ହବକ୍କୂକ
Chapter 1
1 ଏହି ବାର୍ତ୍ତା ଯାହା ହବକ୍କୂକ ଭବିଷ୍ୟଦ୍ବକ୍ତା ଦର୍ଶନରେ ପାଇଥିଲେ।
ହବକ୍କୂକଙ୍କ ପ୍ରଥମ ଅଭିଯୋଗ
2 ହେ ସଦାପ୍ରଭୁ, ମୁଁ କେତେ କାଳ ଆର୍ତ୍ତନାଦ କରିବି, ଆଉ ତୁମ୍ଭେ ଶୁଣିବ ନାହିଁ ? ମୁଁ ଦୌରାତ୍ମ୍ୟ ବିଷୟରେ ତୁମ୍ଭ ନିକଟରେ ଆର୍ତ୍ତନାଦ କରୁଅଛି ଓ ତୁମ୍ଭେ ଉଦ୍ଧାର କରିବ ନାହିଁ। 3 ତୁମ୍ଭେ କାହିଁକି ମୋତେ ଅଧର୍ମ ଦେଖାଉଅଛ ଓ କୁଟିଳତା ପ୍ରତି ଦୃଷ୍ଟିପାତ କରୁଅଛ ? କାରଣ ମୋ’ ସମ୍ମୁଖରେ ଧନାପହାର ଓ ଦୌରାତ୍ମ୍ୟ ଥାଏ; ପୁଣି, ବିବାଦ ହୁଏ ଓ ବିରୋଧ ବଢ଼ି ଉଠେ। 4 ଏଥିପାଇଁ ବ୍ୟବସ୍ଥା ନିସ୍ତେଜ ହୋଇଅଛି ଓ ବିଚାର କେବେ ନିଷ୍ପନ୍ନ ହେଉ ନାହିଁ; କାରଣ ଦୁର୍ଜ୍ଜନମାନେ ଧାର୍ମିକକୁ ଘେରନ୍ତି; ଏଥିପାଇଁ ବିଚାର ବିପରୀତ ହୋଇପଡ଼େ।
ପରମେଶ୍ୱରଙ୍କ ଉତ୍ତର
5 ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ଦେଖି ମନୋଯୋଗ କର ଓ ଅତିଶୟ ଚମତ୍କୃତ ହୁଅ; କାରଣ ତୁମ୍ଭମାନଙ୍କ ସମୟରେ ଆମ୍ଭେ ଏକ କର୍ମ କରୁଅଛୁ, ସେ ବିଷୟ ତୁମ୍ଭମାନଙ୍କୁ କୁହା ଗଲେ ହେଁ ତୁମ୍ଭେମାନେ ତାହା ବିଶ୍ୱାସ କରିବ ନାହିଁ। 6 କାରଣ ଦେଖ, ଯେଉଁ କଲ୍ଦୀୟ ଲୋକମାନେ [1] ନିଷ୍ଠୁର ଓ ଚଞ୍ଚଳ ଗୋଷ୍ଠୀ, ସେମାନଙ୍କୁ ଆମ୍ଭେ ଉଠାଉଅଛୁ; ଯେଉଁ ନିବାସ-ସ୍ଥାନସକଳ ସେମାନଙ୍କର ନୁହେଁ, ତାହା ଅଧିକାର କରିବା ପାଇଁ ସେମାନେ ପୃଥିବୀର ବିସ୍ତାରର ସର୍ବତ୍ର ଯାତ୍ରା କରନ୍ତି। 7 ସେମାନେ ତ୍ରାସଜନକ ଓ ଭୟଙ୍କର ଅଟନ୍ତି; ସେମାନଙ୍କର ଶାସନ ଓ ଗୌରବ ସେମାନଙ୍କର ନିଜଠାରୁ ନିର୍ଗତ ହୁଅଇ। 8 ଆହୁରି, ସେମାନଙ୍କର ଅଶ୍ୱଗଣ ଚିତାବାଘଠାରୁ ବେଗଗାମୀ ଓ ସନ୍ଧ୍ୟାକାଳରେ କେନ୍ଦୁଆଗଣଠାରୁ ଦୂରନ୍ତ; ଆଉ, ସେମାନଙ୍କର ଅଶ୍ୱାରୋହୀମାନେ ଆପଣାମାନଙ୍କୁ ବ୍ୟାପ୍ତ କରୁଅଛନ୍ତି; ହଁ, ସେମାନଙ୍କର ଅଶ୍ୱାରୋହୀଗଣ ଦୂରରୁ ଆସୁଅଛନ୍ତି; ଗ୍ରାସ କରିବା ପାଇଁ ଦ୍ରୁତଗାମୀ ଉତ୍କ୍ରୋଶ ପକ୍ଷୀ ପରି ସେମାନେ ଉଡ଼ୁଅଛନ୍ତି। 