26. ଯୀଶୁ ତାହାଙ୍କ ସେବାକାର୍ଯ୍ୟ ଆରମ୍ଭ କରନ୍ତି

ଶୟତାନର ପ୍ରଲୋଭନ ଉପରେ ଜୟଲାଭ କଲାପରେ, ଯୀଶୁ ପବିତ୍ରଆତ୍ମାଙ୍କ ଶକ୍ତିରେ ସେ ବାସ କରୁଥିବା ଗାଲିଲୀ ଅଞ୍ଚଳକୁ ବାହୁଡିଲେ । ଯୀଶୁ ଶିକ୍ଷା ଦେଇ ସ୍ଥାନକୁ ସ୍ଥାନ ଭ୍ରମଣ କଲେ । ସମସ୍ତେ ତାଙ୍କ ବିଷୟରେ ଉତ୍ତମ ବିଷୟ କହିଲେ ।

ଯୀଶୁ ଯେଉଁ ନାଜରିତରେ ନିଜ ବାଲ୍ୟକାଳରୁ ରହୁଥିଲେ, ସେହି ନଗରକୁ ଗଲେ । ବିଶ୍ରାମବାରରେ ସେ ଉପାସନାର ସ୍ଥାନକୁ ଗଲେ । ତାହାଙ୍କ ହାତରେ ନଳାକାର ପୁସ୍ତକ (ସେହି ସମୟରେ ଥିବା ପୁରାତନ ନିୟମ) ଦିଆଗଲା ଯେପରିକି ସେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ପାଠ କରିବେ । ଯୀଶୁ ନଳାକାର ପୁସ୍ତକକୁ ଖୋଲିଲେ ସେଥିର କିଛି ଅଂଶକୁ ଲୋକମାନଙ୍କ ସମ୍ମୁଖରେ ପାଠ କଲେ ।

ଯୀଶୁ ପାଠ କଲେ “ଈଶ୍ବର ତାହାଙ୍କ ଆତ୍ମା ମୋତେ ପ୍ରଦାନ କରିଅଛନ୍ତି ଯେପରିକି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାର, ବନ୍ଦୀମାନଙ୍କୁ ମୁକ୍ତିର ବିଷୟ, ଅନ୍ଧମାନଙ୍କୁ ଚକ୍ଷୁଲାଭର ବିଷୟ, ଏବଂ ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବା ବିଷୟ ଘୋଷଣା କରିବି । ଏହା ସଦାପ୍ରଭୁଙ୍କ ଅନୁଗରହର ବର୍ଷ ।”

ତା’ପରେ ଯୀଶୁ ବସିଲେ । ସମସ୍ତ ଚକ୍ଷୁ ତାହାଙ୍କ ଉପରେ ଥିଲା । ଯୀଶୁ ଶାସ୍ତ୍ରର ଯେଉଁ ଅଂଶ ପାଠ କରିଥିଲେ ତାହା ଖ୍ରୀଷ୍ଟଙ୍କୁ ସୂଚୀତ କରୁଥିବାର ସେମାନେ ଜାଣିପାରିଲେ । ଯୀଶୁ କହିଲେ “ମୁଁ ଯେଉଁ ବାକ୍ୟ ପାଠ କଲି ତାହା ବର୍ତ୍ତମାନ ଘଟୁଅଛି ।” ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଲେ । ସେମାନେ କହିଲେ “ଏ କ’ଣ ଯୋଷେଫର ପୁତ୍ର ନୁହେଁ?”

ତା’ପରେ ଯୀଶୁ କହିଲେ “ଏହା ସତ୍ୟ ଯେ କୌଣସି ଭାବବାଦୀ ନିଜ ନଗରରେ ଗ୍ରହଣଯୋଗ୍ୟ ନୁହନ୍ତି । ଏଲୀୟ ଭାବବାଦୀଙ୍କ ସମୟରେ ଇସ୍ରାୟେଲ ମଧ୍ୟରେ ଅନେକ ବିଧବା ଥିଲେ । କିନ୍ତୁ ଯେତେବେଳେ ସାଢେ ତିନି ବର୍ଷା ହେଲାନାହିଁ ସେତେବେଳେ ଈଶ୍ବର ଏଲୀୟଙ୍କୁ ଇସ୍ରାୟେଲରେ ଥିବା କୌଣସି ବିଧବା ନିକଟକୁ ପ୍ରେରଣ ନ କରି ଭିନ୍ନ ଏକ ଦେଶରେ ଥିବା ବିଧବା ନିକଟକୁ ପ୍ରେରଣ କରିଥିଲେ ।”

