ଓଡ଼ିଆ: Open Bible Stories

Updated ? hours ago # views See on DCS

21. ପରମେଶ୍ଵର ଖ୍ରୀଷ୍ଟଙ୍କ ପ୍ରତିଜ୍ଞା କରନ୍ତି

Image

ଆରମ୍ଭରୁ ହିଁ ଈଶ୍ବର ଖ୍ରୀଷ୍ଟଙ୍କୁ ପ୍ରେରଣ କରିବା ନିମନ୍ତେ ଯୋଜନା କରିଥିଲେ । ଖିଷ୍ଟଙ୍କ ବିଷୟରେ ପ୍ରଥମ ପ୍ରତିଜ୍ଞା ଆଦମ ଓ ହବାଙ୍କ ନିକଟକୁ ଆସିଥିଲା । ଈଶ୍ବର ପ୍ରତିଜ୍ଞା କଲେ ଯେ ହବାଙ୍କ ବଂଶରୁ ଜଣେ ଜନ୍ମଗ୍ରହଣ କରିବେ ଯିଏ ସର୍ପର ମସ୍ତକକୁ ଚୂର୍ଣ୍ଣ କରିବେ । ହବାଙ୍କୁ ଯେଉଁ ସର୍ପ ପ୍ରତାରଣା କରିଥିଲା ସେ ଶୟତାନ ଥିଲା । ପ୍ରତିଜ୍ଞାର ଅର୍ଥ ଥିଲା ଯେ ଖ୍ରୀଷ୍ଟ ଶୟତାନକୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିବେ ।

Image

ଈଶ୍ବର ଅବ୍ରାହାମଙ୍କୁ ପ୍ରତିଜ୍ଞା କରି କହିଥିଲେ ଯେ ତାଙ୍କ ଦ୍ବାରା ପୃଥିବୀର ସମସ୍ତ ଲୋକଦଳ ଆଶୀର୍ବାଦ ପ୍ରାପ୍ତ ହେବେ । ଏହି ଆଶୀର୍ବାଦ ସମ୍ପୁର୍ଣ ହେବ ଯେତେବେଳେ ଖ୍ରୀଷ୍ଟ ଭବିଷ୍ୟତରେ ଦିନେ ଆସିବେ । ପୃଥିବୀରେ ଥିବା ପ୍ରତି ଲୋକଦଳ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ସେ ଏହା ସମ୍ଭବ କରିବେ ।

Image

ଈଶ୍ବର ମୋଶାଙ୍କୁ ପ୍ରତିଜ୍ଞା କରି କହିଲେ ଯେ ଭବିଷ୍ୟତରେ ସେ ମୋଶାଙ୍କ ପରି ଜଣେ ଭାବବାଦୀଙ୍କୁ ଠିଆ କରିବେ । ଖ୍ରୀଷ୍ଟଙ୍କ ବିଷୟରେ ଏହା ଅନ୍ୟ ଏକ ପ୍ରତିଜ୍ଞା ଯିଏ ପରବର୍ତ୍ତୀ ସମୟରେରେ ଦିନେ ଆସିବେ ।

Image

ଈଶ୍ବର ରାଜା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ ଯେ ତାଙ୍କ ବଂଶଧରଙ୍କ ମଧ୍ୟରୁ ଜଣେ ଈଶ୍ବରଙ୍କ ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ରାଜା ହେବେ । ତାହା ଏପରି ବୁଝାଜାଏ ଯେ ଖ୍ରୀଷ୍ଟ ରାଜା ଦାଉଦଙ୍କର ବଂଶଧରଙ୍କ ମଧ୍ୟରୁ ଜଣେ ହେବେ ।

Image

ଯିଯିରିମିୟ ଭାବବାଦୀଙ୍କ ଦ୍ବାରା ଈଶ୍ବର ପ୍ରତିଜ୍ଞା କଲେ ଯେ ସେ ଏକ ନୂତନ ନିୟମ କରିବେ, କିନ୍ତୁ ଈଶ୍ବର ଇସ୍ରାୟେଲ ସହିତ ସୀନୟ ପର୍ବତରେ ଯେଉଁ ନିୟମ କରିଥିଲେ ସେପରି ନିୟମ ନୁହେଁ । ନୂତନ ନିୟମରେ, ଈଶ୍ବର ଲୋକମାନଙ୍କ ହୃଦୟରେ ତାହାଙ୍କ ବ୍ୟବସ୍ଥା ଲେଖିବେ, ଲୋକମାନେ ବ୍ୟକ୍ତିଗତ ଭାବରେ ଈଶ୍ବରଙ୍କୁ ଜାଣିବେ, ସେମାନେ ତାଙ୍କ ଲୋକ ହେବେ ଏବଂ ଈଶ୍ବର ସେମାନଙ୍କର ପାପକୁ କ୍ଷମା କରିବେ । ଖ୍ରୀଷ୍ଟ ନୂତନ ନିୟମ ଆରମ୍ଭ କରିବେ ।

Image

ଈଶ୍ବରଙ୍କ ଭାବବାଦୀ ଆହୁରି ମଧ୍ୟ କହିଲେ ଯେ ଖ୍ରୀଷ୍ଟ ଜଣେ ଭାବବାଦୀ, ଯାଜକ ଏବଂ ରାଜା ମଧ୍ୟ ହେବେ । ଭାବବାଦୀ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଈଶ୍ବରଙ୍କ ବାକ୍ୟ ଶୁଣି ସେହି ବାକ୍ୟକୁ ଲୋକମାନଙ୍କ ମଧ୍ୟରେ ଘୋଷଣା କରନ୍ତି । ଈଶ୍ବର ପଠାଇବାକୁ ପ୍ରତିଜ୍ଞା କରିଥିବା ଖ୍ରୀଷ୍ଟ ଜଣେ ସିଦ୍ଧ ଭାବବାଦୀ ହେବେ ।

Image

ଇସ୍ରାଏୟେଲୀୟ ଯାଜକମାନେ ଈଶ୍ବରଙ୍କ ନିକଟରେ ଲୋକମାନଙ୍କ ପକ୍ଷରୁ ସେମାନଙ୍କ (ଲୋକମାନଙ୍କ) ପାପର ଦଣ୍ଡର ପ୍ରତିବଦଳ ସ୍ବରୂପ ବଳିଦାନ ଉତ୍ସର୍ଗ କରୁଥିଲେ । ଯାଜକମାନେ ମଧ୍ୟ ଲୋକମାନଙ୍କ ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ । ମଶୀହ ହେଉଛନ୍ତି ସିଦ୍ଧ ମହାଯାଜକ ଯିଏ ନିଜକୁ ଈଶ୍ବରଙ୍କର ଏକ ସିଦ୍ଧ ବଳିଦାନ ଭାବରେ ଉତ୍ସର୍ଗ କଲେ ।

Image

ଏକ ରାଜା ସେହି ବ୍ୟକ୍ତି ଅଟନ୍ତି ଯିଏ ଏକ ରାଜ୍ୟ ଉପରେ ଶାସନ କରନ୍ତି ଓ ତାଙ୍କ ଲୋକମାନଙ୍କର ବିଚାର କରନ୍ତି । ଖ୍ରୀଷ୍ଟ ଜଣେ ସିଦ୍ଧ ରାଜା ହେବେ ଯିଏ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ସିଂହାସନରେ ବସିବେ । ସେ ସମଗ୍ର ପୃଥିବୀରେ ଚିରକାଳ ରାଜତ୍ବ କରିବେ, ଏବଂ ସର୍ବଦା ସଚ୍ଚୋଟ ଭାବେ ବିଚାର କରିବେ ଏବଂ ସଠିକ୍ ନିଷ୍ପତ୍ତିଗୁଡିକ ନେବେ ।

Image

ଈଶ୍ବରଙ୍କ ଭାବବାଦୀଗଣ ଅନେକ ଅନ୍ୟ ବିଷୟଗୁଡିକ ଖ୍ରୀଷ୍ଟଙ୍କ ବିଷୟରେ ଭାବବାଣୀ କରିଥିଲେ । ଭାବବାଦୀ ମଲାଖି ପୂର୍ବରୁ କହିଥିଲେ ଯେ ମଶୀହ ଆସିବା ପୂର୍ବରୁ ଜଣେ ମହାନ୍ଭାବବାଦୀ ଆସିବେ । ଭାବବାଦୀ ଯିଶାଇୟ ଭାବବାଣୀ କରିଥିଲେ ଯେ ଖ୍ରୀଷ୍ଟ ଜଣେ କୁମାରୀଙ୍କ ଗର୍ଭରୁ ଜନ୍ମ ହେବେ । ମୀଖା ଭାବବାଦୀ କହିଲେ ଯେ ସେ ବେଥଲିହିମ ସହରରେ ଜନ୍ମଗ୍ରହଣ କରିବେ ।

Image

ଯିଶାଇୟ ଭାବବାଦୀ କହିଲେ ଯେ ଖ୍ରୀଷ୍ଟ ଗାଲିଲୀରେ ବାସ କରିବେ, ଭଗ୍ନ ହୃଦୟମାନଙ୍କୁ ସାନ୍ତ୍ବନା ଦେବେ, ଏବଂ ବନ୍ଦୀମାନଙ୍କର ମୁକ୍ତି ଘୋଷଣା କରିବେ ଏବଂ ବନ୍ଦୀମାନଙ୍କୁ ମୁକ୍ତ କରିବେ । ସେ ଆହୁରି ମଧ୍ୟ ଭାବବାଣୀ ପ୍ରକାଶ କରି କହିଲେ ଯେ ସେ ପୀଡିତମାନଙ୍କୁ ଯେଉମାନେ ଶୁଣି, ଦେଖି, କହି, ଏବଂ ଚାଲି ପାରନ୍ତି ନାହିଁ, ସେମାନଙ୍କୁ ସୁସ୍ଥ କରିବେ ।

Image

ଭାବବାଦୀ ଯିଶାଇୟ ମଧ୍ୟ ଭାବବାଣୀ ପ୍ରକାଶ କରି କହିଲେ ଯେ ଖ୍ରୀଷ୍ଟଙ୍କୁ ଘୃଣା କରାଯିବ ଓ ବିନା କାରଣରେ ପ୍ରତ୍ୟାଖ୍ୟାନ କରାଯିବ । ଅନ୍ୟ ଭାବବାଦୀମାନେ ଭାବବାଣୀ ପ୍ରକାଶ କରି କହିଲେ ଯେ ଯେଉଁମାନେ ଖ୍ରୀଷ୍ଟଙ୍କୁ ହତ୍ୟା କଲେ ସେମାନେ ତାଙ୍କ ବସ୍ତ୍ର ନିମନ୍ତେ ଗୁଲିବାଣ୍ଟ କରିବେ ଏବଂ ଜଣେ ବନ୍ଧୁ ତାଙ୍କ ପ୍ରତି ବିଶ୍ବାସଘାତ କରିବେ । ଯିଖରିୟ ଭାବବାଦୀ ଭାବବାଣୀ କରି କହିଲେ ଯେ ଖ୍ରୀଷ୍ଟଙ୍କୁ ବିଶ୍ବାସଘାତ କରିବା ନିମନ୍ତେ ସେହି ବନ୍ଧୁଙ୍କୁ ତିରିଶିଗୋଟି ରୁପା ମୁଦ୍ରା ପ୍ରଦାନ କରାଯିବ ।

Image

ଭାବବାଦୀମାନେ ଆହୁରି ମଧ୍ୟ କହିଥିଲେ ଖ୍ରୀଷ୍ଟ କିପରି ମୃତ୍ୟୁବରଣ କରିବେ । ଯିଶାଇୟ ଭାବବାଣୀ ପ୍ରକାଶ କରି କହିଲେ ଯେ ଲୋକମାନେ ଖ୍ରୀଷ୍ଟଙ୍କ ଉପରେ ଛେପ ପକାଇବେ, ତାଙ୍କୁ ପରିହାସ କରିବେ, ଏବଂ ତାଙ୍କୁ ମାରିବେ (ବିଧା, ଗୋଇଠା ଇତ୍ୟାଦି) । ସେମାନେ ତାଙ୍କୁ ବିଦ୍ଧ କରିବେ ଏବଂ ସେ ଅତି ତାଡନା ଓ ଯନ୍ତ୍ରଣାରେ ମୃତ୍ୟୁବରଣ କରିବେ ଯଦିଓ ସେ କୌଣସି ଭୁଲ୍ କରି ନ ଥିଲେ ।

Image

ଭାବବାଦୀମାନେ ଆହୁରି ମଧ୍ୟ କହିଲେ ଯେ ଖ୍ରୀଷ୍ଟ ସିଦ୍ଧ ହେବେ ଯାହାଙ୍କର କୌଣସି ପାପ ନ ଥିବ । ସେ ଅନ୍ୟ ଲୋକମାନଙ୍କ ପାପର ଦଣ୍ଡ ପାଇବା ନିମନ୍ତେ ମୃତ୍ୟୁବରଣ କରିବେ । ତାହାଙ୍କ ଦଣ୍ଡ ଈଶ୍ବର ଓ ଲୋକମାନଙ୍କ ମଧ୍ୟରେ ଶାନ୍ତି ଆଣିବ । ଏହି କାରଣ ଯୋଗୁଁ, ଖ୍ରୀଷ୍ଟଙ୍କୁ ବିଦ୍ଧ କରିବା ନିମନ୍ତେ ଈଶ୍ବରଙ୍କର ଇଛା ଥିଲା ।

Image

ଭାବବାଦୀମାନେ ଭାବବାଣୀରେ ପ୍ରକାଶ କଲେ ଯେ ଖ୍ରୀଷ୍ଟ ମୃତ୍ୟୁବରଣ କରିବେ ଏବଂ ଈଶ୍ବର ତାହାଙ୍କୁ ମୃତ୍ୟୁରୁ ଉଠାଇବେ । ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଦ୍ବାରା ପାପୀମାନଙ୍କୁ ଉଦ୍ଧାର କରିବା ଏବଂ ଏକ ନୂତନ ନିୟମ ଆରମ୍ଭ କରିବା ପାଇଁ ଈଶ୍ବର ତାହାଙ୍କ ଯୋଜନାକୁ ସଫଳ କରିବେ ।

Image

ଈଶ୍ବର ଖ୍ରୀଷ୍ଟଙ୍କ ବିଷୟରେ ଭାବବାଦୀମାନଙ୍କୁ ଅନେକ ବିଷୟ ପ୍ରକାଶ କଲେ, କିନ୍ତୁ ଖ୍ରୀଷ୍ଟ ଏହି ସମସ୍ତ ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣଙ୍କ ସମୟରେ ସୁଦ୍ଧା ଆସି ନଥିଲେ । ଏହି ସମସ୍ତ ଭାବବାଣୀଗୁଡିକ ଦିଆହେବାର ୪୦୦ ରୁ ଅଧିକ ବର୍ଷ ପରେ, ସଠିକ୍ ସମୟରେ, ଈଶ୍ବର ଜଗତକୁ ଖ୍ରୀଷ୍ଟଙ୍କୁ ପଠାଇଲେ ।

ବାଇବଲର ଏକ କାହାଣୀ: ଆଦି 3:15; 12:1-3; _ ଦ୍ବିତୀୟ ବିବରଣ 18:15; 2 _ ଶାମୁୟେଲ_ 7; _ ଯିରିମିୟ_ 31; _ ଯିଶାଇୟ_ 59:16; _ ଦାନିୟେଲ_ 7; _ ମଲାଖି 4:5; _ ଯିଶାଇୟ 7:14; _ ମୀଖା 5:2; _ ଯିଶାଇୟ 9:1-7; 35:3-5; 61; 53; _ ଗୀତସଂହିତା 22:18; 35:19; 69:4; 41:9; _ ଯିଖରିୟ 11:12-13; ଯିଶାଇୟ _50:6; _ ଗୀତସଂହିତା 16:10-11_