9 ସେମାନେ ସମସ୍ତେ ଦୌରାତ୍ମ୍ୟ କରିବା ପାଇଁ ଆସୁଅଛନ୍ତି; ପୂର୍ବୀୟ ବାୟୁ ତୁଲ୍ୟ ସେମାନଙ୍କ ମୁଖ ବ୍ୟଗ୍ର ଭାବରେ ରଖାଯାଇଅଛି ଓ ସେମାନେ ବନ୍ଦୀଗଣକୁ ବାଲୁକାର ନ୍ୟାୟ ଏକତ୍ର କରୁଅଛନ୍ତି। 10 ପୁଣି, ସେ ରାଜାଗଣକୁ ଉପହାସ କରେ ଓ ଅଧିପତିଗଣ ତାହାର ବିଦ୍ରୁପର ପାତ୍ର; ସେ ପ୍ରତ୍ୟେକ ଦୃଢ଼ ଦୁର୍ଗକୁ ତୁଚ୍ଛଜ୍ଞାନ କରେ; କାରଣ ସେ ଧୂଳି ଗଦା କରି ତାହା ହସ୍ତଗତ କରେ। 11 ଏଉତ୍ତାରେ ସେ ବାୟୁ ତୁଲ୍ୟ ବହି ବ୍ୟାପି ଯିବ ଓ ସେ, ଅର୍ଥାତ୍, ଯାହାର ଶକ୍ତି ତାହାର ଦେବତା, ସେ ଦଣ୍ଡନୀୟ ହେବ।
ହବକ୍କୂକଙ୍କ ଦ୍ୱିତୀୟ ଅଭିଯୋଗ
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋର ଧର୍ମସ୍ୱରୂପ, ତୁମ୍ଭେ କି ଅନାଦି କାଳଠାରୁ ନୁହଁ ? ଆମ୍ଭେମାନେ ବିନଷ୍ଟ ନୋହିବା। ହେ ସଦାପ୍ରଭୁ, ତୁମ୍ଭେ ଶାସନାର୍ଥେ ତାହାକୁ ନିରୂପଣ କରିଅଛ, ପୁଣି ହେ ଶୈଳସ୍ୱରୂପ, ତୁମ୍ଭେ ଶାସ୍ତି ନିମନ୍ତେ ତାହାକୁ ସ୍ଥାପନ କରିଅଛ। 13 ତୁମ୍ଭେ ତ ଏପରି ନିର୍ମଳ ଚକ୍ଷୁ ଯେ, ମନ୍ଦ ଦେଖି ନ ପାର ଓ ତୁମ୍ଭେ କୁଟିଳାଚରଣ ପ୍ରତି ଦୃଷ୍ଟି କରି ନ ପାର, ତେବେ ଯେଉଁମାନେ ବିଶ୍ୱାସଘାତକତା କରନ୍ତି, ସେମାନଙ୍କ ପ୍ରତି କାହିଁକି ଦୃଷ୍ଟିପାତ କରୁଅଛ ? ଓ ଦୁଷ୍ଟ ଲୋକ ଆପଣା ଅପେକ୍ଷା ଧାର୍ମିକ ଲୋକକୁ ଗ୍ରାସ କଲା ବେଳେ କାହିଁକି ନୀରବ ହୋଇ ରହୁଅଛ ? 14 ଓ ମନୁଷ୍ୟକୁ ସମୁଦ୍ରର ମତ୍ସ୍ୟ ପରି ଓ ଯେଉଁମାନଙ୍କର ଅଧ୍ୟକ୍ଷ କେହି ନାହିଁ, ଏପରି ଉରୋଗାମୀ କୀଟ ପରି କାହିଁକି କରୁଅଛ ? 15 ସେ ସମସ୍ତଙ୍କୁ ବନଶୀରେ ଧରି ନିଏ, ସେ ଆପଣା ଜାଲରେ ସେମାନଙ୍କୁ ଧରେ ଓ ଆପଣା ଟଣା ଜାଲରେ ସେମାନଙ୍କୁ ଏକତ୍ର କରେ; ତହିଁ ସକାଶୁ ସେ ଆନନ୍ଦିତ ଓ ଉଲ୍ଲସିତ ହୁଏ। 