ଯୀଶୁ କହି ଚାଲିଲେ “ଏବଂ ଇଲିଶାୟ ଭାବବାଦୀଙ୍କ ସମୟରେ ଚର୍ମରୋଗ ଥିବା ଅନେକେ ଇସ୍ରାୟେଲରେ ଥିଲେ । କିନ୍ତୁ ଇଲୀଶାୟ ସେମାନଙ୍କ ମଧ୍ୟରୁ କାହାକୁ ସୁସ୍ଥ କରି ନ ଥିଲେ । ସେ ଇସ୍ରାୟେଲର ଶତ୍ରୁ ଦେଶରେ ଏକ ସେନାପତି ନାମାନଙ୍କ ଚର୍ମରୋଗ କେବଳ ସୁସ୍ଥ କରିଥିଲେ । ଯେଉଁ ଲୋକମାନେ ଯୀଶୁଙ୍କ କଥା ଶୁଣୁଥିଲେ ସେ ସମସ୍ତେ ଯିହୂଦୀ ଥିଲେ । ତେଣୁ ସେମାନେ ଯେତେବେଳେ ଏହା କହିବାର ଶୁଣିଲେ, ସେମାନେ ତାଙ୍କ ଉପରେ ଅତିଶୟ କ୍ରୋଧ କରିଥିଲେ ।

ନାଜରିତରେ ଥିବା ଲୋକେ ଉପାସନାର ସ୍ଥାନରୁ ଯୀଶୁଙ୍କୁ ବାହାର କରି ହତ୍ୟା କରିବା ନିମନ୍ତେ ଏକ ଶୀର୍ଷରୁ ଫିଙ୍ଗିବା ପାଇଁ ସେଠାକୁ ଆଣିଲେ । କିନ୍ତୁ ଯୀଶୁ ଜନଗହଳି ମଧ୍ୟ ଦେଇ ଚାଲିଗଲେ ଓ ନାଜରିତ ସହର ପରିତ୍ୟାଗ କଲେ ।

ତା’ପରେ ଯୀଶୁ ଗାଲିଲୀ ଅଞ୍ଚଳକୁ ଗଲେ, ବହୁ ଜନଗହଳି ତାଙ୍କ ନିକଟକୁ ଆସିଲେ । ଯେଉଁ ଲୋକମାନେ ଦେଖିପାରୁନଥିଲେ, ଚାଲିପାରୁନଥିଲେ, ଶୁଣିପାରୁନଥିଲେ ଏମାନଙ୍କ ସମେତ ସେମାନେ ଅନେକ ପୀଡିତ ଓ ଶାରିରୀକ ଅକ୍ଷମ ଲୋକମାନଙ୍କୁ ଆଣିଲେ ।

ଭୂତଗ୍ରସ୍ତ ଲୋକମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଯାଉଥିଲା । ଯୀଶୁଙ୍କ ଆଦେଶରେ ଭୂତମାନେ ଲୋକମାନଙ୍କଠାରୁ ବାହାରି ଆସୁଥିଲେ, ଏବଂ ଅନେକ ସମୟରେ ସେମାନେ ଚିତ୍କାର କରୁଥିଲେ “ତୁମ୍ଭେ ଈଶ୍ବରଙ୍କ ପୁତ୍ର!” ବହୁଜଣ ଆଶ୍ଚର୍ଯ୍ୟ ହେଉଥିଲେ ଏବଂ ଈଶ୍ବରଙ୍କର ଉପାସନା କରୁଥିଲେ ।

ତା’ପରେ ଯୀଶୁ ବାରଜଣ ବ୍ୟକ୍ତିମାନଙ୍କୁ ମନୋନୀତ କଲେ ଯେଉଁମାନଙ୍କୁ ପ୍ରେରିତ ଶିଷ୍ୟ କୁହାଯାଉଥିଲା । ଶିଷ୍ୟମାନେ ଯୀଶୁଙ୍କ ସହ ଗମନ କରୁଥିଲେ ଏବଂ ତାଙ୍କଠାରୁ ଶିଖୁଥିଲେ ।
ବାଇବଲର ଏକ କାହାଣୀ: ମାଥିଉ_ 4:12-25; _ ମାର୍କ_ 1:14-15, 35-39; 3:13-21; _ ଲୂକ_ 4:14-30, 38-44_