାନଙ୍କୁ ଏହିସବୁର ପ୍ରତିଫଳ ଦେବା ନାହିଁ ?
ଏହି ପ୍ରକାର ଗୋଷ୍ଠୀଠାରୁ ଆମ୍ଭର ପ୍ରାଣ କ’ଣ ପରିଶୋଧ ନେବ ନାହିଁ ?”
10 ମୁଁ ପର୍ବତମାନର ବିଷୟରେ ରୋଦନ ଓ ହାହାକାର
ଓ ପ୍ରାନ୍ତରସ୍ଥ ଚରାସ୍ଥାନସକଳର ବିଷୟରେ ବିଳାପ କରିବି,
କାରଣ ସେସବୁ ଦଗ୍ଧ ହୋଇଅଛି ଓ ତହିଁର ମଧ୍ୟ ଦେଇ କେହି ଗତାୟାତ କରେ ନାହିଁ;
ଅଥବା ଲୋକମାନେ ପଶୁପଲର ରବ ଶୁଣି ପାରନ୍ତି ନାହିଁ;
ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟ ପଳାୟନ କରିଅଛନ୍ତି, ସେମାନେ ଚାଲି ଯାଇଅଛନ୍ତି।
11 ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା;
ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।
12 ଏହା ଯେ ବୁଝିପାରେ, ଏପରି ଜ୍ଞାନୀ ମନୁଷ୍ୟ କିଏ ଅଛି ?
ଓ ଏହା ବ୍ୟକ୍ତ କରିବା ପାଇଁ ସଦାପ୍ରଭୁଙ୍କର ମୁଖ ଯାହାକୁ ଜ୍ଞାତ କରାଇଅଛି, ଏପରି ବ୍ୟକ୍ତି କିଏ ?
ଦେଶ କି ନିମନ୍ତେ ବିନଷ୍ଟ ଓ ପ୍ରାନ୍ତର ତୁଲ୍ୟ ଦଗ୍ଧ ହେଲା ଯେ,
କେହି ତହିଁର ମଧ୍ୟଦେଇ ଗତାୟାତ କରେ ନାହିଁ ?
13 ଆହୁରି, ସଦାପ୍ରଭୁ କହନ୍ତି, “କାରଣ ଏହି, ଆମ୍ଭେ ସେମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ରଖିଲୁ, ତାହା ସେମାନେ ତ୍ୟାଗ କରିଅଛନ୍ତି ଓ ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି, କିଅବା ତଦନୁସାରେ ଆଚରଣ କରି ନାହାନ୍ତି; 14 ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍ ନାମକ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”
15 ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ସେମାନଙ୍କୁ, ଅର୍ଥାତ୍, ଏହି ଲୋକମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା। 16 ଆହୁରି, ଯେଉଁମାନଙ୍କୁ ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷମାନେ ଜାଣି ନାହାନ୍ତି, ଏପରି ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା; ପୁଣି, ଆମ୍ଭେ ଯେପର୍ଯ୍ୟନ୍ତ ସେମାନଙ୍କୁ ସଂହାର ନ କରୁ, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।”
17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ
ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ;
18 ଆମ୍ଭମାନଙ୍କର ଚକ୍ଷୁ ଯେପରି ଲୋତକରେ ଭାସିଯିବ
ଓ ଆମ୍ଭମାନଙ୍କ ଚକ୍ଷୁପତାରୁ ଜଳଧାରା ନିର୍ଗତ ହେବ,
ଏଥିପାଇଁ ସେମାନେ ଶୀଘ୍ର ଆସି ଆମ୍ଭମାନଙ୍କ ନିମନ୍ତେ ହାହାକାର କରନ୍ତୁ।”
19 କାରଣ ସିୟୋନଠାରୁ ଏହି ହାହାକାର ଶବ୍ଦ ଶୁଣା ଯାଉଅଛି,
ଆମ୍ଭେମାନେ କିପରି ବିନଷ୍ଟ ହୋଇଅଛୁ !
ଲୋକମାନେ ଆମ୍ଭମାନଙ୍କର ବାସସ୍ଥାନ ଭୂମିସାତ୍ କରିବାରୁ
ଆମ୍ଭେମାନେ ଦେଶ ତ୍ୟାଗ କରି ଅତିଶୟ ଲଜ୍ଜିତ ହୋଇଅଛୁ।
20 ତଥାପି ଆଗୋ ସ୍ତ୍ରୀମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ
ଓ ତୁମ୍ଭମାନଙ୍କର କର୍ଣ୍ଣ ତାହାଙ୍କର ମୁଖ ନିର୍ଗତ ବାକ୍ୟ ଗ୍ରହଣ କରୁ,
ଆଉ ତୁମ୍ଭେମାନେ ଆପଣା ଆପଣା କନ୍ୟାମାନଙ୍କୁ ହାହାକାର କରିବାର
ଓ ପ୍ରତ୍ୟେକେ ଆପଣା ପ୍ରତିବାସିନୀକୁ ବିଳାପ କରିବାର ଶିକ୍ଷା ଦିଅ।
21 କାରଣ ମୃତ୍ୟୁୁ ଆମ୍ଭମାନଙ୍କର ଝରକା ଦେଇ ଆସି
ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପ୍ରବେଶ କରିଅଛି;
ସେ ବାହାରେ ବାଳକମାନଙ୍କୁ ଓ ଛକରେ ଯୁବାମାନଙ୍କୁ ଉଚ୍ଛିନ୍ନ କରିବାକୁ ଉଦ୍ୟତ।
22 କୁହ, ସଦାପ୍ରଭୁ ଏହି କଥା କହନ୍ତି, “ମନୁଷ୍ୟମାନଙ୍କର ଶବ ଖତ ପରି
ଓ ଶସ୍ୟଚ୍ଛେଦକର ପଶ୍ଚାତ୍ ପଡ଼ିଥିବା ଅଳ୍ପ ଅଳ୍ପ ଶସ୍ୟ ପରି କ୍ଷେତ୍ରରେ ପଡ଼ି ରହିବ,
କେହି ସେସବୁକୁ ସଂଗ୍ରହ କରିବେ ନାହିଁ।”
23 ସଦାପ୍ରଭୁ ଏହି କଥା କହନ୍ତି, “ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ,
କିଅବା ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନବାନ ଆପଣା ଧନରେ ଦର୍ପ ନ କରୁ;
24 ମାତ୍ର ଯେବେ କେହି ଦର୍ପ କରେ,
ତେବେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ;
ଆମ୍ଭେ ସଦାପ୍ରଭୁ, ପୃଥିବୀରେ ସ୍ନେହପୂର୍ଣ୍ଣ କରୁଣା, ବିଚାର ଓ ଧର୍ମ ସାଧନ କରୁ,
କାରଣ ସଦାପ୍ରଭୁ କହନ୍ତି, ଏସବୁରେ ଆମ୍ଭର ସନ୍ତୋଷ ଥାଏ।”
25 ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି; 26 ଆମ୍ଭେ ମିସରକୁ ଓ ଯିହୁଦାକୁ, ଇଦୋମକୁ, ଅମ୍ମୋନ ସନ୍ତାନଗଣକୁ ଓ ମୋୟାବକୁ, ଆପଣା ଆପଣା କେଶ କୋଣ ମୁଣ୍ଡନକାରୀ ପ୍ରାନ୍ତରବାସୀ ସମସ୍ତଙ୍କୁ ଦଣ୍ଡ ଦେବା; କାରଣ ସକଳ ଗୋଷ୍ଠୀ ଅସୁନ୍ନତ [1] , ପୁଣି ସମଗ୍ର ଇସ୍ରାଏଲ ବଂଶ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”
Chapter 10
ପ୍ରତିମା ପୂଜା ଓ ସତ୍ୟ ଈଶ୍ୱରଙ୍କ ପୂଜା
1 ହେ ଇସ୍ରାଏଲ ବଂଶ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ କଥା କହନ୍ତି, ତାହା ଶୁଣ;
2 ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ,
ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ,
କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।”
3 ଅନ୍ୟ ଦେଶୀୟମାନଙ୍କର ବିଧିସକଳ ଅସାର;
ଯେହେତୁ ବନରୁ ଜଣେ ବୃକ୍ଷ ଛେଦନ କରେ, ତାହା ଅସ୍ତ୍ର ଦ୍ୱାରା କାରିଗରର ହସ୍ତକୃତ କର୍ମ।
4 ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି;
ପୁଣି, ତାହା ଯେପରି ଟଳ ଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।
5 ସେସବୁ ତାଳଗଛ ତୁଲ୍ୟ, କୁନ୍ଦା କର୍ମ ଓ କଥା କହନ୍ତି ନାହିଁ;
ସେମାନେ ଚାଲି ପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କୁ ବହିବାକୁ ହୁଏ।
ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; କାରଣ ସେମାନେ ଅମଙ୍ଗଳ କରି ପାରନ୍ତି ନାହିଁ
କିଅବା ମଙ୍ଗଳ କରିବାକୁ ହିଁ ସେମାନଙ୍କର ସାଧ୍ୟ ନାହିଁ।
6 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କେହି ନାହିଁ;
ତୁମ୍ଭେ ମହାନ, ଓ ପରାକ୍ରମରେ ତୁମ୍ଭର ନାମ ମହତ।
7 ହେ ସର୍ବଦେଶୀୟମାନଙ୍କର ରାଜନ୍, ତୁମ୍ଭଙ୍କୁ କିଏ ଭୟ ନ କରିବ ?
କାରଣ ତାହା ତୁମ୍ଭର ପ୍ରାପ୍ୟ;
ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ
ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ୱର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ।
8 ସେମାନେ ସମସ୍ତେ ପଶୁବତ୍ ଓ ଅଜ୍ଞାନ ପ୍ରତିମାଗଣର ଶିକ୍ଷା କାଷ୍ଠ ମାତ୍ର।
9 ତର୍ଶୀଶ୍ରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଅଣାଯାଏ,
ତାହା କାରିଗରର କର୍ମ ଓ ସ୍ୱର୍ଣ୍ଣକାରର ହସ୍ତ ନିର୍ମିତ;
ସେମାନଙ୍କର ବସ୍ତ୍ର ନୀଳ ଓ ଧୂମ୍ରବର୍ଣ୍ଣ, ସେସବୁ ନିପୁଣ ଶିଳ୍ପକରମାନଙ୍କର କୃତକର୍ମ।
10 ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି;
ସେ ଜୀବିତ ପରମେଶ୍ୱର ଓ ଅନନ୍ତ କାଳସ୍ଥାୟୀ ରାଜା;
ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ,
ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ।
11 ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ,
ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି,
ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ।
12 ସେ ଆପଣା ପରାକ୍ରମ ଦ୍ୱାରା ପୃଥିବୀ ନିର୍ମାଣ କରିଅଛନ୍ତି,
ସେ ଆପଣା ଜ୍ଞାନ ଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି
ଓ ଆପଣାର ବୁଦ୍ଧି ଦ୍ୱାରା ସେ ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି;
13 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି,
ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଏ,
ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍ଥାପନ କରାନ୍ତି;
ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତି
ଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।
14 ପ୍ରତ୍ୟେକ ମନୁଷ୍ୟ ପଶୁବତ୍ ଓ ଜ୍ଞାନହୀନ ହୋଇଅଛି;
ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି;
କାରଣ ତାହାର ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ।
15 ସେସବୁ ଅସାର ଓ ଭ୍ରାନ୍ତିର କର୍ମ;
ସେମାନେ ଆପଣା ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ।
16 ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏମାନଙ୍କ ପରି ନୁହନ୍ତି;
କାରଣ ସେ ସର୍ବ ବସ୍ତୁର ନିର୍ମାଣକର୍ତ୍ତା ଓ ଇସ୍ରାଏଲ ବଂଶ ତାହାଙ୍କର ଅଧିକାର ସ୍ୱରୂପ;
ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
17 ହେ ଅବରୁଦ୍ଧ ସ୍ଥାନ ନିବାସୀନ୍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର।
18 କାରଣ ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବା
ଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ।”
19 ହାୟ ହାୟ, ମୋହର ଦୁଃଖ! ମୋହର କ୍ଷତ ଅତି ବେଦନାଯୁକ୍ତ;
ତଥାପି ମୁଁ କହିଲି, “ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ।”
20 ମୋର ତମ୍ବୁ ଲୁଟିତ ହୋଇଅଛି ଓ ମୋର ରଜ୍ଜୁସବୁ ଛିଣ୍ଡି ଯାଇଅଛି;
ମୋର ବାଳକମାନେ ମୋ’ ନିକଟରୁ ବାହାରି ଯାଇଅଛନ୍ତି, ସେମାନେ ନାହାନ୍ତି,
ମୋର ତମ୍ବୁ ଆଉ ପ୍ରସାରିବାକୁ ଓ ମୋର ତମ୍ବୁର ବାଡ଼ ଲଗାଇବାକୁ କେହି ନାହିଁ।
21 କାରଣ ପାଳକଗଣ ପଶୁବତ୍ ହୋଇଅଛନ୍ତି
ଓ ସଦାପ୍ରଭୁଙ୍କ ନିକଟରେ ପଚାରି ନାହାନ୍ତି;
ଏହେତୁ ସେମାନେ ଉନ୍ନତି କରି ନାହାନ୍ତି ଓ ସେମାନଙ୍କର ପଲସବୁ ଛିନ୍ନଭିନ୍ନ ହୋଇଅଛନ୍ତି।
22 କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି,
ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ
ଉତ୍ତର ଦେଶରୁ ମହାଚହଳ ଆସୁଅଛି।
23 ହେ ସଦାପ୍ରଭୁ, ମୁଁ ଜାଣେ; ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁ;
ନିଜ ପାଦ ବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ।
24 ହେ ସଦାପ୍ରଭୁ, ମୋତେ ଶାସନ କର, ମାତ୍ର ବିଚାରପୂର୍ବକ କର;
କ୍ରୋଧରେ ତାହା ନ କର, କଲେ ତୁମ୍ଭେ ମୋତେ ବିନାଶ କରିବ।
25 ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ
ଓ ଯେଉଁ ଗୋଷ୍ଠୀସକଳ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ,
ସେମାନଙ୍କ ଉପରେ ତୁମ୍ଭେ ଆପଣା କୋପ ଢାଳିଦିଅ;
କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି,
ହଁ, ସେମାନେ ତାହାକୁ ଗ୍ରାସ କରି ସଂହାର କରିଅଛନ୍ତି
ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଅଛନ୍ତି।
Chapter 11
ଚୁକ୍ତି ଭଙ୍ଗ
1 ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ଯଥା, 2 ତୁମ୍ଭେମାନେ ଏହି ନିୟମର ବାକ୍ୟ ଶୁଣ ଓ ଯିହୁଦାର ଲୋକମାନଙ୍କୁ ଓ ଯିରୂଶାଲମ ନିବାସୀମାନଙ୍କୁ କୁହ;
3 ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଏକ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବା ବିଷୟକ ଆମ୍ଭର ଶପଥ ଆଜିକାର ନ୍ୟାୟ ସିଦ୍ଧ କରିବା ନିମନ୍ତେ, 4 ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ, ଲୌହ ଅଗ୍ନିକୁଣ୍ଡରୁ, ବାହାର କରି ଆଣିବା ଦିନ ସେମାନଙ୍କୁ ଯାହା ଆଦେଶ କରି କହିଲୁ, 5 ‘ଅର୍ଥାତ୍, ଆମ୍ଭ ରବରେ ଅବଧାନ କର ଓ ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁ, ସେସକଳ ଅନୁସାରେ କର୍ମ କର; ତହିଁରେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା; ସେହି ନିୟମର କଥା ଯେଉଁ ଲୋକ ନ ଶୁଣେ, ସେ ଅଭିଶପ୍ତ ହେଉ !’” ତହିଁରେ ମୁଁ ଉତ୍ତର ଦେଇ କହିଲି, “ହେ ସଦାପ୍ରଭୁ, ଆମେନ୍।”
6 ପୁଣି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଯିହୁଦାର ସବୁ ନଗରରେ ଓ ଯିରୂଶାଲମର ସବୁ ସଡ଼କରେ ଏହିସବୁ କଥା ପ୍ରଚାର କରି କୁହ, ‘ତୁମ୍ଭେମାନେ ଏହି ନିୟମର ବାକ୍ୟ ଶୁଣ ଓ ତାହା ପାଳନ କର। 7 କାରଣ ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୃଢ଼ ରୂପେ ସାକ୍ଷ୍ୟ ଦେଇଅଛୁ, ପ୍ରତ୍ୟୁଷରେ ଉଠି ସାକ୍ଷ୍ୟ ଦେଇ କହିଅଛୁ, ଆମ୍ଭ ରବରେ ଅବଧାନ କର। 8 ତଥାପି ସେମାନେ ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କଲେ; ଏନିମନ୍ତେ ଆମ୍ଭେ ପାଳନ କରିବା ପାଇଁ ସେମାନଙ୍କୁ ଯେଉଁ ନିୟମ ଆଦେଶ କଲୁ, ତହିଁର ସକଳ କଥା ସେମାନଙ୍କ ଉପରେ ବର୍ତ୍ତାଇଲୁ, ତଥାପି ସେମାନେ ପାଳନ କଲେ ନାହିଁ।’”
9 ଆଉ, ସଦାପ୍ରଭୁ ମୋତେ କହିଲେ, “ଯିହୁଦାର ଲୋକମାନଙ୍କ ମଧ୍ୟରେ ଓ ଯିରୂଶାଲମ ନିବାସୀମାନଙ୍କ ମଧ୍ୟରେ ଏକ ଚକ୍ରାନ୍ତ ଦେଖାଯାଏ। 10 ଆମ୍ଭର ବାକ୍ୟ ଶୁଣିବାକୁ ଅସମ୍ମତ ସେମାନଙ୍କର ପୂର୍ବପୁରୁଷଗଣର ଅଧର୍ମ ପ୍ରତି ସେମାନେ ଫେରିଅଛନ୍ତି ଓ ସେମାନେ ଅନ୍ୟ ଦେବଗଣର ସେବା କରିବା ପାଇଁ ସେମାନଙ୍କର ପଶ୍ଚାଦ୍ଗାମୀ ହୋଇଅଛନ୍ତି; ଇସ୍ରାଏଲ ବଂଶ ଓ ଯିହୁଦା ବଂଶ, ସେମାନଙ୍କ ପୂର୍ବପୁରୁଷଗଣର ସହିତ ଆମ୍ଭର କୃତ ନିୟମ ଲଙ୍ଘନ କରିଅଛନ୍ତି।”
11 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା, ସେମାନେ ତହିଁରୁ ରକ୍ଷା ପାଇ ପାରିବେ ନାହିଁ; ପୁଣି, ସେମାନେ ଆମ୍ଭ ନିକଟରେ ଆର୍ତ୍ତସ୍ୱର କରିବେ, ମାତ୍ର ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ। 12 ତହୁଁ ଯିହୁଦାର ନଗରସମୂହ ଓ ଯିରୂଶାଲମ ନିବାସୀଗଣ ଯେଉଁ ଦେବଗଣ ନିକଟରେ ଧୂପ ଜ୍ୱଳାନ୍ତି, ସେମାନଙ୍କ ନିକଟକୁ ଯାଇ ଆର୍ତ୍ତସ୍ୱର କରିବେ; ମାତ୍ର ସେମାନେ ସେହି ବିପଦ ସମୟରେ ସେମାନଙ୍କୁ କିଛି ଉଦ୍ଧାର କରିବେ ନାହିଁ। 13 କାରଣ ହେ ଯିହୁଦା, ତୁମ୍ଭର ନଗରସମୂହର ସଂଖ୍ୟାନୁସାରେ ତୁମ୍ଭର ଦେବଗଣ ଅଛନ୍ତି; ପୁଣି, ତୁମ୍ଭେମାନେ ଯିରୂଶାଲମର ସଡ଼କସମୂହର ସଂଖ୍ୟାନୁସାରେ, ଲଜ୍ଜାସ୍ପଦ ବସ୍ତୁ ଉଦ୍ଦେଶ୍ୟରେ ଯଜ୍ଞବେଦି, ଅର୍ଥାତ୍, ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ନିମନ୍ତେ ଯଜ୍ଞବେଦି ସ୍ଥାପନ କରିଅଛ।”
14 ଏହେତୁ ତୁମ୍ଭେ ଏହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ ଉଚ୍ଚ ଆର୍ତ୍ତସ୍ୱର ଅବା ପ୍ରାର୍ଥନା କର ନାହିଁ, କାରଣ ସେମାନେ ଆପଣାମାନଙ୍କର ବିପଦ ସକାଶୁ ଆମ୍ଭ ନିକଟରେ ଆର୍ତ୍ତସ୍ୱର କଲା ବେଳେ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।
15 ଆମ୍ଭ ଗୃହରେ ଆମ୍ଭ ପ୍ରିୟାର କି କାର୍ଯ୍ୟ ?
କାରଣ ସେ ଅନେକଙ୍କ ସଙ୍ଗେ ବ୍ୟଭିଚାର କରିଅଛି
ଓ ତୁମ୍ଭ ନିକଟରୁ ପବିତ୍ର ମାଂସ ଅନ୍ତରିତ ହୋଇଅଛି,
ଦୁଷ୍କର୍ମ କଲା ବେଳେ ତୁମ୍ଭେ ଆନନ୍ଦ କରୁଅଛ।
16 ସଦାପ୍ରଭୁ ତୁମ୍ଭକୁ ମନୋହର ଫଳରେ
ସୁନ୍ଦର ହରିତ୍ବର୍ଣ୍ଣ ଜୀତବୃକ୍ଷ ବୋଲି ନାମ ଦେଲେ;
ଲୋକସମୂହର ମହାଶବ୍ଦ ସହକାରେ,
ସେ ତହିଁ ଉପରେ ଅଗ୍ନି ଜ୍ୱଳାଇ ଅଛନ୍ତି
ଓ ତହିଁର ଶାଖାସବୁ ଭଗ୍ନ ହୋଇଅଛି।
17 ଯେହେତୁ ତୁମ୍ଭର ରୋପଣକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳର କଥା କହିଅଛନ୍ତି; ଇସ୍ରାଏଲ ବଂଶର ଓ ଯିହୁଦା ବଂଶର ଦୁଷ୍ଟତା ଏଥିର କାରଣ, ସେମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଆମ୍ଭକୁ ବିରକ୍ତ କରିବା ସକାଶୁ ଆପଣାମାନଙ୍କ ନିମନ୍ତେ ଆପେ ତାହା ସମ୍ପନ୍ନ କରିଅଛନ୍ତି।
18 ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭକୁ ଜ୍ଞାନ ଦିଅନ୍ତେ, ମୁଁ ତାହା ଜାଣିଲି; ସେସମୟରେ ତୁମ୍ଭେ ମୋତେ ସେମାନଙ୍କର କ୍ରିୟା ଦେଖାଇଲ। 19 ମାତ୍ର ମୁଁ ହତ୍ୟା ନିମନ୍ତେ ନିଆଯାଉଥିବା ଶାନ୍ତ ମେଷଶାବକ ଓ ବଳଦ ପରି ଥିଲି; ପୁଣି, ଆମ୍ଭେମାନେ ଫଳସୁଦ୍ଧା ବୃକ୍ଷ ନଷ୍ଟ କରୁ ଓ ତାହାର ନାମ ଯେପରି ଆଉ ସ୍ମରଣରେ ନ ଥାଏ, ଏଥିପାଇଁ ଜୀବିତ ଲୋକମାନଙ୍କ ଦେଶରୁ ତାହାକୁ କାଟି ପକାଉ, ଏହି କଥା କହି ସେମାନେ ଯେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରିଥିଲେ, ଏହା ମୁଁ ଜାଣି ନ ଥିଲି।
20 ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ,
ତୁମ୍ଭେ ନ୍ୟାୟରେ ବିଚାର କରୁଥାଅ, ତୁମ୍ଭେ ମର୍ମ ଓ ଚିତ୍ତର ପରୀକ୍ଷା କରୁଥାଅ,
ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ଦାନ ମୋତେ ଦେଖିବାକୁ ଦିଅ;
କାରଣ ମୁଁ ତୁମ୍ଭ ନିକଟରେ ଆପଣା ଗୁହାରି ପ୍ରକାଶ କରିଅଛି।
21 ଏହେତୁ ଅନାଥୋତ୍ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ସେମାନେ ତୁମ୍ଭର ପ୍ରାଣ ଅନ୍ୱେଷଣ କରି କହନ୍ତି, ତୁମ୍ଭେ ଯେପରି ଆମ୍ଭମାନଙ୍କ ହସ୍ତରେ ହତ ନ ହୁଅ, ଏଥିପାଇଁ ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ; 22 ଏନିମନ୍ତେ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା; ଯୁବାଗଣ ଖଡ୍ଗରେ ମରିବେ; ସେମାନଙ୍କର ପୁତ୍ର ଓ କନ୍ୟାଗଣ ଦୁର୍ଭିକ୍ଷରେ ମରିବେ; 23 ସେମାନଙ୍କର ଅବଶିଷ୍ଟ କେହି ରହିବେ ନାହିଁ; କାରଣ ଆମ୍ଭେ ଅନାଥୋତ୍ ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ସେମାନଙ୍କର ପ୍ରତିଫଳ ପ୍ରାପ୍ତିର ବର୍ଷ ଆଣିବା।”
Chapter 12
ସଦାପ୍ରଭୁଙ୍କୁ ଯିରିମୀୟଙ୍କ ଅଭିଯୋଗ
1 ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ସଙ୍ଗେ ପ୍ରତିବାଦ କରେ, ତୁମ୍ଭେ ଧାର୍ମିକ ଅଟ;
ତଥାପି ବିଚାର ବିଷୟରେ ମୁଁ ତୁମ୍ଭ ସଙ୍ଗେ ବାଦାନୁବାଦ କରିବି;
ଦୁଷ୍ଟ ଲୋକମାନଙ୍କର ପଥ କାହିଁକି କୁଶଳଯୁକ୍ତ ହୁଏ ?
ଅତି ବିଶ୍ୱାସଘାତକ ସମସ୍ତେ କାହିଁକି ନିରାପଦରେ ଥା’ନ୍ତି ?
2 ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନେ ବଦ୍ଧମୂଳ ହୋଇଅଛନ୍ତି;
ସେମାନେ ବଢ଼ନ୍ତି, ହଁ, ସେମାନେ ଫଳ ଫଳନ୍ତି;
ତୁମ୍ଭେ ସେମାନଙ୍କ ମୁଖର ନିକଟରେ ଓ ସେମାନଙ୍କ ଅନ୍ତଃକରଣରୁ ଦୂରରେ ଅଛ।
3 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ; ତୁମ୍ଭେ ମୋତେ ଦେଖୁଅଛ
ଓ ତୁମ୍ଭ ପ୍ରତି ମୋର ମନ କିପରି, ତାହା ପରୀକ୍ଷା କରୁଅଛ;
ତୁମ୍ଭେ ସେମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ଆଣ
ଓ ହତ୍ୟା ଦିନର ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ ରଖ।
4 କେତେ କାଳ ଦେଶ ଶୋକ କରିବ ଓ ସମୁଦାୟ ଦେଶର ତୃଣ ଶୁଷ୍କ ହେବ ?
ତହିଁର ନିବାସୀମାନଙ୍କର ଦୁଷ୍ଟତା ସକାଶୁ ପଶୁ ଓ ପକ୍ଷୀ ସବୁ କ୍ଷୟ ପାଉଅଛନ୍ତି;
କାରଣ ଲୋକମାନେ କହିଲେ, ସେ ଆମ୍ଭମାନଙ୍କର ଶେଷ ଗତି ଦେଖିବ ନାହିଁ।
ଯିରିମୀୟଙ୍କୁ ସଦାପ୍ରଭୁଙ୍କ ଉତ୍ତର
5 ଯଦି ତୁମ୍ଭେ ପଦାତିକଗଣର ସଙ୍ଗେ ଦୌଡ଼ିଲେ
ସେମାନେ ତୁମ୍ଭକୁ କ୍ଳାନ୍ତ କରିଅଛନ୍ତି,
ଯଦି ତୁମ୍ଭେ ଅଶ୍ୱଗଣ ସଙ୍ଗରେ କିପରି ପଣ କରି ପାରିବ ?
ପୁଣି, ଯଦ୍ୟପି ଶାନ୍ତିର ଦେଶରେ ନିର୍ଭୟ ହୁଅ,
ତଥାପି ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କଅଣ କରିବ ?
6 କାରଣ ତୁମ୍ଭର ଭାଇମାନେ ଓ ପିତୃବଂଶ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛନ୍ତି;
ସେମାନେ ତୁମ୍ଭ ପଛେ ପଛେ ଉଚ୍ଚରେ ଡାକ ପକାଇ ଅଛନ୍ତି;
ସେମାନେ ତୁମ୍ଭକୁ ମିଷ୍ଟ କଥା କହିଲେ ହେଁ ସେମାନଙ୍କୁ ବିଶ୍ୱାସ କର ନାହିଁ।
7 ଆମ୍ଭେ ଆପଣା ଗୃହ ତ୍ୟାଗ କରିଅଛୁ, ଆମ୍ଭେ ଆପଣା ଅଧିକାର ଛାଡ଼ି ଦେଇଅଛୁ;
ଆମ୍ଭେ ଆପଣା ପ୍ରାଣର ପ୍ରିୟତମାକୁ ତାହାର ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ।
8 ଆମ୍ଭର ଅଧିକାର ଆମ୍ଭ ପ୍ରତି ଅରଣ୍ୟସ୍ଥ ସିଂହ ପରି ହୋଇଅଛି;
ସେ ଆମ୍ଭ ବିରୁଦ୍ଧରେ ହୁଙ୍କାର କରିଅଛି; ଏଥିପାଇଁ ଆମ୍ଭେ ତାହାକୁ ଘୃଣା କରିଅଛୁ।
9 ଆମ୍ଭର ଅଧିକାର ଆମ୍ଭ ପ୍ରତି କି ଚିତ୍ରିତ ଶିକାରୀ ପକ୍ଷୀ ତୁଲ୍ୟ ଅଟେ,
ଶିକାରୀ ପକ୍ଷୀମାନେ ତାହାର ବିରୁଦ୍ଧରେ ଚାରିଆଡ଼େ ଘେରିଅଛନ୍ତି ?
ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।
10 ଅନେକ ପଲ ରକ୍ଷକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି,
ସେମାନେ ଆମ୍ଭର ଭୂମି ପଦ ତଳେ ଦଳିତ କରିଅଛନ୍ତି,
ସେମାନେ ଆମ୍ଭର ମନୋରମ ଭୂମିକି ଧ୍ୱଂସିତ ପ୍ରାନ୍ତର କରିଅଛନ୍ତି।
11 ସେମାନେ ତାହା ଧ୍ୱଂସସ୍ଥାନ କରିଅଛନ୍ତି;
ତାହା ଧ୍ୱଂସିତ ହୋଇ ଆମ୍ଭ ନିକଟରେ ବିଳାପ କରୁଅଛି;
କେହି ମନୋଯୋଗ ନ କରିବାରୁ ସମୁଦାୟ ଦେଶ ଧ୍ୱଂସିତ ହେଉଅଛି।
12 ଧ୍ୱଂସକାରୀମାନେ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଗିରିସକଳର ଉପରକୁ ଆସିଅଛନ୍ତି;
କାରଣ ସଦାପ୍ରଭୁଙ୍କ ଖଡ୍ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି;
କୌଣସି ପ୍ରାଣୀର ଶାନ୍ତି ନାହିଁ।
13 ସେମାନେ ଗହମ ବୁଣି କଣ୍ଟା କାଟିଅଛନ୍ତି,
ସେମାନେ ଆପଣାମାନଙ୍କୁ କଷ୍ଟ ଦେଇ କିଛି ଲାଭ ପାଆନ୍ତି ନାହିଁ;
ପୁଣି, ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ସକାଶୁ ତୁମ୍ଭେମାନେ
ଆପଣା ଫଳ ବିଷୟରେ ଲଜ୍ଜିତ ହେବ।
14 ଆମ୍ଭେ ଆପଣା ଇସ୍ରାଏଲ ଲୋକଙ୍କୁ ଯେଉଁ ଅଧିକାର ଭୋଗ କରିବାକୁ ଦେଇଅଛୁ, ତାହା ସ୍ପର୍ଶକାରୀ ଆମ୍ଭର ଦୁଷ୍ଟ ପ୍ରତିବାସୀସକଳର ବିରୁଦ୍ଧରେ ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କରିବା ଓ ସେମାନଙ୍କ ମଧ୍ୟରୁ ଯିହୁଦା ବଂଶକୁ ଉତ୍ପାଟନ କରିବା। 15 ପୁଣି, ସେମାନଙ୍କୁ ଉତ୍ପାଟନ କଲା ଉତ୍ତାରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା ଓ ଆମ୍ଭେ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଭୂମିକି ପୁନର୍ବାର ଆଣିବା।
16 ଆଉ, ସେମାନେ ଯେପରି ବାଲ୍ଦେବ ନାମରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସେପରି ସଦାପ୍ରଭୁ ଜୀବିତ ବୋଲି, ଆମ୍ଭ ନାମରେ ଶପଥ କରିବା ପାଇଁ ଯଦି ଆମ୍ଭ ଲୋକମାନଙ୍କର ଆଚରଣ ଯତ୍ନପୂର୍ବକ ଶିଖିବେ, ତେବେ ସେମାନେ ଆମ୍ଭ ଲୋକମାନଙ୍କ ମଧ୍ୟରେ ସ୍ଥାପିତ ହେବେ। 17 ମାତ୍ର ଯଦି ସେମାନେ ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକି ଉତ୍ପାଟନ କରିବା, ଉତ୍ପାଟନ କରି ତାହା ନଷ୍ଟ କରିବା,” ଏହା ସଦାପ୍ରଭୁ କହନ୍ତି।
Chapter 13
ଶଣବସ୍ତ୍ରର କଟିବନ୍ଧ
1 ସଦାପ୍ରଭୁ ମୋତେ ଏହି କଥା କହିଲେ, “ତୁମ୍ଭେ ଯାଇ ମସିନା ନିର୍ମିତ ଏକ ପଟୁକା କିଣି ତାହା ଆପଣା କଟିଦେଶରେ ବାନ୍ଧ ଓ ଜଳରେ ତାହା ରଖ ନାହିଁ।” 2 ତହିଁରେ ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ପଟୁକା କିଣି ଆପଣା କଟି ଦେଶରେ ବାନ୍ଧିଲି। 3 ଏଥିଉତ୍ତାରେ ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, 4 “ଯଥା, ଉଠ, ତୁମ୍ଭ କଟିଦେଶରେ ଥିବା ଯେଉଁ ପଟୁକା ତୁମ୍ଭେ କିଣିଅଛ, ତାହା ନେଇ ଫରାତ୍ ନଦୀ ନିକଟକୁ ଯାଇ, ସେଠାସ୍ଥିତ ଏକ ଶୈଳ ଛିଦ୍ରରେ ଲୁଚାଇ ରଖ।”
5 ତହିଁରେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୁଁ ଯାଇ ଫରାତ୍ ନଦୀ ନିକଟରେ ତାହା ଲୁଚାଇ ରଖିଲି। 6 ପୁଣି, ଅନେକ ଦିନ ଉତ୍ତାରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଉଠି ଫରାତ୍ ନଦୀ ନିକଟକୁ ଯାଅ ଓ ଯେଉଁ ପଟୁକା ସେଠାରେ ଲୁଚାଇ ରଖିବା ପାଇଁ ଆମ୍ଭେ ଆଜ୍ଞା କଲୁ, ତାହା ସେଠାରୁ ନିଅ।” 7 ତେବେ ମୁଁ ଫରାତ୍ ନଦୀ ନିକଟକୁ ଯାଇ ସେହି ପଟୁକା ଲୁଚାଇ ରଖିଥିବା ସ୍ଥାନ ଖୋଳି ତାହା ନେଲି; ଆଉ ଦେଖ, ସେ ପଟୁକା ନଷ୍ଟ ହୋଇଅଛି, ତାହା ଆଉ କୌଣସି କର୍ମର ଯୋଗ୍ୟ ନୁହେଁ।
8 ତେବେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, 9 ଯଥା, ସଦାପ୍ରଭୁ କହନ୍ତି, “ଆମ୍ଭେ ଏହି ପ୍ରକାରେ ଯିହୁଦାର ଦର୍ପ ଓ ଯିରୂଶାଲମର ମହାଦର୍ପ ଚୂର୍ଣ୍ଣ କରିବା। 10 ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହୋଇ ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଚାଲନ୍ତି ଓ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗମନ କରିଅଛନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।” 11 କାରଣ ସଦାପ୍ରଭୁ କହନ୍ତି, “ମନୁଷ୍ୟର କଟିଦେଶରେ ପଟୁକା ଯେରୂପ ସଂଲଗ୍ନ ଥାଏ, ତଦ୍ରୂପ ଆମ୍ଭେ ସମୁଦାୟ ଇସ୍ରାଏଲ ଓ ସମୁଦାୟ ଯିହୁଦା ବଂଶକୁ ଆମ୍ଭର ଲୋକ, କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ କରିବା ପାଇଁ ଆମ୍ଭଠାରେ ସଂଲଗ୍ନ କରାଇଲୁ; ମାତ୍ର ସେମାନେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।”
ଦ୍ରାକ୍ଷାକଳଶ
12 ଏହେତୁ ତୁମ୍ଭେ ସେମାନଙ୍କୁ ଏହି କଥା କହିବ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ପ୍ରତ୍ୟେକ କଳଶ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ;’ ତହିଁରେ ସେମାନେ ତୁମ୍ଭକୁ କହିବେ, ‘ପ୍ରତ୍ୟେକ କଳଶ ଯେ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ, ଏହା କ’ଣ ଆମ୍ଭେମାନେ ଜାଣୁ ନାହୁଁ ?’ 13 ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ଦେଶନିବାସୀ ସମସ୍ତ ଲୋକଙ୍କୁ, ଅର୍ଥାତ୍ ଦାଉଦର ସିଂହାସନୋପବିଷ୍ଟ ରାଜାଗଣଙ୍କୁ ଓ ଯାଜକମାନଙ୍କୁ, ଭବିଷ୍ୟଦ୍ବକ୍ତାଗଣଙ୍କୁ ଓ ଯିରୂଶାଲମ ନିବାସୀ ସମସ୍ତଙ୍କୁ ମତ୍ତତାରେ ପୂର୍ଣ୍ଣ କରିବା।’ 14 ପୁଣି, ଆମ୍ଭେ ସେମାନଙ୍କର ଏକ ଜଣକୁ ଅନ୍ୟ ଜଣର ଉପରେ, ହଁ, ପିତୃଗଣକୁ ଓ ପୁତ୍ରଗଣକୁ ଏକ ସଙ୍ଗେ କଚାଡ଼ି ପକାଇବା, ଏହା ସଦାପ୍ରଭୁ କହନ୍ତି; ‘ଆମ୍ଭେ ସେମାନଙ୍କ ପ୍ରତି କୃପା କିଅବା ଦୟା ଅଥବା କରୁଣା ନ କରି ସେମାନଙ୍କୁ ନଷ୍ଟ କରିବା।’”
ଅହଂକାରୀଙ୍କୁ ସତର୍କବାଣୀ
15 ତୁମ୍ଭେମାନେ ଶୁଣ ଓ କର୍ଣ୍ଣପାତ କର; ଅହଙ୍କାର କର ନାହିଁ;
କାରଣ ସଦାପ୍ରଭୁ କଥା କହିଅଛନ୍ତି।
16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅନ୍ଧକାର ଉପସ୍ଥିତ କରିବା ପୂର୍ବେ
ଓ ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କ ଚରଣ ଝୁଣ୍ଟିବା ପୂର୍ବେ;
ପୁଣି, ତୁମ୍ଭେମାନେ ଆଲୁଅର ଅପେକ୍ଷା କରୁ କରୁ ସେ ତାହା ମୃତ୍ୟୁୁଛାୟାରେ
ଓ ଘୋର ଅନ୍ଧକାରରେ ପରିଣତ କରିବା ପୂର୍ବେ, ତୁମ୍ଭେମାନେ ତାହାଙ୍କୁ ଗୌରବ ଦିଅ।
17 ମାତ୍ର ଯଦି ତୁମ୍ଭେମାନେ ଏକଥା ଶୁଣିବ ନାହିଁ,
ତେବେ ତୁମ୍ଭମାନଙ୍କର ଅହଙ୍କାର ସକାଶୁ ମୋହର ପ୍ରାଣ ନିରୋଳା ସ୍ଥାନରେ ରୋଦନ କରିବ
ଓ ସଦାପ୍ରଭୁଙ୍କର ପଲ ବନ୍ଦୀ ଅବସ୍ଥାରେ ନୀତ ହେବା ସକାଶୁ
ମୋହର ଚକ୍ଷୁ ଅତିଶୟ ରୋଦନ କରି ଅଶ୍ରୁଧାରା ବୁହାଇବ।
18 ତୁମ୍ଭେ ରାଜାକୁ ଓ ରାଜମାତାକୁ କୁହ, ତୁମ୍ଭେମାନେ ଆପଣାମାନଙ୍କୁ ନମ୍ର କରି ବସ;
କାରଣ ତୁମ୍ଭମାନଙ୍କର ମସ୍ତକାଭରଣ, ଅର୍ଥାତ୍, ଗୌରବ ମୁକୁଟ ତଳେ ପଡ଼ିଅଛି।
19 ଦକ୍ଷିଣ ପ୍ରଦେଶୀୟ ନଗରସବୁ ରୁଦ୍ଧ ହୋଇଅଛି
ଓ ତାହା ଫିଟାଇବାକୁ କେହି ନାହିଁ; ସମୁଦାୟ ଯିହୁଦା ନିର୍ବାସିତ ହୋଇଅଛି;
ତାହା ସମ୍ପୂର୍ଣ୍ଣ ରୂପେ ନିର୍ବାସିତ ହୋଇଅଛି।
20 ତୁମ୍ଭେମାନେ ଚକ୍ଷୁ ଖୋଲି ଉତ୍ତର ଦିଗରୁ ଆସନ୍ତା ଲୋକମାନଙ୍କୁ ଦେଖ;
ତୁମ୍ଭକୁ ଯେଉଁ ପଲ ଦତ୍ତ ହୋଇଥିଲା, ତୁମ୍ଭର ସେହି ସୁନ୍ଦର ପଲ କାହିଁ ?
21 ତୁମ୍ଭେ ଯେଉଁମାନଙ୍କୁ ନିଜେ ଆପଣା ବିରୁଦ୍ଧରେ ଶିକ୍ଷା ଦେଇଅଛ,
ତୁମ୍ଭର ସେହି ମିତ୍ରମାନଙ୍କୁ ଯେତେବେଳେ ସେ ତୁମ୍ଭର ମସ୍ତକ ସ୍ୱରୂପ କରି ନିଯୁକ୍ତ କରିବେ,
ସେତେବେଳେ ତୁମ୍ଭେ କଅଣ କହିବ ? ପ୍ରସବକାଳରେ ଯେପରି ସ୍ତ୍ରୀଲୋକ,
ସେହିପରି ତୁମ୍ଭେ କି ବେଦନାଗ୍ରସ୍ତ ହେବ ନାହିଁ ?
22 ପୁଣି ଯଦି ତୁମ୍ଭେ ମନେ ମନେ ପଚାରିବ,
ମୋ’ ପ୍ରତି ଏପରି ଦଶା କାହିଁକି ଘଟିଲା ?
(ତେବେ ଶୁଣ,) ତୁମ୍ଭ ଅଧର୍ମର ବାହୁଲ୍ୟରୁ ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛି
ଓ ତୁମ୍ଭର ଗୋଇଠି ଦୌରାତ୍ମ୍ୟ ଭୋଗ କରୁଅଛି।
23 କୂଶୀୟ ଲୋକ କି ଆପଣା ଚର୍ମ
ଓ ଚିତାବାଘ କି ଆପଣା ଚିତ୍ରବର୍ଣ୍ଣ ବଦଳାଇ ପାରେ ?
ତାହାହେଲେ, କୁକର୍ମ କରିବାକୁ ଅଭ୍ୟସ୍ତ ଯେ ତୁମ୍ଭେମାନେ,
ତୁମ୍ଭେମାନେ କି ସୁକର୍ମ କରି ପାରିବ ?
24 ଏନିମନ୍ତେ ପ୍ରାନ୍ତରସ୍ଥ ବାୟୁ ସମ୍ମୁଖରେ ଉଡ଼ନ୍ତା ନଡ଼ା ପରି
ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବା।
25 ସଦାପ୍ରଭୁ କହନ୍ତି, “ଆମ୍ଭଠାରୁ ଏହି ତୁମ୍ଭର ବାଣ୍ଟ ଓ ପରିମିତ ଅଂଶ;
କାରଣ ତୁମ୍ଭେ ଆମ୍ଭକୁ ପାସୋରି ଅଛ ଓ ମିଥ୍ୟାରେ ବିଶ୍ୱାସ କରିଅଛ।
26 ଏନିମନ୍ତେ ଆମ୍ଭେ ହିଁ ତୁମ୍ଭ ବସ୍ତ୍ରର ଅଞ୍ଚଳ
ତୁମ୍ଭ ମୁଖ ପର୍ଯ୍ୟନ୍ତ ଟେକିବା ଓ ତୁମ୍ଭର ଲଜ୍ଜା ଦେଖାଯିବ।
27 ଆମ୍ଭେ କ୍ଷେତ୍ରସ୍ଥ ଗିରିଗଣ ଉପରେ ତୁମ୍ଭର ଘୃଣ୍ୟକର୍ମ, ତୁମ୍ଭର ବ୍ୟଭିଚାର,
ତୁମ୍ଭର ହିଁ ହିଁ ହେବାର ଓ ତୁମ୍ଭର ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ।
ହେ ଯିରୂଶାଲମ, ତୁମ୍ଭେ ସନ୍ତାପର ପାତ୍ର ! ତୁମ୍ଭେ ଶୁଚିକୃତ ହେବାକୁ ମଙ୍ଗୁ ନାହଁ;
ଆହୁରି କେତେ କାଳ ଏପରି ହେବ ?
Chapter 14
ଦୁର୍ଭିକ୍ଷ, ଖଡ୍ଗ, ମହାମାରୀ
1 ଅନାବୃଷ୍ଟି ବିଷୟରେ ଯିରିମୀୟଙ୍କ ନିକଟରେ ଉପସ୍ଥିତ ସଦାପ୍ରଭୁଙ୍କର ବାକ୍ୟ।
2 ଯିହୁଦା ଶୋକ କରୁଅଛି ଓ ତହିଁର ନଗର ଦ୍ୱାରସକଳ କ୍ଷୀଣ ହୋଇଅଛି,
ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସୁଅଛନ୍ତି ଓ ଯିରୂଶାଲମର ଆର୍ତ୍ତସ୍ୱର ଊର୍ଦ୍ଧ୍ୱକୁ ଉଠିଅଛି।
3 ପୁଣି, ସେମାନଙ୍କର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି;
ସେମାନେ ଗର୍ତ୍ତ ନିକଟକୁ ଆସି କିଛି ଜଳ ପାଆନ୍ତି ନାହିଁ;
ସେମାନେ ଶୂନ୍ୟପାତ୍ର ଘେନି ଫେରି ଯାଆନ୍ତି;
ସେମାନେ ଲଜ୍ଜିତ ଓ ଘାବରା ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।
4 ଦେଶରେ ବୃଷ୍ଟି ନ ହେବା ସକାଶୁ ଭୂମି ଫାଟି ଯିବାରୁ
କୃଷକମାନେ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।
5 ହଁ, ତୃଣ ନ ଥିବାରୁ ହରିଣୀ ମଧ୍ୟ ପଦାରେ ପ୍ରସବ କରି ଆପଣା ଛୁଆ ତ୍ୟାଗ କରିଯାଏ।
6 ପୁଣି, ବନ୍ୟ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ
ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି;
ତୃଣ ନ ଥିବାରୁ ସେମାନଙ୍କର ଚକ୍ଷୁ କ୍ଷୀଣ ହୁଏ।
7 ହେ ସଦାପ୍ରଭୁ, ଯଦ୍ୟପି ଆମ୍ଭମାନଙ୍କର ଅଧର୍ମସବୁ
ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦିଏ, ତଥାପି ତୁମ୍ଭେ ଆପଣା ନାମ ସକାଶୁ କାର୍ଯ୍ୟ କର;
କାରଣ ଆମ୍ଭମାନଙ୍କର ବିପଥଗମନ ଅପାର;
ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
8 ହେ ଇସ୍ରାଏଲର ଆଶାଭୂମି, ସଙ୍କଟ ସମୟରେ ତାହାର ଉଦ୍ଧାରକର୍ତ୍ତା,
ତୁମ୍ଭେ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ
ଓ ଗୋଟିଏ ରାତ୍ରି କ୍ଷେପଣ କରିବା ପାଇଁ ଆସିବା ପଥିକ ତୁଲ୍ୟ କାହିଁକି ହେବ ?
9 ତୁମ୍ଭେ କାହିଁକି ବିସ୍ମିତ ମନୁଷ୍ୟ ତୁଲ୍ୟ କିଅବା ଉଦ୍ଧାର କରିବାକୁ ଅସମର୍ଥ ବୀର ତୁଲ୍ୟ ହେବ;
ତଥାପି ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ
ଓ ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ। ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ।
10 ସଦାପ୍ରଭୁ ଏହି ଲୋକମାନଙ୍କ ବିଷୟରେ ଏହି କଥା କହନ୍ତି,
“ସେମାନେ ଏହି ପ୍ରକାର ଭ୍ରମଣ କରିବାକୁ ଭଲ ପାଇଅଛନ୍ତି;
ସେମାନେ ଆପଣା ଆପଣା ଚରଣକୁ ଅଟକାଇ ନାହାନ୍ତି;
ଏହେତୁ ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ;
ସେ ଏବେ ସେମାନଙ୍କ ଅଧର୍ମ ସ୍ମରଣ କରିବେ
ଓ ସେମାନଙ୍କର ସମସ୍ତ ପାପର ପ୍ରତିଫଳ ଦେବେ।”
11 ଆହୁରି, ସଦାପ୍ରଭୁ ମୋତେ କହିଲେ,
“ତୁମ୍ଭେ ଏହି ଲୋକମାନଙ୍କ ପକ୍ଷରେ ମଙ୍ଗଳ ପ୍ରାର୍ଥନା କର ନାହିଁ।
12 ସେମାନେ ଉପବାସ କଲେ, ଆମ୍ଭେ ସେମାନଙ୍କର କାତରୋକ୍ତି ଶୁଣିବା ନାହିଁ;
ପୁଣି, ସେମାନେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ,
ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ନାହିଁ;
ମାତ୍ର ଆମ୍ଭେ ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା।”
ମିଥ୍ୟା ଭାବବାଦୀ
13 ତହିଁରେ ମୁଁ କହିଲି, “ହାୟ ପ୍ରଭୁ, ସଦାପ୍ରଭୁ ! ଦେଖ, ତୁମ୍ଭେମାନେ ଖଡ୍ଗ ଦେଖିବ ନାହିଁ, କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ, ମାତ୍ର ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦୃଢ଼ ଶାନ୍ତି ଦେବା ବୋଲି ଭବିଷ୍ୟଦ୍ବକ୍ତାମାନେ ଏହି କଥା ସେମାନଙ୍କୁ କହନ୍ତି।” 14 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି; ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, ଆମ୍ଭେ ସେମାନଙ୍କୁ ଆଜ୍ଞା ଦେଇ ନାହୁଁ, କିଅବା ଆମ୍ଭେ ସେମାନଙ୍କୁ କଥା କହିନାହୁଁ; ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟାଦର୍ଶନ, ମନ୍ତ୍ର, ଅସାର ବିଷୟ ଓ ଆପଣା ଆପଣା ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି।
15 ଏହେତୁ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏହି ଦେଶରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ସେହି ଭବିଷ୍ୟଦ୍ବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ। 16 ପୁଣି, ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନେ ଦୁର୍ଭିକ୍ଷ ଓ ଖଡ୍ଗ ହେତୁରୁ ଯିରୂଶାଲମର ନାନା ସଡ଼କରେ ପକାଯିବେ; ପୁଣି, ସେମାନଙ୍କୁ ସେମାନଙ୍କ ଭାର୍ଯ୍ୟା ଓ ସେମାନଙ୍କ ପୁତ୍ର ଓ କନ୍ୟାମାନଙ୍କୁ କବର ଦେବା ପାଇଁ କେହି ନ ଥିବେ; କାରଣ ଆମ୍ଭେ ସେମାନଙ୍କ ଦୁଷ୍ଟତା ସେମାନଙ୍କ ଉପରେ ଢାଳି ଦେବା।’”
17 ଆଉ, ତୁମ୍ଭେ ସେମାନଙ୍କୁ ଏହି କଥା କହିବ,
“ଦିବାରାତ୍ର ଆମ୍ଭ ଚକ୍ଷୁରୁ ଜଳଧାରା ବହୁ,ତାହା ନିବୃତ୍ତ ନ ହେଉ;
କାରଣ ଆମ୍ଭ ଲୋକମାନଙ୍କର ଅନୂଢ଼ା କନ୍ୟା,
ମହା କ୍ଷତରେ, ମହା ଦୁଃଖଦାୟକ ଆଘାତରେ ଭଗ୍ନ ହୋଇଅଛି।
18 ଆମ୍ଭେ ଯଦି ବାହାର ହୋଇ କ୍ଷେତ୍ରକୁ ଯାଉ,
ତେବେ ଦେଖ, ସେଠାରେ ଖଡ୍ଗରେ ହତ ଲୋକ !
ପୁଣି, ଆମ୍ଭେ ଯଦି ନଗରରେ ପ୍ରବେଶ କରୁ,
ତେବେ ଦେଖ, ସେଠାରେ ଦୁର୍ଭିକ୍ଷରେ ପୀଡ଼ିତ ଲୋକ !
କାରଣ ଭବିଷ୍ୟଦ୍ବକ୍ତା ଓ ଯାଜକ ଉଭୟ ଦେଶରେ ଭ୍ରମଣ କରନ୍ତି,
ସେମାନେ କିଛି ଜାଣନ୍ତି ନାହିଁ।”
ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କର କାକୂକ୍ତି
19 ତୁମ୍ଭେ କି ଯିହୁଦାକୁ ନିତାନ୍ତ ଅଗ୍ରାହ୍ୟ କରିଅଛ ?
ତୁମ୍ଭର ପ୍ରାଣ କି ସିୟୋନକୁ ଘୃଣା କରିଅଛି ?
କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ପ୍ରହାର କଲ
ଓ ଆମ୍ଭମାନଙ୍କ ପୀଡ଼ାର କୌଣସି ପ୍ରତିକାର ନାହିଁ ?
ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ
ଓ ଆମ୍ଭେମାନେ ସ୍ୱାସ୍ଥ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !
20 ହେ ସଦାପ୍ରଭୁ, ଆମ୍ଭେମାନେ ଆପଣାମାନଙ୍କ ଦୁଷ୍ଟତା
ଓ ଆମ୍ଭମାନଙ୍କ ପିତୃଲୋକମାନଙ୍କର ଅଧର୍ମ ସ୍ୱୀକାର କରୁଅଛୁ;
କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
21 ତୁମ୍ଭେ ଆପଣା ନାମ ସକାଶୁ ଆମ୍ଭମାନଙ୍କୁ ଘୃଣା କର ନାହିଁ;
ଆପଣା ଗୌରବ ସିଂହାସନର ଅପମାନ କର ନାହିଁ;
ସ୍ମରଣ କର, ଆମ୍ଭମାନଙ୍କ ସହିତ ତୁମ୍ଭର କୃତ ନିୟମ ଭଗ୍ନ କର ନାହିଁ।
22 ଅନ୍ୟ ଦେଶୀୟମାନଙ୍କର ଅସାର ଦେବତାଗଣ ମଧ୍ୟରେ ଯେ ବୃଷ୍ଟି କରାଇପାରେ,
ଏପରି କି କେହି ଅଛି ? ଅଥବା ଆକାଶମଣ୍ଡଳ କି ବୃଷ୍ଟିଦାନ କରି ପାରେ ?
ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ କି ସେହି ବୃଷ୍ଟିଦାତା ନୁହଁ ?
ଏନିମନ୍ତେ ଆମ୍ଭେମାନେ ତୁମ୍ଭ ଅପେକ୍ଷାରେ ରହିବା;
କାରଣ ତୁମ୍ଭେ ଏହିସବୁର ଉତ୍ପାଦନ କରିଅଛ।
Chapter 15
ଯିହୁଦାର ସର୍ବନାଶ ସୁନିଶ୍ଚିତ
1 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ। 2 ପୁଣି, ଯଦି ସେମାନେ ତୁମ୍ଭକୁ କହନ୍ତି, ‘ଆମ୍ଭେମାନେ କେଉଁଠାକୁ ବାହାରି ଯିବା ?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସଦାପ୍ରଭୁ ଏହି କଥା କହନ୍ତି,
‘ହତଯୋଗ୍ୟ ଲୋକମାନେ ହତ ସ୍ଥାନକୁ,
ଖଡ୍ଗଯୋଗ୍ୟ ଲୋକମାନେ ଖଡ୍ଗ ନିକଟକୁ,
ଦୁର୍ଭିକ୍ଷଯୋଗ୍ୟ ଲୋକମାନେ ଦୁର୍ଭିକ୍ଷ ସ୍ଥାନକୁ
ଓ ବନ୍ଦୀତ୍ୱର ଯୋଗ୍ୟ ଲୋକମାନେ ବନ୍ଦୀ ସ୍ଥାନକୁ ଯାଉନ୍ତୁ।’”
3 ପୁଣି, ସଦାପ୍ରଭୁ କହନ୍ତି, “ଆମ୍ଭେ ବଧ କରିବା ନିମନ୍ତେ ଖଡ୍ଗ, ବିଦୀର୍ଣ୍ଣ କରିବା ନିମନ୍ତେ କୁକ୍କୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ ଓ ଭୂଚର ପଶୁଗଣ, ଏହି ଚାରି ଜାତିକୁ ସେମାନଙ୍କ ଉପରେ ନିଯୁକ୍ତ କରିବା। 4 ଆଉ, ଯିହୁଦାର ରାଜା ହିଜକୀୟର ପୁତ୍ର ମନଃଶିର ଯିରୂଶାଲମରେ କୃତକାର୍ଯ୍ୟ ସକାଶୁ ଆମ୍ଭେ ସେମାନଙ୍କୁ ପୃଥିବୀର ଯାବତୀୟ ରାଜ୍ୟରେ ଏଣେତେଣେ ନିକ୍ଷିପ୍ତ କରାଇବା।
5 କାରଣ ହେ ଯିରୂଶାଲମ, କିଏ ତୁମ୍ଭକୁ ଦୟା କରିବ ?
ଅବା କିଏ ତୁମ୍ଭ ଲାଗି ବିଳାପ କରିବ ?
ଅଥବା ତୁମ୍ଭର ମଙ୍ଗଳ ବିଷୟ ପଚାରିବା ପାଇଁ କିଏ ତୁମ୍ଭ ନିକଟକୁ ଆସିବ ?”
6 ସଦାପ୍ରଭୁ କହନ୍ତି, “ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ;
ଏନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ;
ଆମ୍ଭେ କ୍ଷମା କରି କରି କ୍ଳାନ୍ତ ହୋଇଅଛୁ।
7 ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାରସମୂହରେ କୁଲାରେ ପାଛୁଡ଼ି ଅଛୁ;
ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତନ୍ତି ବିହୀନ କରିଅଛୁ,
ଆମ୍ଭେ ଆପଣା ଲୋକମାନଙ୍କୁ ବିନାଶ କରିଅଛୁ;
ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।
8 ଆମ୍ଭ ସାକ୍ଷାତରେ ସେମାନଙ୍କର ବିଧବାମାନେ
ସମୁଦ୍ରର ବାଲି ଅପେକ୍ଷା ବହୁସଂଖ୍ୟକ ହୋଇଅଛନ୍ତି,
ଆମ୍ଭେ ସେମାନଙ୍କ ମଧ୍ୟରେ ଯୁବାଗଣର ମାତା ବିରୁଦ୍ଧରେ
ବିନାଶକ ଏକ ଜଣକ ମଧ୍ୟାହ୍ନ କାଳରେ ଆଣିଅଛୁ;
ଆମ୍ଭେ ଅକସ୍ମାତ୍ ତାହା ପ୍ରତି ଦୁଃଖ ଓ ଆଶଙ୍କା ଉପସ୍ଥିତ କରାଇଅଛୁ।
9 ସାତ ସନ୍ତାନପ୍ରସୂତା ସ୍ତ୍ରୀ କ୍ଷୀଣା ହେଉଅଛି; ସେ ପ୍ରାଣତ୍ୟାଗ କରିଅଛି;
ଦିନ ଥାଉ ଥାଉ ତାହାର ସୂର୍ଯ୍ୟ ଅସ୍ତ ହୋଇଅଛି; ସେ ଲଜ୍ଜିତା ଓ ହତାଶା ହୋଇଅଛି;
ପୁଣି, ସେମାନଙ୍କର ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ
ସେମାନଙ୍କ ଶତ୍ରୁଗଣର ସମ୍ମୁଖରେ ଖଡ୍ଗରେ ସମର୍ପଣ କରିବା,” ଏହା ସଦାପ୍ରଭୁ କହନ୍ତି।
ଯିରିମୀୟଙ୍କ ଅଭିଯୋଗ
10 ଗୋ ଆମ୍ଭର ମାତା, ମୁଁ ସନ୍ତାପର ପାତ୍ର,
ତୁମ୍ଭେ ମୋତେ ସମୁଦାୟ ପୃଥିବୀର ବିରୋଧ ଓ ବିବାଦର ପାତ୍ର କରି ଜାତ କରିଅଛ !
ମୁଁ ସୁଧ ନିମନ୍ତେ ଋଣ ଦେଇ ନାହିଁ; କିଅବା ଲୋକେ ମୋତେ ସୁଧ ଲାଗି ଋଣ ଦେଇ ନାହାନ୍ତି;
ତଥାପି ସେମାନଙ୍କର ପ୍ରତ୍ୟେକ ଜଣ ମୋତେ ଅଭିଶାପ ଦିଅନ୍ତି।
11 ସଦାପ୍ରଭୁ କହିଲେ, “ଆମ୍ଭେ ନିଶ୍ଚୟ ମଙ୍ଗଳ ନିମନ୍ତେ ତୁମ୍ଭକୁ ସବଳ କରିବା;
ଆମ୍ଭେ ନିଶ୍ଚୟ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ବିନତି କରାଇବା।
12 ଲୌହ, ଉତ୍ତର ଦେଶୀୟ ଲୌହ ଓ ପିତ୍ତଳ କି କେହି ଭାଙ୍ଗିପାରେ ?
13 ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ଡାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା
ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।
14 ପୁଣି, ଆମ୍ଭେ ସେସମସ୍ତଙ୍କୁ ତୁମ୍ଭ ଶତ୍ରୁଗଣର ସଙ୍ଗରେ ତୁମ୍ଭ ଅଜ୍ଞାତ ଏକ ଦେଶକୁ ନେଇଯିବା;
କାରଣ ଆମ୍ଭର କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ ହୋଇଅଛି, ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।
15 ହେ ସଦାପ୍ରଭୁ, ତୁମ୍ଭେ ଜାଣୁଅଛ;
ମୋତେ ସ୍ମରଣ କର ଓ ମୋହର ତତ୍ତ୍ୱାନୁସନ୍ଧାନ କର,
ପୁଣି ମୋର ତାଡ଼ନାକାରୀମାନଙ୍କଠାରୁ ପରିଶୋଧ ନିଅ;
ତୁମ୍ଭର ଦୀର୍ଘ ସହିଷ୍ଣୁତା ସକାଶୁ ମୋତେ ସଂହାର କର ନାହିଁ;
ମୁଁ ତୁମ୍ଭ ସକାଶୁ ନିନ୍ଦାଭୋଗ କରିଅଛି, ଏହା ଜ୍ଞାତ ହୁଅ।
16 ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି;
ଆଉ, ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା;
କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।
17 ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ,
କିଅବା ଆନନ୍ଦ କଲି ନାହିଁ; ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି;
କାରଣ ତୁମ୍ଭେ ମୋତେ କ୍ରୋଧରେ ପୂର୍ଣ୍ଣ କରିଅଛ।
18 ମୋର ବେଦନା ନିତ୍ୟସ୍ଥାୟୀ ଓ ମୋର କ୍ଷତ ଅପ୍ରତୀକାର୍ଯ୍ୟ ହୋଇ
ସୁସ୍ଥ ହେବାକୁ ଅସ୍ୱୀକାର କରେ କାହିଁକି ?
ତୁମ୍ଭେ କି ମୋ’ ପ୍ରତି ନିତାନ୍ତ ପ୍ରବଞ୍ଚନାଜନକ ନଦୀସ୍ରୋତ, ଅସ୍ଥାୟୀ ଜଳ ତୁଲ୍ୟ ହେବ ?
19 ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେ ଯଦି ଫେରିବ, ତେବେ ଆମ୍ଭ ସମ୍ମୁଖରେ ଠିଆ ହେବା ନିମନ୍ତେ
ଆମ୍ଭେ ତୁମ୍ଭକୁ ପୁନର୍ବାର ଆଣିବା;
ପୁଣି, ତୁମ୍ଭେ ଯଦି ନିକୃଷ୍ଟ ବସ୍ତୁରୁ ବହୁମୂଲ୍ୟ ବସ୍ତୁ ବାହାର କରି ନେବ,
ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ;
ସେମାନେ ତୁମ୍ଭ ନିକଟକୁ ଫେରି ଆସିବେ,
ମାତ୍ର ତୁମ୍ଭେ ସେମାନଙ୍କ ନିକଟକୁ ଫେରି ଯିବ ନାହିଁ।”
20 ପୁଣି, ଆମ୍ଭେ ଏହି ଲୋକମାନଙ୍କ ନିକଟରେ
ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀରସ୍ୱରୂପ କରିବା;
ସେମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ;
କାରଣ ସଦାପ୍ରଭୁ କହନ୍ତି,
“ତୁମ୍ଭକୁ ତ୍ରାଣ କରିବା ପାଇଁ ଓ ତୁମ୍ଭର ଉଦ୍ଧାର କରିବା ପାଇଁ
ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
21 ପୁଣି, ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା
ଓ ଆମ୍ଭେ ତୁମ୍ଭକୁ ଭୟାନକ ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”
Chapter 16
ଦୁର୍ଭିକ୍ଷ, ଖଡ୍ଗ ଓ ମୃତ୍ୟୁୁ
1 ସଦାପ୍ରଭୁଙ୍କର ବାକ୍ୟ ଆହୁରି ମୋ’ ନିକଟରେ ଉପସ୍ଥିତ ହେଲା, 2 ଯଥା, “ତୁମ୍ଭେ ଏହି ସ୍ଥାନରେ ବିବାହ କରିବ ନାହିଁ, କିଅବା ପୁତ୍ରକନ୍ୟା ଜାତ କରିବ ନାହିଁ।” 3 କାରଣ ଏହି ସ୍ଥାନରେ ଜାତ ପୁତ୍ର ଓ କନ୍ୟାଗଣ ବିଷୟରେ ଓ ଏହି ଦେଶରେ ସେମାନଙ୍କର ପ୍ରସବକାରିଣୀ ମାତାମାନଙ୍କ ବିଷୟରେ, ଆଉ ସେମାନଙ୍କ ଜନ୍ମଦାତା ପିତୃଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି। 4 “ସେମାନେ ଅତି ଯନ୍ତ୍ରଣାଦାୟକ ମୃତ୍ୟୁୁରେ ପ୍ରାଣତ୍ୟାଗ କରିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, କିଅବା ସେମାନଙ୍କୁ କବର ଦିଆଯିବ ନାହିଁ, ସେମାନେ ଭୂମି ଉପରେ ଖତ ପରି ହେବେ; ଆଉ, ସେମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ସଂହାରିତ ହେବେ; ପୁଣି, ସେମାନଙ୍କର ଶବ ଆକାଶ ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ।”
5 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଶୋକ ଗୃହରେ ପ୍ରବେଶ କର ନାହିଁ, କିଅବା ସେମାନଙ୍କ ପାଇଁ ବିଳାପ ଅଥବା କ୍ରନ୍ଦନ କରିବା ପାଇଁ ଯାଅ ନାହିଁ;” କାରଣ ସଦାପ୍ରଭୁ କହନ୍ତି “ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଶାନ୍ତି ଓ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ହରଣ କରିଅଛୁ। 6 ଏହି ଦେଶରେ ମହାନ ଓ କ୍ଷୁଦ୍ର ଉଭୟ ଲୋକ ମରିବେ; ସେମାନଙ୍କୁ କବର ଦିଆଯିବ ନାହିଁ, ଅଥବା ଲୋକେ ସେମାନଙ୍କ ନିମନ୍ତେ ବିଳାପ କରିବେ ନାହିଁ, କିଅବା ସେମାନଙ୍କ ନିମନ୍ତେ ଆପଣା ଆପଣା ଅଙ୍ଗରେ ଅସ୍ତ୍ରାଘାତ ଅଥବା ମସ୍ତକ ମୁଣ୍ଡନ କରିବେ ନାହିଁ; 7 କିଅବା ମୃତ ଲୋକମାନଙ୍କ ନିମନ୍ତେ ଶୋକକାରୀମାନଙ୍କୁ ସାନ୍ତ୍ୱନା କରିବା ପାଇଁ ଲୋକେ ରୁଟି ଭାଙ୍ଗିବେ ନାହିଁ; ଅଥବା ଆପଣା ଆପଣା ପିତା ଓ ମାତା ନିମନ୍ତେ ପାନ କରିବା ପାଇଁ ସାନ୍ତ୍ୱନାସୂଚକ ପାତ୍ର ଦେବେ ନାହିଁ।”
8 ପୁଣି, ତୁମ୍ଭେ ଭୋଜନ ପାନ କରିବା ନିମନ୍ତେ ସେମାନଙ୍କ ସଙ୍ଗେ ବସିବା ପାଇଁ କୌଣସି ଭୋଜି ଗୃହକୁ ଯିବ ନାହିଁ। 9 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଦେଖ, ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ଓ ତୁମ୍ଭମାନଙ୍କ ସମୟରେ ଏହି ସ୍ଥାନରୁ ଆମୋଦପ୍ରମୋଦର ଧ୍ୱନି ଓ ଆନନ୍ଦର ଧ୍ୱନି, ବରର ରବ ଓ କନ୍ୟାର ରବ ନିବୃତ୍ତ କରାଇବା।”
10 ଆଉ, ତୁମ୍ଭେ ଏହିସବୁ କଥା ଏ ଲୋକମାନଙ୍କ ନିକଟରେ ଯେତେବେଳେ ପ୍ରକାଶ କରିବ ଓ ସେମାନେ ତୁମ୍ଭକୁ କହିବେ, ସଦାପ୍ରଭୁ କାହିଁକି ଏହିସବୁ ମହା ଅମଙ୍ଗଳର କଥା ଆମ୍ଭମାନଙ୍କ ବିରୁଦ୍ଧରେ କହିଅଛନ୍ତି ? ଅବା ଆମ୍ଭମାନଙ୍କର ଅପରାଧ କି ? ଅବା ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ କି ପାପ କରିଅଛୁ ? 11 ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଅନ୍ୟ ଦେବଗଣର ପଶ୍ଚାଦ୍ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି, ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି।
12 ପୁଣି, ତୁମ୍ଭେମାନେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ଅପେକ୍ଷା ଅଧିକ ମନ୍ଦ ଆଚରଣ କରିଅଛ; କାରଣ ଦେଖ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟାନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କରୁଅଛ, ଆମ୍ଭ ବାକ୍ୟରେ ଅବଧାନ କରୁନାହଁ; 13 ଏହେତୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଦେଶରେ ନିକ୍ଷେପ କରିବା; ଆଉ, ସେଠାରେ ତୁମ୍ଭେମାନେ ଦିବାରାତ୍ର ଅନ୍ୟ ଦେବଗଣର ସେବା କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ କିଛିମାତ୍ର ଅନୁଗ୍ରହ କରିବା ନାହିଁ।”
ଇସ୍ରାଏଲର ପୁନଃସ୍ଥାପନର ପ୍ରତିଜ୍ଞା
14 ଏନିମନ୍ତେ ସଦାପ୍ରଭୁ କହନ୍ତି, “ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ,” ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ; 15 ମାତ୍ର “ଇସ୍ରାଏଲ ସନ୍ତାନଗଣକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ସେ ସେମାନଙ୍କୁ ତଡ଼ି ଦେଇଥିଲେ, ସେହିସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ” ବୋଲି କହିବେ, ଏପରି ସମୟ ଆସୁଅଛି; ପୁଣି, ଆମ୍ଭେ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲୁ, ସେମାନଙ୍କର ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଆଣିବା।
16 ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଅନେକ ଧୀବର ଅଣାଇବା, ତହିଁରେ ସେମାନେ ମତ୍ସ୍ୟ ପରି ସେମାନଙ୍କୁ ଧରିବେ; ପୁଣି, ତହିଁ ଉତ୍ତାରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା, ତହିଁରେ ସେମାନେ ପ୍ରତ୍ୟେକ ପର୍ବତରୁ ଓ ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଅନୁସନ୍ଧାନ କରି ଆଣିବେ। 17 କାରଣ ସେମାନଙ୍କର ସମସ୍ତ ପଥରେ ଆମ୍ଭର ଦୃଷ୍ଟି ଅଛି; ସେମାନେ ଆମ୍ଭ ସାକ୍ଷାତରୁ ଲୁଚା ନୁହନ୍ତି, କିଅବା ସେମାନଙ୍କର ଅଧର୍ମ ଆମ୍ଭ ଦୃଷ୍ଟିରେ ଅଗୋଚର ନୁହେଁ। 18 ପୁଣି, ଆମ୍ଭେ ପ୍ରଥମେ ସେମାନଙ୍କର ଅଧର୍ମ ଓ ପାପର ଦୁଇଗୁଣ ପ୍ରତିଫଳ ଦେବା,କାରଣ ସେମାନେ ଆପଣାମାନଙ୍କ ଘୃଣ୍ୟ ବସ୍ତୁ ରୂପ ଶବରେ ଆମ୍ଭର ଦେଶ ଅପବିତ୍ର କରିଅଛନ୍ତି ଓ ଆପଣାମାନଙ୍କର ଘୃଣାଯୋଗ୍ୟ କର୍ମରେ ଆମ୍ଭର ଅଧିକାର ପରିପୂର୍ଣ୍ଣ କରିଅଛନ୍ତି।”
19 ହେ ମୋର ବଳ, ମୋର ଦୃଢ଼ ଦୁର୍ଗ
ଓ ବିପଦ ସମୟରେ ମୋର ଆଶ୍ରୟସ୍ୱରୂପ ସଦାପ୍ରଭୁ,
ପୃଥିବୀର ପ୍ରାନ୍ତସକଳରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ,
“ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା,
ଅର୍ଥାତ୍, ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।”
20 ମନୁଷ୍ୟ କି ଆପଣା ନିମନ୍ତେ ଈଶ୍ୱର ନିର୍ମାଣ କରିବ ? ସେ ତ ଈଶ୍ୱର ନୁହେଁ।
21 ଏନିମନ୍ତେ ଦେଖ, ଆମ୍ଭେ ସେମାନଙ୍କୁ ଜ୍ଞାତ କରାଇବା,
ଆମେ ଏହି ଏକ ଥର ସେମାନଙ୍କୁ ଆମ୍ଭର ହସ୍ତ ଓ ଆମ୍ଭର ପରାକ୍ରମ ଜ୍ଞାତ କରାଇବା;
ତହିଁରେ ଆମ୍ଭର ନାମ ଯେ ସଦାପ୍ରଭୁ, ଏହା ସେମାନେ ଜାଣିବେ।
Chapter 17
ଯିହୁଦାର ପାପ
1 ଯିହୁଦାର ପାପ ଲୌହ ଲେଖନୀରେ ଓ ହୀରକର କଣ୍ଟକ ଦ୍ୱାରା ଲିଖିତ ଅଛି;
ତାହା ସେମାନଙ୍କର ହୃଦୟ ଫଳକରେ
ଓ ତୁମ୍ଭମାନଙ୍କ ଯଜ୍ଞବେଦିର ଶୃଙ୍ଗରେ ଖୋଦିତ ହୋଇଅଛି।
2 ପୁଣି, ସେମାନଙ୍କର ସନ୍ତାନଗଣ ଉଚ୍ଚ ଗିରିସ୍ଥିତ ହରିତ୍ପର୍ଣ୍ଣ ବୃକ୍ଷ ନିକଟରେ
ସେମାନଙ୍କର ଯଜ୍ଞବେଦି ଓ ଆଶେରା ମୂର୍ତ୍ତିସକଳ ସ୍ମରଣ କରନ୍ତି।
3 ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ, ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ
ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀସକଳ ଲୁଟିତ ହେବା ପାଇଁ ଦେବା।
4 ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଲୁ, ତୁମ୍ଭେ ଆପେ ତହିଁରୁ କ୍ଷାନ୍ତ ହେବ।
ଆଉ, ଆମ୍ଭେ ତୁମ୍ଭ ଅଜ୍ଞାତ ଦେଶରେ ତୁମ୍ଭକୁ ତୁମ୍ଭ ଶତ୍ରୁଗଣର ସେବା କରାଇବା;
କାରଣ ତୁମ୍ଭେମାନେ ଆମ୍ଭ କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ କରିଅଛ, ତାହା ସଦାକାଳ ଜ୍ୱଳିବ।
ପରମେଶ୍ୱରଙ୍କ ଉପରେ ନିର୍ଭର
5 ସଦାପ୍ରଭୁ ଏହି କଥା କହନ୍ତି;
“ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ,
ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ।
6 ସେ ମରୁଭୂମିସ୍ଥିତ ଝାଉଁ ବୃକ୍ଷ ତୁଲ୍ୟ ହେବ,
ମଙ୍ଗଳ ଉପସ୍ଥିତ ହେବା ବେଳେ ସେ ଦେଖିବ ନାହିଁ;
ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନରେ, ନିବାସୀବିହୀନ ଲବଣ ଭୂମିରେ ବାସ କରିବ।
7 ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ,
ପୁଣି ସଦାପ୍ରଭୁ ଯାହାର ବିଶ୍ୱାସଭୂମି ଅଟନ୍ତି, ସେ ଧନ୍ୟ।
8 କାରଣ ସେ ଜଳ ନିକଟରେ ରୋପିତ ଓ ନଦୀକୂଳରେ ବିସ୍ତୃତମୂଳ ବୃକ୍ଷ ତୁଲ୍ୟ ହେବ
ଓ ଗ୍ରୀଷ୍ମ ଉପସ୍ଥିତ ହେବା ବେଳେ ସେ ଭୟ କରିବ ନାହିଁ, ମାତ୍ର ତାହାର ପତ୍ର ସତେଜ ହେବ;
ଆଉ, ଅନାବୃଷ୍ଟିର ବର୍ଷରେ ସେ ଚିନ୍ତିତ ହେବ ନାହିଁ,
କିଅବା ତାହାର ଫଳ ଫଳିବାର ନିବୃତ୍ତ ହେବ ନାହିଁ।
9 ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ପୀଡ଼ିତ;
କିଏ ତାହା ଜାଣିପାରେ ?
10 ଆମ୍ଭେ ସଦାପ୍ରଭୁ, ପ୍ରତ୍ୟେକ ମନୁଷ୍ୟକୁ ତାହାର ଆଚରଣ ଅନୁସାରେ
ତାହାର କର୍ମର ଫଳ ଦେବା ପାଇଁ, ଅନ୍ତଃକରଣ ଅନୁସନ୍ଧାନ କରୁ,
ଆମ୍ଭେ ମର୍ମ ପରୀକ୍ଷା କରୁ।
11 ଯେଉଁ ତିତ୍ତିର ପକ୍ଷୀ ଆପଣାର ଅପ୍ରସୂତ ଛୁଆମାନଙ୍କୁ ସଂଗ୍ରହ କରେ,
ଅନ୍ୟାୟରେ ଧନ ସଞ୍ଚୟକାରୀ ଲୋକ ତାହାରି ତୁଲ୍ୟ;
ତାହାର ପରମାୟୁ ମଧ୍ୟରେ ସେ ଧନ ତାହାକୁ ଛାଡ଼ି ଯିବ
ଓ ଆପଣାର ଅନ୍ତିମ କାଳରେ ସେ ମୂଢ଼ ହେବ।
12 ଆଦିକାଳରୁ ଊର୍ଦ୍ଧ୍ୱରେ ସ୍ଥାପିତ ଗୌରବମୟ ସିଂହାସନ,
ଆମ୍ଭମାନଙ୍କର ଧର୍ମଧାମ ଅଟେ।
13 ହେ ଇସ୍ରାଏଲର ପ୍ରତ୍ୟାଶାଭୂମି ସଦାପ୍ରଭୁ,
ଯେଉଁମାନେ ତୁମ୍ଭଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତେ ଲଜ୍ଜିତ ହେବେ;
ଯେଉଁମାନେ ମୋ’ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ,
କାରଣ ସେମାନେ ଅମୃତ ଜଳର ନିର୍ଝରସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।
ସଦାପ୍ରଭୁଙ୍କ ସାହାଯ୍ୟ ଭିକ୍ଷା
14 ହେ ସଦାପ୍ରଭୁ, ମୋତେ ସୁସ୍ଥ କର, ତହିଁରେ ମୁଁ ସୁସ୍ଥ ହେବି,
ମୋତେ ପରିତ୍ରାଣ କର, ତହିଁରେ ମୁଁ ପରିତ୍ରାଣ ପାଇବି;
କାରଣ ତୁମ୍ଭେ ମୋର ପ୍ରଶଂସାଭୂମି।
15 ଦେଖ, ସେମାନେ ମୋତେ କୁହନ୍ତି, ସଦାପ୍ରଭୁଙ୍କର ବାକ୍ୟ କାହିଁ।
ତାହା ଏବେ ଉପସ୍ଥିତ ହେଉ।
16 ମୁଁ ତ ତୁମ୍ଭ ପଛେ ପଛେ ମେଷପାଳକର କାର୍ଯ୍ୟ କରିବାରୁ
ବିମୁଖ ହେବା ପାଇଁ ବେଗଗାମୀ ହୋଇ ନାହିଁ; କିଅବା ସେହି ଅମଙ୍ଗଳର ଦିନ ଚାହିଁ ନାହିଁ;
ତୁମ୍ଭେ ଜାଣୁଅଛ; ମୋ’ ଓଷ୍ଠରୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା।
17 ମୋ’ ପ୍ରତି ତ୍ରାସଜନକ ହୁଅ ନାହିଁ; ବିପଦ ଦିନରେ ତୁମ୍ଭେ ମୋର ଆଶ୍ରୟ ଅଟ।
18 ଯେଉଁମାନେ ମୋତେ ତାଡ଼ନା କରନ୍ତି,
ସେମାନେ ଲଜ୍ଜିତ ହେଉନ୍ତୁ, ମାତ୍ର ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ;
ସେମାନେ ନିରାଶ ହେଉନ୍ତୁ, ମାତ୍ର ମୋତେ ନିରାଶ ହେବାକୁ ଦିଅ ନାହିଁ;
ସେମାନଙ୍କ ଉପରେ ଅମଙ୍ଗଳର ଦିନ ଆଣ ଓ ଦ୍ୱିଗୁଣ ବିନାଶରେ ସେମାନଙ୍କୁ ବିନାଶ କର।
ବିଶ୍ରାମବାର ବିଧି ପାଳନ
19 ସଦାପ୍ରଭୁ ମୋତେ ଏହି କଥା କହିଲେ, “ଯିହୁଦାର ରାଜାଗଣ ଯେଉଁ ଦ୍ୱାର ଦେଇ ଭିତରେ ଯାଆନ୍ତି ଓ ବାହାରେ ଆସନ୍ତି, ଲୋକମାନଙ୍କ ସନ୍ତାନଗଣର ସେହି ଦ୍ୱାରରେ ଓ ଯିରୂଶାଲମର ସକଳ ଦ୍ୱାରରେ ଯାଇ ଠିଆ ହୁଅ; 20 ଆଉ, ସେମାନଙ୍କୁ କୁହ, ହେ ଯିହୁଦାର ରାଜାଗଣ, ହେ ସମୁଦାୟ ଯିହୁଦା ଓ ହେ ଯିରୂଶାଲମର ନିବାସୀ ସମସ୍ତେ, ତୁମ୍ଭେମାନେ ଯେତେ ଲୋକ ଏହିସବୁ ଦ୍ୱାର ଦେଇ ପ୍ରବେଶ କରିଥାଅ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
21 ସଦାପ୍ରଭୁ ଏହି କଥା କହନ୍ତି; ‘ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୁଅ ଓ ବିଶ୍ରାମ ଦିନରେ କୌଣସି ଭାର ବହ ନାହିଁ, କିଅବା ଯିରୂଶାଲମର ଦ୍ୱାର ଦେଇ ତାହା ଭିତରକୁ ଆଣ ନାହିଁ; 22 ଅଥବା ବିଶ୍ରାମ ଦିନରେ ଆପଣା ଆପଣା ଗୃହରୁ କୌଣସି ବୋଝ ବାହାର କରି ନିଅ ନାହିଁ, କିଅବା ତୁମ୍ଭେମାନେ କୌଣସି କାର୍ଯ୍ୟ କର ନାହିଁ; ମାତ୍ର ତୁମ୍ଭେମାନେ ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କର, ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଏହିରୂପେ ଆଜ୍ଞା କରିଥିଲୁ। 23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ।’
24 ପୁଣି, ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ଯେବେ ଯତ୍ନପୂର୍ବକ ଆମ୍ଭ କଥାରେ ମନୋଯୋଗ କରି ବିଶ୍ରାମବାରରେ ଏହି ନଗର ଦ୍ୱାର ଦେଇ କୌଣସି ବୋଝ ଭିତରକୁ ନ ଆଣ ଓ ସେହିଦିନ କୌଣସି କାର୍ଯ୍ୟ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କର; 25 ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ଓ ଅଧିପତିଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେମାନେ ଓ ସେମାନଙ୍କର ଅଧିପତିମାନେ, ଯିହୁଦାର ଲୋକମାନେ ଓ ଯିରୂଶାଲମର ନିବାସୀମାନେ ଏହି ନଗର ଦ୍ୱାର ଦେଇ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ।
26 ପୁଣି, ଲୋକମାନେ ଯିହୁଦାର ନଗରସମୂହରୁ, ଯିରୂଶାଲମର ଚତୁର୍ଦ୍ଦିଗସ୍ଥିତ ଅଞ୍ଚଳରୁ, ବିନ୍ୟାମୀନ୍ ଦେଶରୁ ଓ ନିମ୍ନ ଭୂମିରୁ ଓ ପାର୍ବତୀୟ ଦେଶରୁ ଓ ଦକ୍ଷିଣ ଦେଶରୁ ହୋମବଳି, ନୈବେଦ୍ୟ ଓ କୁନ୍ଦୁରୁ ନେଇ, ଆଉ ପ୍ରଶଂସାର୍ଥକ ବଳି ଘେନି ସଦାପ୍ରଭୁଙ୍କ ଗୃହକୁ ଆସିବେ। 27 ମାତ୍ର ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ଅବଧାନ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହି ଯିରୂଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ତହିଁର ଦ୍ୱାରସମୂହରେ ଅଗ୍ନି ଜ୍ୱଳାଇବା, ପୁଣି ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ ଓ ତାହା ନିର୍ବାଣ ହେବ ନାହିଁ।’”
Chapter 18
କୁମ୍ଭକାର ଗୃହରେ ଯିରିମୀୟ
1 ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କ ନିକଟରୁ ଏହି ବାକ୍ୟ ଉପସ୍ଥିତ ହେଲା; 2 “ତୁମ୍ଭେ ଉଠି କୁମ୍ଭକାରର ଗୃହକୁ ଯାଅ, ସେଠାରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ୟ ଶୁଣାଇବା।” 3 ତେବେ ମୁଁ କୁମ୍ଭକାର ଗୃହକୁ ଗଲି, ଆଉ ଦେଖ, ସେ ଚକ୍ରରେ ଆପଣା କର୍ମ କରୁଥିଲା। 4 କୁମ୍ଭକାର ମୃତ୍ତିକାର ଯେଉଁ ପାତ୍ର ନିର୍ମାଣ କରୁଥିଲା, ତାହା ତାହାର ହସ୍ତରେ ବିଗିଡ଼ି ଯିବାରୁ କୁମ୍ଭକାର ତାହା ନେଇ ଆପଣା ଇଚ୍ଛାନୁସାରେ ଆଉ ଗୋଟିଏ ପାତ୍ର ନିର୍ମାଣ କଲା।
5 ତହୁଁ ମୋ’ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 6 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ବଂଶ, ଆମ୍ଭେ କି ଏହି କୁମ୍ଭକାର ପରି ତୁମ୍ଭ ପ୍ରତି କରି ନ ପାରୁ ? ହେ ଇସ୍ରାଏଲ ବଂଶ, ଦେଖ, ଯେପରି ମୃତ୍ତିକା କୁମ୍ଭକାରର ହସ୍ତରେ, ସେପରି ତୁମ୍ଭେମାନେ ଆମ୍ଭ ହସ୍ତରେ ଅଛ। 7 ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା; 8 ସେତେବେଳେ ଯେଉଁ ଗୋଷ୍ଠୀ ବିଷୟରେ ଆମ୍ଭେ କହିଅଛୁ, ସେମାନେ ଯଦି ଆପଣା ଆପଣା ଦୁଷ୍କର୍ମରୁ ଫେରନ୍ତି, ତେବେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ଆମ୍ଭେ ମନରେ କଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା।
9 ପୁଣି, ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀକି ରାଜ୍ୟ ବିଷୟରେ ଗଠନ ଓ ରୋପଣର କଥା କହିବା; 10 ସେତେବେଳେ ସେ ଯଦି ଆମ୍ଭର ରବ ନ ମାନି ଆମ୍ଭ ଦୃଷ୍ଟିରେ ଦୁଷ୍କର୍ମ କରେ, ତେବେ ଆମ୍ଭେ ତାହା ପ୍ରତି ଯେଉଁ ମଙ୍ଗଳ କରିବାର କଥା କହିଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା।”
11 ଏନିମନ୍ତେ ଏବେ ତୁମ୍ଭେ ଯିହୁଦାର ଲୋକମାନଙ୍କ ଓ ଯିରୂଶାଲମ ନିବାସୀମାନଙ୍କ ନିକଟକୁ ଯାଇ କୁହ, ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରୁଅଛୁ; ଏବେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେର, ପୁଣି ଆପଣା ଆପଣା ପଥ ଓ ଆପଣା ଆପଣା କ୍ରିୟାର ଶୋଧନ କର।” 12 ମାତ୍ର ସେମାନେ କହନ୍ତି, ଭରସା ନାହିଁ; କାରଣ ଆମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ ଚାଲିବା ଓ ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ କର୍ମ କରିବା।
13 ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି;
“ତୁମ୍ଭେମାନେ ଏବେ ନାନା ଦେଶୀୟମାନଙ୍କ ମଧ୍ୟରେ ପଚାର, ଏପରି କଥା କିଏ ଶୁଣିଅଛି;
ଇସ୍ରାଏଲର ଅନୂଢ଼ା କନ୍ୟା ଅତ୍ୟନ୍ତ ରୋମାଞ୍ଚଜନକ କାର୍ଯ୍ୟ କରିଅଛି।
14 ଲିବାନୋନର ହିମ କି କ୍ଷେତ୍ରସ୍ଥ ଶୈଳରେ ଅଭାବ ହେବ ?
କିଅବା ଦୂରରୁ ପ୍ରବାହିତ ସୁଶୀତଳ ଜଳସ୍ରୋତ କି ଶୁଷ୍କ ହେବ ?
15 ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାସୋରି
ଅସାର ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି,
ଆଉ ସେମାନେ ଅପ୍ରସ୍ତୁତ ମାର୍ଗର
ନାନା ଉପପଥରେ ସେମାନଙ୍କୁ ଗମନ କରାଇବା ନିମନ୍ତେ
ସେମାନଙ୍କ ପଥରେ, ପୁରାତନ ପଥରେ ସେମାନଙ୍କର ବିଘ୍ନ ଜନ୍ମାଇ ଅଛନ୍ତି;
16 ଏଥିରେ ସେମାନଙ୍କର ଦେଶକୁ ବିସ୍ମୟର ଓ ନିତ୍ୟ ଶୀସ୍ ଶବ୍ଦର ପାତ୍ର କରନ୍ତି;
ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ
ବିସ୍ମୟାପନ୍ନ ହୋଇ ଆପଣା ମସ୍ତକ ହଲାଇବ।
17 ଆମ୍ଭେ ଶତ୍ରୁ ସମ୍ମୁଖରେ ପୂର୍ବୀୟ ବାୟୁ ଦ୍ୱାରା
ଛିନ୍ନ ହେଲା ପରି ସେମାନଙ୍କୁ ଛିନ୍ନଭିନ୍ନ କରିବା;
ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କ ପ୍ରତି ଅଭିମୁଖ ନ ହୋଇ ବିମୁଖ ହେବା।”
ଯିରିମୀୟଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର
18 ତେବେ ସେମାନେ କହିଲେ, “ଆସ, ଆମ୍ଭେମାନେ ଯିରିମୀୟ ବିରୁଦ୍ଧରେ ପରାମର୍ଶ କରୁ; କାରଣ ଯାଜକ ନିକଟରୁ ବ୍ୟବସ୍ଥା ଅବା ଜ୍ଞାନବାନ ନିକଟରୁ ମନ୍ତ୍ରଣା ଅଥବା ଭବିଷ୍ୟଦ୍ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ଆସ, ଆମ୍ଭେମାନେ ଜିହ୍ୱା ଦ୍ୱାରା ତାହାକୁ ପ୍ରହାର କରୁ, ପୁଣି ତାହାର କୌଣସି କଥାରେ ମନୋଯୋଗ ନ କରୁ।”
19 ହେ ସଦାପ୍ରଭୁ, ମୋ’ ପ୍ରତି ମନୋଯୋଗ କର
ଓ ମୋ’ ସଙ୍ଗେ ବିରୋଧକାରୀମାନଙ୍କର କଥାରେ ଅବଧାନ କର।
20 ମଙ୍ଗଳର ପରିଶୋଧରେ କି ଅମଙ୍ଗଳ କରାଯିବ ?
କାରଣ ସେମାନେ ମୋ’ ପ୍ରାଣ ପାଇଁ ଗର୍ତ୍ତ ଖୋଳିଅଛନ୍ତି।
ମୁଁ ସେମାନଙ୍କଠାରୁ ତୁମ୍ଭର ପ୍ରଚଣ୍ଡ କ୍ରୋଧ ଫେରାଇବା ନିମନ୍ତେ
ସେମାନଙ୍କ ପକ୍ଷରେ ମଙ୍ଗଳଜନକ କଥା କହିବା ପାଇଁ
କିପରି ତୁମ୍ଭ ସମ୍ମୁଖରେ ଠିଆ ହେଲି, ଏହା ସ୍ମରଣ କର।
21 ଏହେତୁ ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଦୁର୍ଭିକ୍ଷରେ ସମର୍ପଣ କର
ଓ ସେମାନଙ୍କୁ ଖଡ୍ଗର ପରାକ୍ରମରେ ଛାଡ଼ି ଦିଅ;
ଆଉ, ସେମାନଙ୍କର ଭାର୍ଯ୍ୟାମାନେ ସନ୍ତାନହୀନା ଓ ବିଧବା ହେଉନ୍ତୁ
ଓ ସେମାନଙ୍କର ପୁରୁଷମାନେ ମୃତ୍ୟୁୁରେ ସଂହାରିତ ହେଉନ୍ତୁ
ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ଖଡ୍ଗରେ ହତ ହେଉନ୍ତୁ।
22 ତୁମ୍ଭେ ଯେଉଁ ସମୟରେ ହଠାତ୍ ସେମାନଙ୍କ ବିରୁଦ୍ଧରେ ସୈନ୍ୟଦଳ ଆଣିବ,
ସେହି ସମୟରେ ସେମାନଙ୍କର ସକଳ ଗୃହରୁ କ୍ରନ୍ଦନର ସ୍ୱର ଶୁଣାଯାଉ;
କାରଣ ସେମାନେ ମୋତେ ଧରିବା ପାଇଁ ଗର୍ତ୍ତ ଖୋଳିଅଛନ୍ତି
ଓ ମୋ’ ଚରଣ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି।
23 ତଥାପି ହେ ସଦାପ୍ରଭୁ,
ମୋତେ ବଧ କରିବା ପାଇଁ ସେମାନଙ୍କର ମନ୍ତ୍ରଣାସବୁ ତୁମ୍ଭେ ଜାଣୁଅଛ;
ତୁମ୍ଭେ ସେମାନଙ୍କର ଅଧର୍ମ କ୍ଷମା କର ନାହିଁ,
କିଅବା ତୁମ୍ଭ ଦୃଷ୍ଟିରୁ ସେମାନଙ୍କ ପାପ ଲିଭାଇ ଦିଅ ନାହିଁ;
ମାତ୍ର ସେମାନେ ତୁମ୍ଭ ସମ୍ମୁଖରେ ନିପାତିତ ହେଉନ୍ତୁ;
ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କ ପ୍ରତି ବ୍ୟବହାର କର।
Chapter 19
ଭଗ୍ନ ପାତ୍ର
1 ସଦାପ୍ରଭୁ ଏହି କଥା କହିଲେ, “ତୁମ୍ଭେ ଯାଇ କୁମ୍ଭକାରର ଏକ ମୃତ୍ତିକା ପାତ୍ର କ୍ରୟ କର, ଆଉ ଲୋକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ନେଇ, 2 ହାର୍ଶିତ୍ ଦ୍ୱାରର ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର; 3 ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୂଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଦେଖ, ଆମ୍ଭେ ଏହି ସ୍ଥାନ ପ୍ରତି ଅମଙ୍ଗଳ ଘଟାଇବା,” ତାହା ଯେ ଶୁଣେ, ତାହାର କର୍ଣ୍ଣ ଶିହରି ଉଠିବ।
4 କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଏହି ସ୍ଥାନକୁ ପରର ସ୍ଥାନ ବୋଲି ଜ୍ଞାନ କରି ତହିଁ ମଧ୍ୟରେ ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଓ ଯିହୁଦାର ରାଜାମାନେ ଯେଉଁ ଅନ୍ୟ ଦେବଗଣକୁ ଜାଣିଲେ ନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି। 5 ପୁଣି, ଆପଣା ପୁତ୍ରଗଣକୁ ହୋମବଳି ରୂପେ ବାଲ୍ଦେବ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି; ତାହା ଆମ୍ଭେ ଆଦେଶ କରି ନାହୁଁ, କି କହି ନାହୁଁ, କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ।’”
6 ଏଥି ନିମନ୍ତେ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଏହି ସ୍ଥାନ ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି। 7 ପୁଣି, ଆମ୍ଭେ ଏହି ସ୍ଥାନରେ ଯିହୁଦାର ଓ ଯିରୂଶାଲମର ମନ୍ତ୍ରଣା ବ୍ୟର୍ଥ କରିବା; ପୁଣି, ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଖଡ୍ଗ ଦ୍ୱାରା ଓ ସେମାନଙ୍କ ପ୍ରାଣ ଅନ୍ୱେଷଣକାରୀମାନଙ୍କ ହସ୍ତ ଦ୍ୱାରା ସେମାନଙ୍କୁ ନିପାତ କରିବା; ଆଉ, ଆମ୍ଭେ ଖେଚର ପକ୍ଷୀଗଣକୁ ଓ ଭୂଚର ପଶୁଗଣକୁ ସେମାନଙ୍କର ଶବ ଖାଦ୍ୟ ନିମନ୍ତେ ଦେବା।
8 ଆମ୍ଭେ ଏହି ନଗରକୁ ବିସ୍ମୟର ଓ ଶୀସ୍ ଶବ୍ଦର ପାତ୍ର କରିବା; ଆଉ, ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ତହିଁ ପ୍ରତି ଘଟିତ ସକଳ ଉତ୍ପାତ ସକାଶୁ ବିସ୍ମିତ ହୋଇ ଶୀସ୍ ଶବ୍ଦ କରିବ। 9 ଆଉ, ସେମାନଙ୍କର ଶତ୍ରୁମାନେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନେ ସେମାନଙ୍କୁ ଅବରୋଧ କରିବା ଓ ସଙ୍କଟରେ ପକାଇବା ସମୟରେ ଆମ୍ଭେ ସେମାନଙ୍କୁ ଆପଣା ଆପଣା ପୁତ୍ରକନ୍ୟାର ମାଂସ ଭୋଜନ କରାଇବା ଓ ପ୍ରତ୍ୟେକେ ଆପଣା ଆପଣା ମିତ୍ରର ମାଂସ ଖାଇବେ।”
10 ଆଉ, ତୁମ୍ଭେ ତୁମ୍ଭ ସଙ୍ଗୀ ଲୋକମାନଙ୍କ ସାକ୍ଷାତରେ ସେହି ପାତ୍ର ଭାଙ୍ଗି ସେମାନଙ୍କୁ କହିବ, 11 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଯେପରି କେହି କୁମ୍ଭକାରର ପାତ୍ର ଭାଙ୍ଗି ପକାଇଲେ ତାହା ପୁନର୍ବାର ଯୋଡ଼ାଯାଇ ନ ପାରେ, ଆମ୍ଭେ ସେହିପରି ଏହି ଲୋକମାନଙ୍କୁ ଓ ଏହି ନଗରକୁ ଭାଙ୍ଗି ପକାଇବା; ତହିଁରେ କବରସ୍ଥାନର ଅଭାବ ନ ହେବା ଯାଏ ଲୋକମାନେ ତୋଫତ୍ରେ କବର ଦେବେ।”
12 ସଦାପ୍ରଭୁ କହନ୍ତି, “ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା, ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା। 13 ତହିଁରେ ଅଶୁଚିକୃତ ଯିରୂଶାଲମସ୍ଥ ସକଳ ଗୃହ ଓ ଯିହୁଦାର ରାଜାଗଣର ଗୃହ, ଅର୍ଥାତ୍, ଯେସକଳ ଗୃହର ଛାତ ଉପରେ ସେମାନେ ଆକାଶମଣ୍ଡଳସ୍ଥ ସୈନ୍ୟଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଢାଳିଅଛନ୍ତି, ସେସକଳ ତୋଫତ୍ ସ୍ଥାନ ତୁଲ୍ୟ ହେବ।”
14 ଏଥିଉତ୍ତାରେ ସଦାପ୍ରଭୁ ଯିରିମୀୟଙ୍କୁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବା ନିମନ୍ତେ ଯେଉଁ ତୋଫତ୍କୁ ପଠାଇଥିଲେ, ସେ ସେହି ସ୍ଥାନରୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ; 15 “ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଯେଉଁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି।’”
Chapter 20
ଯାଜକ ପଶ୍ହୂର ସହ ଯିରିମୀୟଙ୍କ ସଂଘର୍ଷ
1 ଯିରିମୀୟ ଏହିସବୁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବା ବେଳେ ଇମ୍ମେର ଯାଜକର ପୁତ୍ର, ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପଶ୍ହୂର ତାହା ଶୁଣିଲା। 2 ତହିଁରେ ପଶ୍ହୂର ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନ୍ ନାମକ ଉପର ଦ୍ୱାରରେ ଥିବା ହରିକାଠରେ ତାଙ୍କୁ ବନ୍ଦ କରି ରଖିଲା। 3 ପୁଣି, ତହିଁ ପରଦିନ ପଶ୍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି, ମାଗୋରମୀଷାବୀବ୍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି।
4 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତୁମ୍ଭକୁ, ତୁମ୍ଭ ପ୍ରତି ଓ ତୁମ୍ଭର ସମସ୍ତ ବନ୍ଧୁ ପ୍ରତି ଆଶଙ୍କାଜନକ କରିବା; ପୁଣି, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଖଡ୍ଗ ଦ୍ୱାରା ହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ; ଆଉ, ଆମ୍ଭେ ସମୁଦାୟ ଯିହୁଦାକୁ ବାବିଲର ରାଜା ହସ୍ତରେ ସମର୍ପଣ କରିବା, ତହିଁରେ ସେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ଘେନିଯାଇ ଖଡ୍ଗରେ ବଧ କରିବ। 5 ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜାଗଣର ସକଳ ଧନଭଣ୍ଡାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ।
6 ପୁଣି, ହେ ପଶ୍ହୂର, ତୁମ୍ଭେ ତୁମ୍ଭ ଗୃହନିବାସୀ ସମସ୍ତଙ୍କ ସଙ୍ଗେ ବନ୍ଦୀତ୍ୱ ସ୍ଥାନକୁ ଯିବ ଓ ତୁମ୍ଭେ ବାବିଲରେ ଉପସ୍ଥିତ ହେବ, ଆଉ ସେଠାରେ ତୁମ୍ଭେ ମରିବ ଓ ସେଠାରେ କବର ପାଇବ, ତୁମ୍ଭର ଓ ତୁମ୍ଭେ ଯେଉଁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କଲ, ତୁମ୍ଭର ସେହି ବନ୍ଧୁ ସମସ୍ତଙ୍କର ଏହି ଦଶା ହେବ।”
7 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଭୁଲାଇଅଛ, ଆଉ ମୁଁ ଭ୍ରାନ୍ତ ହୋଇଅଛି;
ତୁମ୍ଭେ ମୋ’ ଅପେକ୍ଷା ବଳବାନ, ତୁମ୍ଭେ ଜୟ କରିଅଛ;
ମୁଁ ସାରାଦିନ ଉପହାସର ପାତ୍ର ହୋଇଅଛି, ସମସ୍ତେ ମୋତେ ପରିହାସ କରନ୍ତି।
8 କାରଣ ମୁଁ ଯେତେ ଥର କଥା କହେ, ସେତେଥର କ୍ରନ୍ଦନ କରେ;
ମୁଁ ଦୌରାତ୍ମ୍ୟ ଓ ଧନାପହାର ବୋଲି ଉଚ୍ଚ ସ୍ୱର କରେ;
କାରଣ ସଦାପ୍ରଭୁଙ୍କର ବାକ୍ୟ ମୋ’ ପ୍ରତି ସାରାଦିନ
ଧିକ୍କାର ଓ ବିଦ୍ରୂପର ବିଷୟ ହୋଇଅଛି।
9 ଯଦି ପୁଣି, ମୁଁ ତାହାଙ୍କ ବିଷୟ କହିବି ନାହିଁ,
କିଅବା ତାହାଙ୍କ ନାମରେ ଆଉ କଥା କହିବି ନାହିଁ,
ଯଦି ମୁଁ ଏହା କହେ, ତେବେ ମୋର ଅସ୍ଥି ମଧ୍ୟରେ
ରୁଦ୍ଧ ଦାହକାରୀ ଅଗ୍ନି ମୋ’ ହୃଦୟରେ ଥିଲା ପରି ହୁଏ,
ଆଉ ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇ ନୀରବ ହୋଇ ନ ପାରେ।
10 କାରଣ ମୁଁ ଅନେକଙ୍କର ଅପବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା ଅଛି।
ମୋର ଝୁଣ୍ଟିବାର ଅପେକ୍ଷାକାରୀ ଆତ୍ମୀୟ ମିତ୍ର ସମସ୍ତେ କହନ୍ତି,
ତୁମ୍ଭେମାନେ ଅଭିଯୋଗ କର, ଆମ୍ଭେମାନେ ହିଁ ତାହାର ଅଭିଯୋଗ କରିବା;
କେଜାଣି ସେ ଭୁଲିଯିବ, ତହିଁରେ ଆମ୍ଭେମାନେ ତାହାକୁ ପରାସ୍ତ କରି
ତାହାଠାରୁ ପରିଶୋଧ ନେବା।
11 ମାତ୍ର ସଦାପ୍ରଭୁ ଭୟାନକ ବୀର ପରି ମୋ’ ସଙ୍ଗରେ ଅଛନ୍ତି;
ଏହେତୁ ମୋର ତାଡ଼ନାକାରୀମାନେ ଝୁଣ୍ଟି ପଡ଼ିବେ ଓ ସେମାନେ ଜୟଯୁକ୍ତ ହେବେ ନାହିଁ;
ସେମାନେ ବିବେଚନାପୂର୍ବକ କାର୍ଯ୍ୟ ନ କରିବାରୁ ଅତ୍ୟନ୍ତ ଲଜ୍ଜିତ ହେବେ,
ସେ ଅପମାନ ନିତ୍ୟସ୍ଥାୟୀ ହେବ, ତାହା କେବେ ବିସ୍ମୃତ ହେବ ନାହିଁ।
12 ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ଧାର୍ମିକର ପରୀକ୍ଷକ,
ତୁମ୍ଭେ ମର୍ମ ଓ ଅନ୍ତଃକରଣ ଦେଖୁଅଛ,
ସେମାନଙ୍କ ପ୍ରତି ତୁମ୍ଭର ଦତ୍ତ ପ୍ରତିଫଳ ମୋତେ ଦେଖାଅ;
କାରଣ ତୁମ୍ଭଙ୍କୁ ମୁଁ ଆପଣା ଗୁହାରି ଜଣାଇଅଛି।
13 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର, ସଦାପ୍ରଭୁଙ୍କର ପ୍ରଶଂସା କର;
କାରଣ ସେ ଦୁଷ୍କର୍ମକାରୀମାନଙ୍କ ହସ୍ତରୁ ଦୀନହୀନର ପ୍ରାଣ ଉଦ୍ଧାର କରିଅଛନ୍ତି।
14 ମୁଁ ଯେଉଁ ଦିନ ଜନ୍ମ ହୋଇଥିଲି, ସେଦିନ ଶାପଗ୍ରସ୍ତ ହେଉ;
ମୋ’ ମାତା ଯେଉଁ ଦିନ ମୋତେ ପ୍ରସବ କଲେ, ସେ ଦିନ ଆଶୀର୍ବାଦ ପ୍ରାପ୍ତ ନ ହେଉ।
15 ତୁମ୍ଭର ପୁତ୍ର ସନ୍ତାନ ହୋଇଅଛି ବୋଲି ସମ୍ବାଦ ଦେଇ
ଯେଉଁ ଲୋକ ମୋର ପିତାଙ୍କୁ ଅତି ଆନନ୍ଦିତ କରିଥିଲା, ସେ ଶାପଗ୍ରସ୍ତ ହେଉ।
16 ପୁଣି, ସଦାପ୍ରଭୁ କ୍ଷମା ନ କରି ଯେସକଳ ନଗର ବିନାଶ କରିଥିଲେ,
ସେ ଲୋକ ସେହିସବୁ ନଗର ତୁଲ୍ୟ ହେଉ;
ଆଉ, ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ
ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ;
17 କାରଣ ସେ ମୋତେ ଗର୍ଭରୁ ମାରି ପକାଇଲା ନାହିଁ;
ତାହା କରିଥିଲେ, ମୋହର ମାତା ମୋର କବର ସ୍ୱରୂପ ହୋଇଥା’ନ୍ତେ
ଓ ତାଙ୍କ ଗର୍ଭ ନିତ୍ୟ ଭାରୀ ଥା’ନ୍ତା।
18 ଲଜ୍ଜାରେ ମୋର ସମୟ କଟାଇବା ନିମନ୍ତେ
ମୁଁ ଆୟାସ ଓ ଦୁଃଖଭୋଗ କରିବା ପାଇଁ କାହିଁକି ଗର୍ଭରୁ ନିର୍ଗତ ହେଲି ?
Chapter 21
ଯିରୂଶାଲମର ପରାଜୟ ବିଷୟରେ ଭବିଷ୍ୟତବାଣୀ
1 ସିଦିକୀୟ ରାଜା ଯେଉଁ ସମୟରେ ମଲ୍କୀୟର ପୁତ୍ର ପଶ୍ହୂରକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟଙ୍କ ନିକଟକୁ ପଠାଇ କହିଲା, 2 “ଯଥା, ବିନୟ କରୁଅଛୁ, ତୁମ୍ଭେ ଆମ୍ଭମାନଙ୍କ ପକ୍ଷରୁ ସଦାପ୍ରଭୁଙ୍କୁ ପଚାର; କାରଣ ବାବିଲର ରାଜା ନବୂଖଦ୍ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି; କେଜାଣି ସଦାପ୍ରଭୁ ଆପଣାର ସକଳ ଆଶ୍ଚର୍ଯ୍ୟ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିବେ, ତାହାହେଲେ ସେ ଆମ୍ଭମାନଙ୍କ ନିକଟରୁ ଉଠି ପ୍ରସ୍ଥାନ କରିବ,” ସେସମୟରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।
3 ତହିଁରେ ଯିରିମୀୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସିଦିକୀୟକୁ ଏହି କଥା କହିବ; 4 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସକଳ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭମାନଙ୍କର ଅବରୋଧକାରୀ କଲ୍ଦୀୟମାନଙ୍କ ସହିତ ପ୍ରାଚୀରର ବାହାରେ ଯୁଦ୍ଧ କରୁଅଛ, ଆମ୍ଭେ ସେହିସବୁକୁ ଫେରାଇ ଦେବା ଓ ଆମ୍ଭେ ଏହି ନଗର ମଧ୍ୟରେ ସେସବୁକୁ ସଂଗ୍ରହ କରିବା। 5 ପୁଣି, ଆମ୍ଭେ ଆପେ ବିସ୍ତୃତ ହସ୍ତ ଓ ବଳବାନ ବାହୁ ଦ୍ୱାରା କ୍ରୋଧରେ, ପ୍ରଚଣ୍ଡ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା। 6 ଆଉ, ଆମ୍ଭେ ଏହି ନଗରବାସୀ ମନୁଷ୍ୟ ଓ ପଶୁ ସମସ୍ତଙ୍କୁ ସଂହାର କରିବା; ସେମାନେ ମହାମାରୀରେ ମରିବେ।’
7 ଆଉ, ସଦାପ୍ରଭୁ କହନ୍ତି, ‘ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍, ଏହି ନଗରର ଯେଉଁସକଳ ଲୋକ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ୍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା, ଦୟା କି କରୁଣା କରିବ ନାହିଁ।’
8 ପୁଣି, ତୁମ୍ଭେ ଏହି ଲୋକମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁୁର ପଥ ରଖୁଅଛୁ। 9 ଯେଉଁ ଲୋକ ଏହି ନଗର ମଧ୍ୟରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେଉଁ ଲୋକ ବାହାରି ଯାଇ ତୁମ୍ଭମାନଙ୍କର ଅବରୋଧକାରୀ କଲ୍ଦୀୟମାନଙ୍କର ପକ୍ଷ ହେବ, ସେ ବଞ୍ଚିବ ଓ ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟ ତୁଲ୍ୟ ହେବ।’
10 କାରଣ ସଦାପ୍ରଭୁ କହନ୍ତି, ‘ମଙ୍ଗଳର ନିମନ୍ତେ ନୁହେଁ, ପୁଣି ଅମଙ୍ଗଳର ନିମନ୍ତେ ଏହି ନଗର ପ୍ରତି ଆମ୍ଭେ ଆପଣା ମୁଖ ରଖିଅଛୁ; ତାହା ବାବିଲ ରାଜାର ହସ୍ତଗତ କରାଯିବ ଓ ସେ ଅଗ୍ନିରେ ତାହା ଦଗ୍ଧ କରିବ।’”
ଦାଉଦ ବଂଶ ପ୍ରତି ବାର୍ତ୍ତା
11 ଆଉ, ଯିହୁଦାର ରାଜବଂଶ ବିଷୟରେ ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
12 ହେ ଦାଉଦ ବଂଶ, ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ପ୍ରଭାତରେ ବିଚାର ନିଷ୍ପତ୍ତି କର
ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର,
ନୋହିଲେ ତୁମ୍ଭମାନଙ୍କ ଦୁଷ୍ଟାଚରଣ ହେତୁରୁ
ଆମ୍ଭର ପ୍ରଚଣ୍ଡ କ୍ରୋଧ ଅଗ୍ନି ତୁଲ୍ୟ ବାହାରି ଦଗ୍ଧ କରିବ
ଓ କେହି ତାହା ଲିଭାଇ ପାରିବ ନାହିଁ।”
13 ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳନିବାସିନୀ, ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ;
ତୁମ୍ଭେମାନେ କହୁଅଛ, ଆମ୍ଭମାନଙ୍କ ବିରୁଦ୍ଧରେ କିଏ ଆସିବ ?
ଅବା କିଏ ଆମ୍ଭମାନଙ୍କ ନିବାସ ସ୍ଥାନରେ ପ୍ରବେଶ କରିବ ?”
14 ସଦାପ୍ରଭୁ କହନ୍ତି,
“ଆମ୍ଭେ ତୁମ୍ଭମାନଙ୍କ କର୍ମର ଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା;
ପୁଣି, ଆମ୍ଭେ ତାହାର ବନରେ ଅଗ୍ନି ଜ୍ୱଳାଇବା,
ତହିଁରେ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।”
Chapter 22
1 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯିହୁଦାର ରାଜଗୃହକୁ ଯାଇ ସେଠାରେ ଏହି କଥା କୁହ। 2 ‘ଯଥା, ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜନ୍, ତୁମ୍ଭେ ତୁମ୍ଭର ଦାସଗଣ ଓ ଏହିସବୁ ଦ୍ୱାର ଦେଇ ପ୍ରବେଶକାରୀ ତୁମ୍ଭର ଲୋକମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ। 3 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ନ୍ୟାୟବିଚାର ଓ ଧାର୍ମିକତା ବ୍ୟବହାର କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର; ପୁଣି, ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ଓ ଉପଦ୍ରବ କର ନାହିଁ, କିଅବା ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ।
4 କାରଣ ଯଦି ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କରିବ, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ, ତାହାର ଦାସଗଣ ଓ ଲୋକମାନେ ଏହି ଗୃହର ଦ୍ୱାର ଦେଇ ପ୍ରବେଶ କରିବେ।’” 5 ମାତ୍ର ଯଦି ତୁମ୍ଭେମାନେ ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, “ଆମ୍ଭେ ଆପଣା ନାମରେ ଶପଥ କରୁଅଛୁ ଯେ, ଏହି ଗୃହ ଉଚ୍ଛିନ୍ନ ହେବ।”
6 କାରଣ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
‘ତୁମ୍ଭେ ଆମ୍ଭ ପ୍ରତି ଗିଲୀୟଦ ଓ ଲିବାନୋନର ଶୃଙ୍ଗ ସ୍ୱରୂପ ଅଟ;
ତଥାପି ଆମ୍ଭେ ନିଶ୍ଚୟ ତୁମ୍ଭକୁ ପ୍ରାନ୍ତର ଓ ନିବାସୀବିହୀନ ନଗରସମୂହର ସ୍ୱରୂପ କରିବା।
7 ପୁଣି, ତୁମ୍ଭ ବିରୁଦ୍ଧରେ ବିନାଶକଗଣକୁ ପ୍ରତ୍ୟେକର ଅସ୍ତ୍ର ସହିତ ପ୍ରସ୍ତୁତ କରିବା;
ତହିଁରେ ସେମାନେ ତୁମ୍ଭର ଉତ୍ତମ ଏରସ ବୃକ୍ଷସବୁ କାଟି ଅଗ୍ନିରେ ପକାଇ ଦେବେ।’
8 ଆଉ, ଅନେକ ଦେଶୀୟ ଲୋକ ଏହି ନଗର ନିକଟ ଦେଇ ଗତାୟାତ କରୁ କରୁ ପ୍ରତ୍ୟେକେ, ଆପଣା ଆପଣା ସଙ୍ଗୀକୁ କହିବେ, “ସଦାପ୍ରଭୁ କି ନିମନ୍ତେ ଏହି ବୃହତ ନଗରକୁ ଏପରି କଲେ ?” 9 ତହିଁରେ ସେମାନେ ଉତ୍ତର କରିବେ, ‘କାରଣ ଏହି, ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିୟମ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ପ୍ରଣାମ ଓ ସେବା କଲେ।’”
10 ତୁମ୍ଭେମାନେ ମୃତ ଲୋକ ସକାଶେ ରୋଦନ କର ନାହିଁ,
କିଅବା ତାହା ସକାଶେ ବିଳାପ କର ନାହିଁ;
ମାତ୍ର ପ୍ରସ୍ଥାନ କରିବା ଲୋକ ନିମନ୍ତେ ଅତିଶୟ କ୍ରନ୍ଦନ କର;
କାରଣ ସେ ଆଉ ଫେରି ଆସିବ ନାହିଁ,
କିଅବା ଆପଣା ଜନ୍ମଦେଶ ଆଉ ଦେଖିବ ନାହିଁ।
ଯୋଶୀୟର ପୁତ୍ର ପ୍ରତି ବାର୍ତ୍ତା
11 ଯେହେତୁ ଯିହୁଦାର ରାଜା ଯୋଶୀୟର ପୁତ୍ର ଶଲ୍ଲୁମ୍ ଯେ ଆପଣା ପିତା ଯୋଶୀୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରି ଗଲା, ତାହାର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; 12 “ସେ ଏହି ସ୍ଥାନକୁ ଆଉ ଫେରି ଆସିବ ନାହିଁ; ମାତ୍ର ସେ ଯେଉଁ ସ୍ଥାନକୁ ବନ୍ଦୀତ୍ୱ ଅବସ୍ଥାରେ ନୀତ ହୋଇଅଛି, ସେହି ସ୍ଥାନରେ ମରିବ ଓ ସେ ଏହି ଦେଶ ଆଉ ଦେଖିବ ନାହିଁ।”
13 ଯେଉଁ ଲୋକ ଅଧର୍ମରେ ଆପଣା ଗୃହ
ଓ ଅନ୍ୟାୟରେ ଆପଣା କୋଠରିମାନ ନିର୍ମାଣ କରେ;
ଯେ ବିନା ବେତନରେ ଆପଣା ପ୍ରତିବାସୀକି ସେବା କରାଏ
ଓ ତାହାର ବେତନ ତାହାକୁ ନ ଦିଏ;
14 ଯେ କହେ, ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ
ଓ ବୃହତ କୋଠରିମାନ ନିର୍ମାଣ କରିବା ଓ ଯେ ଆପଣା ପାଇଁ ଝରକା କାଟେ,
ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ
ଓ ରକ୍ତବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର !
15 ତୁମ୍ଭେ ଏରସ କାଷ୍ଠ ବିଷୟରେ ବଡ଼ ହେବା ପାଇଁ
ଯତ୍ନ କରିବା ହେତୁରୁ କି ରାଜତ୍ୱ କରିବ ?
ତୁମ୍ଭର ପିତା କି ଭୋଜନ ପାନ କରି ବିଚାର ଓ ଧର୍ମାଚରଣ କଲା ନାହିଁ ?
ତହିଁରେ ତାହାର ମଙ୍ଗଳ ହେଲା।
16 ସେ ଦରିଦ୍ର ଓ ଦୀନହୀନମାନଙ୍କ ଗୁହାରି ବିଚାର କଲା, ତହିଁରେ ମଙ୍ଗଳ ହେଲା।
ସଦାପ୍ରଭୁ କହନ୍ତି, “ଏହା କି ଆମ୍ଭଙ୍କୁ ଜ୍ଞାତ ହେବାର ନୁହେଁ ?
17 ମାତ୍ର ତୁମ୍ଭର ଚକ୍ଷୁ ଓ ତୁମ୍ଭର ଅନ୍ତଃକରଣ,
ଆପଣାର ଲୋଭ, ନିର୍ଦ୍ଦୋଷର ରକ୍ତପାତ,
ଉପଦ୍ରବ ଓ ଦୌରାତ୍ମ୍ୟ କରିବା ଛଡ଼ା ଆଉ କାହିଁରେ ନାହିଁ।
18 ଏଥିପାଇଁ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ବିଷୟରେ
ସଦାପ୍ରଭୁ ଏହି କଥା କହନ୍ତି; “ଲୋକମାନେ, ହାୟ, ଆମ୍ଭର ଭାଇ! ଅବା ହାୟ, ଭଉଣୀ !
କହି ତାହା ପାଇଁ ବିଳାପ କରିବେ ନାହିଁ; ହାୟ, ପ୍ରଭୁ ! ଅବା ହାୟ, ତାଙ୍କର ମହିମା !
ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ।”
19 ତାହାର କବର ଗଧର କବର ତୁଲ୍ୟ ହେବ,
ସେ ଘୋଷଡ଼ା ଯାଇ ଯିରୂଶାଲମର ଦ୍ୱାର ବାହାରେ ପକାଯିବ।
20 ତୁମ୍ଭେ ଲିବାନୋନକୁ ଯାଇ କ୍ରନ୍ଦନ କର;
ତୁମ୍ଭେ ବାଶନରେ ଉଚ୍ଚସ୍ୱର କର ଓ ଅବାରୀମ୍ରୁ କ୍ରନ୍ଦନ କର;
କାରଣ ତୁମ୍ଭର ପ୍ରେମକାରୀ ସମସ୍ତେ ବିନଷ୍ଟ ହୋଇଅଛନ୍ତି।
21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ;
ମାତ୍ର ତୁମ୍ଭେ କହିଲ, “ମୁଁ ଶୁଣିବି ନାହିଁ;”
ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ
ତୁମ୍ଭର ଏପରି ବ୍ୟବହାର ହୋଇଅଛି।
22 ବାୟୁ ତୁମ୍ଭର ସମସ୍ତ ମେଷପାଳକଙ୍କୁ ଚରାଇବ
ଓ ତୁମ୍ଭର ପ୍ରେମକାରୀମାନେ ବନ୍ଦୀତ୍ୱ ସ୍ଥାନକୁ ଯିବେ;
ସେହି ସମୟରେ ତୁମ୍ଭେ ଆପଣାର ସକଳ ଦୁଷ୍ଟତା ସକାଶୁ
ନିଶ୍ଚୟ ଲଜ୍ଜିତା ଓ ବ୍ୟାକୁଳିତା ହେବ।
23 ହେ ଲିବାନୋନ ନିବାସିନୀ, ଏରସ ବୃକ୍ଷ ବନରେ ବସା କରିଅଛ ଯେ ତୁମ୍ଭେ,
ଯେତେବେଳେ ପ୍ରସବବେଦନା ତୁଲ୍ୟ ତୁମ୍ଭର ବେଦନା ଉପସ୍ଥିତ ହେବ,
ସେତେବେଳେ ତୁମ୍ଭର ଅବସ୍ଥା ବଡ଼ ଶୋଚନୀୟ ହେବ।
ଯିହୋୟାଖୀନ୍ ପ୍ରତି ଈଶ୍ୱରଙ୍କ ଦଣ୍ଡାଜ୍ଞା
24 ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍ର ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତରେ ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା; 25 ପୁଣି, ଯେଉଁମାନେ ତୁମ୍ଭର ପ୍ରାଣ ନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ, ଅର୍ଥାତ୍, ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଓ କଲ୍ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା। 26 ଆଉ, ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ, ଯେଉଁ ଦେଶରେ ତୁମ୍ଭମାନଙ୍କର ଜନ୍ମ ହୋଇ ନ ଥିଲା, ଏପରି ଏକ ଦେଶରେ ତୁମ୍ଭମାନଙ୍କୁ ନିକ୍ଷେପ କରିବା। ଆଉ, ସେଠାରେ ତୁମ୍ଭେମାନେ ମରିବ।
27 ମାତ୍ର ଯେଉଁ ଦେଶକୁ ଫେରି ଆସିବା ପାଇଁ
ସେମାନଙ୍କର ପ୍ରାଣ ଅତିଶୟ ଲାଳସା କରେ,
ସେ ଦେଶକୁ ସେମାନେ ଫେରି ଆସିବେ ନାହିଁ।
28 ଏହି କନୀୟ କି ତୁଚ୍ଛୀକୃତ ଭଗ୍ନପାତ୍ର ? ସେ କି ଅପ୍ରୀତିକର ପାତ୍ର ?
ସେ ଓ ତାହାର ବଂଶ କାହିଁକି ଦୂରୀକୃତ ହୋଇ
ସେମାନଙ୍କ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ।
29 ହେ ପୃଥିବୀ, ପୃଥିବୀ, ପୃଥିବୀ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।
30 ସଦାପ୍ରଭୁ ଏହି କଥା କହନ୍ତି,
“ଏହି ମନୁଷ୍ୟ ନିଃସନ୍ତାନ, ଏହି ପୁରୁଷର ଆପଣା ଜୀବନ ମଧ୍ୟରେ
ଉନ୍ନତି ହେବ ନାହିଁ ବୋଲି ତୁମ୍ଭେମାନେ ଲେଖ;
କାରଣ ତାହାର ବଂଶୀୟ କୌଣସି ଲୋକ ଦାଉଦଙ୍କ ସିଂହାସନୋପବିଷ୍ଟ ହୋଇ
ଓ ଯିହୁଦାର ଉପରେ ଆଉ କର୍ତ୍ତୃତ୍ୱ କରି ସମୃଦ୍ଧି ହେବ ନାହିଁ।”
Chapter 23
ଭବିଷ୍ୟତ ପାଇଁ ଆଶା
1 ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନର ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର !”
2 ଏନିମନ୍ତେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି; “ତୁମ୍ଭେମାନେ ଆମ୍ଭର ପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରି ନାହଁ,” ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ଦୁଷ୍କର୍ମର ପ୍ରତିଫଳ ଦେବା। 3 ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ। 4 ଆଉ, ଆମ୍ଭେ ସେମାନଙ୍କ ଉପରେ ପାଳକଗଣ ନିଯୁକ୍ତ କରିବା,ସେମାନେ ସେମାନଙ୍କୁ ଚରାଇବେ; ପୁଣି, ସେମାନେ ଆଉ ଭୀତ କି ନିରାଶ ହେବେ ନାହିଁ, କିଅବା ସେମାନଙ୍କର କେହି ଅନୁପସ୍ଥିତ ହେବେ ନାହିଁ,” ଏହା ସଦାପ୍ରଭୁ କହନ୍ତି।
5 ସଦାପ୍ରଭୁ କହନ୍ତି,
“ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା,
ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ,
ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ।
6 ତାହାଙ୍କ ସମୟରେ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ;
ପୁଣି, ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ।”
7 ଏଣୁକରି ସଦାପ୍ରଭୁ କହନ୍ତି, “ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ, ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ; 8 ମାତ୍ର ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ,” ଏପରି ସମୟ ଆସୁଅଛି; ଆଉ, ସେମାନେ ଆପଣାମାନଙ୍କ ଦେଶରେ ବାସ କରିବେ।
ମିଥ୍ୟା ଭାବବାଦୀ
9 ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟ।
ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି, ମୋର ଅସ୍ଥିସବୁ କମ୍ପୁଅଛି;
ସଦାପ୍ରଭୁଙ୍କର ଓ ତାହାଙ୍କ ପବିତ୍ର ବାକ୍ୟ ହେତୁରୁ
ମୁଁ ମତ୍ତଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ଲୋକ ତୁଲ୍ୟ ଅଛି।
10 କାରଣ ଦେଶ ବ୍ୟଭିଚାରୀଗଣରେ [1] ପରିପୂର୍ଣ୍ଣ
ଓ ଅଭିଶାପ ସକାଶୁ ଦେଶ ଶୋକ କରୁଅଛି;
ପ୍ରାନ୍ତରସ୍ଥ ଚରାସ୍ଥାନସବୁ ଶୁଷ୍କ ହୋଇଅଛି ଓ ଲୋକମାନଙ୍କର ବ୍ୟବହାର ମନ୍ଦ,
ଆଉ ସେମାନଙ୍କର ପରାକ୍ରମ ନ୍ୟାୟସଙ୍ଗତ ନୁହେଁ।
11 କାରଣ ଭବିଷ୍ୟଦ୍ବକ୍ତା ଓ ଯାଜକ ଉଭୟ ପାଷାଣ୍ଡ;
ହଁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଗୃହ ମଧ୍ୟରେ ସେମାନଙ୍କର ଦୁଷ୍କ୍ରିୟା ଦେଖିଅଛୁ।
12 ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ;
ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ;”
କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ,
ଅର୍ଥାତ୍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା।
13 ଆହୁରି, ଆମ୍ଭେ ଶମରୀୟାର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଅଜ୍ଞାନତା ଦେଖିଅଛୁ;
ସେମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି
ଆମ୍ଭର ଇସ୍ରାଏଲ ଲୋକମାନଙ୍କୁ ଭ୍ରାନ୍ତ କରାଇଲେ।
14 ଯିରୂଶାଲମର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ହିଁ
ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ;
ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି
ଓ ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ,
ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ;
ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ
ଓ ତହିଁର ନିବାସୀମାନେ ହମୋରାର ସମାନ ଅଟନ୍ତି।”
15 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ
ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି;
“ଦେଖ, ଆମ୍ଭେ ସେମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷ ବୃକ୍ଷର ରସ ପାନ କରାଇବା;
କାରଣ ଯିରୂଶାଲମର ଭବିଷ୍ୟଦ୍ବକ୍ତାଗଣଠାରୁ ଦେଶଯାକରେ ଅଧାର୍ମିକତା ବ୍ୟାପି ଅଛି।”
16 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି,
ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି;
ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି
ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ।
17 ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି,
ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ;’
ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି,
ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି,
‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ।’
18 ମାତ୍ର ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷରେ ଶୁଣିବା ପାଇଁ କିଏ
ତାହାଙ୍କ ଆଗରେ ଠିଆ ହୋଇ ଅଛି ? କିଏ ଆମ୍ଭର ବାକ୍ୟ ମନ ଦେଇ ଶୁଣିଅଛି ?”
19 ଦେଖ, ସଦାପ୍ରଭୁଙ୍କର ତୋଫାନ, ତାହାଙ୍କର ପ୍ରଚଣ୍ଡ କ୍ରୋଧ,
ହଁ, ଘୂର୍ଣ୍ଣାୟମାନ ତୋଫାନ ବାହାର ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ।
20 ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରନ୍ତି,
ସେପର୍ଯ୍ୟନ୍ତ ତାହାଙ୍କ କ୍ରୋଧ ଫେରିବ ନାହିଁ;
ତୁମ୍ଭେମାନେ ଶେଷ କାଳରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝିବ।
21 ଆମ୍ଭେ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ;
ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ।
22 ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥା’ନ୍ତେ,
ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇଥା’ନ୍ତେ
ଓ ସେମାନଙ୍କ କୁପଥରୁ, ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥା’ନ୍ତେ।
23 ସଦାପ୍ରଭୁ କହନ୍ତି,
“ଆମ୍ଭେ କି ନିକଟରେ ପରମେଶ୍ୱର ଅଟୁ ଓ ଦୂରରେ ପରମେଶ୍ୱର ନୋହୁଁ ?”
24 ସଦାପ୍ରଭୁ କହନ୍ତି,
“ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ,
ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ ?”
ସଦାପ୍ରଭୁ କହନ୍ତି, “ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ ?
25 ‘ଆମ୍ଭେ ସ୍ୱପ୍ନ ଦେଖିଅଛୁ, ଆମ୍ଭେ ସ୍ୱପ୍ନ ଦେଖିଅଛୁ ବୋଲି କହି’ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର କଥା ଆମ୍ଭେ ଶୁଣିଅଛୁ। 26 ଯେଉଁ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍, ଯେଉଁମାନେ ନିଜ ଅନ୍ତଃକରଣର କପଟତାର ଭବିଷ୍ୟଦ୍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେ କାଳ ଥିବ ? 27 ସେମାନଙ୍କର ପିତୃପୁରୁଷମାନେ ଯେପରି ବାଲ୍ଦେବ ସକାଶେ ଆମ୍ଭ ନାମ ପାସୋରି ପକାଇଲେ, ସେପରି ସେମାନେ ଆପଣା ଆପଣା ପ୍ରତିବାସୀ ନିକଟରେ ନିଜ ସ୍ୱପ୍ନ କଥା କହି ଆମ୍ଭ ଲୋକମାନଙ୍କୁ ଆମ୍ଭର ନାମ ବିସ୍ମୃତ କରାଇବାକୁ ବିଚାର କରନ୍ତି।”
28 ଯେଉଁ ଭବିଷ୍ୟଦ୍ବକ୍ତା ସ୍ୱପ୍ନ ଦେଖିଅଛି, ସେ ସ୍ୱପ୍ନ କଥା ପ୍ରକାଶ କରୁ, ପୁଣି ଯେ ଆମ୍ଭର ବାକ୍ୟ ପାଇଅଛି, ସେ ବିଶ୍ୱସ୍ତ ରୂପେ ଆମ୍ଭର ବାକ୍ୟ କହୁ।
ସଦାପ୍ରଭୁ କହନ୍ତି, “ଶସ୍ୟ ନିକଟରେ ପାଳ କଅଣ ?”
29 ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ କି ଅଗ୍ନି ସ୍ୱରୂପ ନୁହେଁ ?
ଓ ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ ନୁହେଁ ?”
30 ଏଥିପାଇଁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଭବିଷ୍ୟଦ୍ବକ୍ତାମାନେ,
ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି,
ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।”
31 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆପଣା ଆପଣା ଜିହ୍ୱା ବ୍ୟବହାର କରି, ‘ସେ କହନ୍ତି’ ବୋଲି କହନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ।” 32 ସଦାପ୍ରଭୁ କହନ୍ତି, “ଦେଖ,ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ତାହା ଜଣାଇ, ଆପଣାମାନଙ୍କର ମିଥ୍ୟା କଥା ଓ ଅସାର ଦାମ୍ଭିକତା ଦ୍ୱାରା ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ;” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ; ଅଥଚ ସେମାନେ ଏହି ଲୋକମାନଙ୍କର କିଛିମାତ୍ର ଉପକାର କରି ପାରିବେ ନାହିଁ।
33 ପୁଣି, ଯେତେବେଳେ ଏହି ଲୋକମାନେ, ଅବା ଭବିଷ୍ୟଦ୍ବକ୍ତା, ଅବା କୌଣସି ଯାଜକ ତୁମ୍ଭକୁ ପଚାରିବେ, ‘ସଦାପ୍ରଭୁଙ୍କର ଭାରୋକ୍ତି କଅଣ ?’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ଭାରୋକ୍ତି କଅଣ ! ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବା, ଏହା ସଦାପ୍ରଭୁଙ୍କର ଉକ୍ତି।’ 34 ଆଉ, ‘ସଦାପ୍ରଭୁଙ୍କର ପ୍ରତ୍ୟାଦେଶ,’ ଏହି କଥା ଭବିଷ୍ୟଦ୍ବକ୍ତା, ଯାଜକ ଓ ଲୋକମାନେ କହିଲେ, ଆମ୍ଭେ ସେ ଲୋକକୁ ଓ ତାହାର ବଂଶକୁ ଶାସ୍ତି ଦେବା।”
35 ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକି ଓ ଆପଣା ଭ୍ରାତାକୁ ଏହି କଥା କହିବ, “ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି ? ଓ ସଦାପ୍ରଭୁ କି କଥା କହିଅଛନ୍ତି ?” 36 ପୁଣି, “ସଦାପ୍ରଭୁଙ୍କର ପ୍ରତ୍ୟାଦେଶ” ବୋଲି ଆଉ ଉଚ୍ଚାରଣ କରିବ ନାହିଁ; କାରଣ ପ୍ରତ୍ୟେକ ମନୁଷ୍ୟର ନିଜ କଥା ତାହାର ପ୍ରତ୍ୟାଦେଶ ହେବ; ଯେହେତୁ ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟସକଳ ବିପରୀତ କରିଅଛ। 37 ତୁମ୍ଭେ ଭବିଷ୍ୟଦ୍ବକ୍ତାଙ୍କୁ ଏହି କଥା କହିବ, “ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି ? ଓ ସଦାପ୍ରଭୁ କି କଥା କହିଅଛନ୍ତି ?”
38 ମାତ୍ର “ସଦାପ୍ରଭୁଙ୍କର ଭାରୋକ୍ତି,” ଏହି କଥା ଯେବେ ତୁମ୍ଭେମାନେ କୁହ, ତେବେ ତହିଁ ସକାଶୁ ସଦାପ୍ରଭୁ କହନ୍ତି : “ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଲୋକ ପଠାଇ, ‘ସଦାପ୍ରଭୁଙ୍କର ଭାରୋକ୍ତି’ ବୋଲି କହିବାକୁ ନିଷେଧ କରିଅଛୁ, ତଥାପି ତୁମ୍ଭେମାନେ ‘ସଦାପ୍ରଭୁଙ୍କର ଭାରୋକ୍ତି’ ବୋଲି କହୁଅଛ। 39 ଏଣୁକରି ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ନିତାନ୍ତ ପାସୋରିବା,ପୁଣି, ତୁମ୍ଭମାନଙ୍କୁ ଓ ଯେଉଁ ନଗର ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଅଛୁ, ତାହାକୁ ଆମ୍ଭ ଛାମୁରୁ ଦୂର କରିବା; 40 ଆଉ, ଯାହା ବିସ୍ମୃତ ହେବ ନାହିଁ, ଏପରି ନିତ୍ୟସ୍ଥାୟୀ ଦୁର୍ନାମ ଓ ଚିରସ୍ଥାୟୀ ଲଜ୍ଜା ଆମ୍ଭେ ତୁମ୍ଭମାନଙ୍କୁ ଭୋଗ କରାଇବା।”
Chapter 24
ଉତ୍ତମ ଏବଂ ମନ୍ଦ ଡିମ୍ବିରି ଫଳ
1 ବାବିଲର ରାଜା ନବୂଖଦ୍ନିତ୍ସର, ଯିହୋୟାକୀମ୍ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀନ୍କୁ ଓ ଯିହୁଦାର ଅଧିପତିମାନଙ୍କୁ, ଶିଳ୍ପକର ଓ କର୍ମକାରକମାନଙ୍କ ସହିତ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇ ଗଲା ଉତ୍ତାରେ ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ, ଆଉ ଦେଖ, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖାଯାଇଅଛି। 2 ଏକ ଡାଲାରେ ଆଦ୍ୟପକ୍ୱ ଡିମ୍ବିରି ଫଳ ତୁଲ୍ୟ ଅତି ଉତ୍ତମ ଡିମ୍ବିରି ଥିଲା; ପୁଣି, ଅନ୍ୟ ଡାଲାରେ ଅତି ମନ୍ଦ ଡିମ୍ବିରି ଫଳ ଥିଲା, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ। 3 ତେବେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ଡିମ୍ବିରି ଫଳ, ଉତ୍ତମ ଡିମ୍ବିରି ଅତି ଉତ୍ତମ ଓ ମନ୍ଦ ଡିମ୍ବିରି ଅତି ମନ୍ଦ, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ।”
4 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। 5 “ଯଥା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଯେଉଁ ନିର୍ବାସିତ ଯିହୁଦୀୟମାନଙ୍କୁ ଏହି ସ୍ଥାନରୁ କଲ୍ଦୀୟମାନଙ୍କର ଦେଶକୁ ପଠାଇଅଛୁ, ସେମାନଙ୍କର ମଙ୍ଗଳ ନିମନ୍ତେ ଆମ୍ଭେ ସେମାନଙ୍କୁ ଏହି ଉତ୍ତମ ଡିମ୍ବିରି ଫଳ ତୁଲ୍ୟ ଜ୍ଞାନ କରିବା। 6 କାରଣ ଆମ୍ଭେ ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ଆପଣା ଦୃଷ୍ଟି ରଖିବା ଓ ସେମାନଙ୍କୁ ପୁନର୍ବାର ଏହି ଦେଶକୁ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା ଓ ଭଗ୍ନ କରିବା ନାହିଁ; ଆମ୍ଭେ ସେମାନଙ୍କୁ ରୋପଣ କରିବା ଓ ଉତ୍ପାଟନ କରିବା ନାହିଁ। 7 ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଜାଣିବାର ମନ ସେମାନଙ୍କୁ ଦେବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା; କାରଣ ସେମାନେ ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସିବେ।’
8 ଆଉ, ଯେପରି ସେହି ମନ୍ଦ ଡିମ୍ବିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା। 9 ଆମ୍ଭେ ସେମାନଙ୍କର ଅମଙ୍ଗଳ ନିମନ୍ତେ ପୃଥିବୀର ସକଳ ରାଜ୍ୟ ମଧ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷିପ୍ତ ହେବା ପାଇଁ, ପୁଣି ଯେସବୁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେବା, ସେହିସବୁ ସ୍ଥାନରେ ଦୁର୍ନାମ, ପ୍ରବାଦ, ଉପହାସ ଓ ଅଭିଶାପର ପାତ୍ର ହେବା ପାଇଁ ଆମ୍ଭେ ସେମାନଙ୍କୁ ସମର୍ପି ଦେବା। 10 ପୁଣି, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଲୁ, ତହିଁରୁ ସେମାନେ ଯେପର୍ଯ୍ୟନ୍ତ ଉଚ୍ଛିନ୍ନ ନ ହୁଅନ୍ତି, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ମଧ୍ୟକୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା।’”
Chapter 25
ସତୁରି ବର୍ଷର ନିର୍ବାସନ
1 ଯୋଶୀୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ଯିହୁଦାର ସମଗ୍ର ଲୋକ ବିଷୟରେ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ସେହି ବର୍ଷ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ରାଜତ୍ଵର ପ୍ରଥମ ବର୍ଷ ଥିଲା; 2 ଯିରିମୀୟ ଭବିଷ୍ୟଦ୍ବକ୍ତା ଯିହୁଦାର ସମସ୍ତ ଲୋକ ଓ ଯିରୂଶାଲମ ନିବାସୀ ସମସ୍ତଙ୍କ ନିକଟରେ ସେହି ବାକ୍ୟ ପ୍ରଚାର କରି କହିଲେ; 3 “ଆମୋନ୍ର ପୁତ୍ର ଯିହୁଦାର ରାଜା ଯୋଶୀୟଙ୍କ ରାଜତ୍ଵର ତ୍ରୟୋଦଶ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏହି ତେଇଶ ବର୍ଷଯାକ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହୋଇଅଛି ଓ ମୁଁ ପ୍ରତ୍ୟୁଷରେ ଉଠି ତାହା ତୁମ୍ଭମାନଙ୍କୁ କହିଅଛି, ମାତ୍ର ତାହା ତୁମ୍ଭେମାନେ ଶୁଣି ନାହଁ। 4 ଆଉ, ସଦାପ୍ରଭୁ ପ୍ରତ୍ୟୁଷରେ ଉଠି ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି, ମାତ୍ର ତୁମ୍ଭେମାନେ ଶୁଣି ନାହଁ, କିଅବା ଶୁଣିବା ପାଇଁ କର୍ଣ୍ଣପାତ କରି ନାହଁ।
5 ମୁଁ କହିଅଛି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଆଚରଣର ଦୁଷ୍ଟତାରୁ ଫେର,’ ତହିଁରେ ସଦାପ୍ରଭୁ ପୁରାତନ କାଳରୁ ସଦାକାଳ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁ ମଧ୍ୟରେ ତୁମ୍ଭେମାନେ ବାସ କରିବ; 6 ଆଉ, ଅନ୍ୟ ଦେବଗଣର ସେବା ଓ ସେମାନଙ୍କୁ ପ୍ରଣାମ କରିବା ନିମନ୍ତେ ସେମାନଙ୍କ ପଶ୍ଚାଦ୍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ହସ୍ତକୃତ କର୍ମ ଦ୍ୱାରା ମୋତେ ବିରକ୍ତ କର ନାହିଁ ଓ ତହିଁରେ ମୁଁ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବି ନାହିଁ।”
7 ତଥାପି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭ କଥାରେ ଅବଧାନ କରି ନାହଁ ଓ ଆପଣାମାନଙ୍କ ଅମଙ୍ଗଳ ନିମନ୍ତେ ନିଜ ହସ୍ତକୃତ କର୍ମ ଦ୍ୱାରା ଆମ୍ଭଙ୍କୁ ବିରକ୍ତ କରିଅଛ।” 8 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ବାକ୍ୟରେ ଅବଧାନ କରି ନାହଁ; 9 ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍ ଶବ୍ଦର ବିଷୟ ଓ ଚିର କାଳର ଉତ୍ସନ୍ନ ସ୍ଥାନ କରିବା।
10 ଆହୁରି, ଆମ୍ଭେ ସେମାନଙ୍କ ମଧ୍ୟରୁ ଆମୋଦର ଧ୍ୱନି, ଆନନ୍ଦର ଧ୍ୱନି ଓ ବରର ରବ ଓ କନ୍ୟାର ରବ, ଚକିର ଶବ୍ଦ ଓ ପ୍ରଦୀପର ଆଲୁଅ ଦୂର କରିବା। 11 ତହିଁରେ ଏହି ସମୁଦାୟ ଦେଶ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର ବିଷୟ ହେବ ଓ ଏହିସବୁ ଗୋଷ୍ଠୀ ସତୁରି ବର୍ଷ ବାବିଲ ରାଜାର ଦାସତ୍ୱ କରିବେ।”
12 ପୁଣି, ସଦାପ୍ରଭୁ କହନ୍ତି, “ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲ ରାଜାକୁ ଓ ସେହି ଗୋଷ୍ଠୀକି ଓ କଲ୍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦାକାଳ ଧ୍ୱଂସର ସ୍ଥାନ କରିବା। 13 ଆଉ, ଆମ୍ଭେ ସେହି ଦେଶ ବିରୁଦ୍ଧରେ ଯାହା ଯାହା କହିଅଛୁ, ଅର୍ଥାତ୍, ସକଳ ଗୋଷ୍ଠୀ ବିରୁଦ୍ଧରେ ଯିରିମୀୟଙ୍କ ଦ୍ୱାରା ପ୍ରଚାରିତ ଯେ ଯେ ଭବିଷ୍ୟଦ୍ବାକ୍ୟ ଏହି ପୁସ୍ତକରେ ଲିଖିତ ଅଛି, ଆମ୍ଭର ସେହି ସମସ୍ତ ବାକ୍ୟ ଆମ୍ଭେ ସେହି ଦେଶ ପ୍ରତି ସଫଳ କରିବା। 14 କାରଣ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ସେମାନଙ୍କୁ ହିଁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ, ଆଉ ଆମ୍ଭେ ସେମାନଙ୍କ କ୍ରିୟାନୁସାରେ ଓ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।”
ପରମେଶ୍ୱରଙ୍କ କ୍ରୋଧରୂପ ପାତ୍ର
15 କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋତେ ଏହି କଥା କହନ୍ତି, “ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାରସର ପାତ୍ର ନେଇ, ଆମ୍ଭେ ତୁମ୍ଭକୁ ଯେଉଁ ସକଳ ଗୋଷ୍ଠୀ ନିକଟକୁ ପଠାଉ, ସେମାନଙ୍କୁ ତାହା ପାନ କରାଅ। 16 ତହିଁରେ ସେମାନେ ତାହା ପାନ କରି ଏଣେତେଣେ ଟଳ ଟଳ ହେବେ, ପୁଣି ଆମ୍ଭେ ସେମାନଙ୍କ ମଧ୍ୟକୁ ଯେଉଁ ଖଡ୍ଗ ପଠାଇବା, ତହିଁ ସକାଶୁ ସେମାନେ ଉନ୍ମତ୍ତ ହେବେ।”
17 ତହିଁରେ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ, ସଦାପ୍ରଭୁ ମୋତେ ଯେଉଁ ଯେଉଁ ଗୋଷ୍ଠୀ ନିକଟକୁ ପଠାଇଲେ, ସେହି ସମସ୍ତଙ୍କୁ ତାହା ପାନ କରାଇଲି; 18 ଅର୍ଥାତ୍, ଆଜିର ତୁଲ୍ୟ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର, ଆଉ ଶୀସ୍ ଶବ୍ଦର ଓ ଅଭିଶାପର ବିଷୟ ହେବା ନିମନ୍ତେ ଯିରୂଶାଲମକୁ, ଯିହୁଦାର ନଗରସମୂହକୁ, ଆଉ ତହିଁର ରାଜା ଓ ଅଧିପତିମାନଙ୍କୁ ପାନ କରାଇଲି।
19 ମିସରର ରାଜା ଫାରୋକୁ, ତାହାର ଦାସଗଣକୁ ଓ ଅଧିପତିଗଣକୁ ଓ ତାହାର ସମସ୍ତ ଲୋକଙ୍କୁ; 20 ପୁଣି, ମିଶ୍ରିତ ଲୋକ ସମସ୍ତଙ୍କୁ ଓ ଊଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ ଓ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଆଉ ଅସ୍କିଲୋନ, ଘସା, ଇକ୍ରୋଣ ଓ ଅସ୍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି; 21 ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ;
22 ପୁଣି, ସୋରର ସମସ୍ତ ରାଜାଙ୍କୁ ଓ ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ; 23 ଦଦାନ୍, ତେମା ଓ ବୂଷ୍, ଆପଣା ଆପଣା କେଶ କୋଣ ମୁଣ୍ଡନକାରୀ ସମସ୍ତ ଲୋକଙ୍କୁ;
24 ପୁଣି, ଆରବୀୟ ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ; 25 ଆଉ, ସିମ୍ରିର ସମସ୍ତ ରାଜାଙ୍କୁ, ଏଲମ୍ର ସମସ୍ତ ରାଜାଙ୍କୁ ଓ ମାଦୀୟମାନଙ୍କର ସମସ୍ତ ରାଜାଙ୍କୁ; 26 ପୁଣି, ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ଯାବତୀୟ ରାଜାଙ୍କୁ, ପରସ୍ପରର ସହିତ ଓ ଭୂମଣ୍ଡଳର ଉପରିସ୍ଥ ଜଗତର ସମୁଦାୟ ରାଜ୍ୟକୁ ପାନ କରାଇଲି; ଆଉ, ସେମାନଙ୍କ ଉତ୍ତାରେ ଶେଶକର [1] ରାଜା ପାନ କରିବ।
27 ଆଉ, ତୁମ୍ଭେ ସେମାନଙ୍କୁ କହିବ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଯେଉଁ ଖଡ୍ଗ ପଠାଇବା, ତହିଁ ହେତୁ ପତିତ ହୋଇ ଆଉ ଉଠ ନାହିଁ।’ 28 ଆଉ, ସେମାନେ ତୁମ୍ଭ ହସ୍ତରୁ ପାତ୍ର ନେଇ ପାନ କରିବାକୁ ଯେବେ ଅସମ୍ମତ ହେବେ, ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସୈନ୍ୟାଧିପତି ସଦାପ୍ରଭୁ ଏହିରୂପେ କଥା କହନ୍ତି, ‘ତୁମ୍ଭେମାନେ ଅବଶ୍ୟ ପାନ କରିବ।’ 29 କାରଣ ଦେଖ, ଆମ୍ଭେ ଆମ୍ଭ ନାମରେ ଖ୍ୟାତ ନଗରପ୍ରତି ଅମଙ୍ଗଳ ଘଟାଇବାକୁ ଆରମ୍ଭ କରିଅଛୁ ଓ ତୁମ୍ଭେମାନେ କି ନିତାନ୍ତ ଅଦଣ୍ଡିତ ହେବ ? ତୁମ୍ଭେମାନେ ଅଦଣ୍ଡିତ ହେବ ନାହିଁ, କାରଣ ଆମ୍ଭେ ପୃଥ୍ୱୀନିବାସୀ ସମସ୍ତଙ୍କ ଉପରେ ଖଡ୍ଗ ଆହ୍ୱାନ କରିବା’, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।”
30 ଏହେତୁ ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଏହିସବୁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ,
“ସଦାପ୍ରଭୁ ଊର୍ଦ୍ଧ୍ୱରୁ ହୁଙ୍କାର କରିବେ ଓ ଆପଣା ପବିତ୍ର ବାସସ୍ଥାନରୁ ଆପଣା ରବ ଶୁଣାଇବେ;
ସେ ଆପଣା ଖୁଆଡ଼ ଉପରେ ମହାହୁଙ୍କାର କରିବେ;
ସେ ଦ୍ରାକ୍ଷାମର୍ଦ୍ଦନକାରୀମାନଙ୍କ ପରି ପୃଥିବୀର ନିବାସୀ ସମୁଦାୟଙ୍କ ବିରୁଦ୍ଧରେ ସିଂହନାଦ କରିବେ।
31 ପୃଥିବୀର ସୀମା ପର୍ଯ୍ୟନ୍ତ ଗୋଟିଏ ଧ୍ୱନି ବ୍ୟାପିବ;
କାରଣ ନାନା ଗୋଷ୍ଠୀୟମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି,
ସେ ସବୁ ପ୍ରାଣୀର ବିଚାର କରିବେ; ପୁଣି, ଦୁଷ୍ଟମାନଙ୍କୁ ସେ ଖଡ୍ଗରେ ସମର୍ପଣ କରିବେ,”
ଏହା ସଦାପ୍ରଭୁ କହନ୍ତି।
32 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ଦେଶକୁ ଦେଶ ଅମଙ୍ଗଳ ଘଟିବ ଓ ପୃଥିବୀର ପ୍ରାନ୍ତ ସୀମାରୁ ଏକ ମହା ତୋଫାନ ଉଠିବ।
33 ପୁଣି, ସେସମୟରେ ସଦାପ୍ରଭୁଙ୍କର ହତ ଲୋକମାନେ,
ପୃଥିବୀର ଆଦ୍ୟ ସୀମା ପର୍ଯ୍ୟନ୍ତ ଦେଖାଯିବେ;
ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ,
ସେମାନେ ସଂଗୃହୀତ କିଅବା କବରପ୍ରାପ୍ତ ହେବେ ନାହିଁ;
ସେମାନେ ଭୂମି ଉପରେ ଖତ ପରି ପଡ଼ି ରହିବେ।”
34 ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର;
ହେ ମେଷଗଣର ଅଗ୍ରଗଣ୍ୟମାନେ, ତୁମ୍ଭେମାନେ ଭସ୍ମରେ ଗଡ଼;
କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ସମ୍ପୂର୍ଣ୍ଣ ରୂପେ ଉପସ୍ଥିତ ହେଲା,
ଆଉ ଆମ୍ଭେ ତୁମ୍ଭମାନଙ୍କୁ ଖଣ୍ଡ ଖଣ୍ଡ କରି ଭାଙ୍ଗିବା
ଓ ତୁମ୍ଭେମାନେ ମନୋହର ପାତ୍ର ତୁଲ୍ୟ ପଡ଼ିଯିବ।
35 ପୁଣି, ମେଷପାଳକମାନେ ପଳାଇବାର ବାଟ ପାଇବେ ନାହିଁ
ଓ ପଲର ଅଗ୍ରଗଣ୍ୟମାନେ ରକ୍ଷା ପାଇବେ ନାହିଁ।
36 ମେଷପାଳକମାନଙ୍କର କ୍ରନ୍ଦନର ଶବ୍ଦ
ଓ ମେଷର ଅଗ୍ରଗଣ୍ୟମାନଙ୍କର ହାହାକାର ଶବ୍ଦ ଶୁଣାଯାଏ।
କାରଣ ସଦାପ୍ରଭୁ ସେମାନଙ୍କର ଚରାସ୍ଥାନ ଉଜାଡ଼ କରୁଅଛନ୍ତି।
37 ଆଉ, ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ସକାଶୁ
ଶାନ୍ତିଯୁକ୍ତ ଖୁଆଡ଼ସବୁ ନିଃଶବ୍ଦ ହେଉଅଛି।
38 ସେ ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି;
ତାହାଙ୍କର ଉତ୍ପୀଡ଼କ ଖଡ୍ଗର ଭୟଙ୍କରତା ସକାଶୁ
ଓ ତାହାଙ୍କର ପ୍ରଚଣ୍ଡ କ୍ରୋଧ ସକାଶୁ ଦେଶ ବିସ୍ମୟ ସ୍ଥାନ ହୋଇଅଛି।
Chapter 26
ଯିରିମୀୟଙ୍କ ମୃତ୍ୟୁୁଭୟ
1 ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ଆରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା, 2 “ଯଥା, ସଦାପ୍ରଭୁ ଏହି କଥା କହନ୍ତି; ‘ତୁମ୍ଭେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୁଅ ଓ ସଦାପ୍ରଭୁଙ୍କ ଗୃହରେ ପ୍ରମାଣ କରିବା ପାଇଁ ଯିହୁଦାର ନଗରସମୂହରୁ ଆଗତ ଲୋକମାନଙ୍କୁ ଯେଉଁ ସକଳ କଥା କହିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହାସବୁ ସେମାନଙ୍କୁ କୁହ; ଗୋଟିଏ କଥା ଛାଡ଼ ନାହିଁ। 3 ହୋଇପାରେ, ସେମାନେ ମନୋଯୋଗ କରି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ ସେମାନଙ୍କ ଆଚରଣର ଦୁଷ୍ଟତା ହେତୁ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନସ୍ଥ କରିଅଛୁ, ତହିଁରୁ ନିବୃତ୍ତ ହେବା।’”
4 ପୁଣି, ତୁମ୍ଭେ ସେମାନଙ୍କୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଯଦି ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, 5 ଆମ୍ଭର ଯେଉଁ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ଆମ୍ଭେ ଅତି ପ୍ରଭାତରେ ଉଠି ତୁମ୍ଭମାନଙ୍କ ନିକଟକୁ ପଠାଇ ଆସିଅଛୁ, ମାତ୍ର ତୁମ୍ଭେମାନେ ମନୋଯୋଗ କରି ନାହଁ, ସେମାନଙ୍କ ବାକ୍ୟରେ ଯଦି ତୁମ୍ଭେମାନେ ମନୋଯୋଗ ନ କରିବ; 6 ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ସମାନ କରିବା ଓ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପାସ୍ପଦ କରିବା।’”
7 ପୁଣି, ଯିରିମୀୟ ସଦାପ୍ରଭୁଙ୍କ ଗୃହରେ ଏହିସବୁ କଥା କହିବାର ଯାଜକମାନେ ଓ ଭବିଷ୍ୟଦ୍ବକ୍ତାମାନେ ଓ ଲୋକ ସମସ୍ତେ ଶୁଣିଲେ। 8 ଆଉ, ଯିରିମୀୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାପିତ ସକଳ କଥା କହିବାର ସମାପ୍ତ କଲା ଉତ୍ତାରେ, ଯାଜକ, ଭବିଷ୍ୟଦ୍ବକ୍ତାମାନେ ଓ ଲୋକ ସମସ୍ତେ ତାଙ୍କୁ ଧରି କହିଲେ, “ତୁମ୍ଭେ ନିଶ୍ଚୟ ମରିବ। 9 ଏହି ଗୃହ ଶୀଲୋ ସମାନ ଓ ଏହି ନଗର ଉଚ୍ଛିନ୍ନ ଓ ନିବାସୀବିହୀନ ହେବ ବୋଲି ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲ ?” ଆଉ, ସଦାପ୍ରଭୁଙ୍କ ଗୃହରେ ସମସ୍ତ ଲୋକ ଯିରିମୀୟଙ୍କ ନିକଟରେ ଏକତ୍ରିତ ହେଲେ।
10 ଏଥିଉତ୍ତାରେ ଯିହୁଦାର ଅଧିପତିମାନେ ଏହିସବୁ ବିଷୟ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ଗୃହକୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନରେ ବସିଲେ। 11 ତହିଁରେ ଯାଜକମାନେ ଓ ଭବିଷ୍ୟଦ୍ବକ୍ତାମାନେ, ଅଧିପତିମାନଙ୍କୁ ଓ ଲୋକ ସମସ୍ତଙ୍କୁ ଏହି କଥା କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ; କାରଣ ସେ ଏହି ନଗର ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛି, ଏହା ତୁମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛ।”
12 ତହୁଁ ଯିରିମୀୟ ସକଳ ଅଧିପତି ଓ ସକଳ ଲୋକଙ୍କୁ ଏହି କଥା କହିଲେ, “ତୁମ୍ଭେମାନେ ଯେସବୁ କଥା ଶୁଣିଅଛ, ସେହି ସମସ୍ତ ଭବିଷ୍ୟଦ୍ବାକ୍ୟ ଏହି ଗୃହ ଓ ଏହି ନଗର ବିରୁଦ୍ଧରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ। 13 ଏହେତୁ ଏବେ ତୁମ୍ଭେମାନେ ଆପଣା ଆପଣା ଆଚରଣ ଓ କ୍ରିୟା ଶୁଧୁରାଅ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟ ମାନ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛନ୍ତି, ତାହା କରିବାରୁ କ୍ଷାନ୍ତ ହେବେ।
14 ମାତ୍ର ଦେଖ, ମୁଁ ତୁମ୍ଭମାନଙ୍କ ହସ୍ତରେ ଅଛି: ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ତାହା ମୋ’ ପ୍ରତି କର। 15 କେବଳ ଏହା ନିଶ୍ଚିତ ରୂପେ ଜାଣ ଯେ, ତୁମ୍ଭେମାନେ ମୋତେ ବଧ କଲେ ଆପଣାମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ବର୍ତ୍ତାଇବ; କାରଣ ଏହି ସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।”
16 ତହିଁରେ ଅଧିପତିମାନେ ଓ ଲୋକ ସମସ୍ତେ ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାଗଣଙ୍କୁ କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ସେ ଆମ୍ଭମାନଙ୍କୁ କଥା କହିଅଛି।” 17 ସେତେବେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେହି କେହି ଉଠି ଲୋକମାନଙ୍କ ସମସ୍ତ ସମାଜକୁ ଏହି କଥା କହିଲେ, 18 “ଯିହୁଦାର ରାଜା ହିଜକୀୟର ସମୟରେ ମୋରେଷ୍ଟୀୟ ମୀଖା ଭବିଷ୍ୟଦ୍ବାକ୍ୟ ପ୍ରଚାର କଲା; ଆଉ, ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ସିୟୋନ କ୍ଷେତ୍ର ତୁଲ୍ୟ ଚଷା ଯିବ ଓ ଯିରୂଶାଲମ ଢିପି ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି, ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।’
19 ଯିହୁଦାର ରାଜା ହିଜକୀୟ ଓ ଯିହୁଦାର ଲୋକ ସମସ୍ତେ କ’ଣ ତାହାଙ୍କୁ କୌଣସିମତେ ବଧ କରିଥିଲେ ? ହିଜକୀୟ କ’ଣ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ ନାହିଁ ? ତହିଁରେ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ କ’ଣ କ୍ଷାନ୍ତ ନୋହିଲେ ? ଆମ୍ଭେମାନେ ଆପଣା ଆପଣା ପ୍ରାଣର ପ୍ରତିକୂଳରେ ଭାରୀ ଅମଙ୍ଗଳ କରୁଅଛୁ।
20 ଆହୁରି, ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା, ସେ କିରୀୟଥ୍-ଯିୟାରୀମ୍ସ୍ଥ ଶମୟୀୟର ପୁତ୍ର ଊରୀୟ; ସେ ଯିରିମୀୟର ସମସ୍ତ ବାକ୍ୟ ପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଥିଲେ। 21 ତହିଁରେ ଯିହୋୟାକୀମ୍ ରାଜା, ଆପଣା ବୀରମାନଙ୍କ ଓ ସମସ୍ତ ଅଧିପତିମାନଙ୍କ ସହିତ ସେହି କଥା ଶୁଣନ୍ତେ, ରାଜା ତାହାକୁ ବଧ କରିବାକୁ ଚେଷ୍ଟା କଲା; ମାତ୍ର ଊରୀୟ ଏହା ଶୁଣି ଭୀତ ହୋଇ ମିସରକୁ ପଳାଇ ଗଲା।
22 ତହିଁରେ ଯିହୋୟାକୀମ୍ ରାଜା ମିସରକୁ ଲୋକ ପଠାଇଲା, ଅର୍ଥାତ୍, ଅକବୋରର ପୁତ୍ର ଇଲ୍ନାଥନ୍କୁ ଓ ତାହା ସଙ୍ଗେ ଅନ୍ୟ କେତେକ ଲୋକଙ୍କୁ ମିସରକୁ ପଠାଇଲା; 23 ତହୁଁ ସେମାନେ ଊରୀୟକୁ ମିସରରୁ ଆଣି ଯିହୋୟାକୀମ୍ ରାଜା ନିକଟରେ ଉପସ୍ଥିତ କରାଇଲେ; ରାଜା ତାହାକୁ ଖଡ୍ଗରେ ବଧ କରି, ସାମାନ୍ୟ ଲୋକମାନଙ୍କର କବର ସ୍ଥାନରେ ତାହାର ଶବ ପକାଇ ଦେଲା।” 24 ମାତ୍ର ଶାଫନ୍ର ପୁତ୍ର ଅହୀକାମ୍ ଯିରିମୀୟଙ୍କ ସପକ୍ଷ ଥିବାରୁ ହତ ହେବା ନିମନ୍ତେ ଯିରିମୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେଲେ ନାହିଁ।
Chapter 27
ନବୂଖଦ୍ନିତ୍ସରର ଯୁଆଳି
1 ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟର [1] ରାଜତ୍ୱର ଆରମ୍ଭ ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା। 2 “ଯଥା, ସଦାପ୍ରଭୁ ମୋତେ ଏହି କଥା କହନ୍ତି, ‘ତୁମ୍ଭେ କେତେକ ବନ୍ଧନୀ ଓ ଯୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧରେ ରଖ; 3 ପୁଣି, ଯେଉଁ ଦୂତଗଣ ଯିହୁଦାର ରାଜା ସିଦିକୀୟ ନିକଟକୁ ଯିରୂଶାଲମକୁ ଆସିଅଛନ୍ତି, ସେମାନଙ୍କ ହସ୍ତ ଦ୍ୱାରା ସେସବୁ ଇଦୋମର ରାଜା ଓ ମୋୟାବର ରାଜା, ଅମ୍ମୋନ ସନ୍ତାନଗଣର ରାଜା, ସୋରର ରାଜା ଓ ସୀଦୋନର ରାଜା ନିକଟକୁ ତାହା ପଠାଅ;’ 4 ଆଉ, ଆପଣା ଆପଣା କର୍ତ୍ତାମାନଙ୍କୁ ଏହି କଥା କହିବା ପାଇଁ ସେମାନଙ୍କୁ ଏହି ଆଦେଶ ଦିଅ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା କର୍ତ୍ତାଙ୍କୁ ଏହି କଥା କହିବ;
5 ‘ଆମ୍ଭେ ଆପଣାର ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ପୃଥିବୀ ଓ ପୃଥିବୀନିବାସୀ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ; ଆଉ, ଯାହାକୁ ତାହା ଦେବା ପାଇଁ ଆମ୍ଭଙ୍କୁ ଉଚିତ ଦେଖାଯାଏ, ତାହାକୁ ଆମ୍ଭେ ତାହା ଦେଉ। 6 ପୁଣି, ସମ୍ପ୍ରତି ଆମ୍ଭେ ଏହିସବୁ ଦେଶ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଦେଇଅଛୁ ଓ ତାହାର ସେବା କରିବା ନିମନ୍ତେ କ୍ଷେତ୍ରସ୍ଥ ପଶୁମାନଙ୍କୁ ହିଁ ତାହାକୁ ଦେଇଅଛୁ। 7 ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।
8 ପୁଣି, ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖଦ୍ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲର ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ, ସଦାପ୍ରଭୁ କହନ୍ତି, ଆମ୍ଭେ ସେ ଦେଶକୁ ତାହାର ହସ୍ତ ଦ୍ୱାରା ସଂହାରିତ ନ କରିବା ପର୍ଯ୍ୟନ୍ତ ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା।’
9 ମାତ୍ର ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍ବକ୍ତାମାନେ, ମନ୍ତ୍ରଜ୍ଞମାନେ, ସ୍ୱପ୍ନଦର୍ଶକମାନେ, ଗଣକମାନେ ଓ ମାୟାବୀମାନେ, ‘ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ’ ବୋଲି ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ କଥାରେ ତୁମ୍ଭେମାନେ ମନୋଯୋଗ କର ନାହିଁ; 10 କାରଣ ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରୀକୃତ କରିବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି। 11 ମାତ୍ର ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଯୁଆଳି ତଳେ ଆପଣାମାନଙ୍କର ବେକ ଦେବେ ଓ ତାହାର ଦାସ୍ୟକର୍ମ କରିବେ, ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ସ୍ୱଦେଶରେ ରହିବାକୁ ଦେବା, ସେମାନେ ସେଠାରେ କୃଷିକର୍ମ କରି ବାସ କରିବେ।’”
12 ଏଥିଉତ୍ତାରେ ମୁଁ ସେହି ସମସ୍ତ ବାକ୍ୟାନୁସାରେ ଯିହୁଦାର ରାଜା ସିଦିକୀୟକୁ ଏହି କଥା କହିଲି, “ତୁମ୍ଭେମାନେ ଆପଣା ଆପଣା ବେକ ବାବିଲ ରାଜାର ଯୁଆଳି ତଳେ ଦେଇ ତାହାର ଓ ତାହାର ଲୋକମାନଙ୍କର ଦାସ୍ୟକର୍ମ କର, ତହିଁରେ ବଞ୍ଚିବ। 13 ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଦାସ୍ୟକର୍ମ କରିବେ ନାହିଁ, ସେମାନଙ୍କ ବିଷୟରେ ସଦାପ୍ରଭୁ ଯାହା କହିଅଛନ୍ତି, ତଦନୁସାରେ ତୁମ୍ଭେମାନେ, ଅର୍ଥାତ୍, ତୁମ୍ଭେ ଓ ତୁମ୍ଭର ଲୋକମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା କାହିଁକି ମରିବ ?
14 ପୁଣି, ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ ବୋଲି ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ ବାକ୍ୟରେ ମନୋଯୋଗ କର ନାହିଁ; ଯେହେତୁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି। 15 କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ,ମାତ୍ର ଆମ୍ଭେ ଯେପରି ତୁମ୍ଭମାନଙ୍କୁ ତଡ଼ି ଦେବୁ ଓ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାରକାରୀ ଭବିଷ୍ୟଦ୍ବକ୍ତାମାନେ ଯେପରି ବିନଷ୍ଟ ହେବେ, ଏଥିପାଇଁ ସେମାନେ ମିଥ୍ୟାରେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି।’”
16 ଆହୁରି, ମୁଁ ଯାଜକମାନଙ୍କୁ ଓ ଏହି ସମସ୍ତ ଲୋକଙ୍କୁ କହିଲି, “ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କହନ୍ତି, ‘ଦେଖ, ସଦାପ୍ରଭୁଙ୍କ ଗୃହର ପାତ୍ରସକଳ ଅଳ୍ପ କାଳ ମଧ୍ୟରେ ବାବିଲରୁ ଅଣାଯିବ,’ ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି। 17 ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; ବାବିଲ ରାଜାର ଦାସ୍ୟକର୍ମ କର; ତହିଁରେ ବଞ୍ଚିବ; ଏହି ନଗର କାହିଁକି ଉତ୍ସନ୍ନ ସ୍ଥାନ ହେବ ?”
18 ମାତ୍ର ଯଦି ସେମାନେ ଭବିଷ୍ୟଦ୍ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ଯଦି ସେମାନଙ୍କଠାରେ ଥାଏ, ତେବେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଯେସକଳ ପାତ୍ର ଅବଶିଷ୍ଟ ଅଛି, ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ବିନତି କରନ୍ତୁ।
19 କାରଣ ବାବିଲର ରାଜା ନବୂଖଦ୍ନିତ୍ସର ଯିହୋୟାକୀମର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍କୁ, ଆଉ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରଧାନ ବର୍ଗଙ୍କୁ ବନ୍ଦୀ କରି ଯିରୂଶାଲମରୁ ବାବିଲକୁ ନେଇ ଯିବା ସମୟରେ, 20 ଯେଉଁ ସ୍ତମ୍ଭଦ୍ୱୟ ଓ ସମୁଦ୍ରପାତ୍ର, ବୈଠିକି ଓ ଯେସମସ୍ତ ପାତ୍ର ସଙ୍ଗରେ ନେଇ ନ ଥିଲା, ଯାହା ଏହି ନଗରରେ ଅବଶିଷ୍ଟ ଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
21 ହଁ, ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଅବଶିଷ୍ଟ ଥିବା ସେହି ସକଳ ପାତ୍ର ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; 22 “ସେସବୁ ବାବିଲକୁ ନିଆଯିବ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ ନ କରିବା ଦିନ ପର୍ଯ୍ୟନ୍ତ ସେସବୁ ସେସ୍ଥାନରେ ଥିବ,” ଏହା ସଦାପ୍ରଭୁ କହନ୍ତି, ତଦନନ୍ତର ଆମ୍ଭେ ସେସବୁ ଏହି ସ୍ଥାନକୁ ଫେରାଇ ଆଣିବା।
Chapter 28
ଭଣ୍ଡ ଭାବବାଦୀ ହନାନୀୟ
1 ଏଥିଉତ୍ତାରେ ସେହି ବର୍ଷ, ଅର୍ଥାତ୍, ଯିହୁଦାର ରାଜା ସିଦିକୀୟର ରାଜତ୍ୱର ଆରମ୍ଭ ସମୟରେ, ଚତୁର୍ଥ ବର୍ଷର ପଞ୍ଚମ ମାସରେ ଗିବୀୟୋନ୍ ନିବାସୀ ଅସ୍ସୁରର ପୁତ୍ର ହନାନୀୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ଲୋକସମସ୍ତଙ୍କର ସାକ୍ଷାତରେ ମୋତେ ଏହି କଥା କହିଲା,
2 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ଅଛୁ। 3 ବାବିଲର ରାଜା ନବୂଖଦ୍ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ପୁନର୍ବାର ଏହି ସ୍ଥାନକୁ ଆଣିବା। 4 ପୁଣି, ଯିହୋୟାକୀମ୍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍କୁ, ଯିହୁଦାରୁ ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା,” ଏହା ସଦାପ୍ରଭୁ କହନ୍ତି; “କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।”
5 ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ପରମେଶ୍ୱରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ହନାନୀୟ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, 6 ଅର୍ଥାତ୍, ଯିରିମୀୟ ଭବିଷ୍ୟଦ୍ବକ୍ତା ଏହା କହିଲେ, “ଆମେନ୍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।
7 ତଥାପି ମୁଁ ତୁମ୍ଭ କର୍ଣ୍ଣଗୋଚରରେ ଓ ସମଗ୍ର ଲୋକଙ୍କ କର୍ଣ୍ଣଗୋଚରରେ ଏହି ଯେଉଁ କଥା କହିଅଛି, ତାହା ଶୁଣ। 8 ତୁମ୍ଭର ଓ ମୋର ପୂର୍ବରେ ଥିବା ପୁରାତନ କାଳର ଭବିଷ୍ୟଦ୍ବକ୍ତାମାନେ ଅନେକ ଦେଶ ଓ ବୃହତ ବୃହତ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଅମଙ୍ଗଳ ଓ ମହାମାରୀ ବିଷୟକ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛନ୍ତି। 9 ଯେଉଁ ଭବିଷ୍ୟଦ୍ବକ୍ତା ଶାନ୍ତିର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ, ସେହି ଭବିଷ୍ୟଦ୍ବକ୍ତାଙ୍କର ବାକ୍ୟ ସଫଳ ହେଲା ଉତ୍ତାରେ ସିନା ସଦାପ୍ରଭୁ ପ୍ରକୃତରେ ତାହାକୁ ପଠାଇ ଅଛନ୍ତି ବୋଲି ଜଣା ପଡ଼େ।”
10 ତହିଁରେ ହନାନୀୟ ଭବିଷ୍ୟଦ୍ବକ୍ତା ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି କାଢ଼ି ନେଇ ତାହା ଭାଙ୍ଗି ପକାଇଲା। 11 ଆଉ, ହନାନୀୟ ଲୋକସମୂହର ସାକ୍ଷାତରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଏହି ରୂପେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ବାବିଲର ରାଜା ନବୂଖଦ୍ନିତ୍ସରର ଯୁଆଳି, ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।’” ଏଥିରେ ଯିରିମୀୟ ଭବିଷ୍ୟଦ୍ବକ୍ତା ଆପଣା ବାଟରେ ଚାଲିଗଲେ।
12 ହନାନୀୟ ଭବିଷ୍ୟଦ୍ବକ୍ତା ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି ଭାଙ୍ଗିଲା ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 13 ତୁମ୍ଭେ ଯାଇ ହନାନୀୟକୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ କାଷ୍ଠର ଯୁଆଳି ଭାଙ୍ଗିଅଛ ପ୍ରମାଣ; ମାତ୍ର ତହିଁ ବଦଳରେ ତୁମ୍ଭେ ଲୁହାର ଯୁଆଳି ପ୍ରସ୍ତୁତ କରିବ।’ 14 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହିସବୁ ଦେଶୀୟ ଲୋକମାନେ ଯେପରି ବାବିଲର ରାଜା ନବୂଖଦ୍ନିତ୍ସରର ଦାସ୍ୟକର୍ମ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛୁ ଓ ସେମାନେ ତାହାର ଦାସ୍ୟକର୍ମ କରିବେ; ପୁଣି, ଆମ୍ଭେ କ୍ଷେତ୍ରସ୍ଥ ପଶୁଗଣ ମଧ୍ୟ ତାହାକୁ ଦେଇଅଛୁ।’”
15 ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ହନାନୀୟ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ହେ ହନାନୀୟ, ଏବେ ଶୁଣ; ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି; ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଉଅଛ। 16 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରି ଦେବା; ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ, ଏଥିପାଇଁ ଏହି ବର୍ଷ ମଧ୍ୟରେ ତୁମ୍ଭେ ମରିବ।’” 17 ତହିଁରେ ହନାନୀୟ ଭବିଷ୍ୟଦ୍ବକ୍ତା ସେହି ବର୍ଷର ସପ୍ତମ ମାସରେ ମଲେ।
Chapter 29
ନିର୍ବାସିତଙ୍କୁ ଯିରିମୀୟଙ୍କ ପତ୍ର
1 ଯିହୋୟାଖୀନ୍ ରାଜା ଓ ରାଜମାତା ଓ ନପୁଂସକଗଣ, ଆଉ ଯିହୁଦାର ଓ ଯିରୂଶାଲମର ଅଧିପତିମାନେ, ଶିଳ୍ପକରମାନେ ଓ କର୍ମକାରମାନେ ଯିରୂଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ, 2 ଯିରିମୀୟ ଭବିଷ୍ୟଦ୍ବକ୍ତା ନିର୍ବାସିତ ଲୋକମାନଙ୍କର ଅବଶିଷ୍ଟ ପ୍ରାଚୀନବର୍ଗଙ୍କର ଓ ନବୂଖଦ୍ନିତ୍ସର ଦ୍ୱାରା ନିର୍ବାସାର୍ଥେ ଯିରୂଶାଲମଠାରୁ ବାବିଲକୁ ନୀତ ଯାଜକମାନଙ୍କର, ଭବିଷ୍ୟଦ୍ବକ୍ତାଗଣଙ୍କ ଓ ସମସ୍ତ ଲୋକମାନଙ୍କର ନିକଟକୁ ଯେଉଁ ପତ୍ର ଲେଖି, 3 ଯିହୁଦାର ରାଜା ସିଦିକୀୟ ଦ୍ୱାରା ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ବାବିଲକୁ ପ୍ରେରିତ ଶାଫନ୍ର ପୁତ୍ର ଇଲୀୟାସା ହିଲ୍କିୟର ପୁତ୍ର ଗମରୀୟର ହସ୍ତ ଦ୍ୱାରା ଯିରୂଶାଲମଠାରୁ ପଠାଇଥିଲେ, ସେହି ପତ୍ରରେ ଏହିସବୁ କଥା ଥିଲା, ଯଥା,
4 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ଯିରୂଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସକଳ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି; 5 ‘ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କର;
6 ତୁମ୍ଭେମାନେ ଭାର୍ଯ୍ୟା ଗ୍ରହଣ କରି ପୁତ୍ରକନ୍ୟା ଜାତ କର, ଆଉ ତୁମ୍ଭମାନଙ୍କର ପୁତ୍ରଗଣକୁ ଭାର୍ଯ୍ୟା ଗ୍ରହଣ କରାଅ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ ସ୍ୱାମୀ ଗ୍ରହଣ କରାଅ, ସେମାନେ ପୁତ୍ରକନ୍ୟା ଜାତ କରନ୍ତୁ; ଆଉ, ତୁମ୍ଭେମାନେ ସେଠାରେ ବର୍ଦ୍ଧିତ ହୋଇ ଊଣା ହୁଅ ନାହିଁ। 7 ପୁଣି, ଆମ୍ଭେ ଯେଉଁ ନଗରରେ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ତହିଁର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ତହିଁର ଶାନ୍ତିରେ ତୁମ୍ଭମାନଙ୍କର ଶାନ୍ତି ହେବ।’”
8 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ତୁମ୍ଭମାନଙ୍କର ମଧ୍ୟବର୍ତ୍ତୀ ତୁମ୍ଭମାନଙ୍କର ଭବିଷ୍ୟଦ୍ବକ୍ତାମାନେ ଓ ଗଣକମାନେ ତୁମ୍ଭମାନଙ୍କୁ ନ ଭୁଲାଉନ୍ତୁ, ଅଥବା ତୁମ୍ଭେମାନେ ଯେଉଁ ସ୍ୱପ୍ନ ଦର୍ଶନ କର, ତୁମ୍ଭମାନଙ୍କର ସେହିସବୁ ସ୍ୱପ୍ନରେ ମନୋଯୋଗ କର ନାହିଁ। 9 କାରଣ ସେମାନେ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି;” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।” 10 ଯେହେତୁ ସଦାପ୍ରଭୁ ଏହି କଥା କହନ୍ତି, “ବାବିଲର ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା ଓ ତୁମ୍ଭମାନଙ୍କୁ ଏହି ସ୍ଥାନକୁ ଫେରାଇ ଆଣି ତୁମ୍ଭମାନଙ୍କ ପକ୍ଷରେ ଆମ୍ଭର ମଙ୍ଗଳ ବାକ୍ୟ ସିଦ୍ଧ କରିବା।”
11 କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଂକଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ, ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଂକଳ୍ପ ଅଟେ। 12 ପୁଣି, ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭ ନିକଟରେ ପ୍ରାର୍ଥନା କରିବ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା। 13 ଆଉ, ତୁମ୍ଭେମାନେ ଆମ୍ଭଙ୍କୁ ଅନ୍ୱେଷଣ କରିବ ଓ ସର୍ବାନ୍ତଃକରଣ ସହିତ ଆମ୍ଭଙ୍କୁ ଖୋଜିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ।”
14 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା, ପୁଣି, ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ଯେଉଁ ସକଳ ଜାତିମାନଙ୍କ ମଧ୍ୟକୁ, ଯେସକଳ ସ୍ଥାନକୁ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଇଅଛୁ, ସେହିସବୁ ସ୍ଥାନରୁ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା,” ଏହା ସଦାପ୍ରଭୁ କହନ୍ତି; “ଆଉ, ଆମ୍ଭେ ଯେଉଁ ସ୍ଥାନରୁ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସ୍ଥାନକୁ ପୁନର୍ବାର ଆଣିବା।”
15 “ସଦାପ୍ରଭୁ ବାବିଲରେ ଆମ୍ଭମାନଙ୍କ ନିମନ୍ତେ ଭବିଷ୍ୟଦ୍ବକ୍ତାଗଣ ଉତ୍ପନ୍ନ କରିଅଛନ୍ତି” ବୋଲି ତୁମ୍ଭେମାନେ କହିଅଛ। 16 ଏହେତୁ ଦାଉଦର ସିଂହାସନରେ ଉପବିଷ୍ଟ ରାଜା ବିଷୟରେ ଓ ଏହି ନଗରରେ ବାସକାରୀ ସମସ୍ତ ଲୋକଙ୍କର, ଅର୍ଥାତ୍, ତୁମ୍ଭର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କ ସଙ୍ଗେ ବନ୍ଦୀ ହୋଇ ଯାଇ ନାହାନ୍ତି, ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ପଠାଇବା ଓ ଘୃଣାଜନକ ଯେଉଁ ଡିମ୍ବିରି ଫଳ ଅତି ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ତାହାରି ତୁଲ୍ୟ ସେମାନଙ୍କୁ କରିବା। 18 ପୁଣି, ଆମ୍ଭେ ଯେ ଯେ ଗୋଷ୍ଠୀ ମଧ୍ୟକୁ ସେମାନଙ୍କୁ ତଡ଼ି ଦେଇଅଛୁ, ସେସମସ୍ତଙ୍କ ମଧ୍ୟରେ ସେମାନଙ୍କୁ ଅଭିଶାପର, ବିସ୍ମୟର, ଶୀସ୍ ଶବ୍ଦର ଓ ନିନ୍ଦାର ପାତ୍ର ହେବା ନିମନ୍ତେ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ନେଇ ସେମାନଙ୍କ ପଛେ ପଛେ ଗୋଡ଼ାଇବା ଓ ପୃଥିବୀର ସମସ୍ତ ରାଜ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷେପ କରିବା;”
19 କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ସେହି ବାକ୍ୟରେ ମନୋଯୋଗ କରି ନାହାନ୍ତି;” ମାତ୍ର ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭର ବାକ୍ୟ ଶୁଣିବାକୁ ସମ୍ମତ ହେଲ ନାହିଁ।” 20 ଏହେତୁ ଆମ୍ଭ ଦ୍ୱାରା ଯିରୂଶାଲମରୁ ବାବିଲକୁ ପ୍ରେରିତ ନିର୍ବାସିତ ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
21 କୋଲାୟର ପୁତ୍ର ଆହବ ଓ ମାସେୟର ପୁତ୍ର ସିଦିକୀୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ସେମାନଙ୍କୁ ସମର୍ପଣ କରିବା, ତହିଁରେ ସେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବଧ କରିବ; 22 ପୁଣି, ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ବ୍ୟକ୍ତିର ଉପଲକ୍ଷ୍ୟରେ ଏହି ଅଭିଶାପର କଥା ପ୍ରଚଳିତ ହେବ, ‘ଯଥା, ବାବିଲର ରାଜା ସିଦିକୀୟ ଓ ଆହାବଙ୍କୁ ଯେପରି ଅଗ୍ନିରେ ଦଗ୍ଧ କରିଥିଲେ, ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କୁ କରନ୍ତୁ। 23 କାରଣ ସେମାନେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କାର୍ଯ୍ୟ କରିଅଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ବ୍ୟଭିଚାର କରିଅଛନ୍ତି, ପୁଣି, ଆମ୍ଭେ ଯାହା ଆଜ୍ଞା କରି ନାହୁଁ, ଏପରି ମିଥ୍ୟା କଥା ଆମ୍ଭ ନାମରେ କହିଅଛନ୍ତି,’” ସଦାପ୍ରଭୁ କହନ୍ତି, “ଆମ୍ଭେ ଜାଣୁ ଓ ଆମ୍ଭେ ସାକ୍ଷୀ ଅଛୁ।”
ଶମୟୀୟର ମିଥ୍ୟା ଭାବବାଣୀ
24 ଆହୁରି, ତୁମ୍ଭେ ନିହିଲାମୀୟ ଶମୟୀୟର ବିଷୟରେ ଏହି କଥା କହିବ, 25 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ଯିରୂଶାଲମସ୍ଥିତ ସମସ୍ତ ଲୋକଙ୍କ ନିକଟକୁ ଓ ମାସେୟର ପୁତ୍ର ସଫନୀୟ ଯାଜକ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଇଅଛ, ଯଥା, 26 କେହି ବାତୁଳ ହୋଇ ଆପଣାକୁ ଭବିଷ୍ୟଦ୍ବକ୍ତା ପରି ଦେଖାଇଲେ, ତାହାକୁ ହରିକାଠରେ ଓ ବେଡ଼ିରେ ରଖିବା ପାଇଁ ସଦାପ୍ରଭୁଙ୍କ ଗୃହରେ ତୁମ୍ଭେମାନେ ଯେପରି ରକ୍ଷକ ସ୍ୱରୂପ ହେବ, ଏଥିପାଇଁ ଯିହୋୟାଦା ଯାଜକର ବଦଳରେ ସଦାପ୍ରଭୁ ତୁମ୍ଭକୁ ଯାଜକ କରିଅଛନ୍ତି।
27 ଏହେତୁ ଅନାଥୋତୀୟ ଯେଉଁ ଯିରିମୀୟ ତୁମ୍ଭମାନଙ୍କ ନିକଟରେ ଆପଣାକୁ ଭବିଷ୍ୟଦ୍ବକ୍ତା ପରି ଦେଖାଉଅଛି, ତୁମ୍ଭେ କାହିଁକି ତାହାକୁ ଧମକ ଦେଇ ନାହଁ ? 28 ସେ କାରଣରୁ ସେ ବାବିଲରେ ଆମ୍ଭମାନଙ୍କ ନିକଟକୁ ପଠାଇ କହିଅଛି, ନିର୍ବାସିତ କାଳ ଦୀର୍ଘ, ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଭୋଗ କର।’”
29 ଏଥିଉତ୍ତାରେ ସଫନୀୟ ଯାଜକ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ କର୍ଣ୍ଣଗୋଚରରେ ଏହି ପତ୍ର ପାଠ କଲା। 30 ତହିଁ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 31 ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, “ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି,’
32 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ନିହିଲାମୀୟ ଶମୟୀୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା; ଏହି ଲୋକମାନଙ୍କ ମଧ୍ୟରେ ବାସ କରିବା ପାଇଁ ତାହାର କେହି ରହିବେ ନାହିଁ; ଆଉ, ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ,’ ଏହା ସଦାପ୍ରଭୁ କହନ୍ତି; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।”
Chapter 30
ଇସ୍ରାଏଲ ଓ ଯିହୁଦାର ପୁନଃସ୍ଥାପନ
1 ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ଯଥା, 2 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଯେଉଁ ସକଳ କଥା କହିଅଛୁ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ।’ 3 କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ଏପରି ସମୟ ଆସୁଅଛି,’ ସଦାପ୍ରଭୁ କହନ୍ତି; ‘ହଁ, ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।’”
4 ଇସ୍ରାଏଲ ଓ ଯିହୁଦା ବିଷୟରେ ସଦାପ୍ରଭୁଙ୍କର କଥିତ ବାକ୍ୟ ଏହି।
5 “ସଦାପ୍ରଭୁ ଏହି କଥା କହନ୍ତି;
‘ଆମ୍ଭେମାନେ କମ୍ପିବାର ଓ ଭୟର ଶବ୍ଦ ଶୁଣିଅଛୁ, କିନ୍ତୁ ଶାନ୍ତିର ଶବ୍ଦ ନୁହେଁ।
6 କୌଣସି ପୁରୁଷର ପ୍ରସବ ବେଦନା ହେଉଅଛି କି ନାହିଁ, ତୁମ୍ଭେମାନେ ପଚାରି ବୁଝ;
ପ୍ରସବ ବେଦନାର ସମୟରେ ଯେପରି ସ୍ତ୍ରୀଲୋକର,
ସେପରି ପ୍ରତ୍ୟେକ ପୁରୁଷର ଆପଣା କଟିଦେଶରେ ହସ୍ତ ଦେବାର
ଓ ସମସ୍ତଙ୍କର ମୁଖ ମଳିନ ହେବାର ଆମ୍ଭେ କାହିଁକି ଦେଖୁଅଛୁ ?
7 ହାୟ ହାୟ ! ସେ ଦିନ ମହତ, ତାହା ତୁଲ୍ୟ ଦିନ ଆଉ ନାହିଁ,
ତାହା ଯାକୁବର ସଙ୍କଟ କାଳ; ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।’
8 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
‘ଆମ୍ଭେ ସେହି ଦିନ ତୁମ୍ଭ ସ୍କନ୍ଧରୁ ତାହାର ଯୁଆଳି ଭାଙ୍ଗି ପକାଇବା
ଓ ତୁମ୍ଭର ବନ୍ଧନସବୁ ଛିଣ୍ଡାଇ ଦେବା;
ପୁଣି, ବିଦେଶୀମାନେ ଆଉ ଆପଣାମାନଙ୍କର ଦାସ୍ୟକର୍ମ ତାହାକୁ କରାଇବେ ନାହିଁ।
9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ
ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯାହାଙ୍କୁ ଉତ୍ପନ୍ନ କରିବା,
ଆପଣାମାନଙ୍କର ସେହି ରାଜା ଦାଉଦଙ୍କର ଦାସ୍ୟକର୍ମ କରିବେ।’
10 ଏହେତୁ ସଦାପ୍ରଭୁ କହନ୍ତି,
‘ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ;
ଅଥବା ହେ ଇସ୍ରାଏଲ, ନିରାଶ ହୁଅ ନାହିଁ;
କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ
ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବୁ,
ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ
ଓ କେହି ତାହାକୁ ଭୟ ଦେଖାଇବ ନାହିଁ।’
11 କାରଣ ସଦାପ୍ରଭୁ କହନ୍ତି,
‘ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା ପାଇଁ ତୁମ୍ଭ ସଙ୍ଗରେ ଅଛୁ;
ହଁ, ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛୁ,
ସେହି ସମସ୍ତଙ୍କୁ ନିଃଶେଷ ରୂପେ ସଂହାର କରିବା,
ମାତ୍ର ତୁମ୍ଭକୁ ଆମ୍ଭେ ନିଃଶେଷ ରୂପେ ସଂହାର କରିବା ନାହିଁ;
ତଥାପି ଆମ୍ଭେ ବିବେଚନାପୂର୍ବକ ତୁମ୍ଭକୁ ଶାସ୍ତି ଦେବା
ଓ କୌଣସିମତେ ତୁମ୍ଭକୁ ଦଣ୍ଡ ନ ଦେଇ ଛାଡ଼ିବା ନାହିଁ।’
12 କାରଣ ସଦାପ୍ରଭୁ ଏହି କଥା କହନ୍ତି,
‘ତୁମ୍ଭର କ୍ଷତ ଅପ୍ରତୀକାର୍ଯ୍ୟ ଓ ତୁମ୍ଭର ଘା’ ବ୍ୟଥାଜନକ।
13 ତୁମ୍ଭର କ୍ଷତ ଯେପରି ବନ୍ଧା ଯିବ,
ଏଥିପାଇଁ ତୁମ୍ଭ ସପକ୍ଷରେ ପ୍ରତିବାଦ କରିବାକୁ କେହି ନାହିଁ,
ତୁମ୍ଭର ସ୍ୱାସ୍ଥ୍ୟଜନକ ଔଷଧ ନାହିଁ।’
14 ତୁମ୍ଭର ପ୍ରେମକାରୀ ସମସ୍ତେ ତୁମ୍ଭକୁ ପାସୋରି ଅଛନ୍ତି;
ସେମାନେ ତୁମ୍ଭକୁ ଖୋଜନ୍ତି ନାହିଁ;
କାରଣ ତୁମ୍ଭର ଅଧର୍ମ ବହୁଳ ଓ ତୁମ୍ଭର ପାପ ବୃଦ୍ଧି ହେବା ସକାଶୁ
ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟ ଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।
15 ତୁମ୍ଭେ ଆପଣା କ୍ଷତ ସକାଶୁ କାହିଁକି କ୍ରନ୍ଦନ କରୁଅଛ ? ତୁମ୍ଭର ବେଦନା ଅପ୍ରତୀକାର୍ଯ୍ୟ,
ତୁମ୍ଭର ଅଧର୍ମ ବହୁଳ ଓ ତୁମ୍ଭର ପାପ ବୃଦ୍ଧି ହେବା ସକାଶୁ
ଆମ୍ଭେ ତୁମ୍ଭ ପ୍ରତି ଏହିସବୁ କରିଅଛୁ।
16 ଏହେତୁ ଯେଉଁମାନେ ତୁମ୍ଭକୁ ଗ୍ରାସ କରନ୍ତି, ସେମାନେ ଗ୍ରାସିତ ହେବେ
ଓ ତୁମ୍ଭର ବିପକ୍ଷ ସମସ୍ତେ ସେମାନଙ୍କର ପ୍ରତ୍ୟେକ ଜଣର ବନ୍ଦୀତ୍ୱ ସ୍ଥାନକୁ ଯିବେ
ଓ ଯେଉଁମାନେ ତୁମ୍ଭକୁ ଲୁଟନ୍ତି, ସେମାନେ ଲୁଟିତ ହେବେ;
ଯେଉଁମାନେ ତୁମ୍ଭର ଦ୍ରବ୍ୟ ହରଣ କରନ୍ତି, ସେହି ସମସ୍ତଙ୍କର ଦ୍ରବ୍ୟ ଆମ୍ଭେ ହରଣ କରାଇବା।
17 କାରଣ ସଦାପ୍ରଭୁ କହନ୍ତି,
‘ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା
ଓ ଆମ୍ଭେ ତୁମ୍ଭର ଘା’ ସବୁ ସୁସ୍ଥ କରିବା;
କାରଣ ସେମାନେ ତୁମ୍ଭକୁ ଦୂରୀକୃତା ବୋଲି ଡାକି କହନ୍ତି,
ଏ ସିୟୋନ, ଏହାକୁ କେହି ଚାହେଁ ନାହିଁ।’
18 ସଦାପ୍ରଭୁ ଏହି କଥା କହନ୍ତି,
‘ଦେଖ, ଆମ୍ଭେ ଯାକୁବର ତମ୍ବୁସକଳର ବନ୍ଦୀତ୍ୱ ପରିବର୍ତ୍ତନ କରିବା
ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା;
ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ
ଓ ରାଜଗୃହ ତହିଁର ରୀତିମତେ ରହିବ।
19 ଆଉ, ସେହି ସ୍ଥାନ ମଧ୍ୟରୁ ଧନ୍ୟବାଦ
ଓ ଆନନ୍ଦକାରୀମାନଙ୍କର ଧ୍ୱନି ନିର୍ଗତ ହେବ;
ପୁଣି, ଆମ୍ଭେ ସେମାନଙ୍କୁ ବୃଦ୍ଧି କରିବା ଓ ସେମାନେ ଅଳ୍ପସଂଖ୍ୟକ ହେବେ ନାହିଁ;
ଆହୁରି, ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା ଓ ସେମାନେ କ୍ଷୁଦ୍ର ହେବେ ନାହିଁ।
20 ସେମାନଙ୍କର ସନ୍ତାନଗଣ ମଧ୍ୟ ପୂର୍ବ ପରି ହେବେ
ଓ ସେମାନଙ୍କର ମଣ୍ଡଳୀ ଆମ୍ଭ ସାକ୍ଷାତରେ ସ୍ଥିରୀକୃତ ହେବ
ଓ ଯେଉଁମାନେ ସେମାନଙ୍କର ଉପଦ୍ରବ କରନ୍ତି, ସେସମସ୍ତଙ୍କୁ ଆମ୍ଭେ ଶାସ୍ତି ଦେବା।
21 ପୁଣି, ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ
ଓ ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ନିର୍ଗତ ହେବେ;
ଆଉ, ଆମ୍ଭେ ତାଙ୍କୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ,’
କାରଣ ସଦାପ୍ରଭୁ କହନ୍ତି,
‘ଆମ୍ଭ ନିକଟକୁ ଆସିବା ପାଇଁ ଯେ ସାହସ କରିଅଛନ୍ତି, ସେ କିଏ ?
22 ପୁଣି, ତୁମ୍ଭେମାନେ ଆମ୍ଭର ଲୋକ ହେବ,
ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।’
23 ଦେଖ, ସଦାପ୍ରଭୁଙ୍କର ତୋଫାନ, ଅର୍ଥାତ୍, ତାହାଙ୍କର ପ୍ରଚଣ୍ଡ କ୍ରୋଧ,
ସର୍ବନାଶକାରୀ ତୋଫାନ ନିର୍ଗତ ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ।
24 ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିବା ପର୍ଯ୍ୟନ୍ତ
ତାହାଙ୍କର ପ୍ରଜ୍ୱଳିତ କ୍ରୋଧ ନିବୃତ୍ତ ହେବ ନାହିଁ; ତୁମ୍ଭେମାନେ ଅନ୍ତିମ କାଳରେ ଏହା ବୁଝିବ।”
Chapter 31
ଇସ୍ରାଏଲର ସ୍ୱଦେଶ ପ୍ରତ୍ୟାବର୍ତ୍ତନ
1 ସଦାପ୍ରଭୁ କହନ୍ତି, “ସେହି ସମୟରେ ଆମ୍ଭେ ଇସ୍ରାଏଲର ସମୁଦାୟ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।”
2 ସଦାପ୍ରଭୁ ଏହି କଥା କହନ୍ତି,
“ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ ପ୍ରାନ୍ତରରେ ଅନୁଗ୍ରହ ପ୍ରାପ୍ତ ହେଲେ,
ଅର୍ଥାତ୍, ଆମ୍ଭେ ତାହାକୁ ବିଶ୍ରାମ ଦେବା ପାଇଁ ଗମନ କଲା ବେଳେ
ଇସ୍ରାଏଲ ତାହା ପ୍ରାପ୍ତ ହେଲା।”
3 ସଦାପ୍ରଭୁ ପୁରାତନ କାଳରେ ମୋତେ ଦର୍ଶନ ଦେଇ କହିଲେ,
“ହଁ, ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ,
ଏହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ।
4 ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା ଓ ତୁମ୍ଭେ ଗଢ଼ାଯିବ;
ତୁମ୍ଭେ ପୁନର୍ବାର ଆପଣା ତବଲରେ ବିଭୂଷିତା ହେବ
ଓ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ।
5 ତୁମ୍ଭେ ପୁନର୍ବାର ଶମରୀୟାର ପର୍ବତରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ,
ରୋପଣକାରୀମାନେ ରୋପଣ କରି ତହିଁର ଫଳ ଭୋଗ କରିବେ।
6 କାରଣ ଯେଉଁ ଦିନରେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ,
ଉଠ, ଆମ୍ଭେମାନେ ସିୟୋନକୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛାମୁକୁ ଯାଉ,ଏପରି ଦିନ ଆସିବ।”
7 କାରଣ ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର
ଓ ଗୋଷ୍ଠୀବର୍ଗର ଅଗ୍ରଗଣ୍ୟ ନିମନ୍ତେ ଜୟଧ୍ୱନି କର;
ତୁମ୍ଭେମାନେ ପ୍ରଚାର କରି, ପ୍ରଶଂସା କରି କୁହ,
‘ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକ ଇସ୍ରାଏଲର ଅବଶିଷ୍ଟାଂଶକୁ ପରିତ୍ରାଣ କର।’
8 ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା,
ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା,
ଗର୍ଭବତୀ ଓ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀକୁ ଏକତ୍ର ସଂଗ୍ରହ କରିବା;
ସେମାନେ ମହାଲୋକାରଣ୍ୟ ହୋଇ ଏହି ସ୍ଥାନକୁ ଆସିବେ।
9 ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ୱାରା ଆନୀତ ହେବେ,
ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା,
ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ;
କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।”
10 ହେ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ
ଓ ଦୂରସ୍ଥ ଦ୍ୱୀପସମୂହରେ ତାହା ପ୍ରଚାର କରି କୁହ,
“ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ,
ଆଉ ପାଳକ ଯେପରି ଆପଣା ପଲ ରକ୍ଷା କରେ, ସେପରି ସେ ତାହାକୁ ରକ୍ଷା କରିବେ।”
11 କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି
ଓ ତାହା ଅପେକ୍ଷା ବଳବାନର ହସ୍ତରୁ ତାହାକୁ ମୁକ୍ତ କରିଅଛନ୍ତି।
12 ପୁଣି, ସେମାନେ ଆସି ସିୟୋନର ଶୃଙ୍ଗରେ ଗାନ କରିବେ
ଓ ସ୍ରୋତ ତୁଲ୍ୟ ସଦାପ୍ରଭୁଙ୍କ ଉତ୍ତମତାର ନିକଟକୁ, ଶସ୍ୟ ଓ ଦ୍ରାକ୍ଷାରସ,
ତୈଳ ଓ ପଲର ମେଷବତ୍ସ ଓ ଗୋପଲର ଗୋବତ୍ସ ନିକଟକୁ ବହି ଆସିବେ
ଓ ସେମାନଙ୍କର ପ୍ରାଣ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ;
ପୁଣି, ସେମାନେ ଆଉ କିଛି ଶୋକ କରିବେ ନାହିଁ।
13 ସେତେବେଳେ କୁମାରୀଗଣ ନୃତ୍ୟରେ,
ପୁଣି, ଯୁବା ଓ ବୃଦ୍ଧମାନେ ଏକତ୍ର ଆନନ୍ଦ କରିବେ,
କାରଣ ଆମ୍ଭେ ସେମାନଙ୍କ ଶୋକକୁ ଆନନ୍ଦରେ ପରିଣତ କରିବା,
ଆମ୍ଭେ ସେମାନଙ୍କୁ ସାନ୍ତ୍ୱନା କରିବା ଓ ସେମାନଙ୍କ ଦୁଃଖରୁ ସେମାନଙ୍କୁ ଆନନ୍ଦିତ କରିବା।
14 ଆଉ, ଆମ୍ଭେ ପୁଷ୍ଟିକର ଦ୍ରବ୍ୟରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା
ଓ ଆମ୍ଭର ଲୋକମାନେ ଆମ୍ଭର ଉତ୍ତମତାରେ ପରିତୃପ୍ତ ହେବେ,” ଏହା ସଦାପ୍ରଭୁ କହନ୍ତି।
15 ସଦାପ୍ରଭୁ ଏହି କଥା କହନ୍ତି,
“ରାମାରେ ହାହାକାର ଓ ତୀବ୍ର ରୋଦନର ଶବ୍ଦ ଶୁଣାଯାଏ,
ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଅଛି;
ସେ ଆପଣା ସନ୍ତାନଗଣର ବିଷୟରେ ପ୍ରବୋଧ କଥା ମାନୁ ନାହିଁ,
କାରଣ ସେମାନେ ନାହାନ୍ତି।”
16 ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭ କ୍ରନ୍ଦନର ଶବ୍ଦ ଓ ଚକ୍ଷୁର ଲୋତକ ନିବୃତ୍ତ କର;
କାରଣ ତୁମ୍ଭ କର୍ମର ପୁରସ୍କାର ଦତ୍ତ ହେବ,”
ଏହା ସଦାପ୍ରଭୁ କହନ୍ତି;
“ଆଉ, ସେମାନେ ଶତ୍ରୁର ଦେଶରୁ ଫେରି ଆସିବେ।”
17 ସଦାପ୍ରଭୁ କହନ୍ତି,
“ତୁମ୍ଭର ଅନ୍ତିମ କାଳ ବିଷୟରେ ପ୍ରତ୍ୟାଶା ଅଛି;
ଆଉ, ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣାମାନଙ୍କର ସୀମାକୁ ଆସିବେ।
18 ଆମ୍ଭେ ନିଶ୍ଚୟ ଇଫ୍ରୟିମକୁ ଆପଣା ବିଷୟରେ ବିଳାପ କରି
ଏହି ପ୍ରକାର କହିବା ଶୁଣିଅଛୁ,
‘ମୁଁ ଅମଣା ବାଛୁରି ପରି ବୋଲି ତୁମ୍ଭେ ମୋତେ ଶାସ୍ତି ଦେଇଅଛ
ଓ ମୁଁ ଶାସ୍ତି ଭୋଗ କରିଅଛି;
ତୁମ୍ଭେ ମୋତେ ଫେରାଅ, ତହିଁରେ ମୁଁ ଫେରିବି;
କାରଣ ତୁମ୍ଭେ ସଦାପ୍ରଭୁ ମୋହର ପରମେଶ୍ୱର।
19 ମୁଁ ଫେରିଲା ଉତ୍ତାରେ ନିତାନ୍ତ ଅନୁତାପ କଲି
ଓ ଶିକ୍ଷା ପାଇଲା ଉତ୍ତାରେ ଆପଣା ଊରୁ ଦେଶରେ ଆଘାତ କଲି; [1]
ମୁଁ ଆପଣା ଯୌବନ କାଳରେ ଅପମାନ ଭୋଗ କରିବାରୁ ଲଜ୍ଜିତ ଓ ବ୍ୟାକୁଳ ହେଲି।’
20 ଇଫ୍ରୟିମ କି ଆମ୍ଭର ପ୍ରିୟ ପୁତ୍ର ? ସେ କି ଆନନ୍ଦଦାୟୀ ବାଳକ ?
କାରଣ ଆମ୍ଭେ ଯେତେ ଥର ତାହା ବିରୁଦ୍ଧରେ କଥା କହୁ,
ସେତେ ଥର ଆଗ୍ରହରେ ଆମ୍ଭେ ତାହାକୁ ସ୍ମରଣ କରୁ;
ଏଥିପାଇଁ ତାହା ନିମନ୍ତେ ଆମ୍ଭର ଅନ୍ତର ବ୍ୟାକୁଳ ହୁଏ;
ଆମ୍ଭେ ଅବଶ୍ୟ ତାହାକୁ ଦୟା କରିବା,” ଏହା ସଦାପ୍ରଭୁ କହନ୍ତି।
21 ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥ ଚିହ୍ନ ରଖ ଓ ପଥପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର;
ତୁମ୍ଭେ ଯେଉଁ ପଥରେ ଗମନ କରିଥିଲ, ସେହି ରାଜ ପଥରେ ମନୋନିବେଶ କର;
ହେ ଇସ୍ରାଏଲ କୁମାରୀ, ଫେରି ଆସ, ତୁମ୍ଭର ଏହିସବୁ ନଗରକୁ ଫେରି ଆସ।
22 ହେ ବିପଥଗାମିନୀ କନ୍ୟେ, ତୁମ୍ଭେ କେତେ କାଳ ଏଣେତେଣେ ଭ୍ରମଣ କରିବ ?
କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି,
ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ।
23 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: “ଆମ୍ଭେ ଯେଉଁ ସମୟରେ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ସେସମୟରେ ଯିହୁଦା ଦେଶରେ ଓ ତହିଁର ନଗରସକଳରେ ସେମାନେ ପୁନର୍ବାର ଏହି କଥା ବ୍ୟବହାର କରିବେ, ‘ହେ ଧର୍ମନିବାସ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।’
24 ପୁଣି, ଯିହୁଦା ଓ ତହିଁର ନଗରସକଳ, ଆଉ କୃଷକ ଓ ପଲ ନେଇ ଭ୍ରମଣକାରୀମାନେ ତହିଁ ମଧ୍ୟରେ ଏକତ୍ର ବାସ କରିବେ। 25 କାରଣ ଆମ୍ଭେ କ୍ଳାନ୍ତ ପ୍ରାଣକୁ ପରିତୃପ୍ତ କରିଅଛୁ, ପ୍ରତ୍ୟେକ ଦୁଃଖିତ ପ୍ରାଣକୁ ପରିପୂର୍ଣ୍ଣ କରିଅଛୁ।” 26 ଏଥିରେ ମୁଁ ଜାଗ୍ରତ ହୋଇ ଦେଖିଲି ଓ ମୋର ନିଦ୍ରା ମୋ’ ପ୍ରତି ସୁଖଦାୟକ ଥିଲା।
27 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ମଧ୍ୟରେ ମନୁଷ୍ୟ ଓ ପଶୁ ରୂପ ବୀଜ ବପନ କରିବା, ଏପରି ସମୟ ଆସୁଛି। 28 ଆଉ, ଆମ୍ଭେ ଯେପରି ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ ଓ ବିନାଶ କରିବାକୁ ଓ କ୍ଳେଶ ଦେବାକୁ ଜଗି ରହିଲୁ; ସେପରି ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା ପାଇଁ ଜଗି ରହିବା,” ଏହା ସଦାପ୍ରଭୁ କହନ୍ତି।
29 ‘ପିତୃଗଣ ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ଆଉ ସନ୍ତାନଗଣର ଦାନ୍ତ ଖଟା ହୋଇଅଛି,’
ଏପରି କଥା ସେସମୟରେ ଆଉ କୁହା ଯିବ ନାହିଁ।
30 ମାତ୍ର ପ୍ରତ୍ୟେକ ଲୋକ ନିଜ ଅଧର୍ମ ସକାଶୁ ମରିବ,
ଆଉ ଯେଉଁ ଜନ ଅମ୍ଳ ଦ୍ରାକ୍ଷାଫଳ ଖାଏ, ତାହାରି ଦାନ୍ତ ଖଟା ହେବ।
ଏକ ନୂତନ ନିୟମ ସ୍ଥାପନ
31 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି; 32 ମିସର ଦେଶରୁ ସେମାନଙ୍କର ପୂର୍ବପୁରୁଷଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ,” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ।”
33 ମାତ୍ର ସଦାପ୍ରଭୁ କହନ୍ତି, “ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ; 34 ପୁଣି, ‘ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ’ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ;” କାରଣ ସଦାପ୍ରଭୁ କହନ୍ତି, “ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”
35 ଦିବସରେ ଜ୍ୟୋତିଃ ଦେବା ପାଇଁ ଯେ ସୂର୍ଯ୍ୟ ପ୍ରଦାନ କରନ୍ତି
ଓ ରାତ୍ରିରେ ଜ୍ୟୋତିଃ ଦେବା ପାଇଁ ଯେ ଚନ୍ଦ୍ରର ଓ ନକ୍ଷତ୍ରଗଣର ବିଧାନାଦି ସ୍ଥାପନ କରନ୍ତି,
ଯେ ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜ୍ଜନ କରାନ୍ତି,
ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ ସେହି ସଦାପ୍ରଭୁ ଏହି କଥା କହନ୍ତି :
36 “ଯଦି ଏହି ସକଳ ବିଧାନ ଆମ୍ଭ ସମ୍ମୁଖରୁ ବିଚଳିତ ହୁଏ,
ତେବେ ଇସ୍ରାଏଲ ବଂଶ ହିଁ ଆମ୍ଭ ସମ୍ମୁଖରେ ସଦାକାଳ
ଏକ ଗୋଷ୍ଠୀ ହୋଇ ରହିବା ପାଇଁ ନିବୃତ୍ତ ହେବେ,” ଏହା ସଦାପ୍ରଭୁ କହନ୍ତି।
37 ସଦାପ୍ରଭୁ ଏହି କଥା କହନ୍ତି: “ଯଦି ଊର୍ଦ୍ଧ୍ୱସ୍ଥ ଆକାଶମଣ୍ଡଳ ପରିମିତ ହୋଇ ପାରେ
ଓ ଅଧଃସ୍ଥ ପୃଥିବୀର ମୂଳ ଅନୁସନ୍ଧାନ କରାଯାଇ ପାରେ,
ତେବେ ଆମ୍ଭେ ମଧ୍ୟ ଇସ୍ରାଏଲ ବଂଶର କୃତ ସକଳ କ୍ରିୟା ସକାଶୁ
ସେମାନଙ୍କୁ ଦୂର କରି ଦେବା,” ଏହା ସଦାପ୍ରଭୁ କହନ୍ତି।
38 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ନଗର ହନନେଲର ଦୁର୍ଗଠାରୁ କୋଣ ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ଏପରି ସମୟ ଆସୁଅଛି। 39 ଆଉ, ସେଠାରୁ ପରିମାଣ ରଜ୍ଜୁ ଗାରେବ୍ ଉପପର୍ବତ ପର୍ଯ୍ୟନ୍ତ ସଳଖ ଯିବ ଓ ବୁଲି ଗୋୟା ପର୍ଯ୍ୟନ୍ତ ଯିବ। 40 ପୁଣି, ଶବ ଓ ଭସ୍ମର ସମୁଦାୟ ଉପତ୍ୟକା ଓ କିଦ୍ରୋଣ ସ୍ରୋତ ପର୍ଯ୍ୟନ୍ତ ସକଳ କ୍ଷେତ୍ର, ପୂର୍ବ ଦିଗସ୍ଥ ଅଶ୍ୱଦ୍ୱାରର କୋଣ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ସଦାକାଳ ପର୍ଯ୍ୟନ୍ତ ଆଉ ଉତ୍ପାଟିତ କିଅବା ନିପାତିତ ହେବ ନାହିଁ।”
Chapter 32
ଯିରିମୀୟଙ୍କ କ୍ଷେତ୍ର କ୍ରୟ
1 ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଦଶମ ବର୍ଷରେ, ଅର୍ଥାତ୍, ନବୂଖଦ୍ନିତ୍ସରଙ୍କ ରାଜତ୍ଵର ଅଷ୍ଟାଦଶ ବର୍ଷରେ ସଦାପ୍ରଭୁଙ୍କଠାରୁ ଯେଉଁ ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ। 2 ସେହି ସମୟରେ ବାବିଲ ରାଜାର ସୈନ୍ୟଗଣ ଯିରୂଶାଲମ ଅବରୋଧ କରୁଥିଲେ; ପୁଣି, ଯିରିମୀୟ ଭବିଷ୍ୟଦ୍ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ।
3 ଯେହେତୁ ଯିହୁଦାର ରାଜା ସିଦିକୀୟ ତାଙ୍କୁ ବନ୍ଦ କରି କହିଥିଲା, “ତୁମ୍ଭେ କାହିଁକି ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ଏହା କହୁଅଛ, ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ବାବିଲ ରାଜାର ହସ୍ତରେ ସମର୍ପଣ କରିବା ଓ ସେ ତାହା ହସ୍ତଗତ କରିବ; 4 ଆଉ, ଯିହୁଦାର ରାଜା ସିଦିକୀୟ କଲ୍ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ବାବିଲର ରାଜାର ହସ୍ତରେ ସମର୍ପିତ ହେବ ଓ ସମ୍ମୁଖାସମ୍ମୁଖୀ ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ତାହାର ଚକ୍ଷୁ ଦେଖିବ; 5 ପୁଣି, ସେ ସିଦିକୀୟକୁ ବାବିଲକୁ ଘେନି ଯିବ, ପୁଣି ଆମ୍ଭେ ଯେପର୍ଯ୍ୟନ୍ତ ତାହାର ତତ୍ତ୍ୱାନୁସନ୍ଧାନ ନ କରୁ, ସେପର୍ଯ୍ୟନ୍ତ ସେ ସେଠାରେ ରହିବ; ତୁମ୍ଭେମାନେ କଲ୍ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’”
6 ଏଥିଉତ୍ତାରେ ଯିରିମୀୟ କହିଲେ, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା; 7 ‘ଦେଖ, ତୁମ୍ଭ ପିତୃବ୍ୟ ଶଲ୍ଲୁମ୍ର ପୁତ୍ର ହନନେଲ ତୁମ୍ଭ ନିକଟକୁ ଆସି ଏହି କଥା କହିବ, “ଅନାଥୋତ୍ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ଆପଣା ପାଇଁ କ୍ରୟ କର; କାରଣ କ୍ରୟ ଦ୍ୱାରା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି।”’” 8 ତହିଁରେ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ମୋ’ ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋ’ ନିକଟକୁ ଆସି କହିଲା, ‘ବିନୟ କରୁଅଛି, ବିନ୍ୟାମୀନ୍ ପ୍ରଦେଶସ୍ଥ ଅନାଥୋତ୍ରେ ମୋହର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର; କାରଣ ତହିଁର ଉତ୍ତରାଧିକାରୀ ହେବାର ଓ ତାହା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି; ତୁମ୍ଭେ ଆପଣା ପାଇଁ ତାହା କ୍ରୟ କର।’ ତେବେ ଏହା ସଦାପ୍ରଭୁଙ୍କର ବାକ୍ୟ ବୋଲି ମୁଁ ବୁଝିଲି।”
9 ପୁଣି, ମୋ’ ପିତୃବ୍ୟର ପୁତ୍ର ହନନେଲ ଠାରୁ ଅନାଥୋତ୍ସ୍ଥିତ ସେହି କ୍ଷେତ୍ର କ୍ରୟ କରି ତହିଁର ମୂଲ୍ୟ ସତର ଶେକଲ [1] ରୂପା ତୌଲି ତାହାକୁ ଦେଲି। 10 ଆଉ, ମୁଁ କ୍ରୟପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକ୍ତିରେ ରୂପା ତୌଲି ତାହାକୁ ଦେଲି।
11 ତହୁଁ ମୁଁ କ୍ରୟପତ୍ରର ଦୁଇ କିତା, ଅର୍ଥାତ୍, ବ୍ୟବସ୍ଥା ଓ ଧାରାନୁସାରେ ମୁଦ୍ରାଙ୍କିତ ଏକ କିତା ଓ ଖୋଲା ଏକ କିତା ନେଲି; 12 ପୁଣି, ମୋ’ ପିତୃବ୍ୟର ପୁତ୍ର ହନନେଲର ସାକ୍ଷାତରେ ଓ କ୍ରୟପତ୍ରରେ ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତରେ ଓ ପ୍ରହରୀ ପ୍ରାଙ୍ଗଣରେ ଉପବିଷ୍ଟ ସମସ୍ତ ଯିହୁଦୀମାନଙ୍କ ସାକ୍ଷାତରେ ମୁଁ ସେହି କ୍ରୟପତ୍ର ମହସେୟର ପୌତ୍ର ନେରୀୟର ପୁତ୍ର ବାରୂକର ହସ୍ତରେ ସମର୍ପଣ କଲି।
13 ଆଉ, ସେମାନଙ୍କ ସାକ୍ଷାତରେ ମୁଁ ବାରୂକକୁ ଏହି ଆଜ୍ଞା କଲି, 14 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ଏହି ମୁଦ୍ରାଙ୍କିତ ଓ ଖୋଲା ଦୁଇଖଣ୍ଡ କ୍ରୟପତ୍ର ନେଇ ତାହା ଯେପରି ଅନେକ ଦିନ ରହିବ, ଏଥିପାଇଁ ଏକ ମୃତ୍ତିକା ପାତ୍ରରେ ରଖ।’ 15 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହି ଦେଶରେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରାଯିବ।’”
ଯିରିମୀୟଙ୍କ ପ୍ରାର୍ଥନା
16 ନେରୀୟର ପୁତ୍ର ବାରୂକକୁ ସେହି କ୍ରୟପତ୍ର ସମର୍ପି ଦେଲା ଉତ୍ତାରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି। 17 “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ; ତୁମ୍ଭର ଅସାଧ୍ୟ କିଛି ହିଁ ନାହିଁ; 18 ତୁମ୍ଭେ ସହସ୍ର ସହସ୍ରର ପ୍ରତି ଦୟା ପ୍ରକାଶ କରୁଅଛ ଓ ପିତୃଗଣର ଅଧର୍ମର ପ୍ରତିଫଳ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର କ୍ରୋଡ଼ରେ ଦେଉଅଛ; ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ;
19 ତୁମ୍ଭେ ମନ୍ତ୍ରଣାରେ ମହାନ ଓ କ୍ରିୟାରେ ପରାକ୍ରାନ୍ତ; ପ୍ରତ୍ୟେକ ଲୋକକୁ ତାହାର ଗତି ଓ କ୍ରିୟାନୁସାରେ ସମୁଚିତ ଫଳ ଦେବା ନିମନ୍ତେ ମନୁଷ୍ୟ ସନ୍ତାନଗଣର ସକଳ ପଥ ପ୍ରତି ତୁମ୍ଭର ଚକ୍ଷୁ ମୁକ୍ତ ଥାଏ। 20 ତୁମ୍ଭେ ମିସର ଦେଶରେ ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ଦେଖାଇଲ, ଆଜି ପର୍ଯ୍ୟନ୍ତ ହିଁ ଇସ୍ରାଏଲ ଓ ଅନ୍ୟାନ୍ୟ ଲୋକଙ୍କ ମଧ୍ୟରେ ଦେଖାଉଅଛ, ପୁଣି ଆଜିର ନ୍ୟାୟ ଆପଣାର ନାମ ପ୍ରସିଦ୍ଧ କରୁଅଛ।
21 ତୁମ୍ଭେ ଚିହ୍ନ, ଅଦ୍ଭୁତ ଲକ୍ଷଣ, ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ ମହତ ଭୟାନକତ୍ୱ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିସର ଦେଶରୁ ବାହାର କରି ଆଣିଲ; 22 ଆଉ, ଏହି ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ସେମାନଙ୍କୁ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସେମାନଙ୍କୁ ଦେଲ; 23 ପୁଣି, ସେମାନେ ଆସି ତାହା ଅଧିକାର କଲେ; ମାତ୍ର ସେମାନେ ତୁମ୍ଭ ରବରେ ମନୋଯୋଗ କଲେ ନାହିଁ; କିଅବା ତୁମ୍ଭ ବ୍ୟବସ୍ଥା ପଥରେ ଚାଲିଲେ ନାହିଁ; ତୁମ୍ଭେ ସେମାନଙ୍କୁ ଯାହା ଯାହା ପାଳନ କରିବାକୁ ଆଜ୍ଞା ଦେଲ, ସେସବୁ ମଧ୍ୟରୁ ସେମାନେ କିଛି ହିଁ ପାଳନ କରି ନାହାନ୍ତି; ଏହେତୁ ତୁମ୍ଭେ ଏହିସବୁ ଅମଙ୍ଗଳ ସେମାନଙ୍କ ଉପରେ ଘଟାଇଅଛ।
24 ଏହିସବୁ ବନ୍ଧ ଦେଖ, ସେମାନେ ଜୟ କରିବା ପାଇଁ ନଗରକୁ ଆସିଅଛନ୍ତି; ପୁଣି, ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ସକାଶୁ ନଗର ବିରୁଦ୍ଧରେ ଯୁଦ୍ଧକାରୀ କଲ୍ଦୀୟମାନଙ୍କ ହସ୍ତରେ ତାହା ଦତ୍ତ ହେଉଅଛି; ଆଉ, ତୁମ୍ଭେ ଯାହା କହିଅଛ, ତାହା ସଫଳ ହେଉଅଛି; ପୁଣି ଦେଖ, ତୁମ୍ଭେ ଏହା ଦେଖୁଅଛ। 25 ପୁଣି, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ମୋତେ କହିଅଛ, ‘ମୂଲ୍ୟ ଦେଇ କ୍ଷେତ୍ର କିଣ ଓ ସାକ୍ଷୀ ରଖ;’ ମାତ୍ର ଏହି ନଗର କଲ୍ଦୀୟମାନଙ୍କ ହସ୍ତରେ ଦତ୍ତ ହେଉଅଛି।”
26 ତାହା ପରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 27 “ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟର ପରମେଶ୍ୱର; ଆମ୍ଭର ଅସାଧ୍ୟ କି କିଛି ଅଛି ?” 28 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ କଲ୍ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା, ପୁଣି ସେ ତାହା ହସ୍ତଗତ କରିବ।
29 ଆଉ, ଯେଉଁ କଲ୍ଦୀୟମାନେ ଏହି ନଗର ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି, ସେମାନେ ପ୍ରବେଶ କରି ଏହି ନଗରରେ ଅଗ୍ନି ଲଗାଇବେ, ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ଯେଉଁ ସକଳ ଗୃହର ଛାତ ଉପରେ ଲୋକମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଢାଳିଲେ, ସେହିସବୁ ଗୃହ ସହିତ ଏହି ନଗର ଅଗ୍ନିରେ ଦଗ୍ଧ କରିବେ। 30 କାରଣ ଆମ୍ଭ ସାକ୍ଷାତରେ ଯାହା ମନ୍ଦ, କେବଳ ତାହା ହିଁ ଇସ୍ରାଏଲ ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଆପଣା ଆପଣାର ବାଲ୍ୟକାଳରୁ କରି ଆସୁଅଛନ୍ତି; ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ କେବଳ ବିରକ୍ତ କରିଅଛନ୍ତି,” ଏହା ସଦାପ୍ରଭୁ କହନ୍ତି।
31 କାରଣ ସେମାନେ ଏହି ନଗର ନିର୍ମାଣ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ହିଁ ତାହା ଆମ୍ଭ କ୍ରୋଧ ଓ କୋପର କାରଣ ହୋଇ ଆସୁଅଛି; ତହିଁ ସକାଶୁ ତାହା ଆମ୍ଭ ସମ୍ମୁଖରୁ ଦୂରୀକୃତ ହେବାର ଯୋଗ୍ୟ ହୋଇଅଛି। 32 କାରଣ ଇସ୍ରାଏଲ ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ, ଅର୍ଥାତ୍, ସେମାନେ,ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକଗଣ ଓ ଭବିଷ୍ୟଦ୍ବକ୍ତାଗଣ, ଆଉ ଯିହୁଦାର ଲୋକମାନେ ଓ ଯିରୂଶାଲମ ନିବାସୀମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କ୍ରିୟା କରିଅଛନ୍ତି।
33 ସେମାନେ ଆମ୍ଭ ପ୍ରତି ମୁଖ ନ ଫେରାଇ ପିଠି ଫେରାଇ ଅଛନ୍ତି; ଆଉ, ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଲେ ହେଁ, ପ୍ରଭାତରେ ଉଠି ଶିକ୍ଷା ଦେଲେ ହେଁ ସେମାନେ ଶିକ୍ଷା ଗ୍ରହଣ କରିବା ପାଇଁ ମନୋଯୋଗ କରି ନାହାନ୍ତି। 34 ମାତ୍ର ଆମ୍ଭ ନାମରେ ଖ୍ୟାତ ଗୃହକୁ ଅଶୁଚି କରିବା ପାଇଁ ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରନ୍ତି। 35 ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍, ଯିହୁଦାକୁ ପାପ କରାଇବା ପାଇଁ ମୋଲକ୍ର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣଙ୍କୁ ଅଗ୍ନି ମଧ୍ୟ ଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।
ଭରସା ନିମନ୍ତେ ଆଶ୍ୱାସନା
36 ଏନିମନ୍ତେ ଏବେ ଯେଉଁ ନଗର ବିଷୟରେ ତୁମ୍ଭେମାନେ କୁହ ଯେ, ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ତାହା ବାବିଲର ରାଜାର ହସ୍ତରେ ଅର୍ପିତ ହୋଇଅଛି, ତହିଁ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
37 “ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପ ଓ ମହାରୋଷରେ ସେମାନଙ୍କୁ ଯେସକଳ ଦେଶରେ ଛିନ୍ନଭିନ୍ନ କରିଅଛୁ, ସେହି ସକଳ ଦେଶରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ଆମ୍ଭେ ସେମାନଙ୍କୁ ନିରାପଦରେ ବାସ କରାଇବା।
38 ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା; 39 ଆଉ, ସେମାନଙ୍କର ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର ମଙ୍ଗଳ ନିମନ୍ତେ ସେମାନେ ଯେପରି ସଦାକାଳ ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା;
40 ପୁଣି, ଆମ୍ଭେ ସେମାନଙ୍କର ମଙ୍ଗଳ କରିବା ପାଇଁ ଯେ ସେମାନଙ୍କଠାରୁ ବିମୁଖ ନ ହେବା, ଏହି ଭାବର ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା ଓ ସେମାନେ ଯେପରି ଆମ୍ଭଠାରୁ ଦୂର ହେବେ ନାହିଁ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତଃକରଣରେ ସ୍ଥାପନ କରିବା। 41 ଆହୁରି, ଆମ୍ଭେ ସେମାନଙ୍କର ମଙ୍ଗଳ କରିବା ପାଇଁ ସେମାନଙ୍କ ବିଷୟରେ ଆନନ୍ଦ କରିବା ଓ ଆମ୍ଭେ ଆପଣାର ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସେମାନଙ୍କୁ ଏହି ଦେଶରେ ନିଶ୍ଚୟ ରୋପଣ କରିବା।”
42 କାରଣ ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଏହି ଲୋକମାନଙ୍କ ଉପରେ ଏହିସବୁ ମହା ଅମଙ୍ଗଳ ଯେପରି ଘଟାଇଅଛୁ, ସେପରି ଆମ୍ଭେ ସେମାନଙ୍କୁ ଯେ ଯେ ମଙ୍ଗଳର ପ୍ରତିଜ୍ଞା କରିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା।”
43 ପୁଣି, ଏହି ଯେଉଁ ଦେଶ ବିଷୟରେ ତୁମ୍ଭେମାନେ କୁହ, “ଏହା ମନୁଷ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନ ହୋଇ କଲ୍ଦୀୟମାନଙ୍କ ହସ୍ତରେ ଦତ୍ତ ହୋଇଅଛି, ତହିଁ ମଧ୍ୟରେ କ୍ଷେତ୍ର କ୍ରୟ କରାଯିବ।” 44 ବିନ୍ୟାମୀନ୍ ପ୍ରଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନରେ, ଯିହୁଦାର ନଗରସମୂହରେ, ପାର୍ବତୀୟ ପ୍ରଦେଶସ୍ଥ ନାନା ନଗରରେ, ପୁଣି ନିମ୍ନ ଭୂମିସ୍ଥ ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ନଗରସମୂହରେ ଲୋକମାନେ ମୂଲ୍ୟ ଦେଇ କ୍ଷେତ୍ର କ୍ରୟ କରିବେ ଓ କ୍ରୟପତ୍ର ସ୍ୱାକ୍ଷର କରି ମୁଦ୍ରାଙ୍କିତ କରିବେ ଓ ସାକ୍ଷୀ ରଖିବେ; କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।”
Chapter 33
ଏକ ଶାନ୍ତିର ପ୍ରତିଜ୍ଞା
1 ଆହୁରି, ଯିରିମୀୟ, ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାହାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, 2 “ଏହି କାର୍ଯ୍ୟର ସାଧନକର୍ତ୍ତା ସଦାପ୍ରଭୁ, ଯେ ଏହା ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଅଛନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି; ‘ସଦାପ୍ରଭୁ ତାହାଙ୍କର ନାମ; 3 ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା, ପୁଣି ତୁମ୍ଭର ଅଜ୍ଞାତ ମହତ ଓ ଦୁଷ୍କର ବିଷୟମାନ ତୁମ୍ଭକୁ ଦେଖାଇବା।’
4 କାରଣ ଏହି ନଗରର ଯେସକଳ ଗୃହ ଓ ଯିହୁଦାର ରାଜାଗଣର ଯେସକଳ ଗୃହ ବନ୍ଧ ଓ ଖଡ୍ଗ ବିରୁଦ୍ଧରେ ଆଶ୍ରୟ ସ୍ୱରୂପ ହେବା ନିମନ୍ତେ ଭଗ୍ନ ହୋଇଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; 5 ‘ଲୋକମାନେ କଲ୍ଦୀୟମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଆସନ୍ତି, ମାତ୍ର ଯେଉଁମାନଙ୍କୁ ଆମ୍ଭେ ଆପଣା କ୍ରୋଧରେ ଓ ପ୍ରଚଣ୍ଡ କୋପରେ ବଧ କରିଅଛୁ ଓ ଯେଉଁମାନଙ୍କ ସକଳ ଦୁଷ୍ଟତା ସକାଶୁ ଆମ୍ଭେ ଏହି ନଗରଠାରୁ ଆପଣା ମୁଖ ଲୁଚାଇଅଛୁ, ସେହି ଲୋକମାନଙ୍କ ଶବରେ ସେସବୁ ଗୃହ ପରିପୂର୍ଣ୍ଣ ହେବ।
6 ଦେଖ, ଆମ୍ଭେ ଏହି ନଗର ପ୍ରତି ସ୍ୱାସ୍ଥ୍ୟ ଆଉ ଆରୋଗ୍ୟ ଆଣିବା, ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିବା; ପୁଣି, ଆମ୍ଭେ ସେମାନଙ୍କ ପ୍ରତି ପ୍ରଚୁର ଶାନ୍ତି ଓ ସତ୍ୟତା ପ୍ରକାଶ କରିବା। 7 ଆଉ, ଆମ୍ଭେ ଯିହୁଦାର ବନ୍ଦୀତ୍ୱାବସ୍ଥା ଓ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ପୁଣି ଆଦ୍ୟ କାଳର ନ୍ୟାୟ ସେମାନଙ୍କୁ ଗଠନ କରିବା।
8 ପୁଣି, ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି; ସେସବୁରୁ ଆମ୍ଭେ ସେମାନଙ୍କୁ ଶୁଚି କରିବା ଓ ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମାଚରଣ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି ଓ ଯଦ୍ଦ୍ୱାରା ସେମାନେ ଆମ୍ଭର ଆଜ୍ଞା-ଲଙ୍ଘନ କରିଅଛନ୍ତି, ଆମ୍ଭେ ସେସବୁ କ୍ଷମା କରିବା। 9 ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯେସକଳ ମଙ୍ଗଳ କରିବା, ତାହା ପୃଥିବୀସ୍ଥ ସକଳ ଗୋଷ୍ଠୀ ଶ୍ରବଣ କରିବେ, ସେମାନଙ୍କ ସମ୍ମୁଖରେ ଏହି ନଗର ଆମ୍ଭ ପକ୍ଷରେ ଆନନ୍ଦଜନକ କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ ହେବ, ଆଉ ଆମ୍ଭେ ତାହା ପାଇଁ ଯେସବୁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତହିଁ ସକାଶୁ ସେମାନେ ଭୀତ ଓ କମ୍ପିତ ହେବେ।’”
10 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଏହି ଯେଉଁ ସ୍ଥାନକୁ ‘ଧ୍ୱଂସିତ, ନରଶୂନ୍ୟ ଓ ପଶୁଶୂନ୍ୟ,’ ବୋଲି କହୁଅଛ, ସେଠାରେ, ଅର୍ଥାତ୍, ଧ୍ୱଂସିତ, ନରଶୂନ୍ୟ, ନିବାସୀ ବିହୀନ ଓ ପଶୁଶୂନ୍ୟ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ସଡ଼କରେ 11 ଆନନ୍ଦଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ,ପୁଣି ‘ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ’ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ। କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ପୂର୍ବ କାଳର ନ୍ୟାୟ ଦେଶର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।’”
12 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନରେ ଓ ତହିଁର ସକଳ ନଗରରେ, ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ, ସେମାନେ ସେସ୍ଥାନରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ।” 13 ସଦାପ୍ରଭୁ କହନ୍ତି, “ପାର୍ବତୀୟ ଦେଶର ନଗରସମୂହରେ, ନିମ୍ନ ଭୂମିର ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ସକଳ ନଗରରେ ଓ ବିନ୍ୟାମୀନ୍ ଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନରେ, ମେଷଗଣନାକାରୀ ଲୋକର ହସ୍ତାଧୀନରେ ମେଷପଲ ପୁନର୍ବାର ଗତାୟାତ କରିବେ।”
ଦାଉଦଙ୍କ ସହ ଅନନ୍ତକାଳୀନ ନିୟମ
14 ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ, ଆମ୍ଭର ତାହା ସଫଳ କରିବାର ସମୟ ଆସୁଅଛି। 15 ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟ ବିଚାର ଓ ଧର୍ମ ପ୍ରଚଳିତ କରିବେ। 16 ସେହି ସକଳ ଦିନରେ ଯିହୁଦା ପରିତ୍ରାଣ ପାଇବ ଓ ଯିରୂଶାଲମ ନିରାପଦରେ ବାସ କରିବ, ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,’ ଏହି ନାମରେ ସେ ବିଖ୍ୟାତ ହେବେ।”
17 କାରଣ ସଦାପ୍ରଭୁ ଏହି କଥା କହନ୍ତି: “ଇସ୍ରାଏଲ ବଂଶୀୟ ସିଂହାସନରେ ଉପବିଷ୍ଟ ହେବା ପାଇଁ ଦାଉଦ ସମ୍ପର୍କୀୟ ପୁରୁଷର ଅଭାବ କଦାପି ହେବ ନାହିଁ, 18 କିଅବା ଆମ୍ଭ ସମ୍ମୁଖରେ ହୋମ ଉତ୍ସର୍ଗ, ଭକ୍ଷ୍ୟ ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁ ଲେବୀୟ ଯାଜକମାନଙ୍କ ସମ୍ପର୍କୀୟ ଲୋକର ଅଭାବ ହେବ ନାହିଁ।”
19 ଏଥିଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 20 “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଯଦି ଦିବସ ସମ୍ବନ୍ଧୀୟ ଆମ୍ଭର ନିୟମ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ଏରୂପ ଭଗ୍ନ କରିପାର ଯେ, ଯଥା ସମୟରେ ଦିବସ କି ରାତ୍ରି ନ ହୁଏ; 21 ତେବେ ଆମ୍ଭ ଦାସ ଦାଉଦର ସିଂହାସନରେ ବସି ରାଜ୍ୟ କରିବା ପାଇଁ ତାହାର ସନ୍ତାନର ଅଭାବ ହେବ ନାହିଁ ବୋଲି ତାହା ସଙ୍ଗେ ଆମ୍ଭର ଯେଉଁ ନିୟମ ଅଛି, ତାହା ମଧ୍ୟ ଭଗ୍ନ କରାଯାଇ ପାରିବ; ଆଉ, ଆମ୍ଭର ପରିଚାରକ ଲେବୀୟ ଯାଜକମାନଙ୍କ ସହିତ ଆମ୍ଭର ନିୟମ ମଧ୍ୟ ଭଗ୍ନ କରାଯାଇ ପାରିବ। 22 ଆକାଶମଣ୍ଡଳସ୍ଥ ସୈନ୍ୟଗଣର ସଂଖ୍ୟା ଯେପରି ଗଣାଯାଇ ନ ପାରେ, କିଅବା ସମୁଦ୍ରର ବାଲି ଯେପରି ମପାଯାଇ ନ ପାରେ, ସେପରି ଆମ୍ଭେ ଆପଣାର ଦାସ ଦାଉଦର ବଂଶକୁ ଓ ଆମ୍ଭର ପରିଚର୍ଯ୍ୟାକାରୀ ଲେବୀୟମାନଙ୍କୁ ବୃଦ୍ଧି କରିବା।’”
23 ଆଉ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 24 “ଏହି ଲୋକମାନେ ଯାହା କହିଅଛନ୍ତି, ତାହା କି ତୁମ୍ଭେ ବିବେଚନା କରୁ ନାହଁ ? ସେମାନେ କହିଅଛନ୍ତି, ‘ସଦାପ୍ରଭୁ ଆପଣାର ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି।’ ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛ ଜ୍ଞାନ କରନ୍ତି, ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ଆଉ ରହିବେ ନାହିଁ।”
25 ସଦାପ୍ରଭୁ ଏହି କଥା କହନ୍ତି, “ଯେବେ ଦିବସ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ, ଆମ୍ଭେ ଯଦି ଆକାଶର ଓ ପୃଥିବୀର ବିଧିସକଳ ନିରୂପଣ କରି ନ ଥାଉ, 26 ତାହାହେଲେ ଆମ୍ଭେ ଯାକୁବର ଓ ଆମ୍ଭ ଦାସ ଦାଉଦର ବଂଶକୁ ଅଗ୍ରାହ୍ୟ କରି ଅବ୍ରହାମର, ଇସ୍ହାକର ଓ ଯାକୁବର ବଂଶ ଉପରେ ଶାସନକର୍ତ୍ତା କରିବା ପାଇଁ ତାହାର ବଂଶରୁ ଲୋକ ଗ୍ରହଣ କରିବା ନାହିଁ। ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା ଓ ସେମାନଙ୍କ ପ୍ରତି ଦୟା କରିବା।”
Chapter 34
ବାବିଲରେ ସିଦିକୀୟଙ୍କ ମୃତ୍ୟୁୁର ବାର୍ତ୍ତା
1 ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଓ ତାହାର କର୍ତ୍ତୃତ୍ୱାଧୀନ ଭୂଖଣ୍ଡର ସମସ୍ତ ରାଜ୍ୟ ଆଉ ସମସ୍ତ ଗୋଷ୍ଠୀ ଯିରୂଶାଲମ ଓ ତହିଁର ନଗରସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା : 2 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକୀୟର ସଙ୍ଗେ ଆଳାପ କରି ତାହାକୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ବାବିଲ ରାଜାର ହସ୍ତରେ ଏହି ନଗର ସମର୍ପଣ କରିବା, ତହିଁରେ ସେ ଅଗ୍ନିରେ ତାହା ଦଗ୍ଧ କରିବ। 3 ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।’
4 ତଥାପି ହେ ସିଦିକୀୟ ଯିହୁଦାର ରାଜନ୍, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ସଦାପ୍ରଭୁ ତୁମ୍ଭ ବିଷୟରେ ଏହି କଥା କହନ୍ତି, ‘ତୁମ୍ଭେ ଖଡ୍ଗ ଦ୍ୱାରା ମରିବ ନାହିଁ; 5 ତୁମ୍ଭେ ଶାନ୍ତିରେ ମରିବ; ପୁଣି, ତୁମ୍ଭ ପିତୃଲୋକମାନଙ୍କ ନିମନ୍ତେ, ତୁମ୍ଭ ପୂର୍ବବର୍ତ୍ତୀ ରାଜାମାନଙ୍କ ନିମନ୍ତେ ଯେପରି ଦାହ ହୋଇଥିଲା, ସେପରି ଲୋକମାନେ ତୁମ୍ଭ ନିମନ୍ତେ ସୁଗନ୍ଧି ଧୂପ ଦାହ କରିବେ; ଆଉ, “ହାୟ ପ୍ରଭୁ ! ହାୟ ପ୍ରଭୁ !” ବୋଲି ତୁମ୍ଭ ନିମନ୍ତେ ବିଳାପ କରିବେ, କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି କଥା କହିଅଛୁ।’”
6 ତହୁଁ ଯିରିମୀୟ ଭବିଷ୍ୟଦ୍ବକ୍ତା ଯିରୂଶାଲମରେ ଯିହୁଦାର ରାଜା ସିଦିକୀୟକୁ ଏହିସବୁ କଥା କହିଲେ। 7 ସେସମୟରେ ବାବିଲ ରାଜାର ସୈନ୍ୟ ଯିରୂଶାଲମ ବିରୁଦ୍ଧରେ ଓ ଯିହୁଦାର ଅବଶିଷ୍ଟ ସକଳ ନଗର ଅର୍ଥାତ୍ ଲାଖୀଶ୍ ଓ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ; କାରଣ ଯିହୁଦା ଦେଶସ୍ଥ ନଗରସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀରବେଷ୍ଟିତ ନଗର ଅବଶିଷ୍ଟ ଥିଲା।
8 ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟ ଦାସକୁ ଓ ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟା ଦାସୀକି ମୁକ୍ତ କରି ବିଦାୟ କରିବେ; କେହି ସେମାନଙ୍କୁ, ଅର୍ଥାତ୍ ଆପଣା ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବ ନାହିଁ, 9 ଏପରି ମୁକ୍ତି ଘୋଷଣାର ନିୟମ ସିଦିକୀୟ ରାଜା ଯିରୂଶାଲମସ୍ଥ ସବୁ ଲୋକଙ୍କ ସହିତ ସ୍ଥିର କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
10 ସମସ୍ତ ଅଧିପତି ଓ ସମସ୍ତ ଲୋକେ ଏହି ନିୟମରେ ଆବଦ୍ଧ ହୋଇ, ପ୍ରତ୍ୟେକେ ଆପଣା ଆପଣା ଦାସକୁ ଓ ପ୍ରତ୍ୟେକେ ଆପଣା ଆପଣା ଦାସୀକୁ ମୁକ୍ତ କରି ବିଦାୟ କରି ଦେବେ, କେହି ସେମାନଙ୍କୁ ଆଉ ଦାସ୍ୟକର୍ମ କରାଇବେ ନାହିଁ ବୋଲି ସମ୍ମତ ହେଲେ, ସେମାନେ ସମ୍ମତ ହୋଇ ସେମାନଙ୍କୁ ବିଦାୟ କରି ଦେଲେ; 11 ମାତ୍ର ତହିଁ ଉତ୍ତାରେ ସେମାନେ ଫେରି ଯେଉଁ ଦାସଦାସୀମାନଙ୍କୁ ମୁକ୍ତ କରି ବିଦାୟ କରି ଦେଇଥିଲେ, ସେମାନଙ୍କୁ ପୁନର୍ବାର ଅଣାଇ ଆପଣାମାନଙ୍କ ଦାସଦାସୀ ହେବା ନିମନ୍ତେ ବଶୀଭୂତ କଲେ।
12 ଏହେତୁ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା, 13 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭେ ମିସର ଦେଶରୁ ଦାସଗୃହରୁ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଏକ ନିୟମ କଲୁ, ଯଥା, 14 ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବିକ୍ରୀତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକେ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାକୁ ମୁକ୍ତ କରିବ; ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭ ବାକ୍ୟ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ।
15 ପୁଣି, ତୁମ୍ଭେମାନେ ଏଥିପୂର୍ବେ ଫେରି ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରି ଆମ୍ଭ ଦୃଷ୍ଟିରେ ଯଥାର୍ଥ କର୍ମ କରିଥିଲ ଓ ଆମ୍ଭ ନାମରେ ଖ୍ୟାତ ଗୃହରେ ଆମ୍ଭ ସମ୍ମୁଖରେ ନିୟମ କରିଥିଲ 16 ମାତ୍ର ତୁମ୍ଭେମାନେ ଫେରି ଆମ୍ଭ ନାମ ଅପବିତ୍ର କଲ, ଆଉ ଯେଉଁମାନଙ୍କୁ ମୁକ୍ତ କରି ସେମାନଙ୍କ ଇଚ୍ଛାନୁସାରେ ବିଦାୟ କରି ଦେଇଥିଲ, ତୁମ୍ଭମାନଙ୍କର ପ୍ରତ୍ୟେକେ ଆପଣା ଆପଣା ସେହି ଦାସଦାସୀକୁ ପୁନର୍ବାର ଅଣାଇ ଆପଣାମାନଙ୍କର ଦାସଦାସୀ ହେବା ପାଇଁ ବଶୀଭୂତ କରିଅଛ।’”
17 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ; ଏଣୁ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ପ୍ରତି, ମହାମାରୀ ପ୍ରତି ଓ ଦୁର୍ଭିକ୍ଷ ପ୍ରତି ମୁକ୍ତି ଘୋଷଣା କରୁଅଛୁ; ଆଉ, ଆମ୍ଭେ ପୃଥିବୀର ସମସ୍ତ ରାଜ୍ୟରେ ଏଣେତେଣେ ବିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ସମର୍ପଣ କରିବା। 18 ପୁଣି, ଯେଉଁମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି, ଯେଉଁମାନେ ଗୋବତ୍ସକୁ ଦୁଇ ଖଣ୍ଡ କରି ତନ୍ମଧ୍ୟ ଦେଇ ଗମନ କରିବା ବେଳେ ଆମ୍ଭ ସମ୍ମୁଖରେ ଯେଉଁ ନିୟମ କଲେ, ସେହି ନିୟମର କଥା ପାଳନ କରି ନାହାନ୍ତି, ସେମାନଙ୍କୁ, 19 ଅର୍ଥାତ୍, ଯିହୁଦାର ଅଧିପତିଗଣକୁ ଓ ଯିରୂଶାଲମର ଅଧିପତିଗଣକୁ, ନପୁଂସକଗଣକୁ ଓ ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ, ଯେଉଁମାନେ ଗୋବତ୍ସର ଦୁଇ ଖଣ୍ଡର ମଧ୍ୟ ଦେଇ ଗମନ କଲେ, ସେମାନଙ୍କୁ ଆମ୍ଭେ ସମର୍ପଣ କରିବା;
20 ଆମ୍ଭେ ସେମାନଙ୍କୁ ହିଁ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ତହିଁରେ ସେମାନଙ୍କର ଶବ ଖେଚର ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ। 21 ପୁଣି, ଯିହୁଦାର ରାଜା ସିଦିକୀୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠି ଯାଇଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବା।’”
22 ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଆଜ୍ଞା ଦ୍ୱାରା ସେମାନଙ୍କୁ ଏହି ନଗରକୁ ପୁନର୍ବାର ଅଣାଇବା; ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ; ପୁଣି, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”
Chapter 35
ରେଖବ ଗୋଷ୍ଠୀର ବାଧ୍ୟତା
1 ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ଅଧିକାର ସମୟରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, 2 “ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କ ସଙ୍ଗେ ଆଳାପ କର ଓ ସଦାପ୍ରଭୁଙ୍କ ଗୃହର ଏକ କୋଠରିକୁ ଆଣି ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।
3 ତହୁଁ ମୁଁ ହବତ୍ସିନୀୟର ପୌତ୍ର, ଯିରିମୀୟର ପୁତ୍ର ଯାସନୀୟକୁ ଓ ତାହାର ଭ୍ରାତୃଗଣକୁ ଓ ତାହାର ସବୁ ପୁତ୍ରଙ୍କୁ, ଆଉ ସମୁଦାୟ ରେଖବୀୟ ବଂଶକୁ ସଙ୍ଗେ ନେଇ, 4 ସେମାନଙ୍କୁ ସଦାପ୍ରଭୁଙ୍କ ଗୃହରେ, ପରମେଶ୍ୱରଙ୍କ ଲୋକ ଯିଗ୍ଦଲୀୟର ପୁତ୍ର ହାନନ୍ର ପୁତ୍ରମାନଙ୍କର କୋଠରିକୁ ନେଇଗଲି, ସେହି କୋଠରି ଶଲ୍ଲୁମ୍ର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରି ଉପରେ, ଅଧିପତିଗଣର କୋଠରି ନିକଟରେ ଥିଲା;
5 ପୁଣି, ମୁଁ ରେଖବ ବଂଶୀୟ ଲୋକମାନଙ୍କ ସମ୍ମୁଖରେ ଦ୍ରାକ୍ଷାରସପୂର୍ଣ୍ଣ କେତେକ ପାତ୍ର ଓ ପାନପାତ୍ର ରଖି ସେମାନଙ୍କୁ କହିଲି, ‘ତୁମ୍ଭେମାନେ ଦ୍ରାକ୍ଷାରସ ପାନ କର।’ 6 ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଦ୍ରାକ୍ଷାରସ ପାନ କରିବୁ ନାହିଁ; କାରଣ ଆମ୍ଭମାନଙ୍କର ପିତୃପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦେଇଅଛନ୍ତି, “ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ କେହି କେବେ ଦ୍ରାକ୍ଷାରସ ପାନ କରିବ ନାହିଁ; 7 ତୁମ୍ଭେମାନେ ଗୃହ ନିର୍ମାଣ କରିବ ନାହିଁ କିଅବା ବୀଜ ବୁଣିବ ନାହିଁ, ଅଥବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ, ଅବା ତହିଁର ଅଧିକାରୀ ହେବ ନାହିଁ; ମାତ୍ର ତୁମ୍ଭେମାନେ ଯାବଜ୍ଜୀବନ ତମ୍ବୁରେ ବାସ କରିବ, ତହିଁରେ ତୁମ୍ଭେମାନେ ଯେଉଁ ଦେଶରେ ପ୍ରବାସ କରୁଅଛ, ସେହି ଦେଶରେ ଅନେକ କାଳ ବଞ୍ଚିବ।”
8 ଏଣୁ ଆମ୍ଭମାନଙ୍କର ଯାବଜ୍ଜୀବନ ଦ୍ରାକ୍ଷାରସ ପାନ ନ କରିବାକୁ ଓ ବାସ କରିବା ନିମନ୍ତେ ଗୃହ ନିର୍ମାଣ ନ କରିବାକୁ, ଆମ୍ଭମାନଙ୍କର ପିତୃପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଯେସବୁ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ, ଆମ୍ଭମାନଙ୍କର ଭାର୍ଯ୍ୟାମାନେ ଓ ପୁତ୍ରକନ୍ୟାମାନେ ତାହାଙ୍କର ସେହି ବାକ୍ୟ ପାଳନ କରି ଆସୁଅଛୁ; 9 ଅଥବା ଆମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର କି ଶସ୍ୟକ୍ଷେତ୍ର ବା ବୀଜ ନାହିଁ; 10 ମାତ୍ର ଆମ୍ଭେମାନେ ତମ୍ବୁରେ ବାସ କରି, ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପିତୃପୁରୁଷ ଯିହୋନାଦବ୍ର ସମସ୍ତ ଆଜ୍ଞା ପ୍ରମାଣେ କର୍ମ କରି ଆସୁଅଛୁ।’ 11 ମାତ୍ର ବାବିଲର ରାଜା ନବୂଖଦ୍ନିତ୍ସର ଯେତେବେଳେ ଏହି ଦେଶକୁ ଆସିଲେ, ସେତେବେଳେ ଆମ୍ଭେମାନେ କହିଲୁ, “ଆସ, କଲ୍ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ସକାଶୁ ଆମ୍ଭେମାନେ ଯିରୂଶାଲମକୁ ଯାଉ,” ଏହେତୁ ଆମ୍ଭେମାନେ ଯିରୂଶାଲମରେ ବାସ କରୁଅଛୁ।’”
12 ଏଥିଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା, 13 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେ ଯାଇ ଯିହୁଦାର ଲୋକମାନଙ୍କୁ ଓ ଯିରୂଶାଲମର ନିବାସୀମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରିବା ପାଇଁ କି ଶିକ୍ଷା ଗ୍ରହଣ କରିବ ନାହିଁ ?’ 14 ରେଖବର ପୁତ୍ର ଯିହୋନାଦବ୍ ଆପଣା ସନ୍ତାନଗଣକୁ ଦ୍ରାକ୍ଷାରସ ପାନ ନ କରିବା ପାଇଁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହେଉଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରନ୍ତି ନାହିଁ; କାରଣ ସେମାନେ ଆପଣା ପିତୃପୁରୁଷର ଆଜ୍ଞା ପାଳନ କରନ୍ତି, ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ, ପ୍ରଭାତରେ ଉଠି କହିଅଛୁ; ଆଉ, ତୁମ୍ଭେମାନେ ଆମ୍ଭ କଥାରେ ମନୋଯୋଗ କରି ନାହଁ।
15 ମଧ୍ୟ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ପ୍ରଭାତରେ ଉଠି ସେମାନଙ୍କୁ ପଠାଇ ତୁମ୍ଭମାନଙ୍କୁ କହିଅଛୁ, ତୁମ୍ଭେମାନେ ପ୍ରତ୍ୟେକେ ଏବେ ଆପଣା ଆପଣା କୁପଥରୁ ଫେର, ଆପଣମାନଙ୍କର ଆଚରଣ ସୁଧରାଅ ଓ ଅନ୍ୟ ଦେବଗଣର ସେବା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗାମୀ ହୁଅ ନାହିଁ, ତହିଁରେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଆମ୍ଭର ଦତ୍ତ ଦେଶରେ ତୁମ୍ଭେମାନେ ବାସ କରିବ; ମାତ୍ର ତୁମ୍ଭେମାନେ କର୍ଣ୍ଣପାତ କରି ନାହଁ, କିଅବା ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ। 16 ରେଖବର ପୁତ୍ର ଯିହୋନାଦବ୍ର ସନ୍ତାନଗଣ ସେମାନଙ୍କ ପ୍ରତି ଆଜ୍ଞାପିତ ପିତୃପୁରୁଷର ଆଜ୍ଞା ପ୍ରତିପାଳନ କରିଅଛନ୍ତି, ମାତ୍ର ଏହି ଲୋକମାନେ ଆମ୍ଭ କଥାରେ ମନୋଯୋଗ କରି ନାହାନ୍ତି।” 17 ଏହେତୁ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଦେଖ, ଆମ୍ଭେ ଯିହୁଦାର ଓ ଯିରୂଶାଲମ ନିବାସୀ ସମସ୍ତଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହା ସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ସେମାନଙ୍କୁ କଥା କହିଅଛୁ, ମାତ୍ର ସେମାନେ ଶୁଣି ନାହାନ୍ତି ଓ ଆମ୍ଭେ ସେମାନଙ୍କୁ ଡାକିଅଛୁ, ମାତ୍ର ସେମାନେ ଉତ୍ତର ଦେଇ ନାହାନ୍ତି।” 18 ପୁଣି, ଯିରିମୀୟ ରେଖବୀୟ ବଂଶକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ତୁମ୍ଭେମାନେ ଆପଣାମାନଙ୍କର ପିତୃପୁରୁଷ ଯିହୋନାଦବ୍ର ଆଜ୍ଞା ମାନିଅଛ ଓ ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ଯ୍ୟ କରିଅଛ,’” 19 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭ ସମ୍ମୁଖରେ ଠିଆ ହେବା ପାଇଁ ରେଖବର ପୁତ୍ର ଯିହୋନାଦବ୍ ବଂଶୀୟ ଲୋକର ଅଭାବ କଦାପି ହେବ ନାହିଁ।’”
Chapter 36
ଯିରିମୀୟଙ୍କ ପୁସ୍ତକ ମନ୍ଦିରରେ ଦଗ୍ଧ
1 ଏଥିଉତ୍ତାରେ ଯୋଶୀୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ଯଥା, 2 “ତୁମ୍ଭେ ଖଣ୍ଡେ ନଳାକାର ପୁସ୍ତକ ନିଅ, ପୁଣି ଆମ୍ଭେ ତୁମ୍ଭକୁ କଥା କହିବା ଦିନଠାରୁ, ଯୋଶୀୟଙ୍କ ରାଜତ୍ଵ ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର, ଯିହୁଦାର ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା ତୁମ୍ଭକୁ କହିଅଛୁ, ସେହି ସମସ୍ତ ବାକ୍ୟ ତହିଁରେ ଲେଖ। 3 ହୋଇପାରେ, ଆମ୍ଭେ ଯିହୁଦା ବଂଶ ପ୍ରତି ଯେସକଳ ଅମଙ୍ଗଳ ଘଟାଇବାର ସଂକଳ୍ପ କରିଅଛୁ, ସେମାନେ ତାହାସବୁ ଶୁଣି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ, ଆମ୍ଭେ ସେମାନଙ୍କର ଅଧର୍ମ ଓ ପାପ କ୍ଷମା କରିବା।”
4 ତହିଁରେ ଯିରିମୀୟ ନେରୀୟର ପୁତ୍ର ବାରୂକକୁ ଡାକିଲେ; ଆଉ, ବାରୂକ ଯିରିମୀୟଙ୍କ ପ୍ରତି କଥିତ ସଦାପ୍ରଭୁଙ୍କର ବାକ୍ୟସବୁ ତାହାର ମୁଖରୁ ଶୁଣି ଏକ ନଳାକାର ପୁସ୍ତକରେ ଲେଖିଲା। 5 ପୁଣି, ଯିରିମୀୟ ବାରୂକକୁ ଆଜ୍ଞା କରି କହିଲେ, “ମୁଁ ରୁଦ୍ଧ ଅଛି; ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଇ ପାରୁ ନାହିଁ; 6 ଏଣୁ ତୁମ୍ଭେ ଯାଅ, ପୁଣି ମୋ’ ମୁଖରୁ ଶୁଣି ଯାହା ଯାହା ଏହି ନଳାକାର ପୁସ୍ତକରେ ଲେଖିଅଛ, ସଦାପ୍ରଭୁଙ୍କର ସେହି ସକଳ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ଗୃହରେ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କର; ମଧ୍ୟ ଆପଣା ଆପଣା ନଗରରୁ ଆଗତ ଯିହୁଦାର ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ତାହା ପାଠ କରିବ।
7 ହୋଇପାରେ, ସେମାନେ ସଦାପ୍ରଭୁଙ୍କ ସାକ୍ଷାତରେ ଆପଣା ଆପଣାର ନିବେଦନ ଜଣାଇବେ ଓ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ମହାକ୍ରୋଧ ଓ ପ୍ରଚଣ୍ଡ କୋପର କଥା କହିଅଛନ୍ତି।” 8 ତହିଁରେ ନେରୀୟର ପୁତ୍ର ବାରୂକ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କର ସକଳ ଆଜ୍ଞାନୁସାରେ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ଗୃହରେ ପାଠ କଲା।
9 ଏଥିଉତ୍ତାରେ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ପଞ୍ଚମ ବର୍ଷର ନବମ ମାସରେ, ଯିରୂଶାଲମସ୍ଥ ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୂଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ। 10 ସେତେବେଳେ ବାରୂକ ସଦାପ୍ରଭୁଙ୍କ ଗୃହର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶସ୍ଥାନ ନିକଟରେ, ଶାଫନ୍ ଲେଖକର ପୁତ୍ର ଗମରୀୟର କୋଠରିରେ, ସେହି ନଳାକାର ପୁସ୍ତକରୁ ଯିରିମୀୟଙ୍କ କଥା, ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କଲା।
11 ପୁଣି, ଶାଫନ୍ର ପୌତ୍ର ଗମରୀୟର ପୁତ୍ର ମୀଖାୟ ସେହି ନଳାକାର ପୁସ୍ତକରୁ ସଦାପ୍ରଭୁଙ୍କର ବାକ୍ୟସବୁ ଶୁଣନ୍ତେ, 12 ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରିକୁ ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟିୟ, ଅକବୋରର ପୁତ୍ର ଇଲ୍ନାଥନ୍, ଶାଫନ୍ର ପୁତ୍ର ଗମରୀୟ, ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।
13 ତେବେ ବାରୂକ ଲୋକମାନଙ୍କ କର୍ଣ୍ଣଗୋଚରରେ ନଳାକାର ପୁସ୍ତକ ପାଠ କଲା ବେଳେ ମୀଖାୟ ଯାହା ଯାହା ଶୁଣିଥିଲା, ସେସବୁ କଥା ସେମାନଙ୍କୁ ଜଣାଇଲା। 14 ଏହେତୁ ଅଧିପତି ସମସ୍ତେ କୂଶୀର ପ୍ରପୌତ୍ର, ଶେଲିମୀୟର ପୌତ୍ର, ନଥନୀୟର ପୁତ୍ର ଯିହୁଦୀକୁ ବାରୂକ ନିକଟକୁ ପଠାଇ କହିଲେ, “ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, ତାହା ହସ୍ତରେ ଘେନି ଆସ।” ତହିଁରେ ନେରୀୟର ପୁତ୍ର ବାରୂକ ନଳାକାର ପୁସ୍ତକଟି ହସ୍ତରେ ଘେନି ସେମାନଙ୍କ ନିକଟରେ ଉପସ୍ଥିତ ହେଲା। 15 ତହିଁରେ ସେମାନେ ତାହାକୁ କହିଲେ, “ଏବେ ବସି ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।” ତହୁଁ ବାରୂକ ସେମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।
16 ସେତେବେଳେ ସେମାନେ ସବୁ କଥା ଶୁଣି ଭୟରେ ଏକଆରେକ ପ୍ରତି ଅନାଇଲେ, ଆଉ ବାରୂକକୁ କହିଲେ, “ଆମ୍ଭେମାନେ ରାଜାଙ୍କୁ ଏହିସବୁ କଥାର ବିଷୟ ଅବଶ୍ୟ ଜ୍ଞାତ କରାଇବୁ।” 17 ପୁଣି, ସେମାନେ ବାରୂକକୁ ପଚାରିଲେ, “କହିଲ, ତୁମ୍ଭେ କିପରି ତାହା ମୁଖରୁ ଏସବୁ କଥା ଶୁଣି ଲେଖିଲ ?” 18 ତହିଁରେ ବାରୂକ ସେମାନଙ୍କୁ ଉତ୍ତର କଲା, “ସେ ଆପଣା ମୁଖରେ ଏହିସବୁ କଥା ମୋ’ ନିକଟରେ ଉଚ୍ଚାରଣ କଲେ, ଆଉ ମୁଁ କାଳୀ ନେଇ ନଳାକାର ପୁସ୍ତକରେ ଲେଖିଲି।” 19 ସେତେବେଳେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମୀୟ ଯାଇ ଲୁଚ; ଆଉ, ତୁମ୍ଭେମାନେ କେଉଁଠାରେ ଅଛ, ଏହା କେହି ନ ଜାଣୁ।”
20 ଏଥିଉତ୍ତାରେ ସେମାନେ ପ୍ରାଙ୍ଗଣରେ ରାଜା ନିକଟକୁ ଗଲେ; ମାତ୍ର ନଳାକାର ପୁସ୍ତକଟି ଇଲୀଶାମା ଲେଖକର କୋଠରିରେ ଛାଡ଼ି ଯାଇଥିଲେ; ଆଉ, ସେମାନେ ରାଜାର କର୍ଣ୍ଣଗୋଚରରେ ଏସବୁ କଥା ଜଣାଇଲେ। 21 ତହୁଁ ରାଜା ନଳାକାର ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାନ୍ତେ, ସେ ଇଲୀଶାମା ଲେଖକର କୋଠରିରୁ ତାହା ଆଣିଲା। ପୁଣି, ଯିହୁଦୀ ରାଜାଙ୍କ କର୍ଣ୍ଣଗୋଚରରେ ଓ ତାହାଙ୍କ ଛାମୁରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା। 22 ଏହି ସମୟରେ, ଅର୍ଥାତ୍, ନବମ ମାସରେ ରାଜା ଶୀତ କାଳ କ୍ଷେପଣର ଗୃହରେ ବସିଥିଲେ ଓ ତାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜ୍ୱଳୁଥିଲା।
23 ଏଥିଉତ୍ତାରେ ଯିହୁଦୀ ନଳାକାର ପୁସ୍ତକରୁ ତିନି ଚାରି ପତ୍ର ପାଠ କଲା ଉତ୍ତାରେ ରାଜା କଲମତ୍ରାସରେ ତାହା କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇ ଦେଲେ, ତହୁଁ ସେହି ପାତ୍ରରେ ଥିବା ଅଗ୍ନିରେ ସମୁଦାୟ ନଳାକାର ପୁସ୍ତକ ଭସ୍ମସାତ୍ ହେଲା। 24 ମାତ୍ର ରାଜା କିଅବା ତାହାର ଦାସଗଣ, ଯେଉଁମାନେ ସେହିସବୁ ବାକ୍ୟ ଶୁଣିଲେ, ସେମାନେ କେହି ଭୀତ ହେଲେ ନାହିଁ,କିଅବା ଆପଣା ଆପଣା ବସ୍ତ୍ର ଚିରିଲେ ନାହିଁ।
25 ଆହୁରି, ରାଜା ଯେପରି ନଳାକାର ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲ୍ନାଥନ୍, ଦଲୟିୟ ଓ ଗମରୀୟ ତାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ। 26 ପୁଣି ରାଜା, ବାରୂକ ଲେଖକଙ୍କୁ ଓ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଧରିବା ପାଇଁ ରାଜପୁତ୍ର ଯିରହମେଲକୁ ଓ ଅସ୍ରୀୟେଲ୍ର ପୁତ୍ର ସରାୟକୁ ଓ ଅବ୍ଦୀୟେଲର ପୁତ୍ର ଶେଲିମୀୟକୁ ଆଜ୍ଞା କଲେ; ମାତ୍ର ସଦାପ୍ରଭୁ ସେମାନଙ୍କୁ ଲୁଚାଇ ରଖିଲେ।
27 ଯିରିମୀୟଙ୍କ ମୁଖରୁ ଶୁଣି ବାରୂକ ଯେସକଳ ବାକ୍ୟ ଲେଖିଥିଲା, ସେହି ସମସ୍ତ ନଳାକାର ପୁସ୍ତକ ରାଜା ଦଗ୍ଧ କଲା ଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, 28 “ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ପୋଡ଼ି ପକାଇଅଛି, ସେହି ପ୍ରଥମ ନଳାକାର ପୁସ୍ତକରେ ଲିଖିତ ଆଦ୍ୟ ସକଳ ବାକ୍ୟ, ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନେଇ ପୁନର୍ବାର ଲେଖ। 29 ପୁଣି, ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ତୁମ୍ଭେ କହିବ, ସଦାପ୍ରଭୁ ଏହି କଥା କହନ୍ତି: ‘ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ, ଆଉ ତାହାକୁ ମନୁଷ୍ୟ ଓ ପଶୁଶୂନ୍ୟ କରିବ, ଏପରି କଥା ତୁମ୍ଭେ କାହିଁକି ଲେଖିଅଛ ? ଏହା କହି ତୁମ୍ଭେ ଏହି ନଳାକାର ପୁସ୍ତକ ଦଗ୍ଧ କରିଅଛ।’
30 ଏହେତୁ ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ରହିବ ନାହିଁ; ଆଉ ତାହାର ମୃତ ଶରୀର ଦିନବେଳେ ଖରାରେ ଓ ରାତ୍ରିବେଳେ କାକରରେ ପକାଯିବ।’ 31 ପୁଣି, ଆମ୍ଭେ ତାହାକୁ ଓ ତାହାର ବଂଶକୁ ଓ ତାହାର ଦାସଗଣକୁ ସେମାନଙ୍କର ଅଧର୍ମ ସକାଶୁ ଶାସ୍ତି ଦେବା; ଆଉ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେ ଯେ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ଉପରେ, ଯିରୂଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ବର୍ତ୍ତାଇବା;” ମାତ୍ର ସେମାନେ ଶୁଣିଲେ ନାହିଁ।
32 ତହୁଁ ଯିରିମୀୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନେଇ ନେରୀୟର ପୁତ୍ର ବାରୂକ ଲେଖକଙ୍କୁ ଦେଲେ; ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନିରେ ଦଗ୍ଧ କରିଥିଲା, ତହିଁର ସମସ୍ତ କଥା ସେ ଯିରିମୀୟଙ୍କ ମୁଖରୁ ଶୁଣି ତହିଁରେ ଲେଖିଲା; ପୁଣି, ତାହା ଛଡ଼ା ସେହି ପ୍ରକାର ଆଉ ଅନେକ କଥା ତହିଁରେ ଯୁକ୍ତ କରାଗଲା।
Chapter 37
ସିଦିକୀୟଙ୍କୁ ଯିରିମୀୟଙ୍କ ଚେତାବନୀ
1 ଏଥିଉତ୍ତାରେ ଯିହୋୟାକୀମ୍ର ପୁତ୍ର କନୀୟର ପଦରେ ଯୋଶୀୟର ପୁତ୍ର ସିଦିକୀୟ ରାଜା ହୋଇ ରାଜତ୍ୱ କଲା; ବାବିଲର ରାଜା ନବୂଖଦ୍ନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା। 2 ମାତ୍ର ସେ, କିଅବା ତାହାର ଦାସମାନେ ଅବା ଦେଶସ୍ଥ ଲୋକମାନେ, ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
3 ପୁଣି, ସିଦିକୀୟ ରାଜା ଶେଲିମୀୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ପଠାଇ କହିଲା, “ବିନୟ କରୁଅଛୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।” 4 ସେହି ସମୟରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ଗତାୟାତ କରୁଥିଲେ; କାରଣ ସେମାନେ ତାଙ୍କୁ କାରାଗାରରେ ବନ୍ଦୀ କରି ନ ଥିଲେ। 5 ଆଉ, ଫାରୋର ସୈନ୍ୟ ମିସର ଦେଶରୁ ବାହାର ହୋଇ ଆସିଥିଲେ; ଏଣୁ ଯିରୂଶାଲମ ଅବରୋଧକାରୀ କଲ୍ଦୀୟମାନେ ସେମାନଙ୍କର ସମାଚାର ଶୁଣି ଯିରୂଶାଲମରୁ ଚାଲିଗଲେ।
6 ସେତେବେଳେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 7 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭ ନିକଟରେ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇ ଅଛି ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ ଏହି କଥା କହିବ: ‘ଦେଖ, ତୁମ୍ଭମାନଙ୍କର ସାହାଯ୍ୟ ପାଇଁ ଫାରୋର ଯେଉଁ ସୈନ୍ୟ ବାହାରି ଆସିଅଛନ୍ତି, ସେମାନେ ଆପଣାମାନଙ୍କର ନିଜ ଦେଶ ମିସରକୁ ଫେରିଯିବେ। 8 ପୁଣି, କଲ୍ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ।’”
9 ସଦାପ୍ରଭୁ ଏହି କଥା କହନ୍ତି; “କଲ୍ଦୀୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଚାଲିଯିବେ, ତୁମ୍ଭେମାନେ ଏହି କଥା କହି ଆପଣାମାନଙ୍କୁ ଭୁଲାଅ ନାହିଁ; କାରଣ ସେମାନେ ଯିବେ ନାହିଁ। 10 ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ମଧ୍ୟ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”
କାରାଗାରରେ ଯିରିମୀୟ
11 କଲ୍ଦୀୟମାନଙ୍କର ସୈନ୍ୟ ଯେଉଁ ସମୟରେ ଫାରୋର ସୈନ୍ୟ ଭୟରେ ଯିରୂଶାଲମରୁ ଚାଲି ଯାଇଥିଲେ, ସେସମୟରେ ଏପରି ଘଟିଥିଲା ଯେ, 12 ଯିରିମୀୟ ଆପଣା ଲୋକମାନଙ୍କ ମଧ୍ୟରେ ଆପଣାର ପ୍ରାପ୍ୟ ଅଂଶ ପାଇବା ନିମନ୍ତେ ବିନ୍ୟାମୀନ୍ ପ୍ରଦେଶକୁ ଯିବା ପାଇଁ ଯିରୂଶାଲମରୁ ବାହାରିଲେ। 13 ପୁଣି, ସେ ବିନ୍ୟାମୀନ୍ ନାମକ ନଗର ଦ୍ୱାରରେ ଉପସ୍ଥିତ ହେବା ବେଳେ ସେଠାରେ ପ୍ରହରୀଗଣର ଜଣେ ଅଧ୍ୟକ୍ଷ ଥିଲା, ତାହାର ନାମ ଯିରୀୟ, ସେ ହନାନୀୟର ପୌତ୍ର ଶେଲିମୀୟର ପୁତ୍ର; ପୁଣି, ସେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଧରି କହିଲା, “ତୁମ୍ଭେ କଲ୍ଦୀୟମାନଙ୍କର ପକ୍ଷକୁ ଯାଉଅଛ।”
14 ସେତେବେଳେ ଯିରିମୀୟ କହିଲେ, “ଏ ମିଥ୍ୟା କଥା; ମୁଁ କଲ୍ଦୀୟମାନଙ୍କ ପକ୍ଷକୁ ଯାଉ ନାହିଁ;” ତଥାପି ଯିରୀୟ ଯିରିମୀୟଙ୍କ କଥା ନ ଶୁଣି ତାଙ୍କୁ ଧରି ଅଧିପତିମାନଙ୍କ ନିକଟକୁ ନେଇଗଲା। 15 ପୁଣି, ଅଧିପତିମାନେ ଯିରିମୀୟଙ୍କ ପ୍ରତି କ୍ରୁଦ୍ଧ ହୋଇ ତାଙ୍କୁ ପ୍ରହାର କଲେ ଓ ଯୋନାଥନ ଲେଖକର ଗୃହସ୍ଥିତ କାରାଗାରରେ ରଖିଲେ; କାରଣ ସେମାନେ ସେସ୍ଥାନକୁ କାରାଗାର କରିଥିଲେ।
16 ଯିରିମୀୟ ସେହି କାରାକୂପ ଓ ତହିଁର କ୍ଷୁଦ୍ର କୋଠରିରେ ପ୍ରବେଶ କରି ଅନେକ ଦିନ ସେଠାରେ ରହିଲେ। 17 ତହିଁ ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା; ଆଉ, ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି ?” ତହିଁରେ ଯିରିମୀୟ କହିଲେ, “ଆସିଅଛି।” ସେ ଆହୁରି କହିଲେ, “ଆପଣ ବାବିଲର ରାଜାର ହସ୍ତରେ ସମର୍ପିତ ହେବେ।”
18 ଆହୁରି, ଯିରିମୀୟ ସିଦିକୀୟ ରାଜାକୁ କହିଲେ, “ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ଦାସଗଣ ବିରୁଦ୍ଧରେ, ଅବା ଏହି ଲୋକମାନଙ୍କ ବିରୁଦ୍ଧରେ ମୁଁ କି ପାପ କରିଅଛି ଯେ, ଆପଣମାନେ ମୋତେ କାରାଗାରରେ ରଖିଅଛନ୍ତି ? 19 ଆପଣମାନଙ୍କର ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆପଣମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କହିଲେ, ‘ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବ ନାହିଁ,’ ସେମାନେ ଏବେ କାହାନ୍ତି ? 20 ଏବେ ହେ ମୋର ପ୍ରଭୁ, ମହାରାଜ, ବିନୟ କରୁଅଛି, ଶ୍ରବଣ କରନ୍ତୁ; ଆପଣ ଯୋନାଥନ ଲେଖକର ଗୃହକୁ ମୋତେ ଫେରି ନ ପଠାଉନ୍ତୁ, ନୋହିଲେ ମୁଁ ସେଠାରେ ମରିଯିବି; ବିନୟ କରୁଅଛି, ମୋର ଏହି ନିବେଦନ ଆପଣଙ୍କ ଛାମୁରେ ସୁଗ୍ରାହ୍ୟ ହେଉ।”
21 ତହିଁରେ ସିଦିକୀୟ ରାଜା ଆଜ୍ଞା କରନ୍ତେ, ଲୋକମାନେ ଯିରିମୀୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ, ପୁଣି ନଗରରେ ସବୁ ରୁଟି ଶେଷ ନ ହେବା ପର୍ଯ୍ୟନ୍ତ ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ତାଙ୍କୁ ଦେଲେ। ଏହି ପ୍ରକାରେ ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
Chapter 38
ପଙ୍କ ପୂର୍ଣ୍ଣ କୂପରେ ଯିରିମୀୟ
1 ଏଥିଉତ୍ତାରେ ମତ୍ତନର ପୁତ୍ର ଶଫଟୀୟ, ପଶ୍ହୂର ପୁତ୍ର ଗଦଲୀୟ, ଶେଲିମୀୟର ପୁତ୍ର ଯିହଖଲ ଓ ମଲ୍କୀୟର ପୁତ୍ର ପଶ୍ହୂର, ସମସ୍ତ ଲୋକଙ୍କ ନିକଟରେ ଯିରିମୀୟଙ୍କ କଥିତ ଏହି ବାକ୍ୟ ଶୁଣିଲେ, ଯଥା, 2 ସଦାପ୍ରଭୁ ଏହି କଥା କହନ୍ତି, “ଯେକେହି ଏହି ନଗରରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେକେହି ବାହାର ହୋଇ କଲ୍ଦୀୟମାନଙ୍କ ନିକଟକୁ ଯିବ, ସେ ବଞ୍ଚିବ, ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟ ତୁଲ୍ୟ ହେବ ଓ ସେ ବଞ୍ଚିବ।” 3 ସଦାପ୍ରଭୁ ଏହି କଥା କହନ୍ତି, “ଏହି ନଗର ବାବିଲ ରାଜାର ସୈନ୍ୟ ହସ୍ତରେ ନିଶ୍ଚୟ ସମର୍ପିତ ହେବ ଓ ସେ ତାହା ହସ୍ତଗତ କରିବ।”
4 ତହିଁରେ ଅଧିପତିମାନେ ରାଜାକୁ କହିଲେ, “ଆମ୍ଭେମାନେ ବିନୟ କରୁଅଛୁ, ଏହି ଲୋକର ପ୍ରାଣଦଣ୍ଡର ଆଜ୍ଞା ହେଉ; କାରଣ ସେ ଏହି ପ୍ରକାର କଥା କହି ଏହି ନଗରରେ ଥିବା ଅବଶିଷ୍ଟ ଯୋଦ୍ଧାମାନଙ୍କ ହସ୍ତ ଓ ସକଳ ଲୋକଙ୍କ ହସ୍ତ ଦୁର୍ବଳ କରୁଅଛି; ପୁଣି, ଏ ବ୍ୟକ୍ତି ଏହି ଲୋକମାନଙ୍କର ମଙ୍ଗଳ ନୁହେଁ, କେବଳ ଅମଙ୍ଗଳର ଚେଷ୍ଟା କରୁଅଛି। 5 ଏଥିରେ ସିଦିକୀୟ ରାଜା କହିଲା, “ଦେଖ, ସେ ତୁମ୍ଭମାନଙ୍କ ହସ୍ତରେ ଅଛି; କାରଣ ରାଜା ତୁମ୍ଭମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା ଲୋକ ନୁହନ୍ତି।”
6 ତହିଁରେ ସେମାନେ ଯିରିମୀୟଙ୍କୁ ଧରି ପ୍ରହରୀ ପ୍ରାଙ୍ଗଣସ୍ଥିତ, ମଲ୍କୀୟ ରାଜପୁତ୍ରର କୂପରେ ପକାଇ ଦେଲେ; ଅର୍ଥାତ୍, ସେମାନେ ରଜ୍ଜୁ ଦ୍ୱାରା ଯିରିମୀୟଙ୍କୁ ଓହ୍ଳାଇ ଦେଲେ। ପୁଣି, ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଆଉ, ଯିରିମୀୟ ସେହି ପଙ୍କରେ ମଗ୍ନପ୍ରାୟ ହେଲେ।
7 ଏଥି ମଧ୍ୟରେ ସେମାନେ ଯିରିମୀୟଙ୍କୁ କୂପରେ ପକାଇ ଦେଇଅଛନ୍ତି ବୋଲି, ରାଜଗୃହସ୍ଥିତ ଏବଦ୍-ମେଲକ ନାମକ ଜଣେ କୂଶୀୟ ନପୁଂସକ ଲୋକ ଶୁଣିଲା; ସେସମୟରେ ରାଜା ବିନ୍ୟାମୀନ୍ ଦ୍ୱାରରେ ଉପବିଷ୍ଟ ଥିଲା। 8 ଏବଦ୍-ମେଲକ ରାଜଗୃହରୁ ବାହାରି ରାଜାକୁ କହିଲା, 9 “ହେ ଆମ୍ଭର ପ୍ରଭୁ ମହାରାଜ, ଏହି ଲୋକମାନେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ୟବହାର କରିଅଛନ୍ତି, ସେମାନେ ତାଙ୍କୁ କୂପରେ ପକାଇଅଛନ୍ତି; ସେ ଯେଉଁଠାରେ ଅଛନ୍ତି, ଦୁର୍ଭିକ୍ଷ ସକାଶୁ ସେଠାରେ ସେ ମଲା ପରି ଅଛନ୍ତି, କାରଣ ନଗରରେ ଆଉ ରୁଟି ନାହିଁ।”
10 ସେତେବେଳେ ରାଜା କୂଶୀୟ ଏବଦ୍-ମେଲକକୁ ଆଜ୍ଞା କଲା, “ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗରେ ନେଇ ଯିରିମୀୟ ଭବିଷ୍ୟଦ୍ବକ୍ତା ମରିବା ପୂର୍ବରୁ ତାଙ୍କୁ କୂପରୁ ବାହାର କରି ଆଣ।” 11 ତହିଁରେ ଏବଦ୍-ମେଲକ ଆପଣା ସଙ୍ଗେ ସେହି ଲୋକମାନଙ୍କୁ ନେଇ ରାଜଗୃହକୁ ଯାଇ ଭଣ୍ଡାରର ତଳରୁ କେତେଗୁଡ଼ିଏ ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ନେଲା, ଆଉ ରଜ୍ଜୁ ଦ୍ୱାରା ସେସବୁ କୂପରେ ଯିରିମୀୟଙ୍କୁ ଦେଲା।
12 ପୁଣି, କୂଶୀୟ ଏବଦ୍-ମେଲକ ଯିରିମୀୟଙ୍କୁ କହିଲା, “ସେହି ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ଆପଣା କକ୍ଷମୂଳରେ ରଜ୍ଜୁ ତଳେ ଦିଅ।” 13 ତହିଁରେ ଯିରିମୀୟ ସେପରି କଲେ। ତହୁଁ ସେମାନେ ରଜ୍ଜୁ ଧରି ଟାଣି ଯିରିମୀୟଙ୍କୁ କୂପରୁ ବାହାର କରି ଆଣିଲେ। ପୁଣି, ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
ସିଦିକୀୟଙ୍କୁ ଯିରିମୀୟଙ୍କ ଚେତାବନୀ
14 ଏଥିଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା। ଆଉ, ରାଜା ଯିରିମୀୟଙ୍କୁ କହିଲା, “ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋ’ଠାରୁ କିଛି ଗୋପନ କରିବ ନାହିଁ।” 15 ତେବେ ଯିରିମୀୟ ସିଦିକୀୟକୁ କହିଲେ, “ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ କି ମୋତେ ନିଶ୍ଚୟ ବଧ କରିବେ ନାହିଁ ? ଆଉ, ମୁଁ ଯଦି ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋ’ କଥା ଶୁଣିବେ ନାହିଁ।” 16 ତହିଁରେ ସିଦିକୀୟ ରାଜା ଗୋପନରେ ଯିରିମୀୟଙ୍କ ନିକଟରେ ଶପଥ କରି କହିଲା, “ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଶପଥ, ମୁଁ ତୁମ୍ଭକୁ ବଧ କରିବି ନାହିଁ, କିଅବା ତୁମ୍ଭ ପ୍ରାଣନାଶର ଚେଷ୍ଟାକାରୀ ଏହି ଲୋକମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।”
17 ସେତେବେଳେ ଯିରିମୀୟ ସିଦିକୀୟକୁ କହିଲେ, “ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ, ତେବେ ତୁମ୍ଭର ପ୍ରାଣ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦଗ୍ଧ ହେବ ନାହିଁ; ପୁଣି, ତୁମ୍ଭେ ଓ ତୁମ୍ଭ ପରିବାର ବଞ୍ଚିବ। 18 ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।’”
19 ଏଥିରେ ସିଦିକୀୟ ରାଜା ଯିରିମୀୟଙ୍କୁ କହିଲା, “ଯେଉଁ ଯିହୁଦୀ ଲୋକମାନେ କଲ୍ଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଅଛି, କେଜାଣି ଲୋକେ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ସେମାନେ ମୋତେ ପରିହାସ କରିବେ।”
20 ମାତ୍ର ଯିରିମୀୟ କହିଲେ, “ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ବିନୟ କରୁଅଛି, ମୋ’ ଦ୍ୱାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ; ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ବଞ୍ଚିବ। 21 ମାତ୍ର ଯଦି ଆପଣ ବାହାରି ଯିବା ପାଇଁ ଅସମ୍ମତ ହୁଅନ୍ତି, ତେବେ ସଦାପ୍ରଭୁ ଯେଉଁ କଥା ମୋତେ ଜଣାଇ ଅଛନ୍ତି, ତାହା ଏହି:
22 ଦେଖନ୍ତୁ, ଯେତେ ସ୍ତ୍ରୀଲୋକ ଯିହୁଦାର ରାଜଗୃହରେ ଅବଶିଷ୍ଟ ଅଛନ୍ତି, ସେମାନେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ସେହି ସ୍ତ୍ରୀମାନେ କହିବେ,
‘ତୁମ୍ଭର ସୁହୃଦ୍ମାନେ ତୁମ୍ଭକୁ ପ୍ରବର୍ତ୍ତାଇ ତୁମ୍ଭକୁ ପରାସ୍ତ କରିଅଛନ୍ତି;
ଆଉ, ଏବେ ତୁମ୍ଭର ପାଦ ପଙ୍କରେ ମଗ୍ନ ହେବାରୁ
ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି।’
23 ପୁଣି, ଲୋକମାନେ ଆପଣଙ୍କ ଭାର୍ଯ୍ୟା ଓ ସନ୍ତାନ ସମସ୍ତଙ୍କୁ ବାହାର କରି କଲ୍ଦୀୟମାନଙ୍କ ନିକଟକୁ ଆଣିବେ; ଆଉ, ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ମାତ୍ର ବାବିଲ ରାଜାର ହସ୍ତରେ ଧରାଯିବେ ଓ ଆପଣ ଏହି ନଗରକୁ ଅଗ୍ନିରେ ଦଗ୍ଧ କରାଇବେ।”
24 ଏଥିରେ ସିଦିକୀୟ ଯିରିମୀୟଙ୍କୁ କହିଲା, “ଏସବୁ କଥା କେହି ନ ଜାଣୁ, ତହିଁରେ ତୁମ୍ଭେ ମରିବ ନାହିଁ। 25 ମାତ୍ର ମୁଁ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିଅଛି ବୋଲି ଯଦି ଅଧିପତିମାନେ ଶୁଣନ୍ତି ଓ ତୁମ୍ଭ ନିକଟକୁ ଆସି କହନ୍ତି, ‘ତୁମ୍ଭେ ରାଜାଙ୍କୁ କି କି କଥା କହିଅଛ, ତାହା ଆମ୍ଭମାନଙ୍କୁ ଜଣାଅ; ସେ କଥା, ମଧ୍ୟ ରାଜା ତୁମ୍ଭକୁ ଯାହା କହିଅଛନ୍ତି, ତାହା, ଆମ୍ଭମାନଙ୍କଠାରୁ ଗୋପନ ନ କର, ତହିଁରେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ।’ 26 ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହରେ ମରିବା ପାଇଁ ରାଜା ଯେପରି ଫେରି ନ ପଠାନ୍ତି,ଏଥିପାଇଁ ମୁଁ ତାଙ୍କ ଛାମୁରେ ନିବେଦନ କଲି।’”
27 ଏଥିଉତ୍ତାରେ ଅଧିପତି ସମସ୍ତେ ଯିରିମୀୟଙ୍କ ନିକଟକୁ ଆସି ତାଙ୍କୁ ପଚାରିଲେ; ତହିଁରେ ସେ ରାଜାଙ୍କ ଆଜ୍ଞାନୁସାରେ ଏହିସବୁ କଥା ସେମାନଙ୍କୁ ଜଣାଇଲେ। ତହୁଁ ସେମାନେ ତାଙ୍କ ସଙ୍ଗେ କଥା କହିବାର ତ୍ୟାଗ କଲେ; କାରଣ କଥା ପ୍ରକାଶ ପାଇଲା ନାହିଁ। 28 ତହିଁରେ ଯିରୂଶାଲମର ପରାଜୟ ଦିନ ପର୍ଯ୍ୟନ୍ତ ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
Chapter 39
ଯିରୂଶାଲମର ପତନ
1 ଏଥିଉତ୍ତାରେ ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ; 2 ସିଦିକୀୟଙ୍କ ରାଜତ୍ଵର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ନଗରର ଏକ ସ୍ଥାନ ଭଗ୍ନ ହେଲା। ଏହିରୂପେ ଯିରୂଶାଲମ ହସ୍ତଗତ ହୁଅନ୍ତେ, 3 ବାବିଲ ରାଜାର ଅଧିପତିସକଳ, ଅର୍ଥାତ୍, ନେର୍ଗଲ ଶରେତ୍ସର, ସମ୍ଗର-ନବୋ, ଶର୍ସଖୀମ୍, ରବ୍ସାରୀସ୍, ନେର୍ଗଲ ଶରେତ୍ସର, ରବମାଗ୍ ପ୍ରଭୃତି ବାବିଲ ରାଜାର ଅବଶିଷ୍ଟ ଅଧିପତି ସମସ୍ତେ ଭିତରେ ଆସି ମଧ୍ୟମ ଦ୍ୱାରରେ ବସିଲେ।
4 ତହିଁରେ ଯିହୁଦାର ରାଜା ସିଦିକୀୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ, ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରି ଗଲେ; ପୁଣି, ସେ ଆରାବା ପଥରେ ଚାଲିଗଲା। 5 ମାତ୍ର କଲ୍ଦୀୟମାନଙ୍କ ସୈନ୍ୟ ସେମାନଙ୍କ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକୀୟ ନିକଟରେ ପହଞ୍ଚିଲେ ଓ ତାହାକୁ ଧରି ହମାତ୍ ଦେଶସ୍ଥ ରିବ୍ଲାରେ ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ଆଣିଲେ, ତହିଁରେ ସେ ତାହାର ଦଣ୍ଡାଜ୍ଞା ଦେଲା।
6 ପୁଣି, ବାବିଲର ରାଜା ରିବ୍ଲାରେ ସିଦିକୀୟର ଦୃଷ୍ଟିଗୋଚରରେ ତାହାର ପୁତ୍ରମାନଙ୍କୁ ବଧ କଲା; ମଧ୍ୟ ବାବିଲର ରାଜା ଯିହୁଦାର ଅଧିପତି ସମସ୍ତଙ୍କୁ ବଧ କଲା। 7 ଆହୁରି, ସେ ସିଦିକୀୟର ଚକ୍ଷୁ ଉପାଡ଼ି ତାହାକୁ ବାବିଲକୁ ନେଇଯିବା ନିମନ୍ତେ ଶୃଙ୍ଖଳରେ ବଦ୍ଧ କଲା।
8 ପୁଣି, କଲ୍ଦୀୟମାନେ ରାଜାର ଗୃହ ଓ ଲୋକମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କଲେ, ଆଉ ଯିରୂଶାଲମର ପ୍ରାଚୀରସବୁ ଭାଙ୍ଗି ପକାଇଲେ। 9 ପୁଣି, ପ୍ରହରୀବର୍ଗର ସେନାପତି ନବୂଷରଦନ୍, ନଗରରେ ଥିବା ଅବଶିଷ୍ଟ ଲୋକମାନଙ୍କୁ, ମଧ୍ୟ ତାହାର ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନେଇଗଲା। 10 ମାତ୍ର ପ୍ରହରୀବର୍ଗର ସେନାପତି ନବୂଷରଦନ୍, କେତେଗୁଡ଼ିଏ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିକରି ଗଲା, ଆଉ ସେହି ସମୟରେ ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।
ଯିରିମୀୟଙ୍କ ମୁକ୍ତି
11 ପୁଣି, ବାବିଲର ରାଜା ନବୂଖଦ୍ନିତ୍ସର ଯିରିମୀୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍କୁ ଏହି ଆଜ୍ଞା କଲା, 12 “ତୁମ୍ଭେ ତାଙ୍କୁ ନେଇ ଭଲ ରୂପେ ତାଙ୍କର ତତ୍ତ୍ୱାବଧାନ କର ଓ ତାଙ୍କର କୌଣସି କ୍ଷତି କର ନାହିଁ; ପୁଣି, ସେ ଯେପରି ତୁମ୍ଭକୁ କହନ୍ତି, ସେପରି ତାଙ୍କ ପ୍ରତି କର।”
13 ତହିଁରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଓ ନବୂଶସ୍ବନ୍, ରବ୍ସାରୀସ୍ ଓ ନେର୍ଗଲ ଶରେତ୍ସର, ରବମାଗ୍ ଓ ବାବିଲ ରାଜାର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇଲେ। 14 ସେମାନେ ଲୋକ ପଠାଇ ପ୍ରହରୀ ପ୍ରାଙ୍ଗଣରୁ ଯିରିମୀୟଙ୍କୁ ଆଣିଲେ, ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।
ଏବଦ୍-ମେଲକ ପାଇଁ କୁଶଳବାର୍ତ୍ତା
15 ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ସମୟରେ, ତାହାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 16 ତୁମ୍ଭେ ଯାଇ କୂଶୀୟ ଏବଦ୍-ମେଲକକୁ କୁହ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ଦେଖ, ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳର ନିମନ୍ତେ ଆମ୍ଭେ ଏହି ନଗର ଉପରେ ଆପଣାର ବାକ୍ୟ ସବୁ ସଫଳ କରିବା; ପୁଣି, ସେଦିନ ତୁମ୍ଭ ସାକ୍ଷାତରେ ସେସବୁ ସଫଳ ହେବ।’
17 ମାତ୍ର ସଦାପ୍ରଭୁ କହନ୍ତି, ‘ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ହେବ ନାହିଁ। 18 କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ୍ଗରେ [1] ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରିଅଛ,’ ଏହା ସଦାପ୍ରଭୁ କହନ୍ତି।”
Chapter 40
ଯିହୁଦାରେ ଯିରିମୀୟଙ୍କ ଅବସ୍ଥାନ
1 ଯିରୂଶାଲମ ଓ ଯିହୁଦାର ଯେସମସ୍ତ ବନ୍ଦୀ ଲୋକ ବାବିଲକୁ ନିଆ ଯାଉଥିଲେ, ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମୀୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ନେଇ ରାମା ନଗରରୁ ବିଦାୟ କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ। 2 ପ୍ରହରୀବର୍ଗର ସେନାପତି ଯିରିମୀୟଙ୍କୁ ନେଇ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳର କଥା କହିଥିଲେ : 3 ଆଉ, ସଦାପ୍ରଭୁ ତାହା ଘଟାଇଅଛନ୍ତି ଓ ଯେପରି କହିଥିଲେ, ସେପରି କରିଅଛନ୍ତି; ତୁମ୍ଭେମାନେ ସଦାପ୍ରଭୁଙ୍କର କଥା ନ ମାନି ତାହାଙ୍କ ବିରୁଦ୍ଧରେ ପାପ କରିଅଛ, ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଏହା ଘଟିଅଛି।”
4 ଆଉ, ଏବେ ଦେଖ, ମୁଁ ଆଜି ତୁମ୍ଭ ହସ୍ତରେ ଥିବା ଶୃଙ୍ଖଳରୁ ତୁମ୍ଭକୁ ମୁକ୍ତ କଲି। ମୋ’ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ଦିଶେ, ତେବେ ଆସ, ଆଉ ମୁଁ ଭଲ ରୂପେ ତୁମ୍ଭର ତତ୍ତ୍ୱାବଧାନ କରିବି; ମାତ୍ର ମୋ’ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ନ ଦିଶେ, ତେବେ କ୍ଷାନ୍ତ ହୁଅ; ଦେଖ, ସମୁଦାୟ ଦେଶ ତୁମ୍ଭ ଆଗରେ ପଡ଼ିଛି; ଯେଉଁଠାକୁ ଯିବା ପାଇଁ ତୁମ୍ଭକୁ ଭଲ ଓ ଉପଯୁକ୍ତ ଦିଶେ, ସେଠାକୁ ଯାଅ।
5 ଯିରିମୀୟ ଫେରି ନ ଯାଉଣୁ ନବୂଷରଦନ୍ ତାଙ୍କୁ କହିଲା, “ତେବେ ତୁମ୍ଭେ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଫେରି ଯାଅ, ବାବିଲର ରାଜା ତାହାକୁ ଯିହୁଦାର ନଗରସମୂହର ଉପରେ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଅଛି, ଆଉ ତୁମ୍ଭେ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କର; ଅବା ଯେକୌଣସି ସ୍ଥାନକୁ ଯିବା ପାଇଁ ତୁମ୍ଭକୁ ଉପଯୁକ୍ତ ଦିଶେ, ସେ ସ୍ଥାନକୁ ଯାଅ।” ତହିଁରେ ପ୍ରହରୀବର୍ଗର ସେନାପତି ତାଙ୍କୁ ପାଥେୟ ଓ ପାରିତୋଷିକ ଦେଇ ବିଦାୟ କଲା। 6 ତହିଁରେ ଯିରିମୀୟ ମିସ୍ପାକୁ ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଯାଇ ଦେଶସ୍ଥ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କଲେ।
ଯିହୁଦାର ଶାସକ ଗଦଲୀୟ
7 ଏଥିଉତ୍ତାରେ ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ବାବିଲର ରାଜା ଦେଶର ଶାସନକର୍ତ୍ତା କରି ନିଯୁକ୍ତ କରିଅଛି ଓ ଯେଉଁମାନେ ବନ୍ଦୀ ହୋଇ ବାବିଲକୁ ନୀତ ହୋଇ ନାହାନ୍ତି, ଏପରି ସକଳ ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଓ ଦେଶସ୍ଥ ଦରିଦ୍ରମାନଙ୍କର ଭାର ତାହା ହସ୍ତରେ ସମର୍ପଣ କରିଅଛି ବୋଲି ପଦାରେ ସ୍ଥିତ ସେନାପତିଗଣ ଓ ସେମାନଙ୍କର ଲୋକମାନେ ଶୁଣିଲେ। 8 ତହିଁରେ ସେମାନେ, ଅର୍ଥାତ୍, ନଥନୀୟର ପୁତ୍ର ଇଶ୍ମାୟେଲ ଓ କାରେହର ପୁତ୍ର ଯୋହାନନ୍ ଓ ଯୋନାଥନ, ତନ୍ହୂମତର ପୁତ୍ର ସରାୟ ଓ ନଟୋଫାତୀୟ ଏଫର ପୁତ୍ରମାନେ ଆଉ ମାଖାଥୀୟର ପୁତ୍ର ଯାସନୀୟ, ଏମାନେ, ପୁଣି ଏମାନଙ୍କର ଲୋକମାନେ ମିସ୍ପାକୁ ଗଦଲୀୟ ନିକଟକୁ ଗଲେ।
9 ପୁଣି, ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟ ସେମାନଙ୍କ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରି କହିଲା, “ତୁମ୍ଭେମାନେ କଲ୍ଦୀୟମାନଙ୍କର ଦାସ ହେବା ପାଇଁ ଭୟ କର ନାହିଁ, ବାବିଲ ରାଜାର ଦାସ ହୋଇ ଦେଶରେ ବାସ କର, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ। 10 ଦେଖ, ଯେଉଁ କଲ୍ଦୀୟମାନେ ଆମ୍ଭମାନଙ୍କ ନିକଟକୁ ଆସିବେ, ସେମାନଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଆମ୍ଭେ ମିସ୍ପାରେ ବାସ କରିବା; ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ, ଆଉ ତୁମ୍ଭମାନଙ୍କର ଯେସକଳ ନଗର ତୁମ୍ଭେମାନେ ହସ୍ତଗତ କରିଅଛ, ତହିଁରେ ବାସ କର।”
11 ଆଉ, ମୋୟାବରେ ଓ ଅମ୍ମୋନ ସନ୍ତାନଗଣ ମଧ୍ୟରେ, ଆଉ ଇଦୋମରେ ଓ ଅନ୍ୟାନ୍ୟ ସକଳ ଦେଶରେ ଯେଉଁ ଯିହୁଦୀୟମାନେ ଥିଲେ, ସେମାନେ ଯେତେବେଳେ ଶୁଣିଲେ ଯେ, ବାବିଲର ରାଜା ଯିହୁଦାର ଏକ ଅଂଶ ଲୋକ ଅବଶିଷ୍ଟ ରଖିଅଛି ଓ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ସେମାନଙ୍କ ଉପରେ ନିଯୁକ୍ତ କରିଅଛି; 12 ସେତେବେଳେ ସେହି ଯିହୁଦୀୟମାନେ ଯେ ଯେଉଁ ସ୍ଥାନକୁ ତାଡ଼ିତ ହୋଇଥିଲେ, ସେସକଳ ସ୍ଥାନରୁ ଫେରି ଯିହୁଦା ଦେଶକୁ ମିସ୍ପାରେ ଗଦଲୀୟ ନିକଟକୁ ଆସିଲେ, ଆଉ ପ୍ରଚୁର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ।
13 ଆହୁରି, କାରେହର ପୁତ୍ର ଯୋହାନନ୍ ଓ ପଦାରେ ଅବସ୍ଥିତ ସେନାପତିସକଳ ମିସ୍ପାରେ ଗଦଲୀୟ ନିକଟକୁ ଆସିଲେ, 14 ଆଉ ତାହାକୁ କହିଲେ, “ଅମ୍ମୋନ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନୀୟର ପୁତ୍ର ଇଶ୍ମାୟେଲକୁ ପଠାଇଅଛି ବୋଲି କି ଆପଣ ଜାଣନ୍ତି ?” ମାତ୍ର ଅହୀକାମ୍ର ପୁତ୍ର ଗଦଲୀୟ ସେମାନଙ୍କ କଥାରେ ବିଶ୍ୱାସ କଲା ନାହିଁ।
15 ତହିଁରେ କାରେହର ପୁତ୍ର ଯୋହାନନ୍ ମିସ୍ପାରେ ଗଦଲୀୟଙ୍କୁ ଗୋପନରେ କହିଲା, “ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନୀୟର ପୁତ୍ର ଇଶ୍ମାୟେଲକୁ ବଧ କରିବି, ଆଉ କେହି ତାହା ଜାଣିବ ନାହିଁ; ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଯିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ ?” 16 ମାତ୍ର ଅହୀକାମ୍ର ପୁତ୍ର ଗଦଲୀୟ କାରେହର ପୁତ୍ର ଯୋହାନନ୍କୁ କହିଲା, “ତୁମ୍ଭେ ଏ କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭେ ଇଶ୍ମାୟେଲ ବିଷୟରେ ମିଥ୍ୟା କଥା କହୁଅଛ।”
Chapter 41
ଗଦଲୀୟଙ୍କ ହତ୍ୟା
1 ଏଥିଉତ୍ତାରେ ସପ୍ତମ ମାସରେ ରାଜାର ଅମାତ୍ୟମାନଙ୍କ ମଧ୍ୟରେ ଗଣିତ ରାଜବଂଶୀୟ, ଇଲୀଶାମାର ପୌତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହା ସଙ୍ଗେ ଦଶ ଜଣ ପୁରୁଷ ମିସ୍ପାକୁ ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଆସିଲେ; ଆଉ, ସେମାନେ ମିସ୍ପାରେ ଏକତ୍ର ଭୋଜନ କଲେ। 2 ସେତେବେଳେ ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ସେହି ଦଶ ଲୋକ ଉଠି ବାବିଲ ରାଜା ଦ୍ୱାରା ଦେଶର ଶାସନକର୍ତ୍ତାପଦରେ ନିଯୁକ୍ତ, ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ଖଡ୍ଗାଘାତରେ ବଧ କଲେ। 3 ଆହୁରି, ମିସ୍ପାରେ ଗଦଲୀୟ ସଙ୍ଗେ ଥିବା ସମସ୍ତ ଯିହୁଦୀୟ ଲୋକଙ୍କୁ ଓ ସେଠାରେ ଯେଉଁ କଲ୍ଦୀୟମାନେ ଦେଖାଗଲେ, ସେମାନଙ୍କୁ, ଅର୍ଥାତ୍, ଯୋଦ୍ଧାମାନଙ୍କୁ ଇଶ୍ମାୟେଲ ବଧ କଲା।
4 ପୁଣି, ସେ ଗଦଲୀୟଙ୍କୁ ବଧ କଲା ଉତ୍ତାରେ, ସେ ବିଷୟ କେହି ନ ଜାଣିବା ପୂର୍ବରୁ, 5 ଶିଖିମ, ଶୀଲୋ ଓ ଶମରୀୟାରୁ ଅଶୀ ଜଣ ପୁରୁଷ କ୍ଷୌର ଦାଢ଼ି ଓ ଛିନ୍ନବସ୍ତ୍ର ପରିହିତ ହୋଇ, ଆଉ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରି, ପୁଣି ସଦାପ୍ରଭୁଙ୍କ ଗୃହରେ ଉତ୍ସର୍ଗ କରିବା ପାଇଁ ଆପଣା ଆପଣା ହସ୍ତରେ ନୈବେଦ୍ୟ ଓ କୁନ୍ଦୁରୁ ନେଇ ଆସୁଥିଲେ।
6 ତହିଁରେ ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ଭେଟିବା ପାଇଁ ମିସ୍ପାଠାରୁ ଗଲା; ଆଉ, ଯାଉ ଯାଉ ସେ ବାଟଯାକ କ୍ରନ୍ଦନ କରି କରି ଗଲା; ପୁଣି, ସେମାନଙ୍କ ସହିତ ସାକ୍ଷାତ ହୁଅନ୍ତେ, ସେ ସେମାନଙ୍କୁ କହିଲା, “ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଆସ।” 7 ଏଉତ୍ତାରେ ସେମାନେ ନଗରର ମଧ୍ୟସ୍ଥାନରେ ଉପସ୍ଥିତ ହୁଅନ୍ତେ, ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ପୁରୁଷମାନେ ସେମାନଙ୍କୁ ବଧ କରି କୂପରେ ପକାଇଦେଲେ।
8 ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ; କାରଣ ଆମ୍ଭେମାନେ କ୍ଷେତ୍ରରେ ଗହମ, ଯବ, ତୈଳ ଓ ମଧୁ ସଞ୍ଚୟ କରି ପୋତି ଲୁଚାଇ ରଖିଅଛୁ।” ତହିଁରେ ସେ କ୍ଷାନ୍ତ ହୋଇ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ବଧ କଲା ନାହିଁ। 9 ଇଶ୍ମାୟେଲ ଯେଉଁ କୂପରେ ଆପଣା ଦ୍ୱାରା ହତ ଲୋକମାନଙ୍କର ଶବ ଗଦଲୀୟଙ୍କ ଶବ ନିକଟରେ ପକାଇ ଦେଲା, ସେହି କୂପ ଆସା ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲେ; ପୁଣି, ନଥନୀୟର ପୁତ୍ର ଇଶ୍ମାୟେଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା।
10 ଏଥିଉତ୍ତାରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ, ଅର୍ଥାତ୍, ସମସ୍ତ ରାଜକନ୍ୟାଗଣକୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେସମସ୍ତ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମ୍ର ପୁତ୍ର ଗଦଲୀୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀ କରି ନେଇ ଗଲା; ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ବନ୍ଦୀ କରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।
11 ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲର ଏହିସବୁ ଦୁଷ୍କର୍ମ ବିଷୟ କାରେହର ପୁତ୍ର ଯୋହାନନ୍ ଓ ତାହାର ସଙ୍ଗୀ ସେନାପତି ସମସ୍ତେ ଶୁଣନ୍ତେ, 12 ସେମାନେ ସମସ୍ତ ଲୋକଙ୍କୁ ନେଇ ନଥନୀୟର ପୁତ୍ର ଇଶ୍ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବୀୟୋନ୍ସ୍ଥିତ ମହାଜଳାଶୟ ନିକଟରେ ତାହାକୁ ଦେଖିଲେ। 13 ସେତେବେଳେ ଇଶ୍ମାୟେଲ ସଙ୍ଗେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନନ୍କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।
14 ତହିଁରେ ଇଶ୍ମାୟେଲ ଯେଉଁ ଲୋକମାନଙ୍କୁ ମିସ୍ପାରୁ ବନ୍ଦୀ କରି ନେଇଯାଇଥିଲା, ସେସମସ୍ତେ ଲେଉଟି କାରେହର ପୁତ୍ର ଯୋହାନନ୍ ନିକଟକୁ ଫେରି ଆସିଲେ। 15 ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଆଠ ଜଣ ଲୋକ ସହିତ ଯୋହାନନ୍ ନିକଟରୁ ପଳାଇ ଅମ୍ମୋନ ସନ୍ତାନଗଣର ନିକଟକୁ ଗଲା।
16 ତହୁଁ ନଥନୀୟର ପୁତ୍ର ଇଶ୍ମାୟେଲ ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ବଧ କଲା ଉତ୍ତାରେ କାରେହର ପୁତ୍ର ଯୋହାନନ୍ ଆପଣା ସଙ୍ଗୀ ସେନାପତିଗଣ ସହିତ ଯେସମସ୍ତ ଅବଶିଷ୍ଟ ଲୋକଙ୍କୁ ତାହା ହସ୍ତରୁ ଉଦ୍ଧାର କରି ମିସ୍ପାରୁ ଆଣିଥିଲା, ସେମାନଙ୍କୁ, ଅର୍ଥାତ୍, ଗିବୀୟୋନ୍ରୁ ଆଣିଥିବା ଯୋଦ୍ଧା ପୁରୁଷମାନଙ୍କୁ ଓ ସ୍ତ୍ରୀଲୋକ, ବାଳକ ବାଳିକା ଓ ନପୁଂସକମାନଙ୍କୁ ସେ ସଙ୍ଗେ ନେଲା।
17 ଆଉ, ସେମାନେ କଲ୍ଦୀୟମାନଙ୍କ ସକାଶୁ ମିସରରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ଥାନ କରି ବେଥଲିହିମ ନିକଟସ୍ଥ ଗେରୁତ୍ତ୍ୱ କିମ୍ହମ୍ରେ ବାସ କଲେ; 18 କାରଣ ନଥନୀୟର ପୁତ୍ର ଇଶ୍ମାୟେଲ, ବାବିଲ ରାଜାର ନିଯୁକ୍ତ ଦେଶର ଶାସନକର୍ତ୍ତା ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ବଧ କରିବା ହେତୁରୁ ସେମାନେ କଲ୍ଦୀୟମାନଙ୍କ ବିଷୟରେ ଭୀତ ହୋଇଥିଲେ।
Chapter 42
ମିସରକୁ ନ ଯିବା ନିମନ୍ତେ ଚେତାବନୀ
1 ଏଥିଉତ୍ତାରେ ସେନାପତି ସମସ୍ତେ, କାରେହର ପୁତ୍ର ଯୋହାନନ୍ ଓ ହୋଶୋୟୀୟର ପୁତ୍ର ଯାସନୀୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମୀୟ ଭବିଷ୍ୟଦ୍ବକ୍ତା ନିକଟକୁ ଆସି କହିଲେ, 2 “ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କର ନିବେଦନ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆପଣ ଆମ୍ଭମାନଙ୍କ ନିମନ୍ତେ, ଅର୍ଥାତ୍, ଅବଶିଷ୍ଟ ଏହିସକଳ ଲୋକଙ୍କ ନିମନ୍ତେ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ; କାରଣ ଆପଣ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛନ୍ତି, ଆମ୍ଭେମାନେ ଅନେକ ଥିଲୁ, ଏବେ ଅଳ୍ପମାତ୍ର ରହିଅଛୁ। 3 ତହିଁରେ କେଉଁ ପଥ ଆମ୍ଭମାନଙ୍କର ଗନ୍ତବ୍ୟ ଓ କେଉଁ କର୍ମ ଆମ୍ଭମାନଙ୍କର କର୍ତ୍ତବ୍ୟ, ଏହା ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଜ୍ଞାତ କରାଇବେ।”
4 ସେତେବେଳେ ଯିରିମୀୟ ଭବିଷ୍ୟଦ୍ବକ୍ତା ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କର କଥା ଶୁଣିଲି; ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେକୌଣସି ଉତ୍ତର ଦେବେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ କରିବି ନାହିଁ।”
5 ତହିଁରେ ସେମାନେ ଯିରିମୀୟଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସାରେ ଯଦି ଆମ୍ଭେମାନେ କର୍ମ ନ କରୁ, ତେବେ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ସତ୍ୟ ଓ ବିଶ୍ୱସ୍ତ ସାକ୍ଷୀ ହେଉନ୍ତୁ। 6 ତାହା ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ମାନିଲେ, ଆମ୍ଭମାନଙ୍କର ମଙ୍ଗଳ ହେବ।”
ଯିରିମୀୟଙ୍କ ପ୍ରାର୍ଥନାର ଉତ୍ତର
7 ଏଥିଉତ୍ତାରେ ଦଶ ଦିନ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। 8 ତହିଁରେ ସେ କାରେହର ପୁତ୍ର ଯୋହାନନ୍କୁ ଓ ତାହାର ସଙ୍ଗୀ ସେନାପତି ସମସ୍ତଙ୍କୁ ଓ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାକି ସେମାନଙ୍କୁ କହିଲେ, 9 “ତୁମ୍ଭେମାନେ ଯାହାଙ୍କ ନିକଟରେ ଆପଣାମାନଙ୍କର ନିବେଦନ ଜଣାଇବାକୁ ମୋତେ ପଠାଇଥିଲ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; 10 ‘ଯଦି ତୁମ୍ଭେମାନେ ଏହି ଦେଶରେ ଆହୁରି ବାସ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ନିର୍ମାଣ କରିବା, ଆଉ ଭାଙ୍ଗିବା ନାହିଁ ଓ ଆମ୍ଭେ ତୁମ୍ଭମାନଙ୍କୁ ରୋପଣ କରିବା, ଉତ୍ପାଟନ କରିବା ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯେ ଅମଙ୍ଗଳ କରିଅଛୁ, ତହିଁରୁ କ୍ଷାନ୍ତ ହେଲୁ।
11 ତୁମ୍ଭେମାନେ ଯେଉଁ ବାବିଲ ରାଜା ବିଷୟରେ ଭୀତ ଅଛ, ତାହାକୁ ଭୟ କର ନାହିଁ,’ ସଦାପ୍ରଭୁ କହନ୍ତି, ‘ତାହାକୁ ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ। 12 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା, ତହିଁରେ ସେ ତୁମ୍ଭମାନଙ୍କ ପ୍ରତି ଦୟା ବହି ତୁମ୍ଭମାନଙ୍କ ଦେଶକୁ ତୁମ୍ଭମାନଙ୍କୁ ପ୍ରତ୍ୟାଗମନ କରାଇବ।’
13 ମାତ୍ର ଯଦି ତୁମ୍ଭେମାନେ କୁହ, ‘ଆମ୍ଭେମାନେ ଏ ଦେଶରେ ବାସ କରିବା ନାହିଁ’ ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ନ ମାନି ଯଦି କୁହ, 14 ‘ନା; ମାତ୍ର ଆମ୍ଭେମାନେ ମିସର ଦେଶକୁ ଯିବା, ସେଠାରେ ଆମ୍ଭେମାନେ ଯୁଦ୍ଧ ଦେଖିବା ନାହିଁ, କି ତୂରୀ ଶବ୍ଦ ଶୁଣିବା ନାହିଁ, କିଅବା ଖାଦ୍ୟର ଅଭାବ ଭୋଗିବା ନାହିଁ; ଆଉ, ସେଠାରେ ଆମ୍ଭେମାନେ ବାସ କରିବା।’
15 ଏହେତୁ ହେ ଯିହୁଦାର ଅବଶିଷ୍ଟ ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ : ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ଯଦି ମିସରରେ ପ୍ରବେଶ କରିବା ପାଇଁ ନିତାନ୍ତ ଉତ୍ସୁକ ହୁଅ ଓ ସେଠାରେ ପ୍ରବାସ କରିବା ପାଇଁ ଯାଅ; 16 ତେବେ ଏହା ଘଟିବ ଯେ, ଯେଉଁ ଖଡ୍ଗକୁ ତୁମ୍ଭେମାନେ ଭୟ କରୁଅଛ, ତାହା ତୁମ୍ଭମାନଙ୍କର ପଛେ ଗୋଡ଼ାଇ ମିସରରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷୟରେ ତୁମ୍ଭେମାନେ ଭୀତ ହେଉଅଛ, ତାହା ମିସର ଦେଶରେ ତୁମ୍ଭମାନଙ୍କର ପଛେ ପଛେ ଲାଗି ରହିବ ଓ ସେଠାରେ ତୁମ୍ଭେମାନେ ମରିବ।’
17 ଯେଉଁମାନେ ମିସରକୁ ଯାଇ ସେଠାରେ ପ୍ରବାସ କରିବା ପାଇଁ ଉତ୍ସୁକ ହୁଅନ୍ତି, ସେସମସ୍ତ ଲୋକଙ୍କ ପ୍ରତି ଏହି ପ୍ରକାର ଘଟିବ; ସେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ; ପୁଣି, ଆମ୍ଭେ ସେମାନଙ୍କ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁରୁ ସେମାନଙ୍କ ମଧ୍ୟରେ କେହି ଉତ୍ତୀର୍ଣ୍ଣ ଅବା ରକ୍ଷାପ୍ରାପ୍ତ ହେବେ ନାହିଁ।
18 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଯିରୂଶାଲମ ନିବାସୀମାନଙ୍କ ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ଢଳା ଯାଇଅଛି, ସେପରି ତୁମ୍ଭେମାନେ ଯେତେବେଳେ ମିସରରେ ପ୍ରବେଶ କରିବ, ସେତେବେଳେ ତୁମ୍ଭମାନଙ୍କ ଉପରେ ଆମ୍ଭର ପ୍ରଚଣ୍ଡ କୋପ ଢଳାଯିବ; ପୁଣି, ତୁମ୍ଭେମାନେ ଅଭିଶାପ, ବିସ୍ମୟ, ଶ୍ରାପ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଆଉ ଦେଖିବ ନାହିଁ।’
19 ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ କହିଅଛନ୍ତି, ତୁମ୍ଭେମାନେ ମିସରକୁ ଯାଅ ନାହିଁ, ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ। 20 ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା କରିବୁ।’
21 ପୁଣି, ଆଜି ମୁଁ ତୁମ୍ଭମାନଙ୍କୁ ତାହା ଜଣାଇଲି; ମାତ୍ର ଯେଉଁ ବିଷୟରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଲେ, ତହିଁର କୌଣସି ବିଷୟରେ ତୁମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କଲ ନାହିଁ। 22 ଏହେତୁ ଏବେ ନିଶ୍ଚୟ ଜାଣ ଯେ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଯିବା ପାଇଁ ବାଞ୍ଛା କରୁଅଛ, ସେ ସ୍ଥାନରେ ତୁମ୍ଭେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।”
Chapter 43
ଯିରିମୀୟ ମିସରକୁ ନୀତ
1 ଏଥିଉତ୍ତାରେ ଯିରିମୀୟ ଏହିସବୁ କଥା, ଅର୍ଥାତ୍, ଯେଉଁ ସକଳ କଥା ସମଗ୍ର ଲୋକଙ୍କୁ କହିବା ନିମନ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ସେମାନଙ୍କ ନିକଟକୁ ତାଙ୍କୁ ପଠାଇଥିଲେ, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେହି ସକଳ କଥା କହିବାର ସମାପ୍ତ କରନ୍ତେ, 2 ହୋଶୋୟୀୟର ପୁତ୍ର ଅସରୀୟ, କାରେହର ପୁତ୍ର ଯୋହାନନ୍ ଓ ଅହଙ୍କାରୀ ଲୋକ ସମସ୍ତେ ଯିରିମୀୟଙ୍କୁ କହିଲେ, “ତୁମ୍ଭେ ମିଥ୍ୟା କଥା କହୁଅଛ; ତୁମ୍ଭେମାନେ ମିସରରେ ପ୍ରବାସ କରିବା ପାଇଁ ଯିବ ନାହିଁ, ଏକଥା କହିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ପଠାଇ ନାହାନ୍ତି; 3 ମାତ୍ର କଲ୍ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ବାବିଲକୁ ନେଇଯିବେ, ଏଥିପାଇଁ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ସମର୍ପଣ କରିବା ପାଇଁ ନେରୀୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଉଅଛି।”
4 ଏହିରୂପେ କାରେହର ପୁତ୍ର ଯୋହାନନ୍, ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ। 5 ମାତ୍ର କାରେହର ପୁତ୍ର ଯୋହାନନ୍ ଓ ସେନାପତି ସମସ୍ତେ, ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ, ଅର୍ଥାତ୍, ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେସକଳ ଲୋକ ଯିହୁଦା ଦେଶରେ ପ୍ରବାସ କରିବା ପାଇଁ ଫେରି ଆସିଥିଲେ, 6 ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟାଗଣକୁ ଓ ଯେ ପ୍ରତ୍ୟେକ ଲୋକକୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ, 7 ମିସର ଦେଶରେ ଉପସ୍ଥିତ ହେଲେ, କାରଣ ସେମାନେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ; ଆଉ, ସେମାନେ ତଫନ୍ହେଷର ପର୍ଯ୍ୟନ୍ତ ଗଲେ।
8 ଏଥିଉତ୍ତାରେ ତଫନ୍ହେଷରରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, 9 “ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍ହେଷରରେ ଫାରୋ ଗୃହର ପ୍ରବେଶ ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ; 10 ଆଉ, ସେମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଆଜ୍ଞା ପଠାଇ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଅଣାଇବା ଓ ଏହି ଯେଉଁ ପ୍ରସ୍ତରସବୁ ଲୁଚାଇ ରଖିଅଛୁ, ତହିଁ ଉପରେ ତାହାର ସିଂହାସନ ସ୍ଥାପନ କରିବା; ଆଉ, ସେ ତହିଁ ଉପରେ ଆପଣା ରାଜକୀୟ ଚନ୍ଦ୍ରାତପ ବିସ୍ତାର କରିବ।
11 ପୁଣି, ସେ ଆସି ମିସର ଦେଶକୁ ଆଘାତ କରି ମୃତ୍ୟୁୁଯୋଗ୍ୟ ଲୋକଙ୍କୁ ମୃତ୍ୟୁୁରେ, ବନ୍ଦୀତ୍ୱର ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ଖଡ୍ଗଯୋଗ୍ୟ ଲୋକଙ୍କୁ ଖଡ୍ଗରେ ସମର୍ପଣ କରିବ। 12 ଆଉ, ଆମ୍ଭେ ମିସରସ୍ଥ ଦେବାଳୟସବୁରେ ଅଗ୍ନି ଲଗାଇବା ଓ ସେ ସେମାନଙ୍କୁ ଦଗ୍ଧ କରି ବାବିଲକୁ ବନ୍ଦୀ କରି ଘେନିଯିବ; ପୁଣି, ମେଷପାଳକ ଯେପରି ଆପଣା ବସ୍ତ୍ର ଘୋଡ଼ାଇଥାଏ, ସେହିପରି ସେ ମିସର ଦେଶ ଦ୍ୱାରା ଆପଣାକୁ ଘୋଡ଼ାଇବ ଓ ସେ ଶାନ୍ତିରେ ଏ ସ୍ଥାନରୁ ପ୍ରସ୍ଥାନ କରିବ। 13 ଆହୁରି, ସେ ମିସର ଦେଶସ୍ଥ ବେଥ୍-ଶେମଶର ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ମିସର ଦେଶସ୍ଥ ଦେବାଳୟସବୁ ସେ ଅଗ୍ନିରେ ଦଗ୍ଧ କରିବ।’”
Chapter 44
ପ୍ରତିମାପୂଜାର ବିଚାର
1 ଯେଉଁ ଯିହୁଦୀୟମାନେ ମିସର ଦେଶରେ ବାସ କଲେ, ଯେଉଁମାନେ ମିଗ୍ଦୋଲରେ ଓ ତଫନ୍ହେଷରରେ ଓ ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ, ସେସମସ୍ତଙ୍କ ବିଷୟରେ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତାହା ଏହି, ଯଥା, 2 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଯିରୂଶାଲମ ଉପରେ ଓ ଯିହୁଦାର ସବୁ ନଗର ଉପରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ, ତାହା ତୁମ୍ଭେମାନେ ଦେଖିଅଛ; ଆଉ ଦେଖ, ସେସବୁ ଆଜି ଉତ୍ସନ୍ନ ସ୍ଥାନ ହୋଇ ରହିଅଛି, ସେଠାରେ କୌଣସି ମନୁଷ୍ୟ ବାସ କରେ ନାହିଁ; 3 କାରଣ ସେମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ଦୁଷ୍ଟତା କଲେ, ଅର୍ଥାତ୍, ସେମାନେ ଆପଣାମାନଙ୍କର ଓ ତୁମ୍ଭମାନଙ୍କର, ଆଉ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାକୁ ଓ ସେମାନଙ୍କର ସେବା କରିବାକୁ ଗଲେ।’
4 ତଥାପି ଆମ୍ଭେ ଅତି ପ୍ରଭାତରେ ଉଠି ଆମ୍ଭର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇ କହିଲୁ, ‘ଆଃ, ଏହି ଘୃଣାଯୋଗ୍ୟ କାର୍ଯ୍ୟ ତୁମ୍ଭେମାନେ କର ନାହିଁ, ଆମ୍ଭେ ତାହା ଘୃଣା କରୁ।’ 5 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା ଆପଣା ଆପଣା ଦୁଷ୍ଟତାରୁ ଫେରିବା ପାଇଁ, ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଆଉ ଧୂପ ନ ଜ୍ୱଳାଇବା ପାଇଁ କର୍ଣ୍ଣପାତ କଲେ ନାହିଁ। 6 ଏହେତୁ ଆମ୍ଭର ପ୍ରଚଣ୍ଡ କୋପ ଓ କ୍ରୋଧ ଢଳାଗଲା ଓ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତାହା ପ୍ରଜ୍ୱଳିତ ହେଲା, ପୁଣି ଆଜିର ସଦୃଶ୍ୟ ସେସବୁ ଉତ୍ସନ୍ନ ଓ ଧ୍ୱଂସିତ ହୋଇଅଛି।”
7 ଏନିମନ୍ତେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏବେ ଏହି କଥା କହନ୍ତି, “ତୁମ୍ଭେମାନେ କାହିଁକି ଆପଣା ଆପଣା ପ୍ରାଣ ବିରୁଦ୍ଧରେ ଏହି ମହାପାପ କରୁଅଛ ? ଏହା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ସମ୍ପର୍କୀୟ ପୁରୁଷ, ସ୍ତ୍ରୀ,ବାଳକ ଓ ସ୍ତନ୍ୟପାୟୀ ଶିଶୁମାନଙ୍କୁ ଯିହୁଦାର ମଧ୍ୟରୁ ଉଚ୍ଛିନ୍ନ କରିବ, ଆପଣାମାନଙ୍କର କାହାକୁ ହିଁ ଅବଶିଷ୍ଟ ରଖିବ ନାହିଁ; 8 ତୁମ୍ଭେମାନେ ଏହି ଯେ ମିସର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏହି ସ୍ଥାନରେ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ କାହିଁକି ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ ? ତୁମ୍ଭେମାନେ ଉଚ୍ଛିନ୍ନ ହେବ ଓ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ଅଭିଶାପ ଓ ନିନ୍ଦାର ପାତ୍ର ହେବ।
9 ଯିହୁଦା ଦେଶରେ ଓ ଯିରୂଶାଲମର ସମସ୍ତ ପଥରେ କୃତ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କର ଦୁଷ୍କ୍ରିୟା ଓ ଯିହୁଦା ରାଜାଗଣର ଦୁଷ୍କ୍ରିୟା ଓ ସେମାନଙ୍କ ଭାର୍ଯ୍ୟାଗଣର ଦୁଷ୍କ୍ରିୟା, ଆଉ ତୁମ୍ଭମାନଙ୍କର ନିଜର ଦୁଷ୍କ୍ରିୟା ଓ ତୁମ୍ଭମାନଙ୍କର ଭର୍ଯ୍ୟାଗଣର ଦୁଷ୍କ୍ରିୟା କି ତୁମ୍ଭେମାନେ ପାସୋରିଅଛ ? 10 ସେମାନେ ଆଜି ପର୍ଯ୍ୟନ୍ତ ଚୂର୍ଣ୍ଣମନା ହୋଇ ନାହାନ୍ତି, କିଅବା ସେମାନେ ଭୟ କରି ନାହାନ୍ତି, ଅଥବା ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଓ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ଓ ବିଧି ସ୍ଥାପନ କଲୁ, ତଦନୁସାରେ ଆଚରଣ କରି ନାହାନ୍ତି।”
11 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି : “ଦେଖ, ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ କରିବା ପାଇଁ, ସମୁଦାୟ ଯିହୁଦାକୁ ହିଁ ଉଚ୍ଛିନ୍ନ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା। 12 ପୁଣି, ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିସର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଉତ୍ସୁକ ଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା ଓ ସେସମସ୍ତେ ଲୁପ୍ତ ହେବେ; ମିସର ଦେଶରେ ସେମାନେ ପତିତ ହେବେ; ଖଡ୍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ଖଡ୍ଗ ଓ ଦୁର୍ଭିକ୍ଷରେ ମରିବେ; ଆଉ, ସେମାନେ ଅଭିଶାପ, ବିସ୍ମୟ ଓ ନିନ୍ଦାର ପାତ୍ର ହେବେ।
13 କାରଣ ଆମ୍ଭେ ଯେପରି ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଯିରୂଶାଲମକୁ ଦଣ୍ଡ ଦେଇଅଛୁ, ତଦ୍ରୂପ ମିସର ଦେଶରେ ବାସକାରୀମାନଙ୍କୁ ଦଣ୍ଡ ଦେବା; 14 ତହିଁରେ ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫେରି ଯାଇ ସେଠାରେ ବାସ କରିବା ପାଇଁ ବାଞ୍ଛା କରି ମିସର ଦେଶରେ ପ୍ରବାସ କରିବାକୁ ଆସିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ଉତ୍ତୀର୍ଣ୍ଣ କି ରକ୍ଷାପ୍ରାପ୍ତ ହେବେ ନାହିଁ: କାରଣ ପଳାତକ ଲୋକମାନଙ୍କ ଛଡ଼ା ଆଉ କେହି ଫେରି ଯିବେ ନାହିଁ।”
15 ସେତେବେଳେ ଯେଉଁମାନେ, ଆପଣା ସ୍ତ୍ରୀମାନେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାନ୍ତି ବୋଲି ଜାଣିଲେ, ସେମାନେ ଓ ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନଙ୍କର ମହାସମାଜ, ଅର୍ଥାତ୍, ମିସରର ପଥ୍ରୋଷ ପ୍ରଦେଶରେ ବାସକାରୀ ସମସ୍ତ ଲୋକ ଯିରିମୀୟଙ୍କୁ ଉତ୍ତର ଦେଇ କହିଲେ, 16 “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସେହି କଥା ଆମ୍ଭେମାନେ ଶୁଣିବୁ ନାହିଁ।
17 ମାତ୍ର ଆମ୍ଭମାନଙ୍କ ମୁଖରୁ ଯେ ପ୍ରତ୍ୟେକ ବାକ୍ୟ ନିର୍ଗତ ହୋଇଅଛି, ତଦନୁସାରେ ଅବଶ୍ୟ କାର୍ଯ୍ୟ କରିବୁ, ଅର୍ଥାତ୍, ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ଆମ୍ଭମାନଙ୍କର ରାଜାଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ସେପରି ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବୁ ଓ ପେୟ ନୈବେଦ୍ୟ ଢାଳିବୁ; କାରଣ ସେସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇ ସୁଖରେ ଥିଲୁ, କୌଣସି ଅମଙ୍ଗଳ ଦେଖିଲୁ ନାହିଁ।
18 ମାତ୍ର ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାର ଓ ପେୟ ନୈବେଦ୍ୟ ଢାଳିବାର ଛାଡ଼ିଦେବା ସମୟଠାରୁ ଆମ୍ଭମାନଙ୍କର ସବୁ ବିଷୟରେ ଅଭାବ ହୋଇଅଛି ଓ ଆମ୍ଭେମାନେ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହୋଇଅଛୁ। 19 ପୁଣି, ଆମ୍ଭେମାନେ ଯେଉଁ ସମୟରେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲୁ ଓ ପେୟ ନୈବେଦ୍ୟ ଢାଳିଲୁ, ସେତେବେଳେ ଆପଣା ଆପଣା ସ୍ୱାମୀର ଅନୁମତି ବିନା କି ତାହାର ପୂଜା ନିମନ୍ତେ ପିଷ୍ଟକ ପ୍ରସ୍ତୁତ କଲୁ ଓ ତାହା ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଢାଳିଲୁ ?”
20 ତହିଁରେ ଯିରିମୀୟ ସମସ୍ତ ଲୋକଙ୍କୁ, ଅର୍ଥାତ୍, ସେହି ପ୍ରତ୍ୟୁତ୍ତରକାରୀ ପୁରୁଷ ଓ ସ୍ତ୍ରୀ ସମସ୍ତଙ୍କୁ କହିଲେ, 21 “ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ତୁମ୍ଭମାନଙ୍କର ରାଜାଗଣ, ଓ ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜ୍ୱଳାଇଲେ, ସଦାପ୍ରଭୁ କି ତାହା ସ୍ମରଣ କଲେ ନାହିଁ ଓ ତାହା କି ତାଙ୍କ ମନରେ ପଡ଼ିଲା ନାହିଁ ?
22 ତହିଁରେ ତୁମ୍ଭମାନଙ୍କର ଦୁଷ୍କ୍ରିୟା ସକାଶୁ ଓ ତୁମ୍ଭମାନଙ୍କର କୃତ ଘୃଣାଯୋଗ୍ୟ କର୍ମ ସକାଶୁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ; ଏହେତୁ ତୁମ୍ଭମାନଙ୍କର ଦେଶ ଆଜିର ସଦୃଶ୍ୟ ଉତ୍ସନ୍ନ ଓ ବିସ୍ମୟଜନକ, ଅଭିଶପ୍ତ ଓ ନିବାସୀବିହୀନ ହୋଇଅଛି। 23 ତୁମ୍ଭେମାନେ ଧୂପ ଜ୍ୱଳାଇଅଛ, ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ ଓ ସଦାପ୍ରଭୁଙ୍କ ରବରେ ମନୋଯୋଗ କରି ନାହଁ, ପୁଣି ତାହାଙ୍କର ବ୍ୟବସ୍ଥା ବିଧି ଓ ପ୍ରମାଣ-ବାକ୍ୟାନୁସାରେ ଆଚରଣ କରି ନାହଁ; ଏଥିପାଇଁ ଆଜିର ସଦୃଶ୍ୟ ଏହି ଅମଙ୍ଗଳ ତୁମ୍ଭମାନଙ୍କ ପ୍ରତି ଘଟିଅଛି।”
24 ଆହୁରି, ଯିରିମୀୟ ସମସ୍ତ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ମିସର ଦେଶରେ ଥିବା ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ : 25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଓ ପେୟ ନୈବେଦ୍ୟ ଢାଳିବା ପାଇଁ ଯେଉଁ ମାନତ କରିଅଛୁ, ତାହା ଅବଶ୍ୟ ସିଦ୍ଧ କରିବୁ,’ ଏହି କଥା ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସ୍ତ୍ରୀମାନେ ମୁଖରେ କହି ହସ୍ତ ଦ୍ୱାରା ତାହା ସମ୍ପନ୍ନ କରିଅଛ। ତେବେ ତୁମ୍ଭମାନଙ୍କର ମାନତ ଦୃଢ଼ କର ଓ ତୁମ୍ଭମାନଙ୍କର ମାନତ ସିଦ୍ଧ କର।”
26 ଏହେତୁ ହେ ମିସର ଦେଶ ନିବାସୀ ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, “ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ଆପଣା ମହାନାମ ନେଇ ଶପଥ କରିଅଛୁ ଯେ, “ପ୍ରଭୁ ସଦାପ୍ରଭୁ ଜୀବିତ” ବୋଲି ମିସର ଦେଶସ୍ଥ କୌଣସି ଯିହୁଦୀ ଲୋକ ଆମ୍ଭର ନାମ ଆଉ ମୁଖରେ ଘେନିବ ନାହିଁ।’ 27 ଦେଖ, ଆମ୍ଭେ ସେମାନଙ୍କର ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ଜଗି ରହିବା; ତହିଁରେ ମିସର ଦେଶସ୍ଥ ସମୁଦାୟ ଯିହୁଦୀ ଲୋକ ନିଃଶେଷ ନ ହେବା ପର୍ଯ୍ୟନ୍ତ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେବେ। 28 ପୁଣି, ଖଡ୍ଗରୁ ରକ୍ଷାପ୍ରାପ୍ତ ଅଳ୍ପସଂଖ୍ୟକ ଲୋକ ମିସର ଦେଶରୁ ଯିହୁଦା ଦେଶକୁ ଫେରି ଯିବେ; ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିସର ଦେଶକୁ ଯାଇଅଛନ୍ତି, ଯିହୁଦାର ସେହି ଅବଶିଷ୍ଟାଂଶ ଲୋକ ସମସ୍ତେ, ଆମ୍ଭର କି ସେମାନଙ୍କର କାହାର ବାକ୍ୟ ଅଟଳ ହେବ, ଏହା ଜାଣିବେ।”
29 ପୁଣି, ସଦାପ୍ରଭୁ କହନ୍ତି, “ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ଓ ତାହା ତୁମ୍ଭମାନଙ୍କ ପ୍ରତି ଚିହ୍ନ ସ୍ୱରୂପ ହେବ, ତହିଁରେ ତୁମ୍ଭମାନଙ୍କର ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟ ଯେ ନିଶ୍ଚୟ ଅଟଳ ହେବ, ଏହା ତୁମ୍ଭେମାନେ ଜାଣିବ।” 30 ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକୀୟକୁ ତାହାର ପ୍ରାଣନାଶର ଚେଷ୍ଟାକାରୀ ଶତ୍ରୁ ବାବିଲର ରାଜା ନବୂଖଦ୍ନିତ୍ସର ହସ୍ତରେ ସମର୍ପଣ କଲୁ, ସେପରି ଆମ୍ଭେ ମିସରର ରାଜା ଫାରୋ ହଫ୍ରାକୁ ତାହାର ଶତ୍ରୁମାନଙ୍କ ହସ୍ତରେ ଓ ତାହାର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା।”
Chapter 45
ବାରୂକକୁ ଈଶ୍ୱରଙ୍କ ପ୍ରତିଜ୍ଞା
1 ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ, ନେରୀୟର ପୁତ୍ର ବାରୂକ ଏହି ସମସ୍ତ କଥା ଯିରିମୀୟଙ୍କ ମୁଖରୁ ଶୁଣି ନଳାକାର ପୁସ୍ତକରେ ଲେଖିଲା ବେଳେ ଯିରିମୀୟ ଭବିଷ୍ୟଦ୍ବକ୍ତା ତାହାକୁ ଏହି କଥା କହିଲେ, 2 “ହେ ବାରୂକ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତୁମ୍ଭକୁ ଏହି କଥା କହନ୍ତି; 3 ତୁମ୍ଭେ କହିଲ, ‘ହାୟ, ହାୟ, ମୁଁ ଏବେ ସନ୍ତାପର ପାତ୍ର ! କାରଣ ସଦାପ୍ରଭୁ ମୋ’ ବେଦନାରେ ଦୁଃଖ ଯୋଗ କରିଅଛନ୍ତି; ମୁଁ କାତରୋକ୍ତି କରି କରି କ୍ଳାନ୍ତ ହେଉଅଛି ଓ ମୋର କିଛି ବିଶ୍ରାମ ନାହିଁ।’
4 ତୁମ୍ଭେ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଆମ୍ଭେ ଭାଙ୍ଗି ପକାଇବା ଓ ଯାହା ରୋପଣ କରିଅଛୁ, ତାହା ଆମ୍ଭେ ଉପାଡ଼ି ପକାଇବା, ଆଉ, ସମୁଦାୟ ଦେଶରେ ଏହା କରିବା। 5 ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ ? ତାହା ଚେଷ୍ଟା କର ନାହିଁ,’ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା; ମାତ୍ର ତୁମ୍ଭେ ଯେ ଯେ ସ୍ଥାନକୁ ଯାଉଅଛ, ସେସକଳ ସ୍ଥାନରେ ଲୁଟ ଦ୍ରବ୍ୟ ତୁଲ୍ୟ ଆମ୍ଭେ ତୁମ୍ଭର ପ୍ରାଣ ତୁମ୍ଭକୁ ଦେବା।’”
Chapter 46
ମିସରର ବିଚାର
1 ଗୋଷ୍ଠୀଗଣ ବିଷୟରେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ। 2 ମିସର ବିଷୟ। “ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖଦ୍ନିତ୍ସର, ମିସରର ରାଜା ଫାରୋ ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟସାମନ୍ତ ବିଷୟକ କଥା।
3 ତୁମ୍ଭେମାନେ ଚର୍ମର ଢାଲ ଓ ଫଳକ ପ୍ରସ୍ତୁତ କର
ଓ ଯୁଦ୍ଧ କରିବା ଲାଗି ନିକଟକୁ ଆସ।
4 ହେ ଅଶ୍ୱାରୋହୀମାନେ, ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର
ଓ ମସ୍ତକର ଟୋପର ପିନ୍ଧି ସମ୍ମୁଖରେ ଠିଆ ହୁଅ; ବର୍ଚ୍ଛା ଚିକ୍କଣ କର, ସାଞ୍ଜୁଆ ପିନ୍ଧ।
5 ଆମ୍ଭେ ସେମାନଙ୍କୁ ଉଦ୍ବିଗ୍ନ ଓ ପଛକୁ ଫେରି ଯିବାର କାହିଁକି ଦେଖିଅଛୁ ?
ସେମାନଙ୍କର ବୀରଗଣ ପରାସ୍ତ ହୋଇଅଛନ୍ତି
ଓ ଶୀଘ୍ର ଶୀଘ୍ର ପଳାଇ ପଛକୁ ଅନାଉ ନାହାନ୍ତି;
ଚତୁର୍ଦ୍ଦିଗରେ ଆଶଙ୍କା ଅଛି,” ଏହା ସଦାପ୍ରଭୁ କହନ୍ତି।
6 ଦ୍ରୁତଗାମୀ ପଳାୟନ ନ କରୁ, କିଅବା ବୀର ରକ୍ଷା ନ ପାଉ;
ଉତ୍ତର ଦିଗରେ ଫରାତ୍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିଅଛନ୍ତି।
7 ନୀଳ ନଦୀ ପରି ଯେ ଉଠୁଅଛି,
ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି, ସେ କିଏ ?
8 ମିସର ନୀଳ ନଦୀ ତୁଲ୍ୟ ଉଠୁଅଛି,
ତାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି,
ଆଉ ସେ କହୁଅଛି, “ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକି ପ୍ଳାବିତ କରିବି;
ମୁଁ ନଗର ଓ ତନ୍ନିବାସୀମାନଙ୍କୁ ନଷ୍ଟ କରିବି।”
9 ହେ ଅଶ୍ୱଗଣ, ଉଠିଯାଅ; ହେ ରଥସକଳ, ଗର୍ଜ୍ଜନ କର;
ଆଉ, ବୀରମାନେ ବାହାର ହେଉନ୍ତୁ; ଢାଲବାହକ କୂଶ ଓ ପୂଟ୍,
ଆଉ ଧନୁର୍ଦ୍ଧାରୀ ଓ ଧନୁରେ ଗୁଣଦାୟୀ ଲୁଦୀୟମାନେ, ବାହାର ହେଉନ୍ତୁ।
10 କାରଣ ସେଦିନ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର
ପ୍ରତିଶୋଧ ନେବାର ଓ ତାହାଙ୍କ ବିପକ୍ଷମାନଙ୍କୁ ପ୍ରତିଫଳ ଦେବାର ଦିନ ଅଟେ;
ଖଡ୍ଗ ଗ୍ରାସ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନ କରି ପରିତୃପ୍ତ ହେବ;
କାରଣ ଫରାତ୍ ନଦୀ ନିକଟସ୍ଥ ଉତ୍ତର ଦେଶରେ
ପ୍ରଭୁଙ୍କର ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞ ଅଛି।
11 ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠି ଯାଇ ଔଷଧ ନିଅ।
ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ।
12 ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି,
ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ;
କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।
ନବୂଖଦ୍ନିତ୍ସରର ଆଗମନ
13 ବାବିଲର ରାଜା ନବୂଖଦ୍ନିତ୍ସର ମିସର ଦେଶକୁ ଆସି ତାହା ପରାସ୍ତ କରିବା ବିଷୟରେ ସଦାପ୍ରଭୁ ଯିରିମୀୟଙ୍କୁ ଯେଉଁ କଥା କହିଲେ, ତାହା ଏହି, ଯଥା,
14 “ତୁମ୍ଭେମାନେ ମିସରରେ ପ୍ରଚାର କର, ମିଗ୍ଦୋଲରେ ଘୋଷଣା କର,
ଆଉ ନୋଫ ଓ ତଫନ୍ହେଷରରେ ଘୋଷଣା କର;
ତୁମ୍ଭେମାନେ କୁହ, ‘ତୁମ୍ଭେ ଠିଆ ହୁଅ, ଆପଣାକୁ ପ୍ରସ୍ତୁତ କର,
କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ସବୁ ଗ୍ରାସ କରିଅଛି।’
15 ତୁମ୍ଭର ବଳବାନ ଲୋକମାନେ କାହିଁକି ଭାସିଗଲେ ?
ସେମାନେ ସ୍ଥିର ରହି ପାରିଲେ ନାହିଁ, କାରଣ ସଦାପ୍ରଭୁ ସେମାନଙ୍କୁ ତଡ଼ି ଦେଲେ।”
16 ସେ ଅନେକଙ୍କୁ ଝୁଣ୍ଟାଇ ପକାଇଲେ,
ସେମାନେ ପରସ୍ପର ଉପରେ ପଡ଼ିଲେ;
ପୁଣି, ସେମାନେ କହିଲେ,
“ଉଠ, ଆମ୍ଭେମାନେ ଉତ୍ପୀଡ଼କ ଖଡ୍ଗରୁ ପଳାଇ
ଆପଣା ଲୋକମାନଙ୍କ ନିକଟକୁ ଓ ଆପଣା ଜନ୍ମ ଦେଶକୁ ପୁନର୍ବାର ଯାଉ।”
17 ସେସ୍ଥାନରେ ଲୋକମାନେ ଉଚ୍ଚ ସ୍ୱରରେ କହିଲେ,
“ମିସରର ରାଜା ଫାରୋ ଶବ୍ଦମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।”
18 ରାଜା ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କ ନାମ, ସେ ଏହି କଥା କହନ୍ତି,
“ଆମ୍ଭେ ଜୀବିତ ଥିବା ପ୍ରମାଣେ ପର୍ବତଗଣ ମଧ୍ୟରେ
ତାବୋରର ସଦୃଶ କିଅବା ସମୁଦ୍ର ନିକଟସ୍ଥ କର୍ମିଲର ସଦୃଶ ସେ ନିଶ୍ଚୟ ଆସିବ।
19 ଆଗୋ ମିସର ନିବାସିନୀ କନ୍ୟେ,
ତୁମ୍ଭେ ବନ୍ଦୀତ୍ୱକୁ ଯିବା ପାଇଁ ଆପଣାର ସମ୍ବଳ ପ୍ରସ୍ତୁତ କର;
କାରଣ ନୋଫ ଧ୍ୱଂସିତ, ଦଗ୍ଧ ଓ ନିବାସୀବିହୀନ ହେବ।
20 ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ;
ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି।
21 ଆହୁରି, ମିସରର ମଧ୍ୟବର୍ତ୍ତୀ ବେତନଗ୍ରାହୀ ଲୋକମାନେ ଗୋଶାଳାର ଗୋବତ୍ସ ତୁଲ୍ୟ;
କାରଣ ସେମାନେ ମଧ୍ୟ ଫେରି ଯାଇଅଛନ୍ତି,
ସେମାନେ ଏକତ୍ର ପଳାଇଅଛନ୍ତି, ସେମାନେ ସ୍ଥିର ହୋଇ ରହିଲେ ନାହିଁ,
କାରଣ ସେମାନଙ୍କର ବିପଦର ଦିନ, ପ୍ରତିଫଳ ପାଇବାର ସମୟ
ସେମାନଙ୍କର ନିକଟରେ ଉପସ୍ଥିତ ହେଲା।
22 ଶତ୍ରୁମାନେ ସୈନ୍ୟ ସହିତ ଅଗ୍ରସର ହେବେ
ଓ କାଠକଟାଳୀମାନଙ୍କ ପରି କୁହ୍ରାଡ଼ି ନେଇ ତାହା ବିରୁଦ୍ଧରେ ଆସିବେ,
ତହିଁରେ ତାହାର ଶବ୍ଦ ସର୍ପ ତୁଲ୍ୟ ଅଗ୍ରସର ହେବ।”
23 ସଦାପ୍ରଭୁ କହନ୍ତି, “ତାହାର ଅରଣ୍ୟ ଅଗମ୍ୟ ହେଲେ ହେଁ
ସେମାନେ ତାହା ହାଣି ପକାଇବେ;
କାରଣ ସେମାନେ ପଙ୍ଗପାଳ ଅପେକ୍ଷା ଅନେକ ଓ ଅସଂଖ୍ୟ ଅଟନ୍ତି।
24 ମିସରର କନ୍ୟା ଲଜ୍ଜିତା ହେବ;
ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତା ହେବ।”
25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା; 26 ପୁଣି, ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା।” ପୁଣି, ସଦାପ୍ରଭୁ କହନ୍ତି, “ତହିଁ ଉତ୍ତାରେ ସେ ଦେଶ ପୂର୍ବ କାଳର ନ୍ୟାୟ ବସତି ସ୍ଥାନ ହେବ।”
ସଦାପ୍ରଭୁ ତାଙ୍କ ଲୋକଙ୍କୁ ରକ୍ଷା କରିବେ
27 ମାତ୍ର ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ, କିଅବା ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ: କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା; ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିନ୍ତରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ। 28 ସଦାପ୍ରଭୁ କହନ୍ତି, “ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ: ଯେଉଁମାନଙ୍କ ମଧ୍ୟକୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ, ସେହିସବୁ ଗୋଷ୍ଠୀଙ୍କୁ ଆମ୍ଭେ ନିଃଶେଷ ରୂପେ ସଂହାର କରିବା, ମାତ୍ର ଆମ୍ଭେ ତୁମ୍ଭକୁ ନିଃଶେଷ ରୂପେ ସଂହାର କରିବା ନାହିଁ; ତଥାପି ଆମ୍ଭେ ତୁମ୍ଭକୁ ବିବେଚନାପୂର୍ବକ ଶାସ୍ତି ଦେବା ଓ କୌଣସିମତେ ତୁମ୍ଭକୁ ଅଦଣ୍ଡିତ କରି ଛାଡ଼ିବା ନାହିଁ।”
Chapter 47
ପଲେଷ୍ଟୀୟର ବିଚାର
1 ଫାରୋ ଘସା ନଗର ପରାସ୍ତ କରିବା ପୂର୍ବେ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
2 “ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଉତ୍ତର ଦିଗରୁ ଜଳ ଉଛୁଳୁଅଛି,
ତାହା ପ୍ଳାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ,
ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ;
ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ।’”
3 ତାହାର ବଳବାନ ଅଶ୍ୱଗଣର ଖୁରା ଶବ୍ଦରେ,
ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶବ୍ଦରେ
ପିତୃଗଣ ଦୁର୍ବଳହସ୍ତ ହେବାରୁ ଆପଣା ସନ୍ତାନଗଣ ପ୍ରତି ଫେରି ଅନାଇବେ ନାହିଁ;
4 କାରଣ ପଲେଷ୍ଟୀୟ ସମସ୍ତଙ୍କର ସର୍ବସ୍ୱ ହରଣ କରିବାର,
ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ
ଉଚ୍ଛିନ୍ନ କରିବାର ଦିନ ଆସୁଅଛି;
ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର,
କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ।
5 ଘସାର ମସ୍ତକ ଟାଙ୍ଗରା ହୋଇଅଛି; ଅସ୍କିଲୋନ, ସେମାନଙ୍କ ତଳଭୂମିର ଅବଶିଷ୍ଟାଂଶ ଲୋକମାନେ ନୀରବ ହୋଇଅଛନ୍ତି; ତୁମ୍ଭେ କେତେ କାଳ ଆପଣାକୁ କଟାକଟି କରିବ ?
6 ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ ଆଉ କେତେ କାଳ ଉତ୍ତାରେ କ୍ଷାନ୍ତ ହେବ ?
ତୁମ୍ଭେ ଆପଣା କୋଷରେ ପ୍ରବେଶ କର; ଶାନ୍ତ ଓ କ୍ଷାନ୍ତ ହୁଅ।
7 ସଦାପ୍ରଭୁ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ଏଣୁ ତୁମ୍ଭେ କିପରି କ୍ଷାନ୍ତ ହୋଇପାର ?
ସେ ଅସ୍କିଲୋନର ବିରୁଦ୍ଧରେ, ସମୁଦ୍ରତୀର ବିରୁଦ୍ଧରେ ତାହା ନିଯୁକ୍ତ କରିଅଛନ୍ତି।
Chapter 48
ମୋୟାବର ବିଚାର
1 ମୋୟାବର ବିଷୟ।
ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି,
“ହାୟ, ହାୟ, ନବୋ! କାରଣ ତାହା ଉଚ୍ଛିନ୍ନ ହେଲା;
କିରୀୟାଥୟିମ ଲଜ୍ଜିତ ହେଲା, ତାହା ଧୃତ ହେଲା;
ମିସ୍ଗନ୍ ଲଜ୍ଜିତ ଓ ଭଗ୍ନ ହେଲା।
2 ମୋୟାବର ପ୍ରଶଂସା ଆଉ ତ ନାହିଁ;
ଲୋକମାନେ ହିଷ୍ବୋନରେ ତାହାର ଅମଙ୍ଗଳର ମନ୍ତ୍ରଣା କରି କହିଅଛନ୍ତି,
‘ଆସ, ଆମ୍ଭେମାନେ ତାହାକୁ ଉଚ୍ଛିନ୍ନ କରି ଗୋଟିଏ ଗୋଷ୍ଠୀ ହୋଇ ରହିବାକୁ ନ ଦେଉ।
ହେ ମଦ୍ମେନା, ତୁମ୍ଭେ ମଧ୍ୟ ନୀରବ କରାଯିବ; ଖଡ୍ଗ ତୁମ୍ଭ ପଶ୍ଚାଦ୍ଗାମୀ ହେବ।’
3 ହୋରୋନୟିମ ଠାରୁ କ୍ରନ୍ଦନର, ଧନ ଅପହରଣର ଓ ମହାବିନାଶର ଶବ୍ଦ !
4 ମୋୟାବ ନଷ୍ଟ ହେଲା;
ତାହାର କ୍ଷୁଦ୍ର ଲୋକମାନଙ୍କର କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।
5 କାରଣ ଲୂହୀତର ଉଠାଣି ପଥରେ ଲୋକମାନେ
କ୍ରମାଗତ କ୍ରନ୍ଦନ କରୁ କରୁ ଉପରକୁ ଯିବେ;
ଯେହେତୁ ହୋରୋନୟିମର ଗଡ଼ନ୍ତି ପଥରେ
ସେମାନେ ବିନାଶ ହେତୁ ସଙ୍କଟସୂଚକ କ୍ରନ୍ଦନ ଶୁଣିଅଛନ୍ତି।
6 ପଳାଅ, ଆପଣା ଆପଣା ପ୍ରାଣ ରକ୍ଷା କର ଓ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ୟ ହୁଅ।
7 କାରଣ ତୁମ୍ଭେ ଆପଣା କର୍ମରେ ଓ ଆପଣା ଧନ ସମ୍ପତ୍ତିରେ ନିର୍ଭର ରଖିଅଛ,
ଏଥିପାଇଁ ତୁମ୍ଭେ ମଧ୍ୟ ଧରାଯିବ; ଆଉ, କମୋଶ ନାମକ ଦେବତା ଆପଣାର ଯାଜକ
ଓ ଅଧିପତିଗଣ ସହିତ ବନ୍ଦୀ ହୋଇ ଯିବ।
8 ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ, କୌଣସି ନଗର ରକ୍ଷା ପାଇବ ନାହିଁ;
ସଦାପ୍ରଭୁଙ୍କ ବାକ୍ୟାନୁସାରେ ତଳଭୂମି ବିନଷ୍ଟ ହେବ ଓ ପ୍ରାନ୍ତର ଉଚ୍ଛିନ୍ନ ହେବ।
9 ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ;
ତାହାର ନଗରସକଳ ଧ୍ୱଂସିତ ହେବ, ତହିଁ ମଧ୍ୟରେ ବାସକାରୀ କେହି ରହିବ ନାହିଁ।
10 ଯେଉଁ ଜନ ହେଳା ଭାବରେ ସଦାପ୍ରଭୁଙ୍କର କାର୍ଯ୍ୟ କରେ, ସେ ଅଭିଶପ୍ତ ହେଉ
ଓ ଯେଉଁ ଜନ ରକ୍ତପାତ କରିବାକୁ ଆପଣା ଖଡ୍ଗ ଅଟକାଏ, ସେ ଅଭିଶପ୍ତ ହେଉ।
11 ମୋୟାବ ବାଲ୍ୟକାଳରୁ ନିଶ୍ଚିନ୍ତରେ ଅଛି,
ସେ ଆପଣା ଖାଦ ଉପରେ ସୁସ୍ଥିର ହୋଇଅଛି
ଓ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ, କିଅବା ବନ୍ଦୀ ହୋଇ ଯାଇ ନାହିଁ;
ଏଥିପାଇଁ ତାହାର ସ୍ୱାଦ ତାହା ମଧ୍ୟରେ ରହିଅଛି ଓ ତାହାର ସୁବାସ ବିକୃତ ହୋଇ ନାହିଁ।”
12 ଏହେତୁ ସଦାପ୍ରଭୁ କହନ୍ତି,
“ଦେଖ, ଯେଉଁ ସମୟରେ ଆମ୍ଭେ ତାହା ନିକଟକୁ ଢାଳି ପକାଇବା ଲୋକ ପଠାଇବା,
ଆଉ ସେମାନେ ତାହାକୁ ଢାଳି ଦେବେ
ଓ ତାହାର ପାତ୍ରସକଳ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ,
ଏପରି ସମୟ ଆସୁଅଛି।
13 ପୁଣି, ଇସ୍ରାଏଲ ବଂଶ ଆପଣା ବିଶ୍ୱାସଭୂମି ବେଥେଲ୍ ବିଷୟରେ ଯେପରି ଲଜ୍ଜିତ ହୋଇଥିଲେ, ସେପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।
14 ‘ଆମ୍ଭେମାନେ ବୀର ଓ ଯୁଦ୍ଧ ପାଇଁ ବଳବାନ ଲୋକ,’
ଏହା ତୁମ୍ଭେମାନେ କିପରି କହୁଅଛ ?
15 ମୋୟାବ ଉତ୍ସନ୍ନ ହୋଇଅଛି
ଓ ସେମାନେ ତାହାର ନଗରସମୂହର ମଧ୍ୟକୁ ଯାଇଅଛନ୍ତି,
ପୁଣି ତାହାର ମନୋନୀତ ଯୁବାମାନେ ବଧ ସ୍ଥାନକୁ ଓହ୍ଳାଇ ଯାଇଅଛନ୍ତି,
ରାଜା, ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କର ନାମ,” ସେ ଏହି କଥା କହନ୍ତି।
16 ମୋୟାବର ବିପଦ ନିକଟରେ ଉପସ୍ଥିତ ଓ ତାହାର କ୍ଳେଶ ଅତି ଶୀଘ୍ର ଆସୁଅଛି।
17 ତାହାର ଚତୁର୍ଦ୍ଦିଗସ୍ଥିତ ଓ ତାହାର ନାମ ଜାଣିଥିବା ଯେ ତୁମ୍ଭେମାନେ,
ତୁମ୍ଭେ ସମସ୍ତେ ତାହାର ପାଇଁ ବିଳାପ କର,
ଆଉ କୁହ, “ଏହି ଦୃଢ଼ ଦଣ୍ଡ, ସୁନ୍ଦର ଯଷ୍ଟି କିପରି ଭଗ୍ନ ହୋଇଅଛି!”
18 ହେ ଦୀବୋନ୍ ନିବାସିନୀ କନ୍ୟେ,
ତୁମ୍ଭେ ଆପଣା ଐଶ୍ୱର୍ଯ୍ୟରୁ ଓହ୍ଳାଇ ଆସି ତୃଷାରେ ବସ;
କାରଣ ମୋୟାବର ବିନାଶକ ତୁମ୍ଭ ବିରୁଦ୍ଧରେ ଉଠି ଆସିଅଛି,
ସେ ତୁମ୍ଭର ଦୃଢ଼ ଦୁର୍ଗ ସବୁ ନଷ୍ଟ କରିଅଛି।
19 ହେ ଅରୋୟେର ନିବାସିନୀ, ତୁମ୍ଭେ ପଥ ପାର୍ଶ୍ୱରେ ଠିଆ ହୋଇ ନିରୀକ୍ଷଣ କର;
ପୁଣି, ପଳାତକ ଲୋକକୁ ଓ ରକ୍ଷାପ୍ରାପ୍ତା ସ୍ତ୍ରୀକୁ ପଚାର; “କଅଣ କରାଯାଇଅଛି କୁହ ?”
20 ମୋୟାବ ଲଜ୍ଜିତ ହୋଇଅଛି; କାରଣ ତାହା ଭଗ୍ନ ହୋଇଅଛି;
ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର;
ମୋୟାବ ଉତ୍ସନ୍ନ ହୋଇଛି ବୋଲି ଅର୍ଣ୍ଣୋନରେ ପ୍ରଚାର କର।
21 ପୁଣି, ମୋୟାବ ଦେଶୀୟ ଦୂରସ୍ଥ କିଅବା ନିକଟସ୍ଥ ସମସ୍ତ ନଗର ଉପରେ,
22 ଅର୍ଥାତ୍, ସମଭୂମିସ୍ଥ ପ୍ରଦେଶ ଉପରେ ହଲୋନ,
ଯହସ ଓ ମେଫାତ୍ ଦୀବୋନ୍, ନବୋ ଓ ବେଥ୍-ଦିବ୍ଳାଥୟିମ:
23 କିରୀୟାଥୟିମ, ବେଥ୍-ଗାମୁଲ୍ ଓ ବେଥ୍-ମୀୟୋନ୍;
24 କରୀୟୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ
ବିଚାରଦଣ୍ଡ ଉପସ୍ଥିତ ହୋଇଅଛି।
25 ସଦାପ୍ରଭୁ କହନ୍ତି, “ମୋୟାବର ଶୃଙ୍ଗ କଟା ଯାଇଅଛି ଓ ତାହାର ବାହୁ ଭଗ୍ନ ହୋଇଅଛି। 26 ତୁମ୍ଭେମାନେ ତାହାକୁ ମତ୍ତ କରାଅ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି; ପୁଣି, ମୋୟାବ ଆପଣା ବାନ୍ତିରେ ଗଡ଼ିବ, ମଧ୍ୟ ସେ ପରିହାସାସ୍ପଦ ହେବ। 27 ଇସ୍ରାଏଲ କି ତୁମ୍ଭ ପ୍ରତି ପରିହାସର ବିଷୟ ହୋଇ ନ ଥିଲା ? ସେ କି ଚୋରମାନଙ୍କ ମଧ୍ୟରେ ଧରା ପଡ଼ିଥିଲା ? ତୁମ୍ଭେ ଯେତେଥର ତାହା ବିଷୟ କହୁଅଛ, ସେତେଥର ମସ୍ତକ ହଲାଉଅଛ।
28 ହେ ମୋୟାବ ନିବାସୀଗଣ,
ତୁମ୍ଭେମାନେ ନଗରସବୁ ତ୍ୟାଗ କରି ଶୈଳରେ ବାସ କର
ଓ ଗର୍ତ୍ତର ମୁଖ ପାର୍ଶ୍ୱରେ ବସାକାରୀ କପୋତର ତୁଲ୍ୟ ହୁଅ।
29 ମୋୟାବ ବଡ଼ ଅହଙ୍କାରୀ, ଆମ୍ଭେମାନେ ତାହାର ଅହଙ୍କାରର କଥା,
ତାହାର ଉଦ୍ଧତ ଭାବ, ତାହାର ଅହଙ୍କାର, ତାହାର ଦର୍ପ
ଓ ତାହାର ଚିତ୍ତର ଅଭିମାନ କଥା ଶୁଣିଅଛୁ।”
30 ସଦାପ୍ରଭୁ କହନ୍ତି, “ଆମ୍ଭେ ତାହାର କ୍ରୋଧ ଜାଣୁ, ତାହା କିଛି ନୁହେଁ, ତାହାର ଗର୍ବସବୁ କିଛି ହିଁ ସାଧନ କରି ନାହିଁ। 31 ଏଥିପାଇଁ ଆମ୍ଭେ ମୋୟାବର ପାଇଁ ହାହାକାର କରିବା; ହଁ, ଆମ୍ଭେ ସମୁଦାୟ ମୋୟାବ ପାଇଁ କ୍ରନ୍ଦନ କରିବା; କୀର୍ହେରସର ଲୋକମାନଙ୍କ ବିଷୟରେ ସେମାନେ ଶୋକ କରିବେ।”
32 ହେ ସିବ୍ମାର ଦ୍ରାକ୍ଷାଲତା, ଯାସେରର ରୋଦନ ଅପେକ୍ଷା
ଆମ୍ଭେ ତୁମ୍ଭ ବିଷୟରେ ଅଧିକ ରୋଦନ କରିବା;
ତୁମ୍ଭର ଶାଖାସବୁ ସମୁଦ୍ର ପାରିକୁ ଗଲା,
ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ହିଁ ବିସ୍ତାରିତ ହେଲା;
ତୁମ୍ଭର ଗ୍ରୀଷ୍ମକାଳୀନ ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ
ବିନାଶକ ଉପସ୍ଥିତ ହେଲା।
33 ମୋୟାବର ଫଳବାନ କ୍ଷେତ୍ର ଓ ଭୂମିରୁ ଆନନ୍ଦ ଓ ଉଲ୍ଲାସ ଦୂରୀକୃତ ହୋଇଅଛି;
ପୁଣି, ଆମ୍ଭେ ଦ୍ରାକ୍ଷାକୁଣ୍ଡସବୁ ଦ୍ରାକ୍ଷାରସ ଶୂନ୍ୟ କରିଅଛୁ;
କେହି ହର୍ଷନାଦରେ ଦ୍ରାକ୍ଷାମର୍ଦ୍ଦନ କରିବ ନାହିଁ; ସେହି ନାଦ ହର୍ଷନାଦ ହେବ ନାହିଁ।
34 ହିଷ୍ବୋନର ଚିତ୍କାର ସ୍ଥାନଠାରୁ ଇଲୀୟାଲୀ ପର୍ଯ୍ୟନ୍ତ,
ମଧ୍ୟ ଯହସ ପର୍ଯ୍ୟନ୍ତ, ସୋୟରଠାରୁ ହୋରୋନୟିମ ପର୍ଯ୍ୟନ୍ତ,
ଇଗ୍ଲତ୍-ଶଲୀଶୀୟା ପର୍ଯ୍ୟନ୍ତ ସେମାନେ ଚିତ୍କାରଶବ୍ଦ ଉଠାଇଅଛନ୍ତି;
କାରଣ ନିମ୍ରୀମର ଜଳସମୂହ ମଧ୍ୟ ଶୂନ୍ୟ ହେବ।
35 ଆହୁରି, ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବ ମଧ୍ୟରେ ଉଚ୍ଚସ୍ଥଳୀରେ ବଳିଦାନକାରୀ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାହକାରୀ ଲୋକକୁ ଲୋପ କରିବା। 36 ଏହେତୁ ମୋୟାବର ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି ଓ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି; ଏଥିପାଇଁ ତାହାର ପ୍ରାପ୍ତ ବହୁତ ଧନ ନଷ୍ଟ ହୋଇଅଛି। 37 କାରଣ ପ୍ରତ୍ୟେକ ମସ୍ତକ ଟାଙ୍ଗରା ଓ ପ୍ରତ୍ୟେକ ଦାଢ଼ି କଟା ହୋଇଅଛି; ସମସ୍ତଙ୍କ ହସ୍ତରେ କଟା ଦାଗ ଓ କଟିଦେଶରେ ଚଟବସ୍ତ୍ର ଅଛି।”
38 ମୋୟାବର ସମସ୍ତ ଗୃହ ଛାତ ଉପରେ ଓ ତହିଁର ସମସ୍ତ ପଥରେ ସର୍ବତ୍ର ବିଳାପ ହେଉଅଛି; କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବକୁ ଅପ୍ରୀତିକର ପାତ୍ର ପରି ଭାଙ୍ଗି ପକାଇଅଛୁ।
39 ସେ କିପରି ଭଗ୍ନ ହୋଇଅଛି ! ଲୋକେ କିପରି ବିଳାପ କରୁଅଛନ୍ତି !
ମୋୟାବ ଲଜ୍ଜାରେ କିପରି ପୃଷ୍ଠ ଫେରାଇ ଅଛି !
ଏହିରୂପେ ମୋୟାବ ଆପଣା ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର
ହାସ୍ୟାସ୍ପଦ ଓ ଭୟ ସ୍ଥାନ ହେବ।”
40 କାରଣ ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବ
ଓ ମୋୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ।”
41 କରୀୟୋଥ୍ ହସ୍ତଗତ ହେଲା, ଦୃଢ଼ ଦୁର୍ଗସବୁ ଅକସ୍ମାତ୍ ଆକ୍ରାନ୍ତ ହେଲା,
ଆଉ ସେହି ଦିନରେ ମୋୟାବର ବୀରମାନଙ୍କ ଅନ୍ତଃକରଣ
ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣ ତୁଲ୍ୟ ହେବ।
42 ପୁଣି, ମୋୟାବ ଲୁପ୍ତ ହେବ, ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ,
କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି।
43 ସଦାପ୍ରଭୁ କହନ୍ତି,
“ହେ ମୋୟାବ ନିବାସୀନ୍, ତୁମ୍ଭ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି।
44 ଯେ ତ୍ରାସରୁ ପଳାଏ, ସେ ଖାତରେ ପଡ଼ିବ
ଓ ଯେ ଖାତରୁ ଉଠି ରକ୍ଷା ପାଏ, ସେ ଫାନ୍ଦରେ ଧରା ପଡ଼ିବ;”
କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ତାହାର ଉପରେ,
ହଁ, ମୋୟାବର ଉପରେ ପ୍ରତିଫଳ ଦାନର ବର୍ଷ ଆଣିବା।”
45 ଯେଉଁମାନେ ପଳାଇ ଗଲେ,
ସେମାନେ ବଳହୀନ ହୋଇ ହିଷ୍ବୋନର ଛାୟା ତଳେ ଠିଆ ହୁଅନ୍ତି;
କାରଣ ହିଷ୍ବୋନରୁ ଅଗ୍ନି ଓ ସୀହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇ
ମୋୟାବର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି।
46 ହେ ମୋୟାବ, ତୁମ୍ଭେ ସନ୍ତାପର ପାତ୍ର ! କମୋଶର ଲୋକମାନେ ବିନଷ୍ଟ ହେଲେ;
କାରଣ ତୁମ୍ଭର ପୁତ୍ରଗଣ ବନ୍ଦୀ ହେଲେ ଓ ତୁମ୍ଭର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।
47 ତଥାପି ସଦାପ୍ରଭୁ କହନ୍ତି, “ଆମ୍ଭେ ଶେଷ କାଳରେ ପୁନର୍ବାର ମୋୟାବକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।” ମୋୟାବର ବିଚାର କଥା ଏତିକି।
Chapter 49
ଅମ୍ମୋନର ବିଚାର
1 ଅମ୍ମୋନ ସନ୍ତାନଗଣର ବିଷୟ।
ସଦାପ୍ରଭୁ ଏହି କଥା କହନ୍ତି,
“ଇସ୍ରାଏଲର କି ପୁତ୍ର ନାହିଁ ? ତାହାର ଉତ୍ତରାଧିକାରୀ କି କେହି ନାହିଁ ?
ତେବେ ମିଲ୍କମ୍ କାହିଁକି ଗାଦ୍ର ଭୂମି ଅଧିକାର କରୁଅଛି
ଓ ତାହାର ଲୋକମାନେ ତହିଁର ନଗରସମୂହରେ ବାସ କରୁଅଛନ୍ତି ?”
2 ଏହେତୁ ସଦାପ୍ରଭୁ କହନ୍ତି,
“ଦେଖ, ଯେଉଁ ସମୟରେ ଆମ୍ଭେ ଅମ୍ମୋନ ସନ୍ତାନଗଣର
ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଭୟ ଧ୍ୱନି ଶୁଣାଇବା, ଏପରି ସମୟ ଆସୁଅଛି;
ଆଉ, ତାହା ନରଶୂନ୍ୟ ଢିପି ହେବ ଓ ତାହାର କନ୍ୟାଗଣ ଅଗ୍ନିରେ ଦଗ୍ଧ କରାଯିବେ;
ତହିଁରେ ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ,
ସେ ସେମାନଙ୍କ ଉପରେ ଅଧିକାର କରିବ,” ଏହା ସଦାପ୍ରଭୁ କହନ୍ତି।
3 “ହେ ହିଷ୍ବୋନ, ହାହାକାର କର, କାରଣ ଅୟ ଉଚ୍ଛିନ୍ନ ହେଲା!
ହେ ରବ୍ବାର କନ୍ୟାଗଣ, କ୍ରନ୍ଦନ କର, ଚଟବସ୍ତ୍ର ପରିଧାନ କର;
ବିଳାପ କର, ପ୍ରାଚୀର ମଧ୍ୟରେ ଏଣେତେଣେ ଦୌଡ଼;
କାରଣ ମିଲ୍କମ୍, ତାହାର ଯାଜକଗଣ ଓ ଅଧିପତିଗଣ ଏକତ୍ର ବନ୍ଦୀ ହୋଇଯିବେ।
4 ଗୋ ବିପଥଗାମିନୀ କନ୍ୟେ,
ତୁମ୍ଭେ କାହିଁକି ତଳଭୂମି ସବୁରେ, ଆପଣା ପ୍ରବାହଶୀଳ ତଳଭୂମିରେ ଦର୍ପ କରୁଅଛ ?
ତୁମ୍ଭେ ଆପଣା ଧନ ସମ୍ପତ୍ତିରେ ନିର୍ଭର କରି କହୁଅଛ, ମୋ’ ନିକଟକୁ କିଏ ଆସିବ ?”
5 ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ସବୁରୁ ତୁମ୍ଭ ପ୍ରତି ଭୟ ଘଟାଇବା;
ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥରେ ତାଡ଼ିତ ହେବ,
ପୁଣି ଯେଉଁ ଜନ ପଥ ହୁଡ଼େ, ତାହାକୁ ସଂଗ୍ରହ କରିବା ପାଇଁ କେହି ନ ଥିବ।”
6 ତଥାପି ସଦାପ୍ରଭୁ କହନ୍ତି,
“ଏଥିଉତ୍ତାରେ ଆମ୍ଭେ ଅମ୍ମୋନ ସନ୍ତାନଗଣକୁ ବନ୍ଦୀତ୍ୱାବସ୍ଥାରୁ ପୁନର୍ବାର ଫେରାଇ ଆଣିବା।”
ଇଦୋମର ବିଚାର
7 ଇଦୋମର ବିଷୟ।
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
“ତୈମନ୍ରେ କି ଆଉ ଜ୍ଞାନ ନାହିଁ ?
ବୁଦ୍ଧିମାନମାନଙ୍କଠାରୁ କି ପରାମର୍ଶ ଲୁପ୍ତ ହୋଇଅଛି ?
ସେମାନଙ୍କର ଜ୍ଞାନ କି ଅନ୍ତର୍ହିତ ହୋଇଅଛି ?
8 ହେ ଦଦାନ୍ ନିବାସୀଗଣ,
ତୁମ୍ଭେମାନେ ପଳାଅ, ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର;
କାରଣ ଆମ୍ଭେ ତାହା ଉପରେ ଏଷୌର ବିପଦ,
ତାହାକୁ ପ୍ରତିଫଳ ଦେବାର ସମୟ ଆଣିବା।
9 ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ତୁମ୍ଭ ନିକଟକୁ ଆସିଲେ,
ସେମାନେ କି ସାଉଣ୍ଟିବା ପାଇଁ କିଛି ଫଳ ଛାଡ଼ିବେ ନାହିଁ ?
ଯଦି ଚୋରମାନେ ରାତ୍ରିରେ ଆସିବେ,
ତେବେ ସେମାନେ ଯଥେଷ୍ଟ ପାଇବା ପର୍ଯ୍ୟନ୍ତ କି କ୍ଷତି କରିବେ ନାହିଁ ?
10 ମାତ୍ର ଆମ୍ଭେ ଏଷୌକୁ ଶୂନ୍ୟ କରିଅଛୁ,
ତାହାର ଗୁପ୍ତ ସ୍ଥାନ ସବୁ ଅନାବୃତ କରିଅଛୁ ଓ ସେ ଆପଣାକୁ ଲୁଚାଇ ପାରିବ ନାହିଁ;
ତାହାର ବଂଶ, ତାହାର ଭ୍ରାତୃଗଣ
ଓ ତାହାର ପ୍ରତିବାସୀଗଣ ବିନଷ୍ଟ ହୋଇଅଛନ୍ତି ଓ ସେ ନାହିଁ।
11 ତୁମ୍ଭେ ଆପଣା ପିତୃହୀନ ସନ୍ତାନଗଣକୁ ଛାଡ଼,
ଆମ୍ଭେ ସେମାନଙ୍କୁ ଜୀବନରେ ରକ୍ଷା କରିବା
ଓ ତୁମ୍ଭର ବିଧବାମାନେ ଆମ୍ଭଠାରେ ବିଶ୍ୱାସ କରନ୍ତୁ।”
12 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ସମ୍ପର୍କ ନାହିଁ, ସେମାନେ ନିତାନ୍ତ ତହିଁରେ ପାନ କରିବେ, ତେବେ ତୁମ୍ଭେ କି ସର୍ବତୋଭାବେ ଅଦଣ୍ଡିତ ହେବ ? ତୁମ୍ଭେ ଅଦଣ୍ଡିତ ହେବ ନାହିଁ, ମାତ୍ର ନିଶ୍ଚୟ ପାନ କରିବ।” 13 କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ ଯେ, ବସ୍ରା ବିସ୍ମୟର, ନିନ୍ଦାର, ଉତ୍ସନ୍ନତାର ଓ ଅଭିଶାପର ପାତ୍ର ହେବ ଓ ତହିଁର ନଗରସବୁ ଚିରକାଳ ଉତ୍ସନ୍ନ ସ୍ଥାନ ହେବ।”
14 ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି,
ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି,
ଯଥା, ତୁମ୍ଭେମାନେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ ଓ ଯୁଦ୍ଧ କରିବାକୁ ଉଠ।
15 କାରଣ ଦେଖ, ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର
ଓ ମନୁଷ୍ୟମାନଙ୍କ ମଧ୍ୟରେ ଅବଜ୍ଞାତ କରିଅଛୁ।
16 “ଗୋ ଶୈଳଛିଦ୍ର ନିବାସିନୀ, ହେ ପର୍ବତ ଶୃଙ୍ଗ ଅବଲମ୍ବିନୀ,
ତୁମ୍ଭର ଭୟଙ୍କରତା ବିଷୟରେ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ବଞ୍ଚନା କରିଅଛି;
ଯଦ୍ୟପି ତୁମ୍ଭେ ଉତ୍କ୍ରୋଶ ପକ୍ଷୀ ପରି ଉଚ୍ଚ ସ୍ଥାନରେ ବସା କରିବ,
ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ଓହ୍ଳାଇ ଆଣିବା,” ଏହା ସଦାପ୍ରଭୁ କହନ୍ତି।
17 ପୁଣି, ଇଦୋମ ବିସ୍ମୟର ବିଷୟ ହେବ;
ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହେବେ
ଓ ତହିଁର ସକଳ ଦଣ୍ଡ ସକାଶୁ ଶୀସ୍ ଶବ୍ଦ କରିବେ।
18 ସଦାପ୍ରଭୁ କହନ୍ତି,
“ସଦୋମ ଓ ହମୋରାର ଓ ତନ୍ନିକଟବର୍ତ୍ତୀ ନଗରସମୂହ ସଦୃଶ୍ୟ ତାହାର ଉତ୍ପାଟନ ହେବ,
କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ;
କିଅବା କୌଣସି ମନୁଷ୍ୟ ସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
19 ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ
ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ;
ମାତ୍ର ଆମ୍ଭେ ହଠାତ୍ ତାହା ନିକଟରୁ ତାହାକୁ ଦୂର କରିଦେବା;
ଆଉ, ମନୋନୀତ ଯେଉଁ ଲୋକ, ତାହା ଉପରେ ଆମ୍ଭେ ତାହାକୁ ନିଯୁକ୍ତ କରିବା;
କାରଣ ଆମ୍ଭ ପରି କିଏ ଅଛି ? ଆମ୍ଭ ପାଇଁ କିଏ ସମୟ ନିରୂପଣ କରିବ
ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହୋଇପାରେ, ଏପରି ପାଳକ କିଏ ଅଛି ?
20 ଏହେତୁ ସଦାପ୍ରଭୁ ଇଦୋମର ବିରୁଦ୍ଧରେ ଯେଉଁ ମନ୍ତ୍ରଣା
ଓ ତୈମନ୍ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ,
ଲୋକମାନେ ନିଶ୍ଚୟ ସେମାନଙ୍କୁ, ପଲର ଛୁଆମାନଙ୍କୁ ହିଁ ଟାଣି ନେଇଯିବେ;
ସେ ନିଶ୍ଚୟ ସେମାନଙ୍କ ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
21 ସେମାନଙ୍କର ପତନ ଶବ୍ଦରେ ପୃଥିବୀ କମ୍ପୁଅଛି,
ସୂଫ ସାଗର ପର୍ଯ୍ୟନ୍ତ କ୍ରନ୍ଦନର ଶବ୍ଦ ଶୁଣାଯାଉଅଛି।
22 ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଠି ଉଡ଼ି ଆସିବ
ଓ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ;
ପୁଣି, ସେସମୟରେ ଇଦୋମର ବୀର ପୁରୁଷମାନଙ୍କ ଅନ୍ତଃକରଣ
ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣର ସମାନ ହେବ।”
ଦମ୍ମେଶକର ବିଚାର
23 ଦମ୍ମେଶକର ବିଷୟ। “ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି,
କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି, ସେମାନେ ତରଳି ଯାଇଅଛନ୍ତି;
ସମୁଦ୍ରରେ ଉଦ୍ବେଗ ଦେଖା ଯାଉଅଛି, ତାହା ସୁସ୍ଥିର ହୋଇ ନ ପାରେ।
24 ଦମ୍ମେଶକ କ୍ଷୀଣବଳ ହୋଇଅଛି,
ସେ ପଳାଇବା ପାଇଁ ଫେରୁଅଛି, କମ୍ପନ ତାହାକୁ ଆକ୍ରାନ୍ତ କରିଅଛି;
ଯେପରି ପ୍ରସବ କାଳରେ ସ୍ତ୍ରୀଲୋକକୁ, ସେପରି ତାହାକୁ ଯନ୍ତ୍ରଣା ଓ ଦୁଃଖ ଧରିଅଛି।
25 ଏହି ପ୍ରଶଂସିତ ନଗର ଓ ଆମ୍ଭର ଆନନ୍ଦଜନକ ନଗର
କାହିଁକି ପରିତ୍ୟକ୍ତ ହୋଇ ନାହିଁ ?”
26 ଏହେତୁ ସଦାପ୍ରଭୁ କହନ୍ତି,
“ସେଦିନରେ ତାହାର ଯୁବକଗଣ ତାହାର ରାଜଦାଣ୍ଡରେ ପତିତ ହେବେ
ଓ ସମସ୍ତ ଯୋଦ୍ଧା ନିସ୍ତବ୍ଧ କରାଯିବେ।
27 ପୁଣି, ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା,
ତହିଁରେ ତାହା ବିନ୍ହଦଦ୍ର ଅଟ୍ଟାଳିକାସବୁ ଗ୍ରାସ କରିବ।”
କେଦର ଓ ହାସୋରର ବିଚାର
28 ବାବିଲର ରାଜା ନବୂଖଦ୍ନିତ୍ସର ଦ୍ୱାରା ପରାଜିତ କେଦାରର ଓ ହାସୋର ରାଜ୍ୟସମୂହର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ଉଠି କେଦାରକୁ ଯାଅ ଓ ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।
29 ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲସବୁ ନେଇଯିବେ;
ସେମାନଙ୍କର ଯବନିକା ଓ ସେମାନଙ୍କର ଯାବତୀୟ ପାତ୍ର
ଓ ଓଟଗଣକୁ ସେମାନେ ଆପଣାମାନଙ୍କ ନିମନ୍ତେ ନେଇଯିବେ,
ଆଉ ‘ଚତୁର୍ଦ୍ଦିଗରେ ଆଶଙ୍କା’ ବୋଲି ଉଚ୍ଚ ସ୍ୱରରେ ସେମାନଙ୍କୁ କହିବେ।”
30 ସଦାପ୍ରଭୁ କହନ୍ତି,
“ହେ ହାସୋର ନିବାସୀମାନେ, ପଳାୟନ କର,
ଦୂରରେ ଭ୍ରମଣ କର, ଗଭୀର ସ୍ଥାନରେ ବାସ କର;
କାରଣ ବାବିଲର ରାଜା ନବୂଖଦ୍ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛି
ଓ ତୁମ୍ଭମାନଙ୍କ ବିରୁଦ୍ଧରେ ଗୋଟିଏ ସଂକଳ୍ପ ସ୍ଥିର କରିଅଛି।”
31 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଉଠ, ଯେଉଁ ଗୋଷ୍ଠୀ କବାଟ
ଓ ହୁଡ଼ୁକାବିହୀନ ହୋଇ ନିରାପଦରେ ଓ ନିଶ୍ଚିନ୍ତରେ ଏକଲା ବାସ କରୁଅଛନ୍ତି,
ସେମାନଙ୍କ ବିରୁଦ୍ଧରେ ଯାତ୍ରା କର।
32 ସେମାନଙ୍କର ଓଟଗଣ ଲୁଟିତ ବସ୍ତୁ ହେବେ
ଓ ସେମାନଙ୍କର ଅନେକ ଅନେକ ପଶୁ ଲୁଟିତ ହେବେ;
ପୁଣି, ଯେଉଁ ଲୋକମାନେ ଆପଣା ଆପଣା କେଶର କୋଣ କାଟନ୍ତି,
ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା
ଓ ସେମାନଙ୍କ ଚାରିଆଡ଼ରୁ ସେମାନଙ୍କର ବିପଦ ଆଣିବା,” ଏହା ସଦାପ୍ରଭୁ କହନ୍ତି।
33 “ପୁଣି, ହାସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ ସ୍ଥାନ ହେବ;
କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ,
କିଅବା କୌଣସି ମନୁଷ୍ୟସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।”
ଏଲମର ବିଚାର
34 ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଆରମ୍ଭ ସମୟରେ ଏଲମ୍ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, 35 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ଆମ୍ଭେ ଏଲମ୍ର ଧନୁ, ଅର୍ଥାତ୍, ସେମାନଙ୍କ ବଳର ଅଗ୍ରିମାଂଶ ଭାଙ୍ଗି ପକାଇବା।
36 ପୁଣି, ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଚାରି ବାୟୁ ଏଲମ୍ ଉପରେ ବହାଇବା
ଓ ସେହିସବୁ ବାୟୁ ଆଡ଼େ ସେମାନଙ୍କୁ ଛିନ୍ନଭିନ୍ନ କରିବା;
ଆଉ, ଏଲମ୍ର ଦୂରୀକୃତ ଲୋକମାନେ ଯେଉଁଠାକୁ ନ ଯିବେ, ଏପରି ଦେଶ ନ ଥିବ।
37 ପୁଣି, ଆମ୍ଭେ ଏଲମ୍ର ଲୋକମାନଙ୍କୁ ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ
ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ସମ୍ମୁଖରେ ବିସ୍ମିତ କରାଇବା,”
ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା
ଓ ସେମାନଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।”
38 ପୁଣି, ସଦାପ୍ରଭୁ କହନ୍ତି,
“ଆମ୍ଭେ ଏଲମ୍ରେ ଆପଣା ସିଂହାସନ ସ୍ଥାପନ କରିବା
ଓ ସେସ୍ଥାନରୁ ରାଜାକୁ ଓ ଅଧିପତିଗଣକୁ ଉଚ୍ଛିନ୍ନ କରିବା।
39 ମାତ୍ର ଶେଷ କାଳରେ ଆମ୍ଭେ ଏଲମ୍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା,”
ଏହା ସଦାପ୍ରଭୁ କହନ୍ତି।
Chapter 50
ବାବିଲର ବିଚାର
1 ସଦାପ୍ରଭୁ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ବାବିଲ ବିଷୟରେ, କଲ୍ଦୀୟମାନଙ୍କ ଦେଶ ବିଷୟରେ ଯାହା କହିଲେ, ତାହା ଏହି, ଯଥା।
2 “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ;
ପ୍ରଚାର କର ଓ ଗୋପନ ନ କରି କୁହ,
‘ବାବିଲ ହସ୍ତଗତ ହେଲା, ବେଲ୍ ଲଜ୍ଜିତ ହେଲା, ମରୋଦକ୍ ବିସ୍ମିତ ହେଲା;
ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।’
3 କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି,
ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ;
ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।”
ଇସ୍ରାଏଲର ପ୍ରତ୍ୟାବର୍ତ୍ତନ
4 ସଦାପ୍ରଭୁ କହନ୍ତି, “ସେଦିନରେ ଓ ସେସମୟରେ
ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇ ଆସିବେ;
ସେମାନେ କ୍ରନ୍ଦନ କରୁ କରୁ ପଥରେ ଗମନ କରିବେ
ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
5 ସେମାନେ ସିୟୋନର ବିଷୟ ପଚାରିବେ, ତହିଁଆଡ଼େ ମୁଖ କରି କହିବେ,
‘ତୁମ୍ଭେମାନେ ଆସ, ଅନନ୍ତ କାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା
ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’
6 ଆମ୍ଭର ଲୋକମାନେ ହଜିଲା ମେଷ ହୋଇଅଛନ୍ତି,
ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି,
ନାନା ପର୍ବତରେ ସେମାନଙ୍କୁ ପଥ ହୁଡ଼ାଇ ଭ୍ରମଣ କରାଇ ଅଛନ୍ତି;
ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି,
ସେମାନେ ଆପଣାମାନଙ୍କର ବିଶ୍ରାମସ୍ଥାନ ପାସୋରିଅଛନ୍ତି।
7 ଯେଉଁମାନେ ସେମାନଙ୍କୁ ପାଇଲେ, ସେସମସ୍ତେ ସେମାନଙ୍କୁ ଗ୍ରାସ କରିଅଛନ୍ତି
ଓ ସେମାନଙ୍କର ବିପକ୍ଷମାନେ କହିଲେ,
‘ଆମ୍ଭେମାନେ ଦୋଷ କରୁ ନାହୁଁ, କାରଣ ସେମାନେ ଧର୍ମନିବାସ ସଦାପ୍ରଭୁଙ୍କର,
ଆପଣାମାନଙ୍କର ପୂର୍ବପୁରୁଷଗଣର ଆଶାଭୂମି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି।
8 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ
ଓ କଲ୍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ,
ପୁଣି ପଲର ଅଗ୍ରଗାମୀ ଛାଗସ୍ୱରୂପ ହୁଅ।
9 କାରଣ ଦେଖ, ଆମ୍ଭେ ଉତ୍ତର ଦେଶରୁ
ମହା ମହା ଗୋଷ୍ଠୀର ସମାଜକୁ ଉତ୍ତେଜିତ କରି
ବାବିଲ ବିରୁଦ୍ଧରେ ସେମାନଙ୍କୁ ଗମନ କରାଇବା;
ଆଉ, ସେମାନେ ତାହା ବିରୁଦ୍ଧରେ ଆପଣାମାନଙ୍କୁ ସଜାଇବେ;
ତହିଁରେ ତାହା ଶତ୍ରୁର ହସ୍ତଗତ ହେବ;
ସେମାନଙ୍କର ତୀର ନିପୁଣ ବୀର ପୁରୁଷର ତୀର ପରି ହେବ,
କୌଣସି ତୀର ବିଫଳ ହେବ ନାହିଁ।
10 ପୁଣି, କଲ୍ଦୀୟା ଲୁଟିତ ଦ୍ରବ୍ୟ ହେବ,”
ସଦାପ୍ରଭୁ କହନ୍ତି, “ଯେଉଁମାନେ ତାହା ଲୁଟିବେ, ସେସମସ୍ତେ ପରିତୃପ୍ତ ହେବେ।
11 “ହେ ଆମ୍ଭର ଅଧିକାର ଅପହରଣକାରୀମାନେ,
ତୁମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁଅଛ,
ତୁମ୍ଭେମାନେ ଶସ୍ୟମର୍ଦ୍ଦନକାରିଣୀ ଗାଭୀ ପରି କୁଦା ମାରୁଅଛ
ଓ ବଳବାନ ଅଶ୍ୱ ପରି ନାସା ଶବ୍ଦ କରୁଅଛ;
12 ଏଥିପାଇଁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ;
ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶା ହେବ;
ଦେଖ, ସେ ଗୋଷ୍ଠୀଗଣ ମଧ୍ୟରେ ସର୍ବପଶ୍ଚାତ୍ ହେବ,
ପ୍ରାନ୍ତର, ଶୁଷ୍କସ୍ଥାନ ଓ ମରୁଭୂମି ହେବ।
13 ସଦାପ୍ରଭୁଙ୍କ କୋପ ସକାଶୁ ସେ ବସତିବିଶିଷ୍ଟ ହେବ ନାହିଁ,
ମାତ୍ର ସମ୍ପୂର୍ଣ୍ଣ ଧ୍ୱଂସସ୍ଥାନ ହେବ;
ଯେ ପ୍ରତ୍ୟେକ ଲୋକ ବାବିଲର ନିକଟ ଦେଇ ଯିବ,
ସେ ବିସ୍ମିତ ହେବ ଓ ତାହାର ସକଳ ଦଣ୍ଡ ସକାଶୁ ଶୀସ୍ ଶବ୍ଦ କରିବ।
14 ହେ ଧନୁରେ ଗୁଣଦାୟୀ ଲୋକ ସମସ୍ତେ,
ତୁମ୍ଭେମାନେ ବାବିଲର ବିରୁଦ୍ଧରେ ଚାରିଆଡ଼େ ସୈନ୍ୟ ସଜାଅ;
କୁଣ୍ଠିତ ନ ହୋଇ ତାହା ପ୍ରତି ତୀର ନିକ୍ଷେପ କର;
କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।
15 ତାହାର ଚତୁର୍ଦ୍ଦିଗରେ ସିଂହନାଦ କର, ସେ ଆପଣାକୁ ସମର୍ପଣ କରିଅଛନ୍ତି;
ତାହାର ଗଡ଼ସକଳ ପତିତ ଓ ତାହାର ପ୍ରାଚୀରସକଳ ଉତ୍ପାଟିତ ହୋଇଅଛି;
କାରଣ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ;
ତାହାଠାରୁ ପ୍ରତିଶୋଧ ନିଅ; ସେ ଯେପରି କରିଅଛି, ସେପରି ତାହା ପ୍ରତି କର।
16 ତୁମ୍ଭେମାନେ ବାବିଲରୁ ବୀଜବାପକକୁ
ଓ ଶସ୍ୟ ସଂଗ୍ରହ ସମୟରେ ଦା’ ଧରିବା ଲୋକଙ୍କୁ ଉଚ୍ଛିନ୍ନ କର,
ଉତ୍ପୀଡ଼କ ଖଡ୍ଗ ଭୟରେ ସେମାନେ ପ୍ରତ୍ୟେକେ
ଆପଣା ଆପଣା ଲୋକଙ୍କ ନିକଟକୁ ଫେରି ଯିବେ
ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ଦେଶକୁ ପଳାଇବେ।
17 ଇସ୍ରାଏଲ ଛିନ୍ନଭିନ୍ନ ମେଷ ସ୍ୱରୂପ; ସିଂହମାନେ ତାହାକୁ ତଡ଼ି ଦେଇଅଛନ୍ତି;
ପ୍ରଥମରେ ଅଶୂରର ରାଜା ତାହାକୁ ଗ୍ରାସ କଲା;
ଆଉ, ଶେଷରେ ବାବିଲର ରାଜା ଏହି ନବୂଖଦ୍ନିତ୍ସର
ତାହାର ହାଡ଼ସବୁ ଭାଙ୍ଗି ପକାଇଅଛି।
18 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି,
“ଦେଖ, ଆମ୍ଭେ ଅଶୂରର ରାଜାକୁ ଯେପରି ଦଣ୍ଡ ଦେଇ ଅଛୁ,
ସେପରି ବାବିଲର ରାଜାକୁ ଓ ତାହାର ଦେଶକୁ ଆମ୍ଭେ ଦଣ୍ଡ ହେବା।
19 ପୁଣି, ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତାହାର ଚରାସ୍ଥାନକୁ ଆଣିବା
ଓ ସେ କର୍ମିଲ ଓ ବାଶନର ଉପରେ ଚରିବ, ଆଉ ଇଫ୍ରୟିମର ପର୍ବତମାନର ଉପରେ
ଓ ଗିଲୀୟଦରେ ତାହାର ପ୍ରାଣ ତୃପ୍ତ ହେବ।”
20 ସଦାପ୍ରଭୁ କହନ୍ତି,
“ସେହି ଦିନରେ ଓ ସେହି ସମୟରେ
ଇସ୍ରାଏଲର ଅଧର୍ମ ଅନ୍ୱେଷଣ କରାଯିବ, ମାତ୍ର କିଛି ମିଳିବ ନାହିଁ
ଓ ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ତାହା ମିଳିବ ନାହିଁ।
କାରଣ ଆମ୍ଭେ ଯେଉଁମାନଙ୍କୁ ଅବଶିଷ୍ଟ ରଖିବା, ସେମାନଙ୍କୁ କ୍ଷମା କରିବା।”
21 ସଦାପ୍ରଭୁ କହନ୍ତି,
“ତୁମ୍ଭେ ମରାଥୟିମ୍ (ଦ୍ୱିଗୁଣ ଦ୍ରୋହ) ଦେଶର ବିରୁଦ୍ଧରେ
ଓ ପକୋଦ (ପ୍ରତିଫଳପୁର) ନିବାସୀମାନଙ୍କ ବିରୁଦ୍ଧରେ ଉଠିଯାଅ;
ସେମାନଙ୍କର ପଶ୍ଚାତ୍ ପଶ୍ଚାତ୍ ଯାଇ ସେମାନଙ୍କୁ ବଧ କରି ନିଃଶେଷ ରୂପେ ବିନାଶ କର
ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିଅଛୁ, ତଦନୁସାରେ କର।”
22 ଦେଶରେ ସଂଗ୍ରାମର ଓ ମହାବିନାଶର ଶବ୍ଦ ହେଉଅଛି।
23 ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି!
ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି !
24 ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାନ୍ଦ ପାତିଅଛୁ,
ଆଉ ତୁମ୍ଭେ ନ ଜାଣି ତହିଁରେ ଧରା ପଡ଼ିଅଛ, ତୁମ୍ଭର ଅନୁସନ୍ଧାନ ମିଳିଅଛି,
ମଧ୍ୟ ତୁମ୍ଭେ ଧରା ପଡ଼ିଅଛ, କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିଅଛ।”
25 ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ
ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଅଛନ୍ତି, କାରଣ କଲ୍ଦୀୟମାନଙ୍କ ଦେଶରେ
ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କର ଗୋଟିଏ କାର୍ଯ୍ୟ କରିବାର ଅଛି।
26 ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହାର ବିରୁଦ୍ଧରେ ଆସ,
ତାହାର ଭଣ୍ଡାରସବୁ ଫିଟାଅ; ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି ରାଶି ପରି ଢିପି କର;
ତାହାର କିଛି ଅବଶିଷ୍ଟ ରଖ ନାହିଁ।
27 ତାହାର ବୃଷସବୁକୁ ବଧ କର; ସେସବୁ ବଧ ସ୍ଥାନକୁ ଯାଉନ୍ତୁ;
ସେମାନେ ସନ୍ତାପର ପାତ୍ର ! କାରଣ ସେମାନଙ୍କର ଦିନ,
ସେମାନଙ୍କ ପ୍ରତିଫଳର ସମୟ ଉପସ୍ଥିତ ହେଲା।
28 ଯେଉଁ ପଳାତକମାନେ ଓ ବାବିଲ ଦେଶରୁ ରକ୍ଷାପ୍ରାପ୍ତ ଲୋକମାନେ,
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧ ନେବାର,
ହଁ, ତାହାଙ୍କ ମନ୍ଦିର ହେତୁରୁ ପ୍ରତିଶୋଧ ନେବାର ବିଷୟ
ସିୟୋନରେ ପ୍ରକାଶ କରିବାକୁ ଯାଉଅଛନ୍ତି, ଏହା ସେମାନଙ୍କର ରବ।
29 “ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ
ବାବିଲ ବିରୁଦ୍ଧରେ ଏକତ୍ର ଡାକ;
ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର;
ତହିଁରୁ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ;
ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ;
ସେ ଯେପରି କରିଅଛି, ତାହା ପ୍ରତି ସେପରି କର;
କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ
ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି।”
30 ଏହେତୁ ସଦାପ୍ରଭୁ କହନ୍ତି,
“ସେଦିନରେ ତାହାର ଯୁବକଗଣ ରାଜଦାଣ୍ଡରେ ପତିତ ହେବେ
ଓ ତାହାର ଯୋଦ୍ଧା ସମସ୍ତେ ନୀରବ କରାଯିବେ।”
31 ହେ ଅହଙ୍କାରୀ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ , କାରଣ ତୁମ୍ଭର ଦିନ,
ତୁମ୍ଭକୁ ଆମ୍ଭର ପ୍ରତିଫଳ ଦେବାର ସମୟ ଉପସ୍ଥିତ।
32 ତହିଁରେ ସେ ଅହଙ୍କାରୀ ଜନ ଝୁଣ୍ଟି କରି ପଡ଼ିବ
ଓ କେହି ତାହାକୁ ଉଠାଇବ ନାହିଁ;
ପୁଣି, ଆମ୍ଭେ ତାହାର ନଗରସମୂହରେ ଅଗ୍ନି ଲଗାଇବା
ଓ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।”
33 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
“ଇସ୍ରାଏଲ ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ଉପଦ୍ରୁତ ହେଉଅଛନ୍ତି
ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ,
ସେସମସ୍ତେ ଦୃଢ଼ କରି ସେମାନଙ୍କୁ ଧରି ରଖିଅଛନ୍ତି;
ସେମାନଙ୍କୁ ଛାଡ଼ି ଦେବାକୁ ଅସମ୍ମତ ହେଉଅଛନ୍ତି;
34 (ମାତ୍ର) ସେମାନଙ୍କର ମୁକ୍ତିଦାତା ବଳବାନ;
ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ,
ସେ ପୃଥିବୀକି ଶାନ୍ତ ଓ ବାବିଲ ନିବାସୀମାନଙ୍କୁ ଉଦ୍ବିଗ୍ନ କରିବା ନିମନ୍ତେ
ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।”
35 ସଦାପ୍ରଭୁ କହନ୍ତି,
“କଲ୍ଦୀୟମାନଙ୍କ ଉପରେ, ବାବିଲ ନିବାସୀମାନଙ୍କ ଉପରେ,
ତାହାର ଅଧିପତିମାନଙ୍କ ଓ ଜ୍ଞାନୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି।
36 ଦର୍ପବାଦୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ହତବୁଦ୍ଧି ହେବେ;
ତାହାର ବୀରମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ବିସ୍ମିତ ହେବେ।
37 ସେମାନଙ୍କର ଅଶ୍ୱଗଣର ଉପରେ, ଆଉ ରଥସମୂହର ଉପରେ
ଓ ତନ୍ମଧ୍ୟସ୍ଥ ମିଶ୍ରିତ ଲୋକ ସମସ୍ତଙ୍କ ଉପରେ ଗୋଟିଏ ଖଡ୍ଗ ଅଛି,
ଆଉ ସେମାନେ ସ୍ତ୍ରୀମାନଙ୍କ ପରି ହେବେ;
ସେମାନଙ୍କର ଭଣ୍ଡାରସମୂହ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେ ସବୁ ଲୁଟିତ ହେବ।
38 ତାହାର ଜଳାଶୟ ଉପରେ ଉତ୍ତାପ ଅଛି ଓ ତାହା ଶୁଷ୍କ ହୋଇଯିବ;
କାରଣ ସେ ଖୋଦିତ ପ୍ରତିମାଗଣର ଦେଶ,
ଆଉ ଲୋକମାନେ ଆପଣା ଆପଣା ଦେବଗଣରେ ଉନ୍ମତ୍ତ ଅଟନ୍ତି।
39 ଏଥିପାଇଁ ବନପଶୁ ଓ କେନ୍ଦୁଆମାନେ ସେଠାରେ ବାସ କରିବେ
ଓ ଓଟପକ୍ଷୀମାନେ ତହିଁ ମଧ୍ୟରେ ବାସ କରିବେ;
ତାହା ଆଉ କେବେ ହେଁ ବସତି ସ୍ଥାନ ହେବ ନାହିଁ
ଓ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରା ଯିବ ନାହିଁ।”
40 ସଦାପ୍ରଭୁ କହନ୍ତି,
“ପରମେଶ୍ୱର ସଦୋମ, ହମୋରା ଓ ତନ୍ନିକଟବର୍ତ୍ତୀ ନଗରସବୁ
ଉତ୍ପାଟନ କଲା ବେଳେ ଯେରୂପ ହୋଇଥିଲା,
ସେରୂପ କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ,
କିଅବା କୌଣସି ମନୁଷ୍ୟପୁତ୍ର ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
41 ଦେଖ, ଉତ୍ତର ଦିଗରୁ ଏକ ଜନବୃନ୍ଦ ଆସୁଅଛନ୍ତି
ଓ ପୃଥିବୀର ପ୍ରାନ୍ତରୁ ଏକ ମହାଗୋଷ୍ଠୀ ଓ ଅନେକ ରାଜା ଉତ୍ତେଜିତ ହେବେ।
42 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ;
ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି;
ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ
ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।
43 ବାବିଲର ରାଜା ସେମାନଙ୍କ ବିଷୟରେ ଜନରବ ଶୁଣିଅଛି
ଓ ତାହାର ହସ୍ତ ଦୁର୍ବଳ ହୁଏ;
ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ତାହାକୁ ଆକ୍ରାନ୍ତ କରିଅଛି।
44 ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି
ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ;
ମାତ୍ର ଆମ୍ଭେ ହଠାତ୍ ତାହା ନିକଟରୁ ସେମାନଙ୍କୁ ଦୂର କରି ଦେବା;
ଆଉ, ମନୋନୀତ ଯେଉଁ ଲୋକ, ତାହାକୁ ଆମ୍ଭେ ତାହା ଉପରେ ନିଯୁକ୍ତ କରିବା;
କାରଣ ଆମ୍ଭ ପରି କିଏ ଅଛି ? ଆମ୍ଭ ପାଇଁ ସମୟ କିଏ ନିରୂପଣ କରିବ
ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହେବ, ଏପରି ପାଳକ କିଏ ଅଛି ?
45 ଏହେତୁ ସଦାପ୍ରଭୁ ବାବିଲର ବିରୁଦ୍ଧରେ ଯେଉଁ ମନ୍ତ୍ରଣା
ଓ କଲ୍ଦୀୟମାନଙ୍କ ଦେଶ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ;
ଲୋକମାନେ ସେମାନଙ୍କୁ, ପଲର ଛୁଆମାନଙ୍କୁ ମଧ୍ୟ ଟାଣି ନେଇ ଯିବେ;
ସେ ନିଶ୍ଚୟ ସେମାନଙ୍କର ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
46 ବାବିଲ ଶତ୍ରୁହସ୍ତଗତ ହେବାର ଶବ୍ଦରେ ପୃଥିବୀ କମ୍ପୁଅଛି
ଓ ଗୋଷ୍ଠୀଗଣ ମଧ୍ୟରେ କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।”
Chapter 51
ବାବିଲର ସମ୍ପୂର୍ଣ୍ଣ ପତନ
1 ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ବାବିଲ ବିରୁଦ୍ଧରେ
ଓ ଲେବ କାମାଇ [1]
ନିବାସୀମାନଙ୍କ ବିରୁଦ୍ଧରେ ଏକ ବିନାଶକ ବାୟୁ ଉତ୍ପନ୍ନ କରିବା।
2 ପୁଣି, ଆମ୍ଭେ ବିଦେଶୀମାନଙ୍କୁ ବାବିଲକୁ ପ୍ରେରଣ କରିବା,
ସେମାନେ ତାହାକୁ ଝାଡ଼ି ତାହାର ଦେଶ ଶୂନ୍ୟ କରିବେ;
କାରଣ ବିପଦ ଦିନରେ ସେମାନେ ଚତୁର୍ଦ୍ଦିଗରେ ତାହାର ବିପକ୍ଷ ହେବେ।
3 ଧନୁର୍ଦ୍ଧାରୀ ଆପଣା ଧନୁରେ ଗୁଣ ନ ଦେଉ
ଓ ସେ ଆପଣା ସାଞ୍ଜୁଆ ପିନ୍ଧି ଉତ୍ଥିତ ନ ହେଉ;
ତୁମ୍ଭେମାନେ ତାହାର ଯୁବକଗଣକୁ ଦୟା କର ନାହିଁ;
ତାହାର ସୈନ୍ୟସକଳକୁ ସମ୍ପୂର୍ଣ୍ଣ ରୂପେ ବିନାଶ କର।
4 ତହିଁରେ ସେମାନେ କଲ୍ଦୀୟ ଦେଶରେ ହତ
ଓ ରାଜଦାଣ୍ଡରେ ବିଦ୍ଧ ହୋଇ ପଡ଼ିବେ।
5 କାରଣ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧ ଦୋଷରେ
ସେମାନଙ୍କ ଦେଶ ପରିପୂର୍ଣ୍ଣ ହେଲେ ମଧ୍ୟ ଇସ୍ରାଏଲ କିଅବା ଯିହୁଦା
ଆପଣା ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ନାହାନ୍ତି।
6 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ
ଓ ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରାଣ ରକ୍ଷା କର;
ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ;
କାରଣ ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଏହି;
ସେ ତାହାକୁ ପ୍ରତିଫଳ ଦେବେ।
7 ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି,
ତାହା ସମୁଦାୟ ପୃଥିବୀକୁ ମତ୍ତ କରିଅଛି;
ଗୋଷ୍ଠୀୟମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି;
ଏହେତୁ ଗୋଷ୍ଠୀୟମାନେ ପାଗଳ ହୋଇଅଛନ୍ତି।
8 ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହୋଇଅଛି; ତାହା ପାଇଁ ହାହାକାର କର;
ତାହାର ବେଦନାର ପାଇଁ ଔଷଧ ନିଅ, କେଜାଣି ସେ ସୁସ୍ଥ ହୋଇ ପାରିବ।
9 ଆମ୍ଭେମାନେ ବାବିଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ମାତ୍ର ସେ ସୁସ୍ଥ ହେଲା ନାହିଁ;
ଆସ, ଆମ୍ଭେମାନେ ତାହାକୁ ପରିତ୍ୟାଗ କରି ପ୍ରତ୍ୟେକେ ଆପଣା ଆପଣା ଦେଶକୁ ଯାଉ;
କାରଣ ତାହାର ଦଣ୍ଡ ଗଗନସ୍ପର୍ଶୀ ଓ ଆକାଶ ପର୍ଯ୍ୟନ୍ତ ଉଚ୍ଚୀକୃତ ଅଛି।
10 ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି;
ଆସ, ଆମ୍ଭେମାନେ ସିୟୋନରେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର କ୍ରିୟା ପ୍ରକାଶ କରୁ।
11 ତୁମ୍ଭେମାନେ ତୀର ତୀକ୍ଷ୍ଣ କର; ଦୃଢ଼ କରି ଢାଲ ଧର;
ସଦାପ୍ରଭୁ ମାଦୀୟ ରାଜାଗଣର ମନ ଉତ୍ତେଜିତ କରିଅଛନ୍ତି;
କାରଣ ବାବିଲକୁ ନଷ୍ଟ କରିବା ପାଇଁ ତାହା ବିରୁଦ୍ଧରେ ତାହାଙ୍କର ସଂକଳ୍ପ ଅଛି;
ଯେହେତୁ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ,
ତାହାଙ୍କର ମନ୍ଦିର ନିମିତ୍ତକ ପ୍ରତିଶୋଧ ଅଟେ।
12 ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ୱଜା ସ୍ଥାପନ କର, ରକ୍ଷକଦଳ ଦୃଢ଼ କର,
ପ୍ରହରୀଗଣ ନିଯୁକ୍ତ କର, ଗୋପନ ସ୍ଥାନରେ ସୈନ୍ୟ ରଖ:
କାରଣ ସଦାପ୍ରଭୁ ବାବିଲର ନିବାସୀମାନଙ୍କ ବିଷୟରେ ଯାହା କହିଲେ,
ତାହା ସଂକଳ୍ପ କରି ସିଦ୍ଧ କରିଅଛନ୍ତି।
13 ହେ ଜଳରାଶିର ଉପରେ ବାସକାରିଣୀ ଓ ଧନ ସମ୍ପତ୍ତିରେ ଐଶ୍ୱର୍ଯ୍ୟଶାଳିନୀ,
ତୁମ୍ଭର ଅନ୍ତିମ କାଳ, ତୁମ୍ଭର ଅନ୍ୟାୟ ଲାଭର ସୀମା ଉପସ୍ଥିତ।
14 ସୈନ୍ୟାଧିପତି ସଦାପ୍ରଭୁ ଆପଣା ନାମରେ ଏହି ଶପଥ କରିଅଛନ୍ତି,
‘ନିଶ୍ଚୟ ଆମ୍ଭେ ତୁମ୍ଭକୁ ପତଙ୍ଗ ପରି ଜନତାରେ ପୂର୍ଣ୍ଣ କରିବା;
ଆଉ, ସେମାନେ ତୁମ୍ଭ ବିରୁଦ୍ଧରେ ସିଂହନାଦ ଉଠାଇବେ।’
15 ସେ ଆପଣା ପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି,
ସେ ଆପଣା ଜ୍ଞାନରେ ଜଗତ ସ୍ଥାପନ କରି ଅଛନ୍ତି
ଓ ଆପଣା ବୁଦ୍ଧିରେ ସେ ଗଗନମଣ୍ଡଳ ବିସ୍ତାର କରିଅଛନ୍ତି।
16 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି,
ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଅଇ
ଓ ପୃଥିବୀର ପ୍ରାନ୍ତରୁ ସେ ବାଷ୍ପ ଉତ୍ଥାପନ କରାନ୍ତି;
ସେ ବୃଷ୍ଟି ନିମନ୍ତେ ବିଦ୍ୟୁତ୍ ସୃଷ୍ଟି କରନ୍ତି
ଓ ଆପଣା ଭଣ୍ଡାର ସମୂହରୁ ବାୟୁ ବାହାର କରି ଆଣନ୍ତି।
17 ପ୍ରତ୍ୟେକ ମନୁଷ୍ୟ ପଶୁବତ୍ ହୋଇଅଛି ଓ ଜ୍ଞାନବିହୀନ ଅଟେ;
ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି;
କାରଣ ତାହାର ଛାଞ୍ଚରେ ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ଶ୍ୱାସବାୟୁ ନାହିଁ।
18 ସେସବୁ ଅସାର ଓ ମାୟାର କର୍ମ;
ପୁଣି, ପ୍ରତିଫଳ ପାଇବା ସମୟରେ ସେମାନେ ବିନଷ୍ଟ ହେବେ।
19 ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏସବୁର ପରି ନୁହନ୍ତି।
କାରଣ ସେ ସକଳ ବସ୍ତୁର ଗଠନକାରୀ;
ପୁଣି, ଇସ୍ରାଏଲ ତାହାଙ୍କର ଅଧିକାର ସ୍ୱରୂପ ବଂଶ;
ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
20 ତୁମ୍ଭେ ଆମ୍ଭର ଗଦା ଓ ଯୁଦ୍ଧର ଅସ୍ତ୍ର ସ୍ୱରୂପ;
ପୁଣି, ଆମ୍ଭେ ତୁମ୍ଭ ଦ୍ୱାରା ନାନା ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବା
ଓ ତୁମ୍ଭ ଦ୍ୱାରା ନାନା ରାଜ୍ୟକୁ ସଂହାର କରିବା;
21 ପୁଣି, ତୁମ୍ଭ ଦ୍ୱାରା ଆମ୍ଭେ ଅଶ୍ୱ ଓ ତଦାରୋହୀକୁ ଚୂର୍ଣ୍ଣ କରିବା,
ଆଉ ରଥ ଓ ତଦାରୋହୀକୁ ଚୂର୍ଣ୍ଣ କରିବା;
22 ପୁଣି, ତୁମ୍ଭ ଦ୍ୱାରା ଆମ୍ଭେ ପୁରୁଷ ଓ ସ୍ତ୍ରୀକୁ ଚୂର୍ଣ୍ଣ କରିବା
ଓ ତୁମ୍ଭ ଦ୍ୱାରା ଆମ୍ଭେ ବୃଦ୍ଧ ଓ ବାଳକକୁ ଚୂର୍ଣ୍ଣ କରିବା
ଓ ତୁମ୍ଭ ଦ୍ୱାରା ଆମ୍ଭେ ଯୁବକ ଓ ଯୁବତୀକୁ ଚୂର୍ଣ୍ଣ କରିବା;
23 ପୁଣି, ତୁମ୍ଭ ଦ୍ୱାରା ଆମ୍ଭେ ପାଳକ ଓ ତାହାର ପଲକୁ ଚୂର୍ଣ୍ଣ କରିବା
ଓ ତୁମ୍ଭ ଦ୍ୱାରା ଆମ୍ଭେ କୃଷକକୁ ଓ ତାହାର ହଳ ବଳଦକୁ ଚୂର୍ଣ୍ଣ କରିବା;
ଆଉ, ତୁମ୍ଭ ଦ୍ୱାରା ଆମ୍ଭେ ଦେଶାଧ୍ୟକ୍ଷ ଓ ଅଧିପତିଗଣକୁ ଚୂର୍ଣ୍ଣ କରିବା।
24 ପୁଣି, ଆମ୍ଭେ ବାବିଲକୁ ଓ କଲ୍ଦୀୟ ନିବାସୀସକଳକୁ,
ସିୟୋନରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ
ସେମାନଙ୍କ କୃତ ସକଳ ଦୁଷ୍କର୍ମର ପ୍ରତିଫଳ ଦେବା,” ଏହା ସଦାପ୍ରଭୁ କହନ୍ତି।
25 ହେ ବିନାଶକ ପର୍ବତ,ତୁମ୍ଭେ ସମୁଦାୟ ପୃଥିବୀକୁ ବିନାଶ କରୁଅଛ,
ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ;
ଆଉ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା
ଓ ଶୈଳରୁ ତୁମ୍ଭକୁ ଗଡ଼ାଇ ପକାଇ ଏକ ଦଗ୍ଧ ପର୍ବତ କରିବା।
26 ଆଉ, ଲୋକମାନେ କୋଣ କିଅବା ଭିତ୍ତିମୂଳ ନିମନ୍ତେ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ;
ମାତ୍ର ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇ ରହିବ।’
27 ତୁମ୍ଭେମାନେ ଦେଶରେ ଧ୍ୱଜା ସ୍ଥାପନ କର,
ଗୋଷ୍ଠୀୟମାନଙ୍କ ମଧ୍ୟରେ ତୂରୀ ବଜାଅ,
ଗୋଷ୍ଠୀୟମାନଙ୍କୁ ତାହା ବିରୁଦ୍ଧରେ ପ୍ରସ୍ତୁତ କର,
ଆରାରାଟ୍, ମିନ୍ନି ଓ ଅସ୍କିନସ୍, ଏହିସବୁ ରାଜ୍ୟକୁ ତାହାର ବିରୁଦ୍ଧରେ ଏକତ୍ର ଡାକ,
ତାହାର ବିରୁଦ୍ଧରେ ସେନାପତି ବର୍ଗଙ୍କୁ ନିଯୁକ୍ତ କର
ଓ କର୍କଶ ପତଙ୍ଗ ପରି ଅଶ୍ୱଗଣକୁ ପଠାଅ।
28 ତାହାର ବିରୁଦ୍ଧରେ ଗୋଷ୍ଠୀୟମାନଙ୍କୁ, ମାଦୀୟ ରାଜାଗଣଙ୍କୁ,
ସେମାନଙ୍କର ଦେଶାଧ୍ୟକ୍ଷ ଓ ତହିଁର ଅଧିପତିଗଣକୁ
ଓ ତାହାର କର୍ତ୍ତୃତ୍ୱାଧୀନ ସମୁଦାୟ ଦେଶକୁ ପ୍ରସ୍ତୁତ କର।
29 ପୁଣି, ଦେଶ କମ୍ପିତ ଓ ବେଦନାଗ୍ରସ୍ତ ହେଉଅଛି,
କାରଣ ବାବିଲ ଦେଶକୁ ଧ୍ୱଂସିତ ଓ ନିବାସୀଶୂନ୍ୟ କରିବା ପାଇଁ
ବାବିଲ ବିରୁଦ୍ଧରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।
30 ବାବିଲର ବୀରଗଣ ଯୁଦ୍ଧରୁ କ୍ଷାନ୍ତ ହୋଇଅଛନ୍ତି,
ସେମାନେ ଆପଣାମାନଙ୍କର ଗଡ଼ ମଧ୍ୟରେ ରହୁଛନ୍ତି;
ସେମାନଙ୍କର ବଳ ଊଣା ହୋଇଅଛି; ସେମାନେ ସ୍ତ୍ରୀମାନଙ୍କ ସମାନ ହୋଇଅଛନ୍ତି,
ତାହାର ବାସସ୍ଥାନସବୁ ଦଗ୍ଧ, ତାହାର ହୁଡ଼କାସବୁ ଭଗ୍ନ ହୋଇଅଛି।
31 ବାବିଲ ରାଜାର ନଗର ଚତୁର୍ଦ୍ଦିଗରେ ହସ୍ତଗତ ହୋଇଅଛି,
ଏହି ସମ୍ବାଦ ତାହାକୁ ଦେବା ନିମନ୍ତେ ଏକ ଧାଉଡ଼ିଆ ଅନ୍ୟ ଧାଉଡ଼ିଆର
ଓ ଏକ ଦୂତ ଅନ୍ୟ ଦୂତ ସହିତ ଭେଟିବାକୁ ଦୌଡ଼ିବେ,
32 ପୁଣି, ପାରଘାଟସବୁ ହସ୍ତଗତ ହୋଇଅଛି,
ନଳବଣସବୁ ଅଗ୍ନିରେ ଦଗ୍ଧ ଓ ଯୋଦ୍ଧାମାନେ ଭୟଗ୍ରସ୍ତ ହୋଇଅଛନ୍ତି।”
33 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି,
“ବାବିଲର କନ୍ୟା ଶସ୍ୟମର୍ଦ୍ଦନ ସମୟର ଖଳା ସ୍ୱରୂପ;
ଆଉ, ଅଳ୍ପ କାଳ ମଧ୍ୟରେ ତାହା ପାଇଁ ଶସ୍ୟଚ୍ଛେଦନର ସମୟ ଉପସ୍ଥିତ ହେବ।
34 ‘ବାବିଲର ରାଜା ନବୂଖଦ୍ନିତ୍ସର ମୋତେ ଗ୍ରାସ କରିଅଛି,
ସେ ମୋତେ ଚୂର୍ଣ୍ଣ କରିଅଛି, ସେ ମୋତେ ଶୂନ୍ୟପାତ୍ର ସ୍ୱରୂପ କରିଅଛି,
ସେ ନାଗସର୍ପ ପରି ମୋତେ ଗ୍ରାସ କରିଅଛି,
ମୋହର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି,
ସେ ମୋତେ ଦୂର କରି ଦେଇଅଛି।’
35 ସିୟୋନ ନିବାସିନୀ କହିବ,
‘ମୋ’ ପ୍ରତି ଓ ମୋ’ ମାଂସ ପ୍ରତି କୃତ ଦୌରାତ୍ମ୍ୟ ବାବିଲ ଉପରେ ବର୍ତ୍ତୁ’
ଓ ଯିରୂଶାଲମ କହିବ, ‘ମୋ’ ରକ୍ତର ଦାୟ କଲ୍ଦୀୟ ନିବାସୀମାନଙ୍କ ଉପରେ ବର୍ତ୍ତୁ।’”
36 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ଆମ୍ଭେ ତୁମ୍ଭର ବିବାଦ ନିଷ୍ପନ୍ନ କରିବା ଓ ତୁମ୍ଭ ନିମନ୍ତେ ପ୍ରତିଶୋଧ ନେବା।
ପୁଣି, ଆମ୍ଭେ ତାହାର ସମୁଦ୍ରକୁ ଜଳଶୂନ୍ୟ ଓ ତାହାର ନିର୍ଝରକୁ ଶୁଷ୍କ କରିବା।
37 ପୁଣି, ବାବିଲ ଢିପିମୟ ଶୃଗାଳମାନର ବାସସ୍ଥାନ, ବିସ୍ମୟାସ୍ପଦ,
ଶୀସ୍ ଶବ୍ଦର ବିଷୟ ଓ ନିବାସୀବିହୀନ ହେବ।
38 ସେମାନେ ଏକତ୍ର ଯୁବା ସିଂହ ପରି ଗର୍ଜ୍ଜନ କରିବେ;
ସେମାନେ ସିଂହଛୁଆ ପରି ଘୋର ନାଦ କରିବେ।”
39 ସଦାପ୍ରଭୁ କହନ୍ତି,
“ସେମାନେ ଉତ୍ତପ୍ତ ହେଲା ଉତ୍ତାରେ ଆମ୍ଭେ ସେମାନଙ୍କର ଭୋଜ ପ୍ରସ୍ତୁତ କରିବା,
ପୁଣି ସେମାନେ ଯେପରି ଆହ୍ଳାଦିତ ହେବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ମତ୍ତ କରିବା,
ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ।
40 ଆମ୍ଭେ ସେମାନଙ୍କୁ ମେଷଗଣର ତୁଲ୍ୟ,
ଛାଗମାନଙ୍କ ସହିତ ମେଷଗଣର ତୁଲ୍ୟ ବଧସ୍ଥାନକୁ ଆଣିବା।”
41 ଶେଶକ୍ [2] କିପରି ପରହସ୍ତଗତ ହୋଇଅଛି !
ଓ ସମୁଦାୟ ପୃଥିବୀର ପ୍ରଶଂସାପାତ୍ର କିପରି ହଠାତ୍ ଧରା ପଡ଼ିଅଛି !
ଗୋଷ୍ଠୀସମୂହର ମଧ୍ୟରେ ବାବିଲ କିପରି ଧ୍ୱଂସସ୍ଥାନ ହୋଇଅଛି !
42 ବାବିଲ ଉପରେ ସମୁଦ୍ର ମାଡ଼ି ଆସିଅଛି;
ସେ ତହିଁର ଲହରୀମାଳାରେ ଆଚ୍ଛାଦିତ ହୋଇଅଛି।
43 ତାହାର ନଗରସକଳ ଧ୍ୱଂସସ୍ଥାନ ଓ ଶୁଷ୍କଭୂମି ଓ ପ୍ରାନ୍ତର ହୋଇଅଛି,
ସେ ଦେଶ ମଧ୍ୟରେ କୌଣସି ମନୁଷ୍ୟ ବାସ କରେ ନାହିଁ,
କିଅବା ତହିଁ ମଧ୍ୟଦେଇ କୌଣସି ମନୁଷ୍ୟ ସନ୍ତାନ ଗମନାଗମନ କରେ ନାହିଁ।
44 ପୁଣି, ଆମ୍ଭେ ବାବିଲରେ ବେଲ୍ ଦେବତାକୁ ପ୍ରତିଫଳ ଦେବା
ଓ ଯାହା ସେ ଗିଳିଅଛି, ଆମ୍ଭେ ତାହାର ମୁଖରୁ ତାହା ବାହାର କରିବା
ଓ ଗୋଷ୍ଠୀୟମାନେ ଆଉ ତାହା ନିକଟକୁ ଧାବମାନ ହେବେ ନାହିଁ;
ଆହୁରି ବାବିଲର ପ୍ରାଚୀର ପଡ଼ିଯିବ।
45 ହେ ଆମ୍ଭର ଲୋକେ, ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ
ଓ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ଆପଣା ଆପଣାକୁ ରକ୍ଷା କରୁ।
46 ପୁଣି, ତୁମ୍ଭେମାନେ ଆପଣା ହୃଦୟକୁ କ୍ଷୀଣ ହେବାକୁ ଦିଅ ନାହିଁ,
କିଅବା ଦେଶ ମଧ୍ୟରେ ଯେଉଁ ଜନରବ ଶୁଣାଯିବ, ତହିଁ ସକାଶୁ ଭୀତ ହୁଅ ନାହିଁ;
କାରଣ ଏକ ବର୍ଷ ଏକ ଜନରବ ଉଠିବ, ଅନ୍ୟ ବର୍ଷ ଅନ୍ୟ ଏକ ଜନରବ ଉଠିବ,
ପୁଣି ଦେଶରେ ଦୌରାତ୍ମ୍ୟ ଓ ଶାସନକର୍ତ୍ତା ଶାସନକର୍ତ୍ତାର ବିପକ୍ଷ ହେବ।
47 ଏହେତୁ ଦେଖ, ଯେଉଁ ସମୟରେ ଆମ୍ଭେ ବାବିଲର
ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା ଓ ତାହାର ସମୁଦାୟ ଦେଶ ଲଜ୍ଜିତ ହେବ,
ଆଉ ତାହାର ହତ ଲୋକମାନେ ତାହା ମଧ୍ୟରେ ପଡ଼ିବେ, ଏପରି ସମୟ ଆସୁଅଛି।
48 ସେସମୟରେ ସ୍ୱର୍ଗ ଓ ପୃଥିବୀ ଓ ତନ୍ମଧ୍ୟସ୍ଥିତସକଳ
ବାବିଲ ବିଷୟରେ ଆନନ୍ଦଗାନ କରିବେ; କାରଣ ସଦାପ୍ରଭୁ କହନ୍ତି,
“ଉତ୍ତର ଦିଗରୁ ବିନାଶକଗଣ ତାହା ବିରୁଦ୍ଧରେ ଆସିବେ।”
49 “ବାବିଲ ଯେପରି ଇସ୍ରାଏଲର ହତ ଲୋକମାନଙ୍କୁ ନିପାତିତ କରାଇଅଛି,
ସେପରି ସମୁଦାୟ ଦେଶର ହତ ଲୋକମାନେ ବାବିଲରେ ପତିତ ହେବେ।
50 ହେ ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ,
ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ !
ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।
51 ଆମ୍ଭେମାନେ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହୋଇଅଛୁ;
ଅପମାନ ଆମ୍ଭମାନଙ୍କ ମୁଖକୁ ଆଚ୍ଛାଦିତ କରିଅଛି;
କାରଣ ବିଦେଶୀମାନେ ସଦାପ୍ରଭୁଙ୍କ ଗୃହର ସକଳ ପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି।”
52 ଏଣୁକରି ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ
ଆମ୍ଭେ ତାହାର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା, ଏପରି ସମୟ ଆସୁଅଛି
ଓ କ୍ଷତବିକ୍ଷତ ଲୋକମାନେ ତାହାର ଦେଶର ସର୍ବତ୍ର କାତରୋକ୍ତି କରିବେ।”
53 ସଦାପ୍ରଭୁ କହନ୍ତି, “ଯଦ୍ୟପି ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ,
ଆଉ ଯଦ୍ୟପି ସେ ଆପଣା ବଳରୂପ ଉଚ୍ଚ ଦୁର୍ଗକୁ ଦୃଢ଼ କରିବ,
ତଥାପି ଆମ୍ଭ ନିକଟରୁ ବିନାଶକମାନେ ତାହାର ମଧ୍ୟରେ ଉପସ୍ଥିତ ହେବେ।
54 ବାବିଲରୁ କ୍ରନ୍ଦନର ରବ ଓ କଲ୍ଦୀୟମାନଙ୍କ ଦେଶରୁ
ମହାବିନାଶର ଶବ୍ଦ ଉଠୁଅଛି !
55 କାରଣ ସଦାପ୍ରଭୁ ବାବିଲକୁ ଉଚ୍ଛିନ୍ନ କରୁଅଛନ୍ତି
ଓ ତହିଁ ମଧ୍ୟରୁ ମହାରବ କ୍ଷାନ୍ତ କରୁଅଛନ୍ତି;
ସେମାନଙ୍କର ତରଙ୍ଗସକଳ ଜଳରାଶି ପରି ଗର୍ଜ୍ଜନ କରୁଅଛି,
ସେମାନଙ୍କର କଲ୍ଲୋଳ ଧ୍ୱନି ଶୁଣା ଯାଉଅଛି।
56 କାରଣ ତାହା ବିରୁଦ୍ଧରେ,
ହଁ, ବାବିଲର ବିରୁଦ୍ଧରେ ବିନାଶକ ଆସିଅଛି ଓ ତାହାର ବୀରମାନେ ଧରା ଯାଇଅଛନ୍ତି,
ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଯାଇଅଛି;
କାରଣ ସଦାପ୍ରଭୁ ପ୍ରତିଫଳଦାତା ପରମେଶ୍ୱର ଅଟନ୍ତି,
ସେ ନିଶ୍ଚୟ ସମୁଚିତ ପ୍ରତିଫଳ ଦେବେ।
57 ପୁଣି, ଆମ୍ଭେ ତାହାର ଅଧିପତିଗଣକୁ ଓ ତାହାର ଜ୍ଞାନୀ ଲୋକମାନଙ୍କୁ
ଓ ତାହାର ଦେଶାଧ୍ୟକ୍ଷ ଓ ଅଧିପତିଗଣକୁ ଓ ତାହାର ବୀରପୁରୁଷମାନଙ୍କୁ ମତ୍ତ କରାଇବା;
ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ” [3]
ଏହା ରାଜା କହନ୍ତି, ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ।
58 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
“ବାବିଲର ପ୍ରଶସ୍ତ ପ୍ରାଚୀର ସମ୍ପୂର୍ଣ୍ଣ ଉତ୍ପାଟିତ ହେବ
ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହେବ;
ପୁଣି, ଲୋକବୃନ୍ଦ ଅସାରତାର ନିମନ୍ତେ
ଓ ଗୋଷ୍ଠୀଗଣ ଅଗ୍ନି ନିମନ୍ତେ ପରିଶ୍ରମ କରିବେ;
ଆଉ ସେମାନେ କ୍ଳାନ୍ତ ହେବେ।”
59 ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ
ମହସେୟର ପୌତ୍ର ନେରୀୟର ପୁତ୍ର ସରାୟ
ଯେଉଁ ସମୟରେ ରାଜା ସଙ୍ଗେ ବାବିଲକୁ ଗଲା,
ସେ ସମୟରେ ଯିରିମୀୟ ଭବିଷ୍ୟଦ୍ବକ୍ତା ସରାୟକୁ ଯାହା ଆଜ୍ଞା କରିଥିଲେ,
ତହିଁର ବୃତ୍ତାନ୍ତ। ଏହି ସରାୟ ରାଜଗୃହର ପ୍ରଧାନ ଅଧ୍ୟକ୍ଷ ଥିଲା।
60 ଆଉ, ବାବିଲର ଭବିଷ୍ୟତ ଅମଙ୍ଗଳର ସକଳ କଥା, ଅର୍ଥାତ୍, ବାବିଲ ବିଷୟରେ ଏହି ଯେସକଳ କଥା ଲିଖିତ ଅଛି, ତାହା ଯିରିମୀୟ ଗୋଟିଏ ନଳାକାର ପୁସ୍ତକରେ ଲେଖିଲେ।
61 ପୁଣି, ଯିରିମୀୟ ସରାୟକୁ କହିଲେ, “ଦେଖ, ତୁମ୍ଭେ ବାବିଲରେ ଉପସ୍ଥିତ ହେଲା ଉତ୍ତାରେ ଏହିସବୁ କଥା ପାଠ କରିବ, 62 ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ, ତୁମ୍ଭେ ତାହା ଉଚ୍ଛିନ୍ନ କରିବ, ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବ ନାହିଁ, ମାତ୍ର ତାହା ଚିରକାଳ ଧ୍ୱଂସସ୍ଥାନ ହେବ।’
63 ପୁଣି, ଏହି ନଳାକାର ପୁସ୍ତକ ପାଠ କରିବାର ସମାପ୍ତ କଲା ଉତ୍ତାରେ ତୁମ୍ଭେ ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍ ନଦୀର ମଧ୍ୟସ୍ଥାନରେ ତାହା ପକାଇ ଦେବ; 64 ଆଉ, ତୁମ୍ଭେ କହିବ, ‘ଆମ୍ଭେ (ସଦାପ୍ରଭୁ) ବାବିଲ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁ ସକାଶୁ ସେ ଏରୂପ ମଗ୍ନ ହୋଇ ପୁନର୍ବାର ଉଠିବ ନାହିଁ; ପୁଣି, ଲୋକମାନେ କ୍ଳାନ୍ତ ହେବେ।’ ଯିରିମୀୟଙ୍କ ବାକ୍ୟ ଏତିକି।”
Chapter 52
ଯିରୂଶାଲମର ପତନର ବର୍ଣ୍ଣନା
1 ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ଥିଲା ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲା; ତାହାର ମାତାର ନାମ ହମୁଟଲ୍, ସେ ଲିବ୍ନା ନିବାସୀ ଯିରିମୀୟଙ୍କ କନ୍ୟା ଥିଲା। 2 ଆଉ, ସେ ଯିହୋୟାକୀମ୍ର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା। 3 କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦାରେ ଏପରି ଘଟଣା ଘଟିଲା। ଆଉ, ସିଦିକୀୟ ବାବିଲ ରାଜାର ବିଦ୍ରୋହୀ ହେଲା।
4 ଏଥିଉତ୍ତାରେ ତାହାଙ୍କ ରାଜତ୍ଵର ନବମ ବର୍ଷରେ, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ; ଆଉ, ସେମାନେ ତହିଁର ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ। 5 ତହୁଁ ସିଦିକୀୟ ରାଜାଙ୍କ ରାଜତ୍ଵର ଏଗାର ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା।
6 ଚତୁର୍ଥ ମାସରେ, ସେହି ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା, ତହିଁରେ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ମିଳିଲା ନାହିଁ। 7 ତେବେ, ନଗରରେ ଏକ ସ୍ଥାନ ଭଗ୍ନ ହୁଅନ୍ତେ, ସମସ୍ତ ଯୋଦ୍ଧା ଏକ ରାତ୍ରି ଭିତରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାର ପଥ ଦେଇ ପଳାଇଲେ; ସେସମୟରେ କଲ୍ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଥିଲେ; ପୁଣି, ଲୋକମାନେ ଆରବା ପଥ ଦେଇ ଚାଲିଗଲେ। 8 ମାତ୍ର କଲ୍ଦୀୟମାନଙ୍କ ସୈନ୍ୟ ରାଜାର ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକୀୟକୁ ଧରିଲେ; ତହିଁରେ ତାହାର ସକଳ ସୈନ୍ୟ ତାହା ନିକଟରୁ ଛିନ୍ନଭିନ୍ନ ହୋଇଗଲେ।
9 ତହୁଁ ସେମାନେ ରାଜାକୁ ଧରି ହମାତ୍ ଦେଶସ୍ଥ ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲେ; ତହିଁରେ ସେ ତାହା ପ୍ରତି ଦଣ୍ଡାଜ୍ଞା କଲା। 10 ଆଉ, ବାବିଲର ରାଜା ସିଦିକୀୟର ପୁତ୍ରମାନଙ୍କୁ ତାହାର ସାକ୍ଷାତରେ ବଧ କଲା; ସେ ଯିହୁଦାର ଅଧିପତି ସମସ୍ତଙ୍କୁ ହିଁ ରିବ୍ଲାରେ ବଧ କଲା। 11 ଆଉ, ସେ ସିଦିକୀୟର ଚକ୍ଷୁ ଉପାଡ଼ି ପକାଇଲା; ପୁଣି, ବାବିଲର ରାଜା ତାହାକୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲା ଓ ତାହାର ମୃତ୍ୟୁୁ ପର୍ଯ୍ୟନ୍ତ ତାହାକୁ କାରାଗାରରେ ରଖିଲା।
ଯିରୂଶାଲମ ମନ୍ଦିର ବିଧ୍ୱସ୍ତ
12 ପଞ୍ଚମ ମାସରେ, ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ରାଜାଙ୍କ ରାଜତ୍ଵର ଊଣେଇଶ ବର୍ଷରେ, ବାବିଲ ରାଜାର ସମ୍ମୁଖରେ ଦଣ୍ଡାୟମାନ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୂଶାଲମକୁ ଆସିଲା। 13 ପୁଣି, ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ପୁଣି, ସେ ଯିରୂଶାଲମସ୍ଥ ସକଳ ଗୃହ, ଅର୍ଥାତ୍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା। 14 ଆଉ, ପ୍ରହରୀବର୍ଗର ସେନାପତି ସଙ୍ଗେ ଥିବା କଲ୍ଦୀୟ ସମସ୍ତ ସୈନ୍ୟ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ।
15 ସେତେବେଳେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଲୋକମାନଙ୍କ ମଧ୍ୟରୁ ନିତାନ୍ତ ଦରିଦ୍ରମାନଙ୍କୁ ଓ ନଗରର ଅବଶିଷ୍ଟ ଲୋକମାନଙ୍କୁ, ଆଉ ବାବିଲ ରାଜାର ପକ୍ଷକୁ ପଳାୟନକାରୀମାନଙ୍କୁ ଓ ଅବଶିଷ୍ଟ ସାଧାରଣ ଲୋକମାନଙ୍କୁ ବନ୍ଦୀ କରି ନେଇଗଲା। 16 ମାତ୍ର ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଦେଶର ନିତାନ୍ତ ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମଚାରୀ ଓ କୃଷକ ହେବା ପାଇଁ ଛାଡ଼ିଗଲା।
17 ପୁଣି, କଲ୍ଦୀୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳ ସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ର ରୂପ ପାତ୍ର ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳସବୁ ବାବିଲକୁ ନେଇଗଲେ। 18 ଆହୁରି, ସେମାନେ ହାଣ୍ଡି ଓ କରଚୁଲି, କତୁରୀ, କୁଣ୍ଡ, ଚାମସ ଓ ପରିଚର୍ଯ୍ୟାର୍ଥକ ସକଳ ପିତ୍ତଳମୟ ପାତ୍ର ନେଇଗଲେ। 19 ପ୍ରହରୀବର୍ଗର ସେନାପତି ତାଟିଆ, ଅଙ୍ଗାରଧାନୀ, କୁଣ୍ଡ, ହାଣ୍ଡି, ଦୀପବୃକ୍ଷ, ଚାମସ ଓ ପାତ୍ର ସବୁ, ଯାହା ସୁନାର ଥିଲା, ତାହା ସୁନା କରି ଓ ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା।
20 ଶଲୋମନ ରାଜା ସଦାପ୍ରଭୁଙ୍କ ଗୃହ ନିମନ୍ତେ ଯେଉଁ ଦୁଇ ସ୍ତମ୍ଭ, ଏକ ସମୁଦ୍ର ରୂପ ପାତ୍ର ଓ ତହିଁର ତଳସ୍ଥ ଦ୍ୱାଦଶ ପିତ୍ତଳମୟ ବୃଷରୂପ ବୈଠିକି ନିର୍ମାଣ କରିଥିଲେ, ସେହିସବୁ ପାତ୍ରର ପିତ୍ତଳ ଅପରିମିତ ଥିଲା। 21 ପୁଣି, ସେହି ଦୁଇ ସ୍ତମ୍ଭ, ପ୍ରତ୍ୟେକର ଉଚ୍ଚ ଅଠରହାତ ଓ ପରିଧି ବାରହାତ ଓ ତହିଁର ସ୍ଥୂଳତା ଚାରି ଅଙ୍ଗୁଳି ଓ ତାହା ଫମ୍ପା ଥିଲା।
22 ଆଉ, ତହିଁର ଉପରେ ପିତ୍ତଳର ମୁଣ୍ଡାଳି ଥିଲା, ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା, ସେସବୁ ପିତ୍ତଳମୟ ଥିଲା; ଆଉ, ଦ୍ୱିତୀୟ ସ୍ତମ୍ଭର ମଧ୍ୟ ଏହି ପ୍ରକାର ଆକାର ଓ ଡାଳିମ୍ବ ଥିଲା। 23 ପାର୍ଶ୍ୱରେ ଛୟାନବେ ଡାଳିମ୍ବ ଥିଲା; ଜାଲିକର୍ମର ଉପରେ ଚାରିଆଡ଼େ ଏକ ଶତ ଡାଳିମ୍ବାକୃତି ଥିଲା।
ଯିହୁଦାର ଲୋକମାନେ ବାବିଲକୁ ନିର୍ବାସିତ
24 ପୁଣି, ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସଫନୀୟକୁ, ଆଉ ତିନି ଜଣ ଦ୍ୱାରପାଳକୁ ଧରିଲା। 25 ଆଉ, ନଗରରୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ ଏକ ଜଣ ଅଧ୍ୟକ୍ଷକୁ ଓ ନଗରରେ ପ୍ରାପ୍ତ ରାଜମୁଖ ଦର୍ଶନକାରୀମାନଙ୍କ ମଧ୍ୟରୁ ସାତଜଣକୁ ଓ ଦେଶର ଲୋକ ଗଣନାକାରୀ ସେନାପତିର ଲେଖକଙ୍କୁ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ ଷାଠିଏ ଲୋକକୁ ଧରିଲା।
26 ପୁଣି, ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସେମାନଙ୍କୁ ଧରି ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲା। 27 ତହିଁରେ ବାବିଲର ରାଜା ହମାତ୍ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ଆଘାତ କରି ବଧ କଲା। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହେଲା।
28 ନବୂଖଦ୍ନିତ୍ସର ଯେଉଁମାନଙ୍କୁ ବନ୍ଦୀ କରି ନେଇଗଲା, ସେହି ଲୋକମାନଙ୍କର ସଂଖ୍ୟା ଏହି; ସପ୍ତମ ବର୍ଷରେ ତିନି ସହସ୍ର ତେଇଶ ଜଣ ଯିହୁଦୀ ଲୋକ; 29 ନବୂଖଦ୍ନିତ୍ସରଙ୍କ ରାଜତ୍ଵର ଅଠର ବର୍ଷରେ ସେ ଯିରୂଶାଲମରୁ ଆଠ ଶହ ବତିଶ ଲୋକ ବନ୍ଦୀ କରି ନେଇଗଲା; 30 ନବୂଖଦ୍ନିତ୍ସରଙ୍କ ରାଜତ୍ଵର ତେଇଶ ବର୍ଷରେ ନବୂଷରଦନ୍ ପ୍ରହରୀବର୍ଗର ସେନାପତି, ସାତ ଶହ ପଇଁଚାଳିଶ ଜଣ ଯିହୁଦୀଙ୍କୁ ବନ୍ଦୀ କରି ନେଇଗଲା; ସର୍ବସୁଦ୍ଧା ଚାରି ସହସ୍ର ଛ’ ଶତ ଲୋକ ଥିଲେ।
ବନ୍ଦୀତ୍ୱରୁ ଯିହୋୟାଖୀନ୍ର ମୁକ୍ତି
31 ଏଥିଉତ୍ତାରେ ଯିହୁଦାର ରାଜା ଯିହୋୟାଖୀନ୍ର ବନ୍ଦୀତ୍ୱର ସଇଁତିରିଶ ବର୍ଷର ଦ୍ୱାଦଶ ମାସରେ ଓ ସେହି ମାସର ପଚିଶ ଦିନରେ ବାବିଲର ରାଜା ଇବିଲ୍-ମରୋଦକ୍ ଆପଣା ରାଜତ୍ଵର ପ୍ରଥମ ବର୍ଷରେ, ଯିହୁଦାର ରାଜା ଯିହୋୟାଖୀନ୍କୁ କାରାଗାରରୁ ବାହାର କରି ତାହାର ମସ୍ତକ ଉନ୍ନତ କଲା; 32 ଆଉ, ସେ ତାହାକୁ ପ୍ରୀତିବାକ୍ୟ କହିଲା ଓ ତାହା ସଙ୍ଗେ ବାବିଲରେ ଥିବା ରାଜାମାନଙ୍କର ଆସନଠାରୁ ତାହାର ଆସନ ଉଚ୍ଚରେ ସ୍ଥାପନ କଲା, 33 ଆଉ ସେ ଆପଣା କାରାଗାରର ବସ୍ତ୍ର ପରିବର୍ତ୍ତନ କରି ଆପଣାର ଯାବଜ୍ଜୀବନ ନିତ୍ୟ ନିତ୍ୟ ତାହା ସମ୍ମୁଖରେ ଭୋଜନ କଲା। 34 ପୁଣି, ତାହାର ଦିନାତିପାତ ନିମନ୍ତେ ବାବିଲର ରାଜାଠାରୁ ନିତ୍ୟ ବୃତ୍ତି ଦିଆଗଲା, ସେ ଆପଣା ମରଣଦିନ ପର୍ଯ୍ୟନ୍ତ, ଆପଣା ଜୀବନର ସମସ୍ତକାଳ ପ୍ରତିଦିନ ଏକ ନିରୂପିତ ଅଂଶ ପାଇଲା।