16 ଏଥିପାଇଁ ସେ ଆପଣା ଜାଲ ଉଦ୍ଦେଶ୍ୟରେ ବଳିଦାନ କରେ ଓ ଆପଣା ଟଣା ଜାଲ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଏ; କାରଣ ତାହା ଦ୍ୱାରା ତାହାର ବାଣ୍ଟ ପୁଷ୍ଟ ହୁଏ ଓ ତାହାର ଖାଦ୍ୟ ଯଥେଷ୍ଟ ହୁଏ। 17 ଏନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ ଓ ଦୟା ନ କରି କି ଗୋଷ୍ଠୀଗଣକୁ ନିରନ୍ତର ବଧ କରୁଥିବ ?
Chapter 2
1 ମୁଁ ଆପଣା ପ୍ରହରୀ ସ୍ଥାନରେ ଠିଆ ହେବି ଓ ଦୁର୍ଗର ଉପରେ ରହିବି, ଆଉ ସେ ମୋ’ ଗୁହାରି ବିଷୟରେ ମୋତେ କି କଥା କହିବେ ଓ ମୁଁ କି ଉତ୍ତର ଦେବି, ଏହା ନିରୀକ୍ଷଣ କରି ବୁଝିବି।
ଧାର୍ମିକ ଲୋକ ବିଶ୍ୱାସ ଦ୍ୱାରା ବଞ୍ଚିବ
2 ଏଥିଉତ୍ତାରେ ସଦାପ୍ରଭୁ ମୋତେ ଉତ୍ତର ଦେଇ କହିଲେ, ଏହି ଦର୍ଶନର କଥା ଲେଖ ଓ ଯେ ପାଠ କରେ, ସେ ଯେପରି ଦୌଡ଼ି ପାରିବ, ଏଥିପାଇଁ ପଟାରେ ସୁସ୍ପଷ୍ଟ କରି ଖୋଳ। 3 କାରଣ ଏହି ଦର୍ଶନ ଏବେ ହେଁ ନିରୂପିତ କାଳର ଅପେକ୍ଷା ଓ ପରିଣାମର ଆକାଂକ୍ଷା କରେ ଓ ତାହା ମିଥ୍ୟା ହେବ ନାହିଁ; ତାହା ବିଳମ୍ବ ହେଲେ ହେଁ ତହିଁ ପାଇଁ ଅପେକ୍ଷା କର; କାରଣ ତାହା ଅବଶ୍ୟ ଘଟିବ, ବିଳମ୍ବ ହେବ ନାହିଁ। 4 ଦେଖ, ତାହାର ପ୍ରାଣ ଗର୍ବରେ ଫୁଲିଅଛି, ତାହା ସରଳ ନୁହେଁ; ମାତ୍ର ଧାର୍ମିକ ଲୋକ ଆପଣା ବିଶ୍ୱାସ ଦ୍ୱାରା ବଞ୍ଚିବ। 5 ଆହୁରି, ଧନ [1] ବିଶ୍ୱାସଘାତକ ବଣିକ, ଅହଙ୍କାରୀ ଲୋକ, ଆଉ ସେ ଘରେ ରହେ ନାହିଁ, ସେ ପାତାଳର ପରି ଆପଣା ବାଞ୍ଛା ବଢ଼ାଏ ଓ ସେ ମୃତ୍ୟୁୁ ସଦୃଶ, ଆଉ ସେ ତୃପ୍ତ ହୋଇ ନ ପାରେ, ମାତ୍ର ସେ ଆପଣା ନିକଟରେ ଯାବତୀୟ ଗୋଷ୍ଠୀ ଏକତ୍ର କରଇ ଓ ଯାବତୀୟ ଜନବୃନ୍ଦକୁ ଆପଣା ନିକଟରେ ସଂଗ୍ରହ କରେ।
କଲ୍ଦୀୟ-ସନ୍ତାପର ପାତ୍ର
6 ସେମାନେ ସମସ୍ତେ କି ତାହା ବିରୁଦ୍ଧରେ ଉପମା-କଥା ଓ ପରିହାସଜନକ ପ୍ରବାଦ ଧରି କହିବେ ନାହିଁ ? ଯଥା, ପର ଧନରେ ଯେ ଆପଣାକୁ ବର୍ଦ୍ଧିଷ୍ଣୁ କରେ, ସେ ସନ୍ତାପର ପାତ୍ର ! କେତେ କାଳ ? ବନ୍ଧକି ଦ୍ରବ୍ୟରେ ଯେ ଆପଣାକୁ ଭାରଗ୍ରସ୍ତ କରେ, ସେ ସନ୍ତାପର ପାତ୍ର ! 7 ଯେଉଁମାନେ ତୁମ୍ଭକୁ ଦଂଶନ କରିବେ, ସେମାନେ କି ହଠାତ୍ ଉଠିବେ ନାହିଁ ? ଯେଉଁମାନେ ତୁମ୍ଭକୁ ବିରକ୍ତ କରିବେ, ସେମାନେ କି ଜାଗ୍ରତ ହେବେ ନାହିଁ ? ଓ ତୁମ୍ଭେ କି ସେମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ ନାହିଁ ? 8 ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଲୁଟିଅଛ, ଏଥିପାଇଁ ମନୁଷ୍ୟମାନଙ୍କର ରକ୍ତପାତ, ଆଉ ଦେଶ, ନଗର ଓ ତନ୍ନିବାସୀ ସମସ୍ତଙ୍କ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ଜନବୃନ୍ଦର ସମସ୍ତ ଶେଷାଂଶ ତୁମ୍ଭକୁ ଲୁଟିବେ। 9 ଯେଉଁ ଜନ ଉଚ୍ଚରେ ଆପଣା ବସା କରିବା ପାଇଁ, ବିପଦର ହସ୍ତରୁ ଉଦ୍ଧାର କରିବା ପାଇଁ ଆପଣା ବଂଶ ନିମନ୍ତେ କୁଲାଭ ଉପାର୍ଜନ କରେ, ସେ ସନ୍ତାପର ପାତ୍ର ! 10 ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବା ଦ୍ୱାରା ଆପଣା ବଂଶର ଲଜ୍ଜାଜନକ ମନ୍ତ୍ରଣା କରିଅଛ ଓ ଆପଣା ପ୍ରାଣ ବିରୁଦ୍ଧରେ ପାପ କରିଅଛ। 11 କାରଣ କାନ୍ଥ ଭିତରୁ ପଥର ଡାକ ପକାଇବ ଓ କାଠ ମଧ୍ୟରୁ କଡ଼ିକାଠ ତହିଁର ଉତ୍ତର ଦେବ। 12 ଯେଉଁ ଜନ ରକ୍ତପାତ ଦ୍ୱାରା ନଗର ନିର୍ମାଣ କରେ ଓ ଅଧର୍ମ ଦ୍ୱାରା ନଗର ସ୍ଥାପନ କରେ, ସେ ସନ୍ତାପର ପାତ୍ର ! 13 ଦେଖ, ଜନବୃନ୍ଦ ଅଗ୍ନିର ନିମନ୍ତେ ପରିଶ୍ରମ କରନ୍ତି ଓ ଗୋଷ୍ଠୀଗଣ ଅସାରତାର ନିମନ୍ତେ ଆପଣାମାନଙ୍କୁ କ୍ଳାନ୍ତ କରନ୍ତି, ଏହା କି ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ହୁଏ ନାହିଁ ? 14 କାରଣ ଜଳରାଶି ଯେପରି ସମୁଦ୍ରକୁ ଆବୃତ କରେ, ସେହିପରି ସଦାପ୍ରଭୁଙ୍କ ମହିମା ବିଷୟକ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ। 15 ଯେଉଁ ଜନ ଆପଣା ପ୍ରତିବାସୀର ଉଲଙ୍ଗତା ଦେଖିବା ନିମନ୍ତେ ତାହାକୁ ପାନ କରିବାକୁ ଦିଏ, ତହିଁ ସଙ୍ଗେ ଆପଣାର ବିଷ ମିଶାଇ ତାହାକୁ ମତ୍ତ କରେ, ସେ ସନ୍ତାପର ପାତ୍ର ! 16 ତୁମ୍ଭେ ଗୌରବ ବଦଳରେ ଅପମାନରେ ପରିପୂର୍ଣ୍ଣ ହୋଇଅଛ। ତୁମ୍ଭେ ମଧ୍ୟ ପାନ କରି ଅସୁନ୍ନତର ନ୍ୟାୟ ହୁଅ ! ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାନପାତ୍ର ତୁମ୍ଭଆଡ଼େ ଫେରାଯିବ ଓ ତୁମ୍ଭ ଗୌରବର ଉପରେ ଘୃଣାଜନକ ଲଜ୍ଜା ବର୍ତ୍ତିବ। 17 କାରଣ ମନୁଷ୍ୟମାନଙ୍କର ରକ୍ତପାତ ଓ ଦେଶ ପ୍ରତି, ନଗର ପ୍ରତି ଓ ତନ୍ନିବାସୀ ସମସ୍ତଙ୍କ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ଲିବାନୋନର ପ୍ରତି କୃତ ଦୌରାତ୍ମ୍ୟ ଓ ପଶୁଗଣର ତ୍ରାସଜନକ ସଂହାର ତୁମ୍ଭକୁ ଆଚ୍ଛନ୍ନ କରିବ। 18 ଖୋଦିତ ପ୍ରତିମାରେ କି ଲାଭ ଯେ, ତହିଁର ନିର୍ମାଣକର୍ତ୍ତା ତାହା ଖୋଦନ କରେ ? ଛାଞ୍ଚରେ ଢଳା ପ୍ରତିମାରେ ଓ ମିଥ୍ୟା ଶିକ୍ଷକରେ କି ଲାଭ ଯେ, ଆପଣାର ନିର୍ମିତ ବସ୍ତୁର ନିର୍ମାଣକାରୀ ତହିଁରେ ବିଶ୍ୱାସ କରି ମୂକ ଦେବତା ନିର୍ମାଣ କରେ ? 19 ଯେଉଁ ଜନ କାଷ୍ଠକୁ କହେ, ଜାଗ୍ରତ ହୁଅ; ମୂକ ପ୍ରସ୍ତରକୁ କହେ ଉଠ, ସେ ସନ୍ତାପର ପାତ୍ର ! ସେ କି ଶିକ୍ଷା ଦେବ ? ଦେଖ, ତାହା ସୁନା ଓ ରୂପାରେ ମଣ୍ଡିତ, ତହିଁ ମଧ୍ୟରେ କିଛି ହିଁ ଶ୍ୱାସବାୟୁ ନାହିଁ। 20 ମାତ୍ର ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି; ସମୁଦାୟ ପୃଥିବୀ ତାହାଙ୍କ ଛାମୁରେ ନୀରବ ହୋଇ ରହନ୍ତୁ।
Chapter 3
ହବକ୍କୂକଙ୍କ ପ୍ରାର୍ଥନା
1 ହବକ୍କୂକ ଭବିଷ୍ୟଦ୍ବକ୍ତାଙ୍କର ପ୍ରାର୍ଥନା। ସ୍ୱରଶିଗୀୟୋନତ୍। 2 ହେ ସଦାପ୍ରଭୁ, ମୁଁ ତୁମ୍ଭ ବିଷୟକ ବାର୍ତ୍ତା ଶୁଣି ଭୀତ ଅଛି; ହେ ସଦାପ୍ରଭୁ, ବର୍ଷମାନର ମଧ୍ୟରେ ଆପଣା କର୍ମ ସଜୀବ କର, ବର୍ଷମାନର ମଧ୍ୟରେ ତାହା ଜ୍ଞାତ କରାଅ; କୋପ ସମୟରେ ଦୟା ସ୍ମରଣ କର। 3 ପରମେଶ୍ୱର ତୈମନ୍ରୁ [1] ଆସିଲେ ଓ ଯେ ଧର୍ମମୟ, ସେ ପାରଣ ପର୍ବତରୁ ଆସିଲେ। ସେଲା ତାହାଙ୍କର ପ୍ରତାପ ଆକାଶମଣ୍ଡଳକୁ ଆଚ୍ଛନ୍ନ କଲା, ଆଉ ପୃଥିବୀ ତାହାଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ହେଲା। 4 ପୁଣି, ତାହାଙ୍କର ତେଜ ଦୀପ୍ତି ତୁଲ୍ୟ ହେଲା; ତାହାଙ୍କ ହସ୍ତରୁ କିରଣ ନିର୍ଗତ ହେଲା; ଆଉ, ସେ ସ୍ଥାନ ତାହାଙ୍କ ପରାକ୍ରମର ଅନ୍ତରାଳ। 5 ତାହାଙ୍କ ଆଗେ ଆଗେ ମହାମାରୀ ଗମନ କଲା, ଆଉ ତାହାଙ୍କ ପଦଚିହ୍ନରୁ ଅଗ୍ନିବାଣ ନିର୍ଗତ ହେଲା। 6 ସେ ଠିଆ ହୋଇ ପୃଥିବୀର ପରିମାଣ କଲେ। ସେ ଦୃଷ୍ଟିପାତ କରି ଗୋଷ୍ଠୀଗଣକୁ ଭିନ୍ନଭିନ୍ନ କରି ତଡ଼ି ଦେଲେ; ଆଉ, ଚିରସ୍ଥାୟୀ ପର୍ବତଗଣ ଛିନ୍ନଭିନ୍ନ କରାଗଲେ, ନିତ୍ୟସ୍ଥାୟୀ ଉପପର୍ବତଗଣ ନତ ହେଲେ; ତାହାଙ୍କର ଗତି ପୁରାତନ କାଳର ଗତି ତୁଲ୍ୟ ଥିଲା। 7 ମୁଁ କୂଶନର ତମ୍ବୁସକଳକୁ କ୍ଳେଶରେ ଥିବାର ଦେଖିଲି; ମିଦୀୟନ ଦେଶର ଯବନିକାସକଳ କମ୍ପିତ ହେଲା। 8 ସଦାପ୍ରଭୁ କି ନଦ-ନଦୀ ପ୍ରତି ଅସନ୍ତୁଷ୍ଟ ହେଲେ ? ତୁମ୍ଭର କ୍ରୋଧ କି ନଦ-ନଦୀର ଉପରେ ବର୍ତ୍ତିଲା, ଅବା ତୁମ୍ଭର କୋପ କି ସମୁଦ୍ରର ଉପରେ ବର୍ତ୍ତିଲା ଯେ, ତୁମ୍ଭେ ଆପଣା ଅଶ୍ୱଗଣର ଉପରେ, ଆପଣା ତ୍ରାଣସ୍ୱରୂପ ରଥସମୂହରେ ଆରୋହଣ କଲ ? 9 ତୁମ୍ଭର ଧନୁ ଅନାବୃତ ହେଲା; ଗୋଷ୍ଠୀଗଣର ପ୍ରତି ଶପଥ ସ୍ଥିରୀକୃତ ବାକ୍ୟ ହେଲା। ସେଲା। ତୁମ୍ଭେ ନଦ-ନଦୀ ଦ୍ୱାରା ପୃଥିବୀକୁ ବିଦୀର୍ଣ୍ଣ କଲ। 10 ପର୍ବତଗଣ ତୁମ୍ଭଙ୍କୁ ଦେଖି ଭୀତ ହେଲେ; ପ୍ରଚଣ୍ଡ ଜଳରାଶି ବହିଗଲା; ବାରିଧି ଆପଣା ରବ ଶୁଣାଇଲା ଓ ଆପଣା ହସ୍ତ [2] ଉଚ୍ଚକୁ ଉଠାଇଲା। 11 ତୁମ୍ଭର ବାଣସ୍ୱରୂପ ଦୀପ୍ତିର ଗତିରେ, ତୁମ୍ଭର ଝଲମଲ ବର୍ଚ୍ଛାର ତେଜରେ ସୂର୍ଯ୍ୟ ଓ ଚନ୍ଦ୍ର ଆପଣା ଆପଣା ବାସସ୍ଥାନରେ ସ୍ଥଗିତ ହୋଇ ରହିଲେ। 12 ତୁମ୍ଭେ କୋପରେ ପୃଥିବୀ ମଧ୍ୟଦେଇ ଯାତ୍ରା କଲ। ତୁମ୍ଭେ କ୍ରୋଧରେ ଗୋଷ୍ଠୀଗଣକୁ (ଶସ୍ୟ ପରି) ମର୍ଦ୍ଦନ କଲ। 13 ତୁମ୍ଭେ ଆପଣା ଲୋକମାନଙ୍କର ପରିତ୍ରାଣ ନିମନ୍ତେ, ଆପଣା ଅଭିଷେକୀର ପରିତ୍ରାଣ ନିମନ୍ତେ ଯାତ୍ରା କଲ। ତୁମ୍ଭେ ଦୁଷ୍ଟର ଗୃହରୁ ମସ୍ତକ ଚୂର୍ଣ୍ଣ କଲ, ତୁମ୍ଭେ କଣ୍ଠସରିକି ମୂଳଦୁଆ ଅନାବୃତ କଲ। ସେଲା। 14 ତୁମ୍ଭେ ତାହାର ନିଜ ଯଷ୍ଟି ଦ୍ୱାରା ତାହାର ଯୋଦ୍ଧାମାନଙ୍କର ମସ୍ତକ [3] ବିଦ୍ଧ କଲ: ସେମାନେ ମୋତେ ଛିନ୍ନଭିନ୍ନ କରିବା ପାଇଁ ଘୂର୍ଣ୍ଣବାୟୁର ନ୍ୟାୟ ଆସିଲେ; ଦରିଦ୍ରକୁ ଗୋପନରେ ଗ୍ରାସ କରିବା ପାଇଁ ସେମାନଙ୍କର ଆନନ୍ଦ ଥିଲା। 15 ତୁମ୍ଭେ ଆପଣା ଅଶ୍ୱଗଣ ଦ୍ୱାରା ସମୁଦ୍ରକୁ, ମହାଜଳରାଶିକୁ ଦଳି ପକାଇଲ। 16 ମୁଁ ଶୁଣିଲି ଓ ମୋ’ ଉଦର କମ୍ପିଲା, ସେହି ରବରେ ମୋର ଓଷ୍ଠାଧର ଥର ଥର ହେଲା; ମୋ’ ଅସ୍ଥିସକଳରେ ପଚାଭାବ ପ୍ରବେଶ କଲା ଓ ମୁଁ ସ୍ୱସ୍ଥାନରେ କମ୍ପିତ ହେଲି; ତହିଁରେ ଯେଉଁମାନେ ସୈନ୍ୟଦଳ ଘେନି ତାହାକୁ ଆକ୍ରମଣ କରିବାକୁ ଆସିବେ, ସେହି ଲୋକମାନଙ୍କ ବିରୁଦ୍ଧରେ ଯେତେବେଳେ ଦିନ ଆସିବ, ସେତେବେଳେ ସେହି ସଙ୍କଟ ଦିନରେ ମୋତେ ବିଶ୍ରାମ କରିବାକୁ ହେବ।
ହବକ୍କୂକ ପରମେଶ୍ୱରଙ୍କଠାରେ ଉଲ୍ଲସିତ
17 କାରଣ ଯଦ୍ୟପି ଡିମ୍ବିରି ବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ନ ଧରିବ; ଜୀତବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ ନ କରିବ; ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ନ ଥିବ; 18 ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବି। 19 ପ୍ରଭୁ ସଦାପ୍ରଭୁ ମୋର ବଳସ୍ୱରୂପ ଓ ସେ ମୋର ଚରଣ ହରିଣୀର ଚରଣ ସଦୃଶ କରନ୍ତି, ପୁଣି ମୋର ଉଚ୍ଚସ୍ଥଳୀରେ ମୋତେ ଗମନ କରାଇବେ। ମୋର ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ।