ଓଡ଼ିଆ: Oriya Unlocked Literal Bible

Updated ? hours ago # views See on DCS Draft Material

- ଯୋୟେଲ

THE BOOK OF PROPHET

Chapter 1

1 ପଥୂୟେଲଙ୍କ ପୁତ୍ର ଯୋୟେଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।

ଶସ୍ୟ ହାନି ସକାଶୁ ଦେଶବାସୀଙ୍କ ବିଳାପ

     2 ହେ ଇସ୍ରାଏଲର ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ,

     ଆଉ ହେ ଦେଶନିବାସୀସକଳ, ତୁମ୍ଭେମାନେ କର୍ଣ୍ଣପାତ କର।

     ତୁମ୍ଭମାନଙ୍କ ସମୟରେ କିଅବା

     ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟରେ କି ଏହା ଘଟିଅଛି ?

     3 ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ

     ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ,

     ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ।

     4 ଶୂକ କୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛି

     ଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛି

     ଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି।

     5 ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର,

     ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର;

     କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇଅଛି।

     6 ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି,

     ସେ ବଳବାନ ଓ ଅସଂଖ୍ୟ; ତାହାର ଦନ୍ତ ସିଂହଦନ୍ତ ତୁଲ୍ୟ

     ଓ ତାହାର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ୟ।

     7 ସେ ଆମ୍ଭର ଦ୍ରାକ୍ଷାଲତା ଉଜାଡ଼ କରିଅଛି

     ଓ ଆମ୍ଭ ଡିମ୍ବିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି;

     ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି;

     ତହିଁର ଶାଖାସବୁ ଶୁକ୍ଳ କରାଯାଇଅଛି।

     8 ଯୌବନକାଳୀନ ସ୍ୱାମୀ ଶୋକରେ

     ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର।

     9 ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ

     ଓ ପେୟ ନୈବେଦ୍ୟ ଅନ୍ତର କରାଯାଇଅଛି;

     ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି।

     10 କ୍ଷେତ୍ର ଉଜାଡ଼ ହୋଇଅଛି, ଭୂମି ଶୋକ କରୁଅଛି;

     କାରଣ ଶସ୍ୟ ଉଜାଡ଼ ହୋଇଅଛି,

     ନୂତନ ଦ୍ରାକ୍ଷାରସ ଶୁଖି ଯାଇଅଛି; ତୈଳ କ୍ଷୟ ପାଇଅଛି।

     11 ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ,

     ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ,

     ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର;

     କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।

     12 ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମ୍ବିରି ବୃକ୍ଷ ମ୍ଳାନ ହେଉଅଛି;

     ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜ୍ଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ,

     ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି;

     କାରଣ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।

ଅନୁତାପ ନିମନ୍ତେ ଆହ୍ୱାନ

     13 ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର;

     ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର;

     ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ,

     ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ସାରାରାତ୍ରି କ୍ଷେପଣ କର;

     କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ

     ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ନିବୃତ୍ତ କରାଯାଇଅଛି।

     14 ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର,

     ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଗୃହରେ

     ପ୍ରାଚୀନଗଣଙ୍କୁ ଓ ଦେଶନିବାସୀ ସମସ୍ତଙ୍କୁ ଏକତ୍ର କରି

     ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।

     15 ହାୟ ହାୟ ସେ ଦିନ ! କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ,

     ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ।

     16 ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ

     ଆନନ୍ଦ ଓ ଉଲ୍ଲାସ କି ଅଲଗା କରାଯାଇ ନାହିଁ ?

     17 ବିହନସବୁ ଟେଳା ତଳେ ପଚି ଯାଉଅଛି;

     ଗୋଲାସବୁ ଧ୍ୱଂସିତ, ଶସ୍ୟ ଅମାରସବୁ ଭଗ୍ନ ହୋଇଅଛି;

     କାରଣ ଶସ୍ୟ ଶୁଷ୍କ ହୋଇଅଛି।

     18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି !

     ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି;

     ମେଷପଲ ଦଣ୍ଡ ପାଉଅଛନ୍ତି।

     19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି;

     କାରଣ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନ ସବୁ ଗ୍ରାସ କରିଅଛି

     ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।

     20 ହଁ, କ୍ଷେତ୍ରସ୍ଥ ପଶୁସକଳ ତୁମ୍ଭ ନିକଟରେ ଧଇଁସଇଁ ହେଉଅଛନ୍ତି;

     ଯେହେତୁ ଜଳସ୍ରୋତସବୁ ଶୁଷ୍କ ହୋଇଅଛି

     ଓ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନ ସବୁ ଗ୍ରାସ କରିଅଛି।

Chapter 2

ସଦାପ୍ରଭୁଙ୍କର ଦିନ

     1 ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ

     ଓ ଆମ୍ଭ ପବିତ୍ର ପର୍ବତରେ ଘୋରନାଦ କର !

     ଦେଶନିବାସୀ ସମସ୍ତେ କମ୍ପମାନ ହେଉନ୍ତୁ;

     କାରଣ ସଦାପ୍ରଭୁଙ୍କର ଦିନ ଆସୁଅଛି, ସେ ଦିନ ନିକଟ।

     2 ତାହା ତିମିର ଓ ଅନ୍ଧକାରମୟ ଦିନ,

     ତାହା ମେଘାଚ୍ଛନ୍ନ ଓ ନିବିଡ଼ ଅନ୍ଧକାରମୟ ଦିନ,

     ପର୍ବତଗଣର ଉପରେ ଅରୁଣ ତୁଲ୍ୟ ତାହା ବ୍ୟାପ୍ତ ହେଉଅଛି;

     ମହତୀ ଓ ବଳବତୀ ଏକ ଗୋଷ୍ଠୀ,

     ତାହାରି ସଦୃଶ ଗୋଷ୍ଠୀ କେବେ ହୋଇ ନାହିଁ,

     କିଅବା ସେମାନଙ୍କ ଉତ୍ତାରେ ଅନେକ ଅନେକ

     ପିଢ଼ିର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ।

     3 ସେମାନଙ୍କ ଆଗରେ ଅଗ୍ନି ଗ୍ରାସ କରୁଅଛି

     ଓ ସେମାନଙ୍କ ପଶ୍ଚାତରେ ଅଗ୍ନିଶିଖା ଦଗ୍ଧ କରୁଅଛି;

     ସେମାନଙ୍କ ଆଗରେ ଦେଶ ଏଦନ ଉଦ୍ୟାନ ତୁଲ୍ୟ

     ଓ ସେମାନଙ୍କ ପଶ୍ଚାତରେ ତାହା ଧ୍ୱଂସିତ ପ୍ରାନ୍ତର;

     ଆଉ, ସେମାନଙ୍କଠାରୁ ରକ୍ଷାପ୍ରାପ୍ତ କେହି ନାହିଁ।

     4 ସେମାନଙ୍କର ଆକାର ଅଶ୍ୱଗଣର ଆକୃତି ତୁଲ୍ୟ

     ଓ ସେମାନେ ଅଶ୍ୱାରୋହୀଗଣର ତୁଲ୍ୟ ଦୌଡ଼ନ୍ତି।

     5 ପର୍ବତଗଣର ଶୃଙ୍ଗରେ ରଥସମୂହର ଶବ୍ଦ ତୁଲ୍ୟ ସେମାନେ କୁଦନ୍ତି,

     ନଡ଼ାଗ୍ରାସକାରୀ ଅଗ୍ନିଶିଖାର ଶବ୍ଦ ତୁଲ୍ୟ,

     ସେମାନେ ଯୁଦ୍ଧାର୍ଥେ ଶ୍ରେଣୀବଦ୍ଧ ବଳବତୀ ଗୋଷ୍ଠୀ ତୁଲ୍ୟ।

     6 ସେମାନଙ୍କ ସାକ୍ଷାତରେ ଗୋଷ୍ଠୀଗଣ ଯନ୍ତ୍ରଣାଯୁକ୍ତ;

     ସମସ୍ତଙ୍କର ମୁଖ ମଳିନ।

     7 ସେମାନେ ବୀରଗଣ ତୁଲ୍ୟ ଦୌଡ଼ନ୍ତି;

     ସେମାନେ ଯୋଦ୍ଧାଗଣ ତୁଲ୍ୟ ପ୍ରାଚୀର ଚଢ଼ନ୍ତି;

     ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି

     ଓ ସେମାନେ ଆପଣା ଆପଣା ଶ୍ରେଣୀ ଭଗ୍ନ କରନ୍ତି ନାହିଁ।

     8 ଅବା ସେମାନଙ୍କର ଏକ ଜଣ ଆର ଜଣକୁ ଠେଲନ୍ତି ନାହିଁ;

     ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି;

     ସେମାନେ ଅସ୍ତ୍ରଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି

     ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ।

     9 ସେମାନେ ନଗର ଉପରେ କୁଦନ୍ତି;

     ସେମାନେ ନଗରର ପ୍ରାଚୀର ଉପରେ ଦୌଡ଼ନ୍ତି;

     ସେମାନେ ଗୃହ ଉପରେ ଚଢ଼ନ୍ତି;

     ସେମାନେ ଚୋର ପରି ଝରକା ବାଟେ ପ୍ରବେଶ କରନ୍ତି।

     10 ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ;

     ଆକାଶମଣ୍ଡଳ ଥରଥର ହୁଏ;

     ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ

     ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି।

     11 ପୁଣି, ସଦାପ୍ରଭୁ ଆପଣା ସୈନ୍ୟସାମନ୍ତ ସମ୍ମୁଖରେ

     ଆପଣା ରବ ଉଚ୍ଚାରଣ କରନ୍ତି;

     କାରଣ ତାହାଙ୍କର ଛାଉଣୀ ଅତି ବଡ଼;

     କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ, ସେ ବଳବାନ।

     କାରଣ ସଦାପ୍ରଭୁଙ୍କର ଦିନ ମହତ୍‍ ଓ ଅତି ଭୟାନକ;

     ଆଉ କିଏ ତାହା ସହ୍ୟ କରି ପାରେ ?

ଅନୁତାପ ନିମନ୍ତେ ଆହ୍ୱାନ

     12 ତଥାପି ସଦାପ୍ରଭୁ କହନ୍ତି,

     “ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି

     ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ।”

     13 ପୁଣି, ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତଃକରଣ ଚିର

     ଓ ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରି ଆସ;

     କାରଣ ସେ କୃପାମୟ ଓ ସ୍ନେହଶୀଳ,

     କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ,

     ଆଉ ସେ ଅମଙ୍ଗଳ କରିବା ବିଷୟରେ କ୍ଷାନ୍ତ ହୁଅନ୍ତି।

     14 କେଜାଣି ସେ ଫେରି ଦୁଃଖିତ ହେବେ ଓ ଆପଣା ପଶ୍ଚାତ୍‍ ଆଶୀର୍ବାଦ,

     ଅର୍ଥାତ୍‍, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ

     ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ରଖିଯିବେ।

15 ସିୟୋନରେ ତୂରୀ ବଜାଅ

     ଓ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର;

     16 ଲୋକମାନଙ୍କୁ ଏକତ୍ର କର,

     ପବିତ୍ର ସମାଜ ନିରୂପଣ କର, ପ୍ରାଚୀନମାନଙ୍କୁ ସଂଗ୍ରହ କର,

     ବାଳକ, ବାଳିକାମାନଙ୍କୁ ଓ ଦୁଗ୍ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ର କର;

     ବର ଆପଣା ଶୟନ ଗୃହରୁ ଓ କନ୍ୟା ଆପଣା ଅନ୍ତଃପୁରରୁ ବାହାର ହେଉ।

     17 ବରଣ୍ଡା ଓ ବେଦିର ମଧ୍ୟସ୍ଥାନରେ

     ସଦାପ୍ରଭୁଙ୍କର ପରିଚାରକ ଯାଜକମାନେ ରୋଦନ କରନ୍ତୁ,

     ଆଉ ସେମାନେ କହନ୍ତୁ,

     “ହେ ସଦାପ୍ରଭୁ, ଆପଣା ଲୋକମାନଙ୍କୁ ଦୟା କର

     ଓ ଅନ୍ୟ ଦେଶୀୟମାନେ ଯେପରି

     ସେମାନଙ୍କ ଉପରେ ଶାସନ ନ କରିବେ,

     ଏଥିପାଇଁ ଆପଣା ଅଧିକାରକୁ ନିନ୍ଦିତ ହେବାକୁ ଦିଅ ନାହିଁ;

     ସେମାନଙ୍କର ପରମେଶ୍ୱର କାହାନ୍ତି,

     ଏହା ସେମାନେ ନାନା ଗୋଷ୍ଠୀ ମଧ୍ୟରେ କାହିଁକି କହିବେ ?”

ପରମେଶ୍ୱରଙ୍କ ଆଶୀର୍ବାଦ

     18 ସେତେବେଳେ ସଦାପ୍ରଭୁ ଆପଣା ଦେଶ ପାଇଁ ଉଦ୍‍ଯୋଗୀ ହେଲେ

     ଓ ଆପଣା ଲୋକମାନଙ୍କ ପ୍ରତି ଦୟା କଲେ।

     19 ପୁଣି, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉତ୍ତର ଦେଇ କହିଲେ,

     “ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଶସ୍ୟ,

     ଦ୍ରାକ୍ଷାରସ ଓ ତୈଳ ପଠାଇ ଦେବା,

     ଆଉ ତୁମ୍ଭେମାନେ ତହିଁରେ ତୃପ୍ତ ହେବ;

     ପୁଣି, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ

     ତୁମ୍ଭମାନଙ୍କୁ ଆଉ ନିନ୍ଦାର ପାତ୍ର କରିବା ନାହିଁ।

     20 ମାତ୍ର ଆମ୍ଭେ ତୁମ୍ଭମାନଙ୍କ ନିକଟରୁ

     ଉତ୍ତର ଦେଶୀୟ ସୈନ୍ୟଦଳକୁ ଦୂର କରିବା,

     ପୁଣି ସେମାନଙ୍କୁ ଶୁଷ୍କ ଓ ଧ୍ୱଂସିତ ଦେଶକୁ ତଡ଼ି ଦେଇ

     ସେମାନଙ୍କର ଅଗ୍ରଭାଗ ପୂର୍ବ ସମୁଦ୍ର ଆଡ଼େ,

     ଆଉ ସେମାନଙ୍କର ପଶ୍ଚାଦ୍‍ଭାଗ ପଶ୍ଚିମ ସମୁଦ୍ର ଆଡ଼େ ତଡ଼ି ଦେବା;

     ତହିଁରେ ସେମାନଙ୍କର ଦୁର୍ଗନ୍ଧ ଉଠିବ ଓ କୁବାସ ନିର୍ଗତ ହେବ,

     କାରଣ ସେ ମହତ୍‍ କର୍ମମାନ କରିଅଛନ୍ତି।”

     21 ହେ ଦେଶ, ଭୟ କର ନାହିଁ,

     ଉଲ୍ଲସିତ ହୋଇ ଆନନ୍ଦ କର;

     କାରଣ ସଦାପ୍ରଭୁ ମହତ୍‍ କର୍ମମାନ କରିଅଛନ୍ତି।

     22 ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ;

     କାରଣ ପ୍ରାନ୍ତରସ୍ଥ ଚରାଣି ସ୍ଥାନ ସବୁ ଅଙ୍କୁରିତ ହେଉଅଛି,

     ବୃକ୍ଷ ଫଳ ଫଳୁଅଛି, ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି।

     23 ଏଥିପାଇଁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ଉଲ୍ଲସିତ ହୁଅ

     ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆନନ୍ଦ କର;

