48. ଯୀଶୁ ହେଉଛନ୍ତି ପ୍ରତିଜ୍ଞାତ ଖ୍ରୀଷ୍ଟ

ଈଶ୍ବର ଯେତେବେଳେ ପୃଥିବୀ ସୃଷ୍ଟି କଲେ, ସେତେବେଳେ ସମସ୍ତ ବିଷୟ ସିଦ୍ଧ ଥିଲା । ସେତେବେଳେ କୌଣସି ପାପ ନ ଥିଲା । ଆଦମ ଓ ହବା ପରସ୍ପରକୁ ଭଲ ପାଉଥିଲେ ଏବଂ ସେମାନେ ଈଶ୍ବରଙ୍କୁ ପ୍ରେମ କରୁଥିଲେ । ସେତେବେଳେ କୌଣସି ଅସୁସ୍ଥତା ବା ମୃତ୍ୟୁ ନ ଥିଲା । ପୃଥିବୀ ଏପରି ହିଁ ହେଉ ବୋଲି ଈଶ୍ବର ଚାହୁଁଥିଲେ ।

ହବାଙ୍କୁ ପ୍ରତାରିତ କରିବା ନିମନ୍ତେ ଶୟତାନ ଏକ ସର୍ପ ଦ୍ବାରା କଥା କହିଲା । ତା’ ପରେ ସେ ଓ ଆଦମ ଈଶ୍ବରଙ୍କ ବିରୁଦ୍ଧରେ ପାପ କଲେ । ଯେହେତୁ ସେମାନେ ପାପ କଲେ, ସେଥିପାଇଁ ପୃଥିବୀରେ ଥିବା ସମସ୍ତେ ଅସୁସ୍ଥ ହୁଅନ୍ତି ଓ ସମସ୍ତେ ମୃତ୍ୟୁଭୋଗ କରନ୍ତି ।

ଯେହେତୁ ଆଦମ ଓ ହବା ପାପ କଲେ, ଏହାଠାରୁ ଆହୁରି କିଛି ଭୟଙ୍କର ବିଷୟ ଘଟିଲା । ସେମାନେ ଈଶ୍ବରଙ୍କର ଶତ୍ରୁ ହେଲେ । ଏହାର ଫଳ ସ୍ବରୂପ, ସେହି ଦିନ ଠାରୁ ଜନ୍ମ ହେଉଥିବା ପ୍ରତ୍ୟେକ ମନୁଷ୍ୟ ପାପ ସ୍ବଭାବରେ ଜନ୍ମ ନିଅନ୍ତି ଏବଂ ଈଶ୍ବରଙ୍କର ଶତ୍ରୁ ହୁଅନ୍ତି । ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ପାପ ଦ୍ବାରା ଭଙ୍ଗ ହୋଇଥିଲା । କିନ୍ତୁ ସେହି ସମ୍ପର୍କକୁ ପୁନଃସ୍ଥାପିତ କରିବା ନିମନ୍ତେ ଈଶ୍ବର ଏକ ଯୋଜନା କରିଥିଲେ ।

ଈଶ୍ବର ପ୍ରତିଜ୍ଞା କରି କହିଥିଲେ ଯେ ହବାଙ୍କ ବଂଶରୁ ଜନ୍ମିତ ଜଣେ ଶୟତାନର ମସ୍ତକକୁ ଚୂର୍ଣ୍ଣ କରିବେ, ଏବଂ ଶୟତାନ ତାଙ୍କ ଗୋଇଠିକୁ କ୍ଷତ କରିବ । ଏହାର ଅର୍ଥ ହେଉଛି ଯେ ଶୟତାନ ଖ୍ରୀଷ୍ଟଙ୍କୁ ମାରିବ, କିନ୍ତୁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇବେ, ଏବଂ ତା’ପରେ ଖ୍ରୀଷ୍ଟ ଚିରଦିନ ନିମନ୍ତେ ଶୟତାନର ଶକ୍ତିକୁ ଚୂର୍ଣ୍ଣ କରିବେ । ଅନେକ ବର୍ଷ ପରେ, ଈଶ୍ବର ପ୍ରକାଶ କଲେ ଯେ ଯୀଶୁ ହିଁ ହେଉଛନ୍ତି ସେହି ଖ୍ରୀଷ୍ଟ ।

ଈଶ୍ବର ଯେତେବେଳେ ଏକ ଜଳପ୍ଳାବନ ଦ୍ବାରା ସମଗ୍ର ପୃଥିବୀକୁ ବିନଷ୍ଟ କଲେ, ସେତେବେଳେ ଯେଉଁମାନେ ତାଙ୍କଠାରେ ବିଶ୍ବାସ କଲେ ସେମାନଙ୍କୁ ରକ୍ଷା ନିମନ୍ତେ ଜାହାଜ ଯୋଗାଇଲେ । ଠିକ୍ ସେହିପରି ଭାବରେ, ପ୍ରତ୍ୟେକ ମନୁଷ୍ୟ ସେମାନଙ୍କ ନିଜ ନିଜ ପାପ ନିମନ୍ତେ ବିନଷ୍ଟ ହେବାର ଯୋଗ୍ୟ ଥିଲେ, କିନ୍ତୁ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କୁ ରକ୍ଷା କରିବା ନିମନ୍ତେ ଈଶ୍ବର ଯୀଶୁଙ୍କୁ ଯୋଗାଇଲେ।

ଶହ ଶହ ବର୍ଷ ଧରି ଲୋକମାନେ ସେମାନଙ୍କ ପାପ ଯୋଗୁଁ ଯେଉଁ ଦଣ୍ଡର ଯୋଗ୍ୟ ଥିଲେ ତାହା ଦେଖାଇବା ନିମନ୍ତେ ଯାଜକମାନେ ନିରନ୍ତର ଈଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କରୁଥିଲେ । କିନ୍ତୁ ସେହି ସମସ୍ତ ବଳିଦାନ ସେମାନଙ୍କର ପାପକୁ ଦୂର କରିପାରୁନଥିଲା । ଯୀଶୁ ହେଉଛି ମହାନ୍ ମହାଯାଜକ । ଅନ୍ୟ ଯାଜକମାନଙ୍କ ପରି ନୁହେଁ, ଯାହା ଯୀଶୁ କରି ଦେଖାଇଲେ – ଏକମାତ୍ର ବଳିଦାନ ଭାବରେ ସେ ନିଜକୁ ଉତ୍ସର୍ଗ କଲେ ଯାହା ଜଗତରେ ଥିବା ସମସ୍ତଙ୍କ ପାପକୁ ଦୂର କରିବ । ଯୀଶୁ ସିଦ୍ଧ ମହାଯାଜକ ଅଟନ୍ତି କାରଣ ଜଗତରେ ଥିବା ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ କରିଥିବା ସମସ୍ତ ପାପର ଦଣ୍ଡକୁ ସେ ନିଜ ଉପରକୁ ନେଲେ ।

ଈଶ୍ବର ଅବ୍ରାହାମଙ୍କୁ କହିଲେ “ପୃଥିବୀରେ ସମସ୍ତ ଲୋକଦଳ ତୁମ୍ଭଦ୍ବାରା ଆଶୀର୍ବାଦପ୍ରାପ୍ତ ହେବେ ।“ ଯୀଶୁ ଅବ୍ରହାମଙ୍କର ଜଣେ ବଂଶଧର ଥିଲେ । ସମସ୍ତ ଲୋକଦଳ ତାହାଙ୍କ ଦ୍ବାରା ଆଶୀର୍ବାଦପ୍ରାପ୍ତ, କାରଣ ଯୀଶୁଙ୍କ ନାମରେ ବିଶ୍ବାସ କରୁଥିବା ସମସ୍ତେ ପାପରୁ ଉଦ୍ଧାର ପାଇଅଛନ୍ତି, ଏବଂ ଅବ୍ରହାମଙ୍କର ଆତ୍ମିକ ବଂଶଧରରେ ପରିଣତ ହୋଇଅଛନ୍ତି ।

ଅବ୍ରାହାମଙ୍କୁ ତାଙ୍କ ପୁତ୍ର ଇସାହାକଙ୍କୁ ବଳିଦାନ ଭାବରେ ବଳି ଦେବା ନିମନ୍ତେ ଯେତେବେଳେ ଈଶ୍ବର କହିଲେ, ସେତେବେଳେ ତାଙ୍କ ପୁତ୍ର ଇସାହାକଙ୍କ ପ୍ରତିବଦଳରେ ବଳିକୃତ ହେବା ପାଇଁ ଏକ ମେଷ ଯୋଗାଇଲେ । ଆମେ ସମସ୍ତେ ଆମ୍ଭମାନଙ୍କ ପାପ ପାଇଁ ମରିବାର ଯୋଗ୍ୟ ଅଟୁ! କିନ୍ତୁ ଈଶ୍ବର ତାହାଙ୍କ ମେଷ ଯୀଶୁଙ୍କୁ ଆମ୍ଭମାନଙ୍କ ସ୍ଥାନରେ ଏକ ବଳିଦାନ ଭାବରେ ମରିବାକୁ ପ୍ରଦାନ କଲେ ।

ଈଶ୍ବର ଯେତେବେଳେ ମିଶରରେ ଶେଷ ମହାମାରୀ ପ୍ରେରଣ କଲେ, ସେ ପ୍ରତ୍ୟେକ ଇସ୍ରାୟେଲୀୟ ପରିବାରକୁ ଏକ ଏକ ସିଦ୍ଧ ମେଷ ବଧ କରି ସେମାନଙ୍କ ଦ୍ଵାର ବନ୍ଧଗୁଡିକ ଉପରେ ସେହି ମେଷର ରକ୍ତ ଲଗାଇବାକୁ କହିଥିଲେ । ଈଶ୍ବର ଯେତେବେଳେ ରକ୍ତ ଦେଖିଲେ, ସେ ସେମାନଙ୍କ ଗୃହ ଛାଡିଲେ ଏବଂ ସେମାନଙ୍କ ପ୍ରଥମ ଜାତ ପୁତ୍ରମାନଙ୍କୁ ମାରିଲେ ନାହିଁ । ଏହି ଘଟଣାକୁ ନିସ୍ତାର ପର୍ବ କୁହାଯାଏ ।

ସେ ସିଦ୍ଧ ଓ ପାପଶୂନ୍ୟ ଥିଲେ ଏବଂ ନିସ୍ତାରପର୍ବ ପାଳନ ସମୟରେ ହିଁ ବଧ କରାଯାଇଥିଲେ । ଯେତେବେଳେ ଯେକୌଣସି ବ୍ୟକ୍ତି ଯୀଶୁଙ୍କଠାରେ ବିଶ୍ବାସ କରେ, ସେତେବେଳେ ଯୀଶୁଙ୍କ ରକ୍ତ ସେହି ବ୍ୟକ୍ତିଙ୍କ ପାପର ପ୍ରାୟଶ୍ଚିତ କରେ, ଏବଂ ଈଶ୍ବରଙ୍କ ଦଣ୍ଡ ସେହି ବ୍ୟକ୍ତିଠାରୁ ଦୂର ହୁଏ ।

ଈଶ୍ବର ଇସ୍ରାୟେଲୀୟମାନଙ୍କ ସହିତ ଏକ ନିୟମ କଲେ, ଯେଉଁମାନେ ତାହାଙ୍କ ମନୋନୀତ ଲୋକ ଥିଲେ । କିନ୍ତୁ ଈଶ୍ବର ବର୍ତ୍ତମାନ ଏକ ନୂତନ ନିୟମ କରିଅଛନ୍ତି ଯାହା ସମସ୍ତଙ୍କ ନିମନ୍ତେ ଉପଲବ୍ଧ ଅଟେ । ଏହି ନୂତନ ନିୟମ ଦ୍ବାରା, ଯେକୌଣସି ଲୋକଦଳର ଯେକୌଣସି ବ୍ୟକ୍ତି ଯୀଶୁଙ୍କୁ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ଲୋକମାନଙ୍କର ଏକ ଅଂଶବିଶେଷ ହୋଇପାରିବେ ।

ମୋଶା ଜଣେ ମହାନ୍ ଭାବବାଦୀ ଥିଲେ ଯିଏ ଈଶ୍ବରଙ୍କ ବାକ୍ୟ ଘୋଷଣା କରିଥିଲେ । କିନ୍ତୁ ଯୀଶୁ ସମସ୍ତ ଭାବବାଦୀମାନଙ୍କ ମଧ୍ୟରୁ ସର୍ବ ମହାନ୍ ଥିଲେ । ସେ ଈଶ୍ବର ଅଟନ୍ତି, ତେଣୁ ସେ ଯାହା ଯାହା କରୁଥିଲେ ଓ ତାହା ଈଶ୍ବରଙ୍କ କାର୍ଯ୍ୟ ଓ ଈଶ୍ବରଙ୍କ ବାକ୍ୟ ଥିଲା । ସେଥି ଯୋଗୁଁ ଯୀଶୁଙ୍କୁ ଈଶ୍ବରଙ୍କ ବାକ୍ୟ କୁହାଯାଏ ।

ଈଶ୍ବର ରାଜା ଦାଉଦଙ୍କୁ ପ୍ରତିଜ୍ଞା କରି କହିଲେ ଯେ ତାହାଙ୍କ ବଂଶଧରଙ୍କ ମଧ୍ୟରୁ ଜଣେ ଈଶ୍ବରଙ୍କ ଲୋକମାନଙ୍କ ଉପରେ ଚିରକାଳ ରାଜତ୍ବ କରିବେ । ଯେହେତୁ ଯୀଶୁ ଈଶ୍ବରଙ୍କ ପୁତ୍ର ଓ ଖ୍ରୀଷ୍ଟ ଥିଲେ, ସେ ଦାଉଦଙ୍କ ବିଶେଷ ବଂଶଧର ଥିଲେ ଯିଏ ଚିରକାଳ ରାଜତ୍ବ କରିବେ ।

ଦାଉଦ ଇସ୍ରାୟେଲର ରାଜା ଥିଲେ, କିନ୍ତୁ ଯୀଶୁ ସମଗ୍ର ବିଶ୍ଵର ରାଜା ଅଟନ୍ତି! ସେ ପୁଣି ଆସିବେ ଏବଂ ନ୍ୟାୟ ଓ ଶାନ୍ତିରେ ଚିରକାଳ ରାଜତ୍ବ କରିବେ ।
ବାଇବଲର ଏକ କାହାଣୀ: ଆଦି 1-3, 6, 14, 22; ଯାତ୍ରା 12, 20; 2ଶାମୁୟେଲ 7; ଏବ୍ରୀ 3:1-6, 4:14-5:10; 7:1-8:13; 9:11-10:18; ପ୍ରକା 21