     କାରଣ ସେ ତୁମ୍ଭମାନଙ୍କୁ ଯଥା ପରିମାଣରେ ଆଦ୍ୟ ବୃଷ୍ଟି ଦିଅନ୍ତି

     ଓ ସେ ତୁମ୍ଭମାନଙ୍କ ନିମନ୍ତେ ବୃଷ୍ଟି ବର୍ଷାନ୍ତି,

     ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଥମ ମାସରେ।

     24 ପୁଣି, ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ

     ଓ କୁଣ୍ଡସବୁ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ।

     25 “ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହା ସୈନ୍ୟଦଳ,

     ଅର୍ଥାତ୍‍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ,

     ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି,

     ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା।

     26 ତହିଁରେ ତୁମ୍ଭେମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ

     ଓ ଯେ ତୁମ୍ଭମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି,

     ତୁମ୍ଭେମାନେ ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ

     ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।

     27 ତହିଁରେ ଆମ୍ଭେ ଯେ ଇସ୍ରାଏଲର ମଧ୍ୟବର୍ତ୍ତୀ ଅଛୁ

     ଓ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଅନ୍ୟ କେହି ନାହିଁ,

     ଏହା ତୁମ୍ଭେମାନେ ଜାଣିବ; ପୁଣି, ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।

ମନୁଷ୍ୟ ଉପରେ ପରମେଶ୍ୱରଙ୍କ ଆତ୍ମା

     28 ପୁଣି, ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା;

     ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ,

     ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ,

     ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ।

     29 ଆଉ, ସେହି ସମୟରେ ମଧ୍ୟ ଆମ୍ଭେ

     ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା।

     30 ପୁଣି, ଆମ୍ଭେ ଆକାଶରେ ଓ ପୃଥିବୀରେ

     ରକ୍ତ, ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା।

     31 ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ

     ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ।

     32 ପୁଣି, ଯେକେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ;

     କାରଣ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ

     ସିୟୋନ ପର୍ବତରେ ଓ ଯିରୂଶାଲମରେ ରକ୍ଷାପ୍ରାପ୍ତ ଲୋକମାନେ ରହିବେ,

     ପୁଣି ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରିବେ,

     ସେମାନେ ଅବଶିଷ୍ଟାଂଶର ମଧ୍ୟରେ ରହିବେ।”

Chapter 3

ପରମେଶ୍ୱରଙ୍କ ଦ୍ୱାରା ଗୋଷ୍ଠୀଗଣର ବିଚାର

     1 କାରଣ ଦେଖ, ସେହି ଦିନରେ ଓ ସେହି ସମୟରେ,

     ଯେତେବେଳେ ଆମ୍ଭେ ଯିହୁଦା ଓ ଯିରୂଶାଲମର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା,

     2 ସେତେବେଳେ ଆମ୍ଭେ ଯାବତୀୟ ଗୋଷ୍ଠୀଙ୍କୁ ସଂଗ୍ରହ କରି

     ସେମାନଙ୍କୁ ଯିହୋଶାଫଟ୍‍ (ସଦାପ୍ରଭୁଙ୍କ ବିଚାର) ଉପତ୍ୟକାକୁ ଓହ୍ଲାଇ ଆଣିବା;

     ଆଉ, ସେମାନଙ୍କ ସଙ୍ଗେ ଆମ୍ଭ ଲୋକମାନଙ୍କର

     ଓ ଆମ୍ଭ ଅଧିକାର ଇସ୍ରାଏଲ ସପକ୍ଷରେ ବାଦାନୁବାଦ କରିବା,

     କାରଣ ସେମାନେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରି

     ଆମ୍ଭର ଦେଶ ବିଭାଗ କରିଅଛନ୍ତି।

     3 ପୁଣି, ସେମାନେ ଆମ୍ଭ ଲୋକମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି

     ଓ ଏକ ବେଶ୍ୟା ପାଇଁ ଏକ ବାଳକ ଦେଇଅଛନ୍ତି

     ଓ ପାନ କରିବା ନିମନ୍ତେ ଦ୍ରାକ୍ଷାରସ ପାଇଁ ବାଳିକା ବିକ୍ରୟ କରିଅଛନ୍ତି।

     4 ଆହୁରି, ହେ ସୋର, ସୀଦୋନ ଓ ପଲେଷ୍ଟୀୟାର ସକଳ ଅଞ୍ଚଳ,

     ତୁମ୍ଭେମାନେ ଆମ୍ଭ ପ୍ରତି କଅଣ କରିବ ?

     ତୁମ୍ଭେମାନେ କି ଆମ୍ଭକୁ ପ୍ରତିଫଳ ଦେବ ?

     ଓ ତୁମ୍ଭେମାନେ ଆମ୍ଭକୁ ପ୍ରତିଫଳ ଦେଲେ,

     ଆମ୍ଭେ ଅବିଳମ୍ବରେ ଓ ଅତି ଶୀଘ୍ରରେ ତୁମ୍ଭମାନଙ୍କର ପ୍ରତିଫଳ

     ତୁମ୍ଭମାନଙ୍କର ନିଜ ମସ୍ତକରେ ବର୍ତ୍ତାଇବା।

     5 କାରଣ ତୁମ୍ଭେମାନେ ଆମ୍ଭର ରୂପା ଓ ସୁନା ହରଣ କରିଅଛ,

     ଆଉ ଆମ୍ଭର ଉତ୍ତମ ମନୋହର ପଦାର୍ଥମାନ

     ଆପଣାମାନଙ୍କର ମନ୍ଦିରକୁ ବହି ନେଇ ଯାଇଅଛ;

     6 ଆହୁରି ଯିହୁଦାର ସନ୍ତାନଗଣକୁ ଓ ଯିରୂଶାଲମର ସନ୍ତାନଗଣକୁ

     ସେମାନଙ୍କ ସୀମାରୁ ଦୂର କରିବା ନିମନ୍ତେ

     ଗ୍ରୀସ୍‍ର ସନ୍ତାନଗଣ ନିକଟରେ ସେମାନଙ୍କୁ ବିକ୍ରୟ କରିଅଛ।

     7 ଦେଖ, ତୁମ୍ଭେମାନେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ରୟ କରିଅଛ,

     ଆମ୍ଭେ ସେମାନଙ୍କର ପ୍ରବୃତ୍ତି ଜନ୍ମାଇ ସେହି ସ୍ଥାନରୁ ବାହାର କରିବା

     ଓ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ମସ୍ତକରେ ବର୍ତ୍ତାଇବା;

     8 ପୁଣି, ଆମ୍ଭେ ତୁମ୍ଭମାନଙ୍କର ପୁତ୍ରଗଣ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ

     ଯିହୁଦାର ସନ୍ତାନଗଣର ହସ୍ତରେ ବିକ୍ରୟ କରିବା,

     ତହିଁରେ ସେମାନେ ସେମାନଙ୍କୁ

     ଦୂର ଗୋଷ୍ଠୀୟ ଶିବାୟୀୟ ଲୋକମାନଙ୍କ ନିକଟରେ ବିକ୍ରୟ କରିବେ;

     କାରଣ ସଦାପ୍ରଭୁ ଏହା କହିଅଛନ୍ତି।

     9 ତୁମ୍ଭେମାନେ ଗୋଷ୍ଠୀବର୍ଗ ମଧ୍ୟରେ ଏହି କଥା ପ୍ରଚାର କର;

     ଯୁଦ୍ଧ ଆୟୋଜନ କର; ବୀରମାନଙ୍କର ପ୍ରବୃତ୍ତି ଜନ୍ମାଅ;

     ଯୋଦ୍ଧା ସମସ୍ତେ ନିକଟକୁ ଆସି ଉପସ୍ଥିତ ହେଉନ୍ତୁ।

     10 ତୁମ୍ଭେମାନେ ଆପଣା ଆପଣା ଲଙ୍ଗଳର ଫାଳ ଭାଙ୍ଗି ଖଡ୍ଗ ଗଢ଼ାଅ

     ଓ ଆପଣା ଆପଣା ଦାଆ ଭାଙ୍ଗି ବର୍ଚ୍ଛା ଗଢ଼:

     ଦୁର୍ବଳ ଲୋକ କହୁ, “ମୁଁ ବଳବାନ।”

     11 ହେ ଚତୁର୍ଦ୍ଦିଗସ୍ଥ ଗୋଷ୍ଠୀସକଳ,

     ତୁମ୍ଭେମାନେ ଚଞ୍ଚଳ ହୋଇ ଆସ ଓ ଆପଣାମାନଙ୍କୁ ଏକତ୍ର କର;

     ହେ ସଦାପ୍ରଭୁ, ସେହି ସ୍ଥାନକୁ ତୁମ୍ଭେ ଆପଣା ବୀରଗଣକୁ ଓହ୍ଳାଇ ଆଣ।

     12 ଗୋଷ୍ଠୀବର୍ଗ ଉଦ୍‍ଯୋଗୀ ହୋଇ ଉଠନ୍ତୁ

     ଓ ଯିହୋଶାଫଟ୍‍ର ଉପତ୍ୟକାକୁ ଆସନ୍ତୁ;

     କାରଣ ସେସ୍ଥାନରେ ଆମ୍ଭେ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀର

     ବିଚାର କରିବା ପାଇଁ ବସିବା।

     13 ତୁମ୍ଭେମାନେ ଦା ଲଗାଅ କାରଣ ଶସ୍ୟ ପାଚିଅଛି;

     ତୁମ୍ଭେମାନେ ଆସି ଦଳନ କର;

     କାରଣ ଦ୍ରାକ୍ଷାଯନ୍ତ୍ର ପୂର୍ଣ୍ଣ ହୋଇଅଛି, କୁଣ୍ଡସବୁ ଉଚ୍ଛୁଳି ପଡ଼ୁଅଛି;

     କାରଣ ସେମାନଙ୍କର ଦୁଷ୍ଟତା ବଡ଼।

     14 ଦଣ୍ଡାଜ୍ଞାର ଉପତ୍ୟକାରେ ଲୋକାରଣ୍ୟ, ଲୋକାରଣ୍ୟ !

     କାରଣ ଦଣ୍ଡାଜ୍ଞାର ଉପତ୍ୟକାରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ ହୋଇଅଛି।

     15 ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୋଇଅଛନ୍ତି

     ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରୁଅଛନ୍ତି।

ଯିହୁଦାର ଗୌରବମୟ ଭବିଷ୍ୟତ

     16 ପୁଣି, ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ

     ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ;

     ତହିଁରେ ଆକାଶମଣ୍ଡଳ ଓ ପୃଥିବୀ କମ୍ପିତ ହେବେ;

     ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟ ହେବେ

     ଓ ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗ ହେବେ।

     17 “ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ

     ଓ ଆପଣା ପବିତ୍ର ପର୍ବତ ସିୟୋନରେ ବାସ କରୁ, ଏହା ତୁମ୍ଭେମାନେ ଜାଣିବ;

     ତହିଁରେ ଯିରୂଶାଲମ ପବିତ୍ର ହେବ ଓ ବିଦେଶୀୟମାନେ

     ତହିଁ ମଧ୍ୟଦେଇ ଆଉ ଗମନାଗମନ କରିବେ ନାହିଁ।

     18 ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବେ,

     ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ

     ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ;

     ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ,

     ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।

     19 ଯିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ

     ମିସର ଧ୍ୱଂସସ୍ଥାନ ହେବ ଓ ଇଦୋମ ଧ୍ୱଂସିତ ପ୍ରାନ୍ତର ହେବ,

     କାରଣ ସେମାନେ ଆପଣାମାନଙ୍କ ଦେଶରେ

     ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି।

     20 ମାତ୍ର ଯିହୁଦା ଚିରକାଳ ଓ ଯିରୂଶାଲମ ପୁରୁଷାନୁକ୍ରମେ ରହିବ।

     21 ପୁଣି, ଆମ୍ଭେ ସେମାନଙ୍କର ଯେଉଁ ରକ୍ତକୁ ନିର୍ଦ୍ଦୋଷ କରି ନାହୁଁ,

     ତାହା ନିର୍ଦ୍ଦୋଷ କରିବା।”

     କାରଣ ସଦାପ୍ରଭୁ ସିୟୋନରେ ବାସ କରନ୍